କବିତା

ବାଲେଶ୍ୱରରୁ ବାରିପଦା ରାସ୍ତାରେ

Dr Dilip Kumar Swain's odia poem Baleshwarru Baripada Raastaare

ଶାଳପତ୍ରର ସବୁଜ ପଣତରେ
ଆଦିବାସୀ ଝିଅର ଲୁହ ମୁଁ ଦେଖିଛି
ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି
ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି
ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ
ବାରିପଦା ମୁଁ ଦେଖିଛି ।

ବାଲେଶ୍ୱରରୁ ବାରିପଦା ରାସ୍ତାରେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁବର୍ଣ୍ଣରେଖାର ଆଁ ଭିତରେ
ପୋତି ହୋଇପଡ଼ିଚି
ଆଧୁନିକ ଓଡ଼ିଶାର ମାନଚିତ୍ର ।

ମଲ୍ଲୀକାଶପୁରରୁ ମନ୍ତ୍ରପରି ଶୁଭୁଚି
ଲୋ ରେବ, ନିଆଁ, ଚୁଲ୍ଲୀ, ପାଉଁଶ
ଏଇଠି ଓହ୍ଲେଇ ପଡ଼ିବକି ମୁଁ !
ଚାନ୍ଦିପୁରର ବାଲିପାହାଡ଼ ଉପରେ ବସି
ମନେ ପକାଇବି ପ୍ରେମିକାକୁ
ଯାର ନୀଳ ଜହରରେ
ତିଆରି ହୋଇଛି ମୋ କବିତାର ହାଡ଼, ମାଂସ ।

ନା, ନା
ମୋତେ ଯିବାକୁ ହେବ ବାରିପଦା
ଶୁଖିଲା ପତ୍ରଙ୍କ ପାଲିଙ୍କିରେ
କାମନାର ନିଆଁ ଜାଳି
ବସନ୍ତ ଆସେ ଏଇଠି ।
ବନଝରଣାରୁ ପାଣି ତୋଳି
ପାହାଡ଼ ଶୃଙ୍ଗରେ କିଏ ଫଟେଇ ଦିଏ ମହୁର ସୋରେଇ
ଭିଜିଯାଏ ଠାକୁରାଣୀଙ୍କ ପୀତାମ୍ୱରୀ ।

ଷ୍ଟେସନ୍ ବଜାର ହାଟରେ
ହାଣ୍ଡିଆ ବିକୁଥିବା ତିର୍ଲା ଲୋକ
ଖରାବେଳକୁ ଛାତିରେ ଜାକିଜୁକି
ଶୋଇପଡ଼ିଚି ବୁଢ଼ାବଳଙ୍ଗ ତତଲା ବାଲିରେ ।

ଶାଳପତ୍ରର ସବୁଜ ପଣତରେ
ଆଦିବାସୀ ଝିଅର ଲୁହ ମୁଁ ଦେଖିଛି
ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି
ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି
ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ
ବାରିପଦା ମୁଁ ଦେଖିଛି ।

ବାଲେଶ୍ୱରରୁ ବାରିପଦା ରାସ୍ତାସାରା
ସବୁଜ ଗଛଙ୍କ ତୋରଣ
ପାହାଡ଼ଙ୍କ କୁଞ୍ଚରେ
ପ୍ରିୟତମ ଚନ୍ଦ୍ରର ଛଳନା
ରାସ୍ତାସାରା ଗୀତଖାତା

ମୋତେ ଏ ରାସ୍ତା ଲାଗେ
ପ୍ରେମିକା, ପ୍ରେମିକା !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top