ସୁବର୍ଣ୍ଣରେଖାର ଆଁ ଭିତରେ
ପୋତି ହୋଇପଡ଼ିଚି
ଆଧୁନିକ ଓଡ଼ିଶାର ମାନଚିତ୍ର ।
ମଲ୍ଲୀକାଶପୁରରୁ ମନ୍ତ୍ରପରି ଶୁଭୁଚି
ଲୋ ରେବ, ନିଆଁ, ଚୁଲ୍ଲୀ, ପାଉଁଶ
ଏଇଠି ଓହ୍ଲେଇ ପଡ଼ିବକି ମୁଁ !
ଚାନ୍ଦିପୁରର ବାଲିପାହାଡ଼ ଉପରେ ବସି
ମନେ ପକାଇବି ପ୍ରେମିକାକୁ
ଯାର ନୀଳ ଜହରରେ
ତିଆରି ହୋଇଛି ମୋ କବିତାର ହାଡ଼, ମାଂସ ।
ନା, ନା
ମୋତେ ଯିବାକୁ ହେବ ବାରିପଦା
ଶୁଖିଲା ପତ୍ରଙ୍କ ପାଲିଙ୍କିରେ
କାମନାର ନିଆଁ ଜାଳି
ବସନ୍ତ ଆସେ ଏଇଠି ।
ବନଝରଣାରୁ ପାଣି ତୋଳି
ପାହାଡ଼ ଶୃଙ୍ଗରେ କିଏ ଫଟେଇ ଦିଏ ମହୁର ସୋରେଇ
ଭିଜିଯାଏ ଠାକୁରାଣୀଙ୍କ ପୀତାମ୍ୱରୀ ।
ଷ୍ଟେସନ୍ ବଜାର ହାଟରେ
ହାଣ୍ଡିଆ ବିକୁଥିବା ତିର୍ଲା ଲୋକ
ଖରାବେଳକୁ ଛାତିରେ ଜାକିଜୁକି
ଶୋଇପଡ଼ିଚି ବୁଢ଼ାବଳଙ୍ଗ ତତଲା ବାଲିରେ ।
ଶାଳପତ୍ରର ସବୁଜ ପଣତରେ
ଆଦିବାସୀ ଝିଅର ଲୁହ ମୁଁ ଦେଖିଛି
ଏଇଠି ଦୁଃଖକୁ ଚୁଲ୍ଲୀରେ ଜାଳି
ଭାତ ରାନ୍ଧୁଥିବା ପୃଥିବୀ ଦେଖିଛି
ଭୋକ ଆଉ ଦୁଃଖ ପରାସ୍ତ ହୋଇଥିବା ସ୍ୱର୍ଗ
ବାରିପଦା ମୁଁ ଦେଖିଛି ।
ବାଲେଶ୍ୱରରୁ ବାରିପଦା ରାସ୍ତାସାରା
ସବୁଜ ଗଛଙ୍କ ତୋରଣ
ପାହାଡ଼ଙ୍କ କୁଞ୍ଚରେ
ପ୍ରିୟତମ ଚନ୍ଦ୍ରର ଛଳନା
ରାସ୍ତାସାରା ଗୀତଖାତା
ମୋତେ ଏ ରାସ୍ତା ଲାଗେ
ପ୍ରେମିକା, ପ୍ରେମିକା !