ତୁଣୀରେ କାଳି ଭର୍ତ୍ତି କରି
କଲମର ଧନୁ ଧରି
ଆସ ଯିବା, ଆଜି ରାତିରେ
ଶବ୍ଦ ଶିକାରରେ ।
ପରିପକ୍ୱ ଶବ୍ଦମାନଙ୍କୁ
ଉଡ଼ିଯିବା ସମୟରେ ହିଁ ଶିରବିଦ୍ଧ କରି
ଖସେଇ ଦେବା କାଗଜ ଛାତିରେ …
କୌଶଳରେ ଖସିଯାଉଥିବା
ଶବ୍ଦମାନଙ୍କ ପାଇଁ
ଜାଲଟେ ବାନ୍ଧିବା ସ୍ୱପ୍ନର ଦିଗରେ ।
ମୁଖାଟେ ପିନ୍ଧିବା
ଖୁବ ନିୟନ୍ତ୍ରଣରେ ଦର ଚିହ୍ନା ଶବ୍ଦର
ଆଖିକୁ ଫିଙ୍ଗିବା ତୀକ୍ଷ୍ଣ ଅସ୍ତ୍ରଟେ ।
ଫାଶଟେ ବାନ୍ଧି, ଉପରେ ତମ
ପାଉଁଜିର ଶବ୍ଦ ଆଉ ଓଠର ଲାଳିମାର
ଛଦ୍ମ ମଲାଟଟେ ନାଇ
ଅପେକ୍ଷା କରିବା… ସେ ଶବ୍ଦ ସବୁକୁ ।
ଶେଷରେ
ଆହତ ନିହତ ଶବ୍ଦ ମାନଙ୍କୁ ନେଇ
ଫେରି ଆସିବା ଘରକୁ ।
