ସ୍ମୃତି ଏକ ରୂପା ଜହ୍ନ ମୋ ମନ ଆକାଶରେ
କେବେ ଝଲ୍ମଲ୍ ଅନୁଭୂତିର ଶୀତଳ ଜ୍ୟୋସ୍ନା ସାଥୀରେ
କେବେ ବିବର୍ଣ୍ଣ ଅନୁଭୂତିର କଳା ବାଦଲ ଛାଇରେ,
କେବେ ପ୍ରତିବିମ୍ବିତ ହୁଏ ଅନୁଭୂତିର କାଚ ଆଇନାରେ
କେବେ ମତୁଆଲା ଅନୁଭୂତିର ପିଆଲା ପାନରେ,
ଚିରଦିନ ଅଲିଭା ଅଙ୍କାବଙ୍କା ଗାରଟିଏ ମୋ ମନର
ଭଙ୍ଗା ସିଲଟ ଛାତିରେ ।
କେବେ କେବେ ଶୀତୁଆ ରାତ୍ରିର ପାହାନ୍ତି ପ୍ରହର ସ୍ୱପ୍ନରେ
ସ୍ମୃତି ସବୁ ଚୁପିଚୁପି ଆସି ମୋତେ ନିଦରୁ ଉଠାନ୍ତି, ଫ୍ରକ୍ ପିନ୍ଧା
ଛୋଟ ଝିଅଟିଏ ଫୁଲ ଡାଲା ଧରି ବାହାରିଯାଏ ବାଡ଼ିପଟ
ବଗିଚାକୁ ଫୁଲ ତୋଳିବାକୁ, ସଜଫୁଟା ଫୁଲ ଗୁଡା ତାକୁ ଚାହିଁ
ଖିଲିଖିଲି ହସନ୍ତି, ଆରେ ଆମକୁ ଚିହ୍ନିପାରୁନୁ ଆମେ ତୋର ପିଲା
ଦିନ ସାଙ୍ଗ, ମନେ ପକା ଯେ,ବୋହୂଚୋରି ଖେଳ,
ଗାଁ ଦାଣ୍ଡେ ମେଳ, ପୁଣି ସ୍କୁଲ୍ ଯିବାବେଳ,
ସବୁ ଝାପ୍ସା ସବୁ ଅସ୍ପଷ୍ଟ,
ଫୁଲ ତୋଳି ସାରି ଫେରିଲା ବେଳକୁ ଘାସର ଗାଲିଚାରେ
ଶିଶିର ବିନ୍ଦୁଟି କଅଁଳେଇ ଚାହେଁ, ମୁଁ ତୋର ବୋଉ, ମୋତେ
ଚିହ୍ନି ପାରୁନୁ , ମା ମୋର ମୋ ପାଖକୁ ଆ, ମୋ କୋଳରେ ବସ
ମୋ ସ୍ନେହର ସ୍ପର୍ଶରେ ହଜିଯିବ ସବୁ ଦୁଃଖ ତୋର ସବୁ ଶ୍ଲେଷ
ତୋର ।
କେବେ ମଧୁମୟ ବସନ୍ତର ଫୁଲ ଅଗଣାରେ
ମୁଁ ଯେବେ ବିଚରଣ କରୁ ଥାଏ, ମନ୍ଦମନ୍ଦ ବହୁଥିବା
ମଳୟ ପବନ ସାଥୀରେ, ସ୍ମୃତିସବୁ ଆସି ମୋ ଅଜାଣତରେ
ମୋ ଆଖି ବୁଜି ଧରନ୍ତି, ମୁଁ ରୋମାଞ୍ଚିତ ହୁଏ,ଏମାନେ କିଏ,
ମୋ କଲେଜ୍ ସାଙ୍ଗ, ସାଲୁଆର୍ କମିଜ୍ ପିନ୍ଧା ଝିଅଟିଏ କଲେଜ୍
ଯାଏ, ହସ ଖୁସିର ହଷ୍ଟେଲ ଜୀବନ, ପୂଜା ମଉଜ,
ଆନୁଆଲ୍ ଫଙ୍କ୍ସନ,ବଜାର ଯିବା ବାଟରେ ଗୁପଚୁପ୍ ଖାଇବା,
ପୁଣି ସନ୍ଧ୍ୟା ପୂର୍ବରୁ ହଷ୍ଟେଲ୍ ଫେରିବା, ମୁଁ ଆହ୍ଲାଦିତ ହୁଏ, ଠିକ୍
ଏତିକି ବେଳେ ସେମାନେ ଫେରିଯାନ୍ତି ଯେଝା ବାଟରେ ।
ବେଳେବେଳେ ନିଦାଘର ନିଛାଟିଆ ଖରାବେଳେ
ସ୍ମୃତିସବୁ ହଠାତ୍ ପଶିଆସନ୍ତି ମୋ ମନ
ଇଲାକାକୁ, ଦଲକାଏ ଝାଞ୍ଜି ପବନ ସାଥୀରେ,
ଜିଭ ଦେଖେଇ ଖତେଇ ହୁଅନ୍ତି, ଦାନ୍ତ ନିକିଟି ନିକିଟି
ହସନ୍ତି, ମୁଁ କାଳେ ବାଜି ହାରିଯାଇଛି, କାରଣ ମୁଁ ମା’ଟିଏ,
ମୋ ହୃଦୟରୁ ବହୁଛି ମମତାର ମନ୍ଦାକିନୀ,
ମୁଁ କେମିତି ପହଞ୍ଚିବି ସୁମେରୁ ଶିଖରରେ,କେହି ବୁଝୁ ବା
ନବୁଝୁ ମୁଁ କେବଳ ନିଜକୁ ହରେଇବା ହିଁ ଶିଖିଛି ।
ଏବେ କିଛିଦିନ ହେଲା ମୋ ମନ କୋଠରୀର
ଚେତନାର ସିନ୍ଦୁକ ଭିତରେ ସ୍ମୃତିର ଫରୁଆ ରେ
ଅନୁଭୂତିମାନେ ବନ୍ଦ ହୋଇ ରହିଛନ୍ତି ମୋତେ
ଉପେକ୍ଷା କରି ଏଣିକି ଏମାନେ ଅପ୍ରତିଭ ଅସଂଲଗ୍ନ
ମୁହୂର୍ତ୍ତରେ ଆଉ ଆସିପାରିବେନି, ମୁଁ ଏବେ ଆଉ କାହା
ପ୍ରେମରେ ପଡ଼ିଛି, ମୋ ପ୍ରିୟ ବାନ୍ଧବୀ, ମୋ ଅବଶିଷ୍ଟ
ଜୀବନ ସାହାରା, ମୋ ମଣି କାଞ୍ଚନ ହୀରା, ସୁରଭିତ ମୋ
ମନର ଅଗଣା, ବେଶ୍ ହେଲା ତେଲଲୁଣ ସଂସାର, ଆଉ
କିଛି ନାହିଁ ଅଭିଯୋଗ, କେବଳ ମୁଁ ଆଉ ମୋର ଅନୁଭବ ।
