କବିତା

ମା

Shibanarayan Das's odia poem Maa

ନିତ୍ୟ ତବ ପଲକ ତାଳେ ଚଲାଅ ତୁମେ ସୂର୍ଯ୍ୟ ଶଶୀ,
ସ୍ନିଗ୍ଧ ତବ ଅଧର ଧାରେ ଝରାଅ କେତେ ଦିବସ ନିଶି ।

ମା

କ୍ଷୁଦ୍ର ମୁଁ ଗୋ କ୍ଷୁଦ୍ର ଅତି ପାରେ କି କେବେ ତୁମକୁ କଳି,
ବ୍ୟାପ୍ତ ତୁମେ ବିଶ୍ୱମୟୀ କିଏ ବା ଯିବ ତୁମକୁ ବଳି !

ବିଶ୍ୱାତୀତା ତୁମେ ଗୋ ପୁଣି ସତେ କି ତୁମେ ସିନ୍ଧୁ ପ୍ରାୟେ,
ତୁମରି ସେହି ଅଗାଧ ଜଳେ କ୍ଷୁଦ୍ର ମୁହିଁ ବିନ୍ଦୁଟିଏ ।

ନିତ୍ୟ ତବ ପଲକ ତାଳେ ଚଲାଅ ତୁମେ ସୂର୍ଯ୍ୟ ଶଶୀ,
ସ୍ନିଗ୍ଧ ତବ ଅଧର ଧାରେ ଝରାଅ କେତେ ଦିବସ ନିଶି ।

ଚଳାଅ ନୀତି ନିଶ୍ୱାସରେ କେତେ ଯେ ଗ୍ରହ ତାରକା-ମାଳା,
ଅଜ୍ଞ ମୁହିଁ ପାରେନା ବୁଝି ତୁମରି ସେହି ଦିବ୍ୟଲୀଳା ।

ଚପଳା ହୋଇ ମେଘର କୋଳେ କର ଯେ ପୁଣି କି ଖେଳା ତୁମେ,
ବରଷା ହୋଇ ବରଷିଯାଅ ସୁଶ୍ରୀ ତବ ଏ ଧରା-ଧାମେ ।

ବଜ୍ର ହୋଇ ଗରଜ ଯେବେ ଥରାଇ ଦିଅ ପରାଣ ମୋର,
ଆକାଶେ ହୋଇ ଇନ୍ଦ୍ରଧନୁ ଦିଶଗୋ ପୁଣି କି ମନୋହର !

ସାଗର-ବକ୍ଷେ ଉର୍ମି ସାଥେ ଦେଖେ ମୁଁ ପୁଣି ତୁମରି ଛବି,
ଝରଣା, ନଈ, ପାହାଡ଼ ମେଳେ ତୁମରି ଗୀତ ରଚଇ କବି ।

ତୁମେ ଯେ ଅଟ ସର୍ବମୟ ସକଳ ପ୍ରାଣ ଅଧୀଶ୍ଵର,
ନିଜକୁ ନେଇ କାହିଁକି ତେବେ ବୃଥା ଏ ଯେତେ ଦମ୍ଭ ମୋର ।

କାହିଁକି ତେବେ ଗର୍ବ ଏତେ କାହିଁକି ଆଉ ଏ ଅଭିମାନ,
ଚରଣ ତଳେ ଆଶ୍ରା ଦିଅ ଫିଟୁ ଏ ମୋର ରୁଦ୍ଧ ପ୍ରାଣ ।

ଜାଣେନା ଆଜି ତୁମକୁ ଦେଖି କାହିଁକି ଉଠେ ଏମିତି କୋହ,
କାହିଁକି ଉଠେ ଅନ୍ତରେ ମୋ ଉଦ୍ବେଳିତ ଏମିତି ସୁଅ ।

କୋହର ଢେଉ ଛାତିରେ ଚାପି ଭରେ ମୁଁ ଯେବେ ହୃଦୟ ତଳ,
ନୟନୁଁ ତୁମେ ଯାଅଗୋ ବହି ନିମିଷେ ହୋଇ ଅଶ୍ରୁ ଜଳ ।

ଅଶ୍ରୁ ସାଥେ ରିକ୍ତ କରି ହୃଦୟୁ ତୁମେ ଗଲେ ଗୋ ଚାଲି,
କେମିତି କୁହ ଜୀଈଁବି ସତେ ଶୂନ୍ୟ ଏହି ଜୀବନ ଧରି ?

ଶୂନ୍ୟ ମୋର ଆଧାର ଗୋଟି ତୁମେ ଗୋ ଆଜି ପୂର୍ଣ୍ଣ କର,
ଜନ୍ମ ଆଉ ମୃତ୍ୟୁ ନେଇ ଜୀବନ ମୋର ଧନ୍ୟ କର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top