କବିତା

କାନ୍ଦୁଛି ଭାରତମାତା

Manmath Kumar Dalei's odia poem Kaanduchhi Bharatamaataa

ଜୀବନ ଜୀବିକାର ଧାନ କ୍ଷେତ,
ଧୀରେ ଧୀରେ ମଉଳି ଚାଲିଛି
ଓଠରୁ ହସର କୁସମ,
ଉଡି ଯାଇଛି ଖୁସିର ରଙ୍ଗୀନ ପ୍ରଜାପତି,
ଶୁଖି ଚାଲିଛି ଉଲ୍ଲାସର ଚିରସ୍ରୋତା ନଦୀ ।

କାନ୍ଦୁଛି ଭାରତମାତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବେରୋଜଗାରୀର କୁଆପଥର ମାଡ଼ରେ
ଉଜୁଡି ଚାଲିଛି ରୋଜଗାରର ସବୁଜ ଫସଲ,
ଅନିୟନ୍ତ୍ରିତ ଦରଦାମର ଚଡ଼କରେ
ଜଳିପୋଡି ପାଉଁଶ ହୋଇ ଚାଲିଛି
ଆକାଂକ୍ଷାର ବିଶାଳ ତାଳଗଛ,
ମହାମାରୀର ମଡ଼କରେ
ଫାଟି ଆଁ ହୋଇ ଗଲାଣି
ଜୀବନ ଜୀବିକାର ଧାନ କ୍ଷେତ,
ଧୀରେ ଧୀରେ ମଉଳି ଚାଲିଛି
ଓଠରୁ ହସର କୁସମ,
ଉଡି ଯାଇଛି ଖୁସିର ରଙ୍ଗୀନ ପ୍ରଜାପତି,
ଶୁଖି ଚାଲିଛି ଉଲ୍ଲାସର ଚିରସ୍ରୋତା ନଦୀ ।

ମହାକାଶ ଆଜି ପ୍ରଦୂଷିତ
ମୃତ୍ୟୁର ହାହାକାର ଶବ୍ଦେ ,
ଧରିତ୍ରୀ ପ୍ରକମ୍ପିତ
ମହାମାରୀର ପ୍ରଚଣ୍ଡ ଭୂକମ୍ପେ,
ଗଙ୍ଗାମାତା ନିସ୍ତବ୍ଧ
କୁଢ଼ କୁଢ଼ ଶବଙ୍କ ବିଶାଦେ,
କବାଟ ବାହାରେ ମୃତ୍ୟୁର ଅଛିଣ୍ଡା ଗଣିତ,
କବାଟ ଭିତରେ ଦାରିଦ୍ର୍ୟର ଅସ୍ତବ୍ୟସ୍ତ ଭୂଗୋଳ,
ଗଣ୍ଡିରେ ହଣା ଖାଉଥିବା ବଟବୃକ୍ଷ ପରି
ଭାରତମାତା ଆଜି ଅସହାୟ
ତା ଆଖିରେ ଲୋତକ ଓହଳ ।

ଟିଭି ଖୋଲିଲେ ମୃତ୍ୟୁର ତାଣ୍ଡବ,
ଖବର କାଗଜରେ ଶବଙ୍କ ପଟୁଆର,
ସମୟ କାନ୍ଥରେ ମୃତ୍ୟୁର ଇସ୍ତାହାର,
ଭାଗ୍ୟର ଆକାଶେ କାଳରାତ୍ରିର କିଟି ମିଟି ଅନ୍ଧାର,
ଗଛକୁ ଝୁଣି ଦେଲାପରେ
ବରକୋଳି ଝଡିଲାପରି ଝଡି ଚାଲିଛନ୍ତି
ବସୁଧାର ଶ୍ରେଷ୍ଠ ପ୍ରାଣୀ ମଣିଷ,
ବାଘ ହାବୁଡ଼ରେ ବଉଳା ଗାଇ ପରି
ଭାରତମାତା ଆଜି ନିଃସହାୟ,
ଅଟକି ଯାଇଛି କଣ୍ଠେ ତା’ର
ବାତ୍ସଲ୍ୟ ପ୍ରୀତିର ହମ୍ବା ରଡିମାନ ।

ମହାମାରୀର ଲୌହ ପଞ୍ଜୁରୀରେ
ମାନବ ଆଜି ନିରୁପାୟ ପକ୍ଷୀଟିଏ,
ନା ଅଛି ଡେଣା ଝାଡ଼ି ଉଡିବାର ସ୍ୱାଧୀନତା,
ନା ଅଛି ହସଖୁସିର ସୁନେଲି ଭବିଷ୍ୟତ,
ଅଛି ଖାଲି
ବିପୁଳ ଭୟର ବିସ୍ତିର୍ଣ୍ଣ ମରୁଭୂମି,
ଲବଣାକ୍ତ ନିରାଶାର ସୀମାହୀନ ସାଗର,
ତୀରବିଦ୍ଧ ବିହଙ୍ଗ ପରି
ଭାରତମାତା ଆଜି ଛଟପଟ,
ଯନ୍ତ୍ରଣାରେ ଜର୍ଜରିତ ସର୍ବାଙ୍ଗ ଶରୀର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top