ବରଷା ହୋଇନି
ମାସେ ହେଲା, ବିଲ
ପୁରା ଟାଙ୍ଗରା,
ଦିନ ଦି’ ପହରେ
ଚାଉଁ ଚାଉଁ କରି
ମାରୁଛି ଖରା ।
ଚାରିଦିନ ହେଲା
ପଡ଼ିନି ପେଟରେ
ଆହାର କିଛି,
ବିଲମାଳେ ଧଣ୍ଡ
ହୁଏ ଲଣ୍ଡଭଣ୍ଡ
ଭୋକରେ ଅଛି ।
ମଥା ଟେକି ଧଣ୍ଡ
ଦେଖିଲା ପାଖରେ
ପରଜାପତି,
ରଙ୍ଗବିରଙ୍ଗ ତା’
ଡେଣା ମେଲି ଉଡେ଼
ଖୁସିରେ ଅତି ।
ଧଣ୍ଡ ଭାବୁଥାଏ,
ସହଜେ ତାହାକୁ
ଟାଣି ଆଣିବ,
ହେଲେ ଏତେ ଟିକି
ଶିକାରେ କି ତା’ର
ପେଟ ପୁରିବ ।
ଦେହେ ନାହିଁ ବଳ,
ଧୀରେ ଧୀରେ ଧଣ୍ଡ
ଯାଉଛି ଚାଲି,
ଦେଖିଲା ପାଖରେ
ବସିଛି ଗୋଟିଏ
କୁନି ବଗୁଲି ।
ପାଟିରୁ ଗଳିଲା
ଲାଳ ସିନା ତା’ର,
ପାଇଲା ନାହିଁ,
ମୁହଁ ପାଶୁ ତା’ର
ତଟକା ଶିକାର
ଗଲା ପଳାଇ ।
ଶିକାର ଆଶାରେ
ଧାନଗଛ ମୂଳେ
କୁଣ୍ଡଳୀ କାଟି
ଚେଇଁ ଶୋଇଥାଏ
ସାପ ବିଚରାଟି
କାମୁଡ଼ି ମାଟି ।
ଉଡ଼ି ବୁଲୁଥାଏ
ପ୍ରଜାପତିଟାଏ
ଚକର କାଟି,
ଶିକାର ଧରିବା
ଆଶାରେ ଆସୁଛି
ବୁଢ଼ା ବେଙ୍ଗଟି ।
ଡେଇଁ ଡେଇଁ ବେଙ୍ଗ
ଧଣ୍ଡ କୁଣ୍ଡଳୀରେ
ବସିଲା ମାଡ଼ି,
ଚାହୁଁ ଚାହୁଁ ସାପ
ଧରିନେଲା ତାକୁ
ପାଟିରେ ଭିଡ଼ି ।
ବେଙ୍ଗ ପଛ ପଟ
ସାପର ପାଟିରେ,
ପାଟି ବେଙ୍ଗର
ଡାକ ଛାଡୁଥିଲା
ପରାଣ ବିକଳେ
କେଁ କଟର
ପରଜାପତିଟି
ବେଙ୍ଗ ମୁହଁ ଦେଇ
ଯାଉଛି ଉଡ଼ି,
ଜିଭକୁ ବଢ଼ାଇ
ବେଙ୍ଗ ତାକୁ ବଳେ
ଆଣିଲା ଭିଡ଼ି ।
ଲୋଭ ଲାଗି ସିନା
ବହୁ ଜୀବଙ୍କର
ଜୀବନ ଯାଏ,
ଆମେ କି ଏଥିରୁ
ଶିଖିବାନି କିଛି
କହ, ପିଲାଏ ?