ଲୋକେ ଥିଲେ ଜଣେ,
ଜନମିଲେ ଦିନେ
ଘରେ ତାଙ୍କ ପୁଅ ଦୁଇ,
ଗଢ଼ଣ ଦିହିଁଙ୍କ
ଦେଖାଯାଏ ଏକ,
ସହଜେ ବାରି ହୋଇ ।
ଆଗେ ଜନମିବା
ପୁଅର ବରନ
କଳା ମିଚିମିଚି ଦିଶେ,
ସାନ ପୁଅ ଦେହ
ଗୋରା ତକତକ,
ଫୁଟିଲା ମାଳତୀ କି ସେ ।
କାଳିଆ, ବଳିଆ
ଦୁଇ ପୁଅ ନାଆଁ
ଦେଲେ ବାପା ଶରଧାରେ,
ତଥାପି ସମାନ
ଭାବ ନ ରଖନ୍ତି
ବାପା ଦୁଇ ପୁଅଠାରେ ।
ସାନ ପୁଅଠାରେ
ସେନେହ ଅଧିକ
ପାଶେ ଥିଲେ ହୋଇ ଖୁସି,
ମନ ଫୁଲାଣିଆ
ଗୀତ ଗାଉଥାନ୍ତି
କହୁଥାନ୍ତି କଥା ହସି ।
ବଡ଼ପୁଅ ଆସି
ବସିଲେ ପାଶରେ
ବାପ ମୁହଁ ଯାଏ ଶୁଖି,
କାଳିଆଟା କିଆଁ
ଘରୁ ଯାଉ ନାହିଁ,
ଏ କଥା ମନରେ ରଖି ।
ଦିନେ ଦୁଇ ଭାଇ
ବାପା ପାଶେ ଯାଇ
କହିଲେ ସେନେହ ଭରେ-
ଏପରି କିପାଇଁ
ଭେଦଭାବ ତୁମେ
ରଖ ଦୁଇ ପୁଅଠାରେ ।
ଦୁଇ ଭାଇ ଆମେ
ଲୁଚକାଳି ଖେଳ
ଖେଳୁଅଛୁ ଶରଧାରେ,
କାଳିଆ ଲୁଚିଲେ
ତାକୁ ନ ଦେଖିବ,
ବଳିଆ ଥିବ ପାଶରେ ।
ପାଳି କରି ଆମେ ଯାଇ ଆସୁଅଛୁ,
ବୁଝ, ହେ ବାପା, ଏତିକି,
ଦୁଇ ପୁଅଠାରେ
ସମାନ ସେନେହ
ରଖିବା ଉଚିତ ନିକି ।
ଅବୁଝା ସେ ବାପା
ହୋଇଯାନ୍ତି ଖପା
ପାଖରେ କାଳିଆ ଥିଲେ,
ଦିନଟିଏ ତାଙ୍କୁ
ଲାଗେ ଯୁଗ ପରି
ବଳିଆକୁ ନ ଦେଖିଲେ ।
ଦେଇ କି ପାରିବ,
ପିଲାଏ, କାଳିଆ
ବଳିଆର ପରିଚୟ ?
ଦୁଃଖ, ସୁଖ ଦିହେଁ
ମଣିଷ ମନର
ଜାଆଁଳା, ଜାଣ, ଦି’ପୁଅ ।
ସୁଖ ଦୁଃଖ ଦୁଇ
ମଣିଷ ଜୀବନେ
କେବେ ଆସେ, କେବେ ଯାଏ,
ଭଗବାନ ପାଶେ
ଲଗାଏ ଯେ ମନ,
ବଳିଆ ତା’ ପାଶେ ଥାଏ ।
