ସେଦିନ ପିତାମ୍ୱର ବାବୁ ବଜାରରେ ବ୍ଲୁ ହ୍ୱେଲ୍ ଗେମ୍ ବିଷୟରେ ଶୁଣିବା କ୍ଷଣି ତାଙ୍କୁ ଜମା ଭଲ ଲାଗିଲାନି । ବଜାର କାମ ଅଧାରେ ରଖି ତରତରରେ ଘରକୁ ଫେରିଆସିଲେ ।
ଘରେ ପହଞ୍ଚିଲା ବେଳକୁ ପିତାମ୍ୱର ବାବୁଙ୍କ ଦେହସାରା ଝାଳ । ଖୁବ୍ ଟେନ୍ସନ୍ରେ ଥିବା ଜଣାପଡୁଥାନ୍ତି । ଆସୁ ଆସୁ ବୋହୂକୁ ପଚାରିଲେ, “ପିଣ୍ଟୁ କୁଆଡ଼େ ଗଲା ?” ବୋହୂ ତତ୍କ୍ଷଣାତ୍ କହିଲେ, “ଆଉ କୁଆଡ଼େ ଯିବ । ରବିବାରଟା । ଟିଉସନ୍ ଛୁଟି । ତା’ ରୁମ୍ରେ ସକାଳୁ ଲାପ୍ଟପ୍ଟା ଧରି ବସିଛି । ମନା କରିବାରୁ କବାଟ କିଳି ଦେଲା । ବସିକି ଖେଳୁଥିବ । ଆଉ କ’ଣ !”
କଥାଟା ଶୁଣି ପିତାମ୍ୱର ବାବୁ ସନ୍ତୁଷ୍ଟ ହେଲେ ନାହିଁ । ତାଙ୍କର ମନ ବୁଝିଲା ନାହିଁ । ପିଣ୍ଟୁକୁ ଦେଖିବାକୁ ଉପରକୁ ଗଲେ । ପିଣ୍ଟୁ ତା’ ରୁମ୍ ମଧ୍ୟରେ ଭିତରପଟୁ ଲକ୍ କରିଦେଇଥାଏ । ପ୍ରଥମେ ଡାକିଲେ । ନ ଶୁଣିବାରୁ କବାଟ ବାଡ଼େଇଲେ । ତଥାପି, ନ ଶୁଣିବାରୁ ଖୁବ୍ ଜୋର୍ରେ ବୋହୂକୁ ଡାକିଲେ, “ପିଣ୍ଟୁ ଭିତର ପଟୁ ଲକ୍ କରି ଦେଇଛି, ଡାକିଲେ ଶୁଣୁନି ।”
ବୋହୂ ରନ୍ଧାକାମ ଛାଡ଼ି ଦେଇ ଉପରକୁ ଦୌଡ଼ିଲେ । ଡାକିଲେ । ନ ଶୁଣିବାରୁ କବାଟ ବାଡ଼େଇଲେ । କିଛି ପ୍ରତ୍ୟୁତ୍ତର ନ ମିଳିବାରୁ ବ୍ୟସ୍ତ ହୋଇ ସାଇ ପଡ଼ିଶାର ଲୋକଙ୍କୁ ଡାକିଲେ ପିଣ୍ଟୁର ବାପାଙ୍କୁ ଫୋନ୍ କଲେ । ଅନ୍ୟ ବନ୍ଧୁ ପରିଜନଙ୍କୁ ମଧ୍ୟ ଫୋନ୍ ଯୋଗେ ଜଣାଇଲେ ।
ବୋହୂଙ୍କ ଡାକଶୁଣି ସାଇପଡ଼ିଶାର ସମସ୍ତେ ଜମା ହୋଇଗଲେ । ପିଣ୍ଟୁର ବାପା ମଧ୍ୟ ପହଞ୍ଚିଗଲେ । ପୋଲିସକୁ ମଧ୍ୟ ଫୋନ୍ କରାଗଲା । ସମସ୍ତଙ୍କ ଉପସ୍ଥିତିରେ କବାଟ ଭଙ୍ଗାଗଲା । ପିଣ୍ଟୁ ପଙ୍ଖାରେ ପ୍ଲାଷ୍ଟିକ୍ ରସି ଖଣ୍ଡେ ଲଗାଇ ଝୁଲୁଥିଲା । ପିଣ୍ଟୁର ଏ ଅବସ୍ଥା ଦେଖି କେହି ଭିତରକୁ ପଶିବାକୁ ଉଚିତ୍ ମନେ କଲେନି ।
ପୋଲିସ୍ ଆସିଲା । ତା’ର ଉପସ୍ଥିତିରେ ପିଣ୍ଟୁକୁ ଖୋଲାଗଲା । ତା’ ବାମ ହାତରେ ବ୍ଲେଡ୍ ଦ୍ୱାରା ଆଘାତ କରାଯାଇ ଅଙ୍କିତ ହୋଇଥିଲା ଗୋଟିଏ ମାଛର ଚିତ୍ର । ଟେବୁଲ୍ ଉପରେ ଥିଲା ଏକ ନୋଟ୍ । ସେଥିରେ ଲେଖା ହୋଇଥିଲା, Yes ! I Can DO !