ଗଳ୍ପ

ସନ୍ତ୍ରାସବାଦୀ ଓ ବଣ୍ଟି

Madhabananda Panda's Odia Story for Children SANTRAASABAADI O BONTY
ସନ୍ତ୍ରାସବାଦୀ ଓ ବଣ୍ଟି

ବଣ୍ଟି ସେଦିନ ଖବରକାଗଜରୁ ପଢ଼ିଲା ସନ୍ତ୍ରାସବାଦୀମାନେ ଗୁଜୁରାଟର ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରି ଅନ୍ୟୁନ ପଚାଶ ନିରୀହ ଭକ୍ତଙ୍କର ପ୍ରାଣନାଶ ଘଟାଇଛନ୍ତି । ତା’ ମନରେ ଖୁବ୍ ଦୁଃଖ ହେଲା । ଆଉ ଦିନେ ଖବରକାଗଜରୁ ଦେଖିଲା ଜାମ୍ମୁରେ ରଘୁନାଥ ମନ୍ଦିର ଉପରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ଓ ବାରଜଣ ଭକ୍ତଙ୍କର ପ୍ରାଣହାନୀ । ବଣ୍ଟିର ମନ ଦୁଃଖରେ ଭରିଗଲା । ଧର୍ମ ନାମରେ ଏ ନରହତ୍ୟା କାହିଁକି ?

ସବୁ ଧର୍ମର ନୀତି ମାନବବାଦ । ପରୋପକାର, ଦୟା, ଅନ୍ୟ ପ୍ରତି ସମ୍ୱେଦନଶୀଳତା ସବୁ ଧର୍ମର ଶିକ୍ଷା । ପରୋପକାରାୟ ସ୍ୱର୍ଗାୟ/ପାପାୟ ପରପୀଡ଼ନମ୍ – ହିନ୍ଦୁ ଧର୍ମର ଉଦ୍ଘୋଷଣା । ଅନ୍ୟମାନଙ୍କ ପ୍ରତି ଅବିଚାର ଅତ୍ୟାଚାର ମଧ୍ୟ ପାପ ମଧ୍ୟରେ ଗଣା । ଯେ କୌଣସି ପୀଡ଼ିତ ଅସହାୟ ଲୋକର ସେବା ହିଁ ପ୍ରକୃତ ଧର୍ମ । ଗୁଡ୍ ସମରିଟାନ୍ ଗଳ୍ପରୁ ସେ ଏ କଥା ପଡ଼ିଛି । ଧର୍ମ ନାମରେ ଏ ହତ୍ୟା, ରକ୍ତପାତ ବଣ୍ଟି ପାଇଁ ଥିଲା ଏକ ପ୍ରହେଳିକା । ତା’ ଆଖିରେ ଦେଖାଦେଲା ଲୁହର ପ୍ଳାବନ ।

ଏତଦ୍‌ବ୍ୟତୀତ ଧର୍ମସ୍ଥଳ ଉପରେ ଆକ୍ରମଣ କେଉଁ ଧାର୍ମିକତା ? ଧର୍ମ ଏକ ବ୍ୟକ୍ତିଗତ ବିଶ୍ୱାସ ଉପରେ ଆଧାରିତ । ନିଜର ନୈତିକ, ଆଧ୍ୟାତ୍ମିକ ଉନ୍ନତି ହିଁ ଧର୍ମର ଚରମ ଲକ୍ଷ୍ୟ । ପରମଶକ୍ତିଙ୍କ ସହ ସାକ୍ଷାତ୍‌କାର ଓ ଆତ୍ମୋପଲବ୍‌ଧି ହିଁ ଧର୍ମର ଚରମ ଲକ୍ଷ୍ୟ । ବିଭିନ୍ନ ଧର୍ମ କେବଳ ଏକ ସତ୍ୟରେ ଉପନୀତ ହେବା ପାଇଁ ପାଇଁ ବିଭିନ୍ନ ବାଟ । ବିଭିନ୍ନ ଧର୍ମ ସଂସ୍ଥାନ ଯଥା ମନ୍ଦିର, ମସ୍‌ଜିଦ୍‌‌, ଗୀର୍ଜା, ଗୁରୁଦ୍ୱାର କେବଳ ବିଭିନ୍ନ ବାଟ ମାତ୍ର । ତେବେ କାହିଁକି ଏ ବିଦ୍ୱେଷ ଭାବ ? ମନ୍ଦିର ଧ୍ୱଂସ କଲେ ମସ୍‌ଜିଦ୍‌ର ଉନ୍ନତି କିମ୍ୱା ମସ୍‌ଜିଦ୍‌ର ଧ୍ୱଂସ କଲେ ଗୀର୍ଜାର ଉନ୍ନତି କିପରି ସମ୍ଭବ ? ବରଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ଧର୍ମର ଲକ୍ଷ୍ୟ ହେବା ଉଚିତ୍ । ସେଦିନ ସାର୍ କହୁଥିଲେ-

ଏକଂ ସତ୍ ବିପ୍ରା ବହୁଧା ବଦନ୍ତି
ଅଗ୍ନି ଯମଂ ମାତରିଶ୍ୱାନ ମାହୁଃ ।

ଏକ ସତ୍ୟକୁ କେହି ଅଗ୍ନି, ଯମ ବା ମାତରିଶ୍ୱାନ ବୋଲି କହନ୍ତି । ତେବେ ଧର୍ମ ମାନବ ସମାଜକୁ ଯୋଡ଼ିବା ପରିବର୍ତ୍ତେ ଏପରି ବିଭେଦର କାରଣ ହେଉଛି କାହିଁକି ? ଯେଉଁମାନେ ଏ କାମ କରୁଛନ୍ତି ସେମାନେ କଦାପି ଧାର୍ମିକ ହୋଇ ନ ପାରନ୍ତି ବରଂ ଧର୍ମାନ୍ଧ ହୋଇ ପାରନ୍ତି ।

ପୁରୀ ସମୁଦ୍ର କୂଳରେ ବସି ଏକଥା ଭାବୁଥାଏ ବଣ୍ଟି । ତା’ର ସାନ ଭଉଣୀ ବାପା ମାଆଙ୍କ ସାଥୀରେ ବୁଲି ଶାମୁକା ଗୋଟାଉଥାଏ । ହଠାତ୍ ସେ ଭାବିଲା ପୁରୀର ଜଗନ୍ନାଥ ମନ୍ଦିର ତ ପୃଥିବୀ ପ୍ରସିଦ୍ଧ । ହିନ୍ଦୁମାନଙ୍କର ଆରାଧ୍ୟ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏଠାରେ ପୂଜିତ । ଅତୀତରେ ଏ ମନ୍ଦିର ଉପରେ ଅନେକବାର ଆକ୍ରମଣ ହୋଇଛି । କେତେକ ଗଜପତି ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଚିଲିକାରେ ଲୁଚାଇଥିବା କଥା ସେ ବାପାଙ୍କ ଠାରୁ ଶୁଣିଛି । ସୁରେନ୍ଦ୍ର ମହାନ୍ତିଙ୍କ “ନୀଳଶୈଳ” ଉପନ୍ୟାସ ପଢ଼ି ବାପା ସେଦିନ କହୁଥିଲେ କିପରି ଓଡ଼ିଶାର ଗଜପତି ରାଜା ରାମଚନ୍ଦ୍ର ଦେବ ଜଗନ୍ନାଥଙ୍କୁ ଡଙ୍ଗାରେ ନେଇ ଚିଲିକାରେ ଲୁଚାଇଥିଲେ । ସରଦେଇ, ଜଗୁନି ପ୍ରଭୃତି କିପରି ଜଗନ୍ନାଥଙ୍କ ସେବା କରୁଥିଲେ । ରାଜା ରାମଚନ୍ଦ୍ର ଦେବ କିପରି ମୁସଲମାନ ହୋଇଥିଲେ କେବଳ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ । ପରିଶେଷରେ ସେ କିପରି ଜଗନ୍ନାଥଙ୍କୁ ଆଣି ପୁନର୍ବାର ଶ୍ରୀମନ୍ଦିରରେ ଥଇଥାନ କରାଇଥିଲେ । ଏହି ଜଗନ୍ନାଥ ମନ୍ଦିର ଉପରେ ଯଦି ସନ୍ତ୍ରାସବାଦୀମାନେ ଆକ୍ରମଣ କରନ୍ତି ! !

ଏହି କଥା ଭାବୁ ଭାବୁ ସେ ଦେଖିଲା ଗୋଟେ ୧୦/୧୨ ବର୍ଷର ପିଲା କିଛି ଦୂରରେ ଅନ୍ଧକାରରେ ତା’ ଆଡ଼କୁ ପଛ କରି ବସିଛି । କୌତୂହଳର ବଶବର୍ତ୍ତୀ ହୋଇ ବଣ୍ଟି ସେ ଆଡ଼କୁ ଧୀରେ ଧୀରେ ଅଗ୍ରସର ହେଲା । ହଠାତ୍ ଗୋଟିଏ କ୍ଲିପ୍ କ୍ଲିପ୍ ଶବ୍ଦ ଶୁଣି ତା’ର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ପିଲାଟି ଗୋଟେ ଛୋଟ ରେଡ଼ିଓ ଆକାରର ଜିନିଷ କାନ ପାଖରେ ଧରିଥାଏ । ପିଲାଟି କହିବାର ଶୁଣାଗଲା ଜେ.ଟି.ଆଇ.ଓ.ପି. । ବଣ୍ଟିକୁ ଦେଖିପାରି ପିଲାଟି ସେ ଯନ୍ତ୍ରଟିକୁ ପକେଟ୍‌ରେ ପୁରାଇ ଧାଇଁ ଧାଇଁ ଯାଇ ଲୋକ ଗହଳି ଭିତରେ କୁଆଡ଼େ ହଜିଗଲା ।

ବଣ୍ଟି ଏକଥା ତା’ ବାପାଙ୍କୁ କହିଲା । ବାପା ବି କିଛି ବୁଝିପାରିଲେ ନାହିଁ । ସେ ବିଷୟରେ ମୁଣ୍ଡ ନ ଖେଳେଇବାକୁ ବାପା ତାକୁ ପରାମର୍ଶ ଦେଲେ । ମାତ୍ର ବଣ୍ଟି ଏ ଘଟଣାଟିକୁ ସହଜରେ ଗ୍ରହଣ କରି ପାରୁନଥାଏ । ଏହାର ଅର୍ଥ କ’ଣ ହୋଇପାରେ ? ପିଲାଟି ଯଦି ରେଡ଼ିଓ ଶୁଣୁଥାନ୍ତା ତେବେ ତାକୁ ଦେଖି ଧାଇଁ ପଳାଇଲା କାହିଁକି ? ଜେ.ଟି.ଆଇ.ଓ.ପି.ର ସାଙ୍କେତିକ ଅର୍ଥ କ’ଣ ଥାଇପାରେ କି । ବାପା ମା’ଙ୍କ ସହିତ ଯାଉଥିବା ଅବସ୍ଥାରେ ବଣ୍ଟି ଦେଖିଲା ସେଇ ପିଲାଟି ଦୁଇଟି ଦାଢ଼ିଆ ଲୋକଙ୍କ ସାଥୀରେ ଯାଉଛି । ପିଲାଟି କନକନ ହୋଇ ଇଆଡ଼େ ସିଆଡ଼େ ଚାହିଁବା ଅବସ୍ଥାରେ ହଠାତ୍ ବଣ୍ଟିକୁ ଦେଖି ଚମକି ପଡ଼ି ସେ ଦୁଇଜଣଙ୍କୁ କ’ଣ କହିବାରୁ ସେମାନେ ବଣ୍ଟି ଆଡ଼କୁ କଟମଟ କରି ଚାହିଁ ଜୋର୍ଜୋର୍ରେ ଚାଲିବାକୁ ଆରମ୍ଭ କଲେ ବଣ୍ଟିର ସନ୍ଦେହ ଆହୁରି ବଢ଼ିଗଲା ।

ସେମାନଙ୍କର ଯୋଜନା ଥାଏ ବାପା, ମାଆ, ଭାଇ, ଭଉଣୀ ମନ୍ଦିରର ଆନନ୍ଦ ବଜାରରେ ଅବଢ଼ା ଖାଇ ହୋଟେଲ୍କୁ ଫେରିବେ । ସେମାନେ ଖାଉଥିବା ଅବସ୍ଥାରେ ବଣ୍ଟି ଦେଖିଲା ସେ ଦାଢ଼ିଆ ଲୋକ ଦୁଇଜଣ ଏବଂ ସେ ପିଲା ଟିକେ ଅପେକ୍ଷାକୃତ ଅନ୍ଧାରିଆ ଜାଗାରେ ବସିଛନ୍ତି । ଖାଇ ସାରିବା ପରେ ବଣ୍ଟି ତା’ ବାପାଙ୍କୁ ଡାକି ମନ୍ଦିର ପୋଲିସ୍‌ଙ୍କ ପାଖକୁ ଯାଇ ଏସ୍.ପି.ଙ୍କୁ ସାକ୍ଷାତ୍ କରିବା ପାଇଁ ଅନୁମତି ପ୍ରାର୍ଥନା କଲା । ପ୍ରଥମେ ସେମାନେ ଅମଙ୍ଗ ହେଉଥିଲେ । ମାତ୍ର ଅତି ଗୁରୁତ୍ୱପୂର୍ଣ୍ଣ ଖବର ଦେବାର ଅଛି ବୋଲି କହିବାରୁ ସେମାନେ ଏସ୍.ପି.ଙ୍କ ପାଖକୁ ନେଇଗଲେ । ବଣ୍ଟି ସମସ୍ତ ଘଟଣା ସବିଶେଷ ବର୍ଣ୍ଣନା କଲା ଏବଂ ତତ୍‌କ୍ଷଣାତ୍ ସେମାନଙ୍କୁ ଗିରଫ୍ କରିବାକୁ ଅନୁରୋଧ କଲା । ଶୁଣିଥିବା ଜେ.ଟି.ଆଇ.ଓ.ପି. ଗୋଟିଏ ସିକ୍ରେଟ୍ କୋଡ୍ ହୋଇଥାଇପାରେ ବୋଲି ସେ ଏସ୍.ପି.ଙ୍କୁ ଜଣାଇଲା । ଏସ୍.ପି. ତା’ କଥାରେ ପୂର୍ଣ୍ଣ ବିଶ୍ୱାସ କରୁନଥିଲେ ମଧ୍ୟ ତା’ ସାଙ୍ଗରେ ଯାଇ ଦୂରରୁ ସେ ତିନିଜଣଙ୍କୁ ଦେଖିପାରି ପୋଲିସ୍‌ମାନଙ୍କୁ ନିର୍ଦ୍ଦେଶ ଦେଲେ ସେମାନଙ୍କୁ କାବୁ କରିବା ପାଇଁ ।

ପୋଲିସ୍‌କୁ ଦେଖି ସେମାନେ ଧାଇଁ ପଳାଇବାକୁ ଉଦ୍ୟମ କରିବାରୁ କେତେକ ପୋଲିସ୍ ଧାଇଁ ଧାଇଁ ଦୁଇଜଣଙ୍କୁ ମାଡ଼ି ବସିଲେ । ଆଉ ଜଣେ ପାଚେରୀ ଚଢ଼ିବାର ଉଦ୍ୟମ କରୁଥିବାର ଦେଖି ଏସ୍.ପି. ତାଙ୍କ ରିଭଲ୍‌ଭର୍ ବାହାର କରି ଫାୟାର୍ କଲେ । ସେ ଲୋକର ଗୋଡ଼ରେ ଗୁଳି ବାଜିବାରୁ ସେ ରକ୍ତାକ୍ତ ଅବସ୍ଥାରେ ଖସି ପଡ଼ିଲା । ସେତେବେଳକୁ ଗୁଳି ଶବ୍ଦ ତଥା ପୋଲିସ୍ ଗୋଡ଼ାଇବା ଦେଖି ଅନେକ ଲୋକ ସେଠାରେ ଜମା ହୋଇଯାଇଥିଲେ । ସେମାନଙ୍କ ପାଖରୁ ଗୋଟିଏ ଛୋଟ ମାତ୍ର ଅତ୍ୟନ୍ତ ଶକ୍ତିଶାଳୀ ଟ୍ରାନ୍‌ଜିଷ୍ଟର୍ ଜବତ କରାଗଲା । ଏସ୍.ପି. ସେମାନଙ୍କୁ ମନ୍ଦିର ଥାନାକୁ ନେଇଗଲେ । ଘଟଣା କ’ଣ ଜାଣିବାକୁ ଲୋକଙ୍କ ମନରେ ଉତ୍କଣ୍ଠା ।

ଥାର୍ଡ ଡିଗ୍ରୀ ଦଣ୍ଡ ଦେଇ ଏସ୍.ପି. ସେମାନଙ୍କ ଠାରୁ କଥା ଆଦାୟ କଲେ । ମନ୍ଦିରର ଦକ୍ଷିଣ ଦ୍ୱାରରେ ସେମାନେ ଏକ ବ୍ୟାଗ୍‌ରେ ବମ୍ ରଖିସାରିଥିଲେ । ରାତି ଦଶଟାରେ ରିମୋଟ୍ କଣ୍ଟ୍ରୋଲ୍ ସାହାଯ୍ୟରେ ସେମାନେ ବିସ୍ଫୋରଣ ଘଟାଇଥାନ୍ତେ । ସେମାନଙ୍କୁ ସାଙ୍ଗରେ ନେଇ ପୋଲିସ୍ ସେ ବୋମା ବ୍ୟାଗ୍ ଜବତ କରି ତାକୁ ନିଷ୍କ୍ରିୟ କରିଦେଲେ । ସେମାନଙ୍କଠାରୁ ପୋଲିସ୍ ସେ ସିକ୍ରେଟ୍ କୋଡ଼ ଜେ.ଟି.ଆଇ.ଓ.ପି.ର ଅର୍ଥ ଆଦାୟ କଲେ । ତାହା ହେଲା ଜଗନ୍ନାଥ ଟେମ୍ପଲ୍ ଟେନ୍ ପି.ଏମ୍. । ଏକ ମାଛଧରା ଟ୍ରଲର୍ ରୁ ସଙ୍କେତ ଦିଆଯାଇଥିଲା । ଜଗନ୍ନାଥ ମନ୍ଦିରକୁ ରାତି ଦଶଟାରେ ବମ୍ ଦ୍ୱାରା ଉଡ଼ାଇ ଦେବା ପାଇଁ । ୧୦/୧୨ ବର୍ଷର ପିଲାକୁ କେହି ସନ୍ଦେହ କରିବେ ନାହିଁ । ଏଥିପାଇଁ ତା’ ମାଧ୍ୟମରେ ଟ୍ରାନ୍‌ଜିଷ୍ଟର୍ ଜରିଆରେ ଖବର ଦିଆଯାଇଥିଲା । ସେ ପିଲାଟି ସନ୍ତ୍ରାସବାଦୀ ଦୁଇଜଣଙ୍କୁ ଏକଥା ଜଣାଇ ଦେଇଥିଲା ।

ଏସ୍.ପି. ବଣ୍ଟିକୁ କୁଣ୍ଢାଇ ପକାଇଲେ । ତାରି ଯୋଗୁଁ ଜଗନ୍ନାଥ ମନ୍ଦିର ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇ ଯାଇଥିବାରୁ ବଣ୍ଟିର ଆନନ୍ଦର ସୀମା ନ ଥାଏ । ଖବରକାଗଜରେ ପ୍ରକାଶିତ ହୋଇଥାଏ ବଣ୍ଟିକୁ ସ୍ୱାଧୀନତା ଦିବସ ଅବସରରେ ପୁରସ୍କୃତ କରାଯିବ । ବଣ୍ଟି ମାଆଙ୍କୁ କୁଣ୍ଢାଇ ପକାଇଲା । ମା’ ଆଶ୍ଚର୍ଯ୍ୟ ହୋଇ କହିଲେ, “କିରେ ଆଜି କ’ଣ ଭାରି ଖୁସି ? କ’ଣ ହେଇଚି କି ?” ବଣ୍ଟି କହିଲା, “ମାଆ, ଜଗନ୍ନାଥ ମନ୍ଦିରକୁ ରକ୍ଷା କରିବାରେ ସାହାଯ୍ୟ କରିଥିବାରୁ ମୁଁ ପରା ପୁରସ୍କାର ପାଇବି ।”

ମା’ ହସି ହସି କହିଲେ, ସ୍ୱପ୍ନ ଦେଖିଲୁ କିରେ ? ତୁ ତ ଏଇନା ବିଛଣାରୁ ଉଠୁଛୁ । ଜଗନ୍ନାଥ ମନ୍ଦିରକୁ ରକ୍ଷା କଲୁ କେତେବେଳେ ? ପୁରସ୍କାର ପାଇଲୁ କେତେବେଳେ ? ବଣ୍ଟିର ଏତେବେଳକେ ହୋସ୍ ହେଲା ଯେ ସେ ସ୍ୱପ୍ନ ଦେଖୁଥିଲା । ସ୍ୱପ୍ନରେ ହେଉ ପଛେ ତା’ର ପ୍ରିୟ ଜଗନ୍ନାଥ ମନ୍ଦିରର କିଛି କ୍ଷତି ହୋଇନଥିବାରୁ ସେ ଜଗନ୍ନାଙ୍କ ଉଦ୍ଦେଶ୍ୟରେ ପ୍ରଣତି ଜଣାଇଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top