ଏହି ଶିରୋନାମାଟି ୧୯୮୨ ମସିହାର ଏକ ଓଡିଆ ଚଳଚ୍ଚିତ୍ରର ନାମ । ସେତେବେଳେ ତାନ୍ସେନ୍ ଓ ଏସ୍ ଜାନକୀଙ୍କ ସ୍ୱରରେ ଶୀର୍ଷକ ସଂଗୀତ– ଦେଖ୍ ଖବର ରଖ୍ ନଜର ବେଶ୍ ଚର୍ଚ୍ଚିତ ହୋଇଥିଲା । ଆଜି ବି ସେଇ ଗୀତ ଅନୁସାରେ ସମସ୍ତେ ଖବର ଦେଖୁଛନ୍ତି, ନଜର ରଖୁଛନ୍ତି । ବାସ୍, ସେତିକିରେ ସୀମିତ ସବୁକିଛି । ଖବର ଦେଖି ନଜର ରଖିବାର ମୌଳିକ କାରଣଟି କିନ୍ତୁ ସଂପାଦିତ ହୋଇପାରୁନାହିଁ କି ସେପାଇଁ ସଚେତନତା ନାହିଁ, ପରିତାପର ବିଷୟ । ସ୍ଥିତି ବିଗିଡିଚାଲିଛି । ମଣିଷର ମନୋଦଶା ପ୍ରତି ମୂହୁର୍ତ୍ତରେ ବଦଳିଚାଲିଛି । ବ୍ୟକ୍ତିତ୍ୱର ମୌଳିକତା ବଜାୟ ରହୁନାହିଁ । ପାରିପାର୍ଶ୍ଵିକ ସ୍ଥିତି ତାକୁ କ୍ଷଣଭଂଗୁର ବନାଉଛି । ମନସ୍ତତ୍ୱର ଜନକ ସିଗମଣ୍ଡ୍ ଫ୍ରଏଡ୍ଙ୍କ ଦ୍ୱାରା ପ୍ରଭାବିତ ଆମେରିକୀୟ ଶିଶୁ ମନସ୍ତତ୍ୱବିଦ୍ ଏରିକ୍ ଏରିକସନ୍ଙ୍କ ଅନୁସାରେ- ଜୀବନର ପ୍ରତ୍ୟେକ ସ୍ତରରେ ମନ ନିର୍ଦ୍ଧିଷ୍ଟ ଭାବପ୍ରବଣତା ସହିତ ସଂଘର୍ଷ କରିଥାଏ । କିନ୍ତୁ ଏଠି ତ ପ୍ରତି ମୁହୂର୍ତ୍ତରେ ମନ ସହିତ ସଂଘର୍ଷ ! ସେଥିପାଇଁ ଅଧିକ ଦ୍ୱନ୍ଦ୍ୱ, ମାନସିକ ଚାପ ଓ ଅବସାଦ । ଲୋକେ ନିଜ ସ୍ତରର ଜୀବନକୁ ଛାଡି ଉନ୍ନତ ସ୍ତରର ଜୀବନ ବଂଚିବା ଭିତରେ ବନ୍ଦୀ ହୋଇଗଲେଣି । ଯେପରି ଶିଶୁମାନେ ଲକ୍ଷ୍ୟଭିତ୍ତିକ ଦୌଡରେ ସାମିଲ୍ ହେବା ନିଶାରେ ଶିଶୁସୁଲଭତା ପାଶୋରିଦେଉଛନ୍ତି ।
ଜୀବନର ସ୍ତରକୁ ନେଇ ଲକ୍ଷ୍ୟ ବଦଳିଯାଏ, ଚିନ୍ତାଧାରା ସହିତ ଭାବଶୈଳୀ ବି ପ୍ରଭାବିତ ହୁଏ । ସେଥିପାଇଁ ଆଗରୁ ମହାନ୍ ବ୍ୟକ୍ତିମାନଙ୍କ ଜୀବନୀ ସ୍କୁଲ୍ ମାନଙ୍କରେ ବଂଟାଯାଇ ସେଗୁଡିକୁ ପଢିବାକୁ ପରାମର୍ଶ ଦେବା ସହିତ କ୍ଲାସ୍ରେ ଶିକ୍ଷକମାନେ ସେମାନଙ୍କ ଜୀବନଶୈଳୀ ଉପରେ ପ୍ରଭାବିତ ହେବା ପରି ଅନେକ ଉପଦେଶ ଦେଉଥିଲେ । ପିଲାର ଅବଚେତନ ମନରେ ପ୍ରଭାବ ପକାଇବା ପରି ପ୍ରସଂଗ କୁହାଯାଉଥିଲା ଯାହାଫଳରେ ସେମାନଙ୍କ ବ୍ୟକ୍ତିତ୍ୱ ପ୍ରଭାବିତ ହୋଇପାରିବ । ଆଜିକାଲି ସେଭଳି ସ୍ଥିତି ନାହିଁ । ଶିକ୍ଷା, ଶିକ୍ଷକ ଓ ଛାତ୍ରବର୍ଗର ମାନସିକତା ବିଶେଷ ଭାବେ ପରିବର୍ତ୍ତିତ ହୋଇଛି ।
ଗୋଟିଏ ପରିବାରରେ ସମାନ ଚିନ୍ତା କରୁଥିବା ଲୋକେ ବି ମିଳିବା ମୁସ୍କିଲ୍ । ଭିନ୍ନଭିନ୍ନ ମାନସିକତାର ଲୋକେ ବ୍ୟାପକ ଭାବେ ଆମ ଚାରିପଟେ ଅଛନ୍ତି ଯେଉଁମାନଙ୍କୁ ଆମେ ଅଣଦେଖା କରିଦେଉ । ସେ ସମସ୍ତେ ଆମପାଇଁ ଗୋଟେ ଲେଖାଁ ବିଷୟବସ୍ତୁ ଓ ଏ ସାରା ବିଶ୍ୱ ହିଁ ଆମ ପାଠଶାଳା । ସେମାନଙ୍କ ମନୋସ୍ଥିତିକୁ ଅନୁଧ୍ୟାନ କଲେ ଏ ସମାଜର ଅଧୋପତନର ମୂଳ କାରଣମାନ ଜାଣିହେବ । ଅବଶ୍ୟ ସେ ଦୁଃସ୍ଥିତି ପାଇଁ ତାକୁ ଦାୟୀ କରାଯିବ କି ନା ସେକଥା ପାଠକମାନେ ବିଚାର କରିବେ ।
ଲୋକଟାର ନାଁ ସୁନାମ । ବୃତ୍ତି – ଋତୁ ଅନୁଯାୟୀ ତା ପସନ୍ଦାନୁସାରେ । ଯେମିତି ବାତ୍ୟା କିମ୍ବା ମହାବାତ୍ୟା ଋତୁ, ନିର୍ବାଚନୀ ଋତୁ, ଦରଦାମ୍ ବୃଦ୍ଧି ଋତୁ (ସାଧାରଣ ନିର୍ବାଚନ ପରେ) ଯାହା ଅନୁସାରେ ସେ ରୂପ ରଙ୍ଗ ଏପରିକି ନିଜ ବ୍ୟକ୍ତିତ୍ୱ ବି ବଦଳାଇପାରେ । ବର୍ଷତମାମ୍ ଆହୁରି କିଛି ଘଟଣା ଘଟିଥାଏ ଯାହା ତା ବ୍ୟକ୍ତିତ୍ୱକୁ ସ୍ପଷ୍ଟତର କରେ । ଆଖପାଖର ଗଣ୍ଡଗୋଳ ସ୍ଥାନରେ ତୁରନ୍ତ ପହଂଚି କୌଣସି ଏକ ପକ୍ଷ ନେଇ ଯୁକ୍ତିତର୍କ କରିପାରେ । ଅନିମନ୍ତ୍ରିତ ହୋଇ ମଧ୍ୟ ସେ କୌଣସି ଭୋଜିକୁ ଯାଇ ଅତିଥିମାନଙ୍କୁ ଆମିଷ ନିରାମିଷ ଷ୍ଟଲ୍ ଦେଖାଇ, କ୍ୟାଟରିଂ ଲୋକମାନଙ୍କୁ ମଇଳା ସଫା କରିବାକୁ ତାଗିଦ୍ କରୁଥାଏ ।
ଅବଶ୍ୟ ବର୍ଷକ ବାରମାସ ସେ ଜଣେ ସଚ୍ଚୋଟ ଦଲାଲ୍ । ଛଅକୁ ନଅ, ନଅକୁ ଛଅ କରି ନିରୀହମାନଙ୍କୁ ଭକୁଆ ବନେଇବା ତାର ପ୍ରକୃତ ବୃତ୍ତି ଓ ପ୍ରବୃତ୍ତି । ସେ ଅନୁସାରେ ସରକାରୀ ଡାକ୍ତରଖାନାରେ ବି କେବେକେବେ ପହଂଚିଯାଏ । ଜଣେ ଭଲ ମନସ୍ତତ୍ଵବିଦ୍ ହୋଇଥିବାରୁ ଚଟ୍କରି ପଢିପକାଏ ଲୋକମାନଙ୍କ ଅସହାୟତାକୁ । ନିର୍ଦ୍ଧିଷ୍ଟ ପାଥୋଲାବ୍ରେ ପହଂଚାଇ ବିଭିନ୍ନ ପରୀକ୍ଷା ନାଁରେ ଖର୍ଚ୍ଚ କରାଏ, ଜୋରଜବରଦସ୍ତ ଚିହ୍ନାଜଣା ସଂପର୍କର ଖିଅ ଯୋଡେ । କହିବା ବାହୁଲ୍ୟ ସବୁ ଅଂଚଳରେ ତାର କେହି ନା କେହି ସଂପର୍କୀୟା ମାଉସୀ, ମାମୁ, ଭଉଣୀ, ବଡବାପା ନହେଲେ ଭାଇମାନେ ରହନ୍ତି ବୋଲି ଧୂଆଁବାଣ ମାରେ ।
ସୁନାମ ମଇଳା ପ୍ୟାଂଟ୍ ସାର୍ଟ ପିନ୍ଧିଥିଲେ ବି ସଫା ହସରେ ରୋଗୀମାନଙ୍କ ବିଶ୍ୱାସ କିଣିନିଏ । ସେଥିପାଇଁ ପାଥୋଲାବ୍ରୁ ନିର୍ଦ୍ଧିଷ୍ଟ ଡାକ୍ତର ସେଠାରୁ ପୁଣି ଆବଶ୍ୟକ ଅନୁସାରେ ନର୍ସିଂ ହୋମ୍ । ଏତେ ପର୍ଯ୍ୟନ୍ତ ତାର ଦୌଡ । ଭଲକୁ ମନ୍ଦ, ମନ୍ଦକୁ ଭଲ କହି ଭଲ ରୋଜଗାର କରେ । ସେ ଅନୁସାରେ ପାଥୋଲାବ୍, ନର୍ସିଂ ହୋମ୍ଠାରୁ ପର୍ସେଂଟେଜ୍ ପାଏ । ପରୋକ୍ଷରେ ନିରୀହ ଲୋକର ଠିକ୍ ଚିକିତ୍ସା ହୋଇପାରେନି । ଏଭଳି ନୀତିହୀନ କାର୍ଯ୍ୟ କରୁଥିବା ସଂସ୍ଥା ବା ଅନୁଷ୍ଠାନର ଉନ୍ନତି ହୋଇଚାଲେ । ସତ୍ ବ୍ୟକ୍ତିଟି ଅନୀତି କରିପାରେନି ବୋଲି ଅନ୍ୟାୟ ସହ୍ୟ କରେ ।
ମହାବାତ୍ୟା ଆସିବାକୁ ଥିଲେ ସେ ବରମୁଡା ପ୍ୟାଂଟ୍ ଆଉ ଚିରାଫଟା ଟି ସାର୍ଟଟିଏ ପିନ୍ଧି ଛକମାନଙ୍କରେ ବୁଲେ । ପିଲାମାନଙ୍କୁ ଆଣି ସ୍କୁଲ୍ ଆଦି ନିରାପଦ ସ୍ଥାନକୁ ଚାଲିଆସେ । ପ୍ରଶାସନିକ ସାହାଯ୍ୟମାନ ଯଥା ଚୁଡା ଚାଉଳ ଅମୁଲ ବିସ୍କୁଟ୍ ଓ କ୍ଷତିପୂରଣ ନିମିତ୍ତ ମିଳୁଥିବା ଅର୍ଥ ଅଣିବାବେଳେ ଅସନ୍ତୋଷ ଜାହିର୍ କରେ- ସମୁଦ୍ରକୁ ଶଂଖେ ବୋଲି କହି । ଲୋକମାନଙ୍କୁ କହିବୁଲେ- ରିଲିଫ୍ ଖାଦ୍ୟ ଭଲ ନୁହଁ । ଭାତ ଥିଲେ ଡାଲି ନାହିଁ, ଡାଲି ଥିଲେ ତରକାରୀ ନାହିଁ । ଅବ୍ୟବସ୍ଥା ହିଁ ଅବ୍ୟବସ୍ଥା, ମାରି ଖାଇଗଲେ ଅଫିସରଯାକ ! ମହାବାତ୍ୟା ବଙ୍ଗଳାଦେଶରେ ମାଡ ହେଲେ ଭଗବାନ୍ଙ୍କୁ ଗାଳିମନ୍ଦ କରି ପେଟେ ମଦ ପିଇ ଘରେ ପଡିଥାଏ । ସେତେବେଳେ ସୁନାମ ଦୁର୍ନାମରେ ପରିଣତ ହୁଏ ।
ସେ ଚାହିଁବସିଥାଏ- ପଂଚାୟତ ନିର୍ବାଚନ କିମ୍ବା ସାଧାରଣ ନିର୍ବାଚନକୁ । କଥାଛଳରେ କହେ- ସେ ନିଷ୍ଠାର ସହ ପାଳିଥାଏ ନିର୍ବାଚନ ପର୍ବ । ସେତେବେଳେ ସୁନାମର ଚାହିଦା କାହିଁରେ କଣ ! ଧଳା କୁର୍ତ୍ତା ପାଇଜାମା ପିନ୍ଧି କାନ୍ଧରେ ଦଳୀୟ ଚିହ୍ନଥିବା ଗାମୁଛା ( ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିପାରେ ) ପକେଇ କେତେବେଳେ ଅମୁକଦଳ ରାଲିରେ ତ କେତେବେଳେ ସମୁକ ଦଳ ରାଲିରେ ସବାଆଗରେ ଚାଲୁଥାଏ । ସଭାସମିତିରେ ଗାଁ ଝିଅବୋହୂଙ୍କୁ ଏକାଠି କରି ନାରାବାଜିରେ ଅଂଚଳ କମ୍ପାଇଦିଏ । ଲୋକମାନଙ୍କ ଖାଦ୍ୟପେୟ ବ୍ୟବସ୍ଥା କରିବା ସହିତ ଦେଣନେଣ ବ୍ୟବସ୍ଥାର ଫଇସଲା କରିବାରେ ସୁନାମ ସୁନିପୁଣ । ସବୁରି ପ୍ରିୟ ସୁନାମ ଭାଇ !
ଯେବେ ନିର୍ବାଚନରେ ମୋହର ମାରିବାକୁ ହୁଏ, ସେ କେଉଁ ଦଳ ପାଇଁ ସ୍ୱିଚ୍ ଟିପେ ଜେଜାଣି..! ଲାଗେ ସେ ବୋଧେ ତିନି, ଚାରିଟା ଲୋକ ପାଲଟିଯାଏ- ସୁନାମ, ଦୁର୍ନାମ ଆଉ ଅନାମ ନାଁରେ ! କିନ୍ତୁ ପକେଟ୍ଟା ଯେ ଗରମ ଥାଏ ! ନିର୍ବାଚନରେ ଯିଏ ଜିତିଲେ ବି ତାର ପରବାୟ ନାହିଁ । କାରଣ ସମସ୍ତଙ୍କ ପାଖେ ସେ ବୋଲକରା, ବିଶ୍ୱାସୀ । କଥାରେ କହନ୍ତି- ଚୋରୀ ବିଦ୍ୟା ନେଇ ଆଣି ଥୋଇପାରିଲେ ଭଲ । ସୁନାମ ସବୁଥିରେ ଧୁରନ୍ଧର । ସବୁ ସରିଗଲା ପରେ ସେ ପୁଣି ନିଜ ମଇଦାନକୁ ଓହ୍ଲାଏ, ଦଲାଲ୍ ବନିବାକୁ । ୟାକୁତାକୁ ଗୁଡେ ଗାଳି କରି ନିଜକୁ ସଚ୍ଚୋଟ ଦେଖାଇବାକୁ । ସାଧାରଣ ଲୋକେ ତା ଅନୁସାରେ ଟଙ୍କା ଗଣନ୍ତି । ବନ୍ଧୁତା ଯୋଡି ଭକୁଆ ବନନ୍ତି । ସରକାରୀ ଯୋଜନା ଭିତରେ ସାମିଲ୍ ଥାଇ, ଅନାୟାସରେ ଗୁଡେ ସୁଖ ସୁବିଧା ପାଇ ବି ତାର ଗୁଡେ ଅବଶୋଷ । ତେବେ ବି ସବୁ ଅକାମକୁ ସହଜରେ ନେଇଆଣି ଥୋଇପାରୁଥିବା ସଚ୍ଚୋଟ ଦଲାଲ୍ଟିଏ ସେ ! ଏଥର ନିଜକୁ ପ୍ରଶ୍ନ -ଏଭଳି ସଚ୍ଚୋଟ ଦଲାଲ୍ ଆଖପାଖରେ ଅଛନ୍ତି ? ଯଦି ହଁ, ତେବେ ସେମାନଙ୍କ ସଂଖ୍ୟା କେତେ ?
ଖାଲି ଦେଶ ନୁହଁ ରାଜ୍ୟ, ଅଂଚଳ ଓ ପରିବାରରେ ଏବେ ବିଭିନ୍ନ ଅରାଜକତା । ଶାନ୍ତିପ୍ରିୟତା ଆମ ଚଲାରାସ୍ତାର କଂଟା ହୋଇ ପାଦକୁ କଷ୍ଟ ଦେଲାଣି । ଅଥଚ ସମସ୍ତେ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରି ଚାହିଁଛନ୍ତି ହାତଗୋଡ ବାନ୍ଧି । ନିଜ କର୍ତ୍ତବ୍ୟ ସଂପାଦନ କରିବାରେ ଅହେତୁକ କୁଣ୍ଠା । ଧରାଯାଉ ରାସ୍ତାରେ କୌଣସି କାରଣରୁ ଲୋକଙ୍କ ଭିତରେ ଯୁକ୍ତତର୍କ, ହାତାହାତି ଏମିତିକି ହଣାହଣିଯାଏଁ କଥା ଗଲା । ଦେଖିବେ ମେଳା ଚାଲିଥିବା ପରି ନିମିଷକେ ବହୁତ ଲୋକ ରୁଣ୍ଡ ହୋଇଯିବେ । ସେହି ଶାନ୍ତ ନିରୀହ ପ୍ରଜାତିର ଲୋକେ ସମ୍ଭାବ୍ୟ ଦୁର୍ଘଟଣାଟିକୁ ଅଟକାଇବା ଅପେକ୍ଷା ତାର ମଜା ନିଅନ୍ତି । ପୋଲିସ୍ର ହସ୍ତକ୍ଷେପ ପରେ ବା ସବୁ ଚପିଗଲା ପରେ ଏ ଶାନ୍ତ ପ୍ରଜାତିର ଲୋକେ ତର୍ଜମା ଆରଂଭ କରିଦିଅନ୍ତି କାହାର କେତେ ଭୁଲ୍? ଏମିତିକି ନିଜେ ପୋଲିସ୍, ଓକିଲ ଆଉ ଜଜ୍ ହୋଇ ଦୋଷୀର ଦଣ୍ଡବିଧାନ ବି କରିଦିଅନ୍ତି କଥା ପ୍ରସଂଗରେ । ଆବଶ୍ୟକ ପଡିଲେ ସେମାନେ କୋର୍ଟକଚେରୀକୁ ସାକ୍ଷ୍ୟ ଦେବାକୁ ଯିବେନାହିଁ ଏକଥା ତ ଥୟ । କିନ୍ତୁ ଆନୁମାନିକ ଭାବେ ଅଳ୍ପଜାଣି ଦୋଷୀ ନିର୍ଦ୍ଧୋଷ ବାଛି ନେବେ ।
ସମ୍ବିଧାନିକ କାଇଦା କଟକଣା, ନୀତି ନିୟମ, ସାମାଜିକ ସଂପର୍କଜନିତ କାରଣ ଆମ ସମାଜକୁ ଅନ୍ଧ ମୂକ ବଧିର ବନାଇପାରେ । ସେଥିପାଇଁ ଆମ ଦେଶରେ କାମ ଅପେକ୍ଷା ସମାଲୋଚନା, କୁତ୍ସାରଟନା ଅଧିକ ହୁଏ । ଚାଇନାଠାରୁ ଆମେ ପଛୁଆ କାରଣ ସେମାନଙ୍କ ଅନୁସାରେ କଥା ଦ୍ୱାରା ଭାତ ରାନ୍ଧିହୁଏନି- ଅର୍ଥାତ୍ ଭାବିବା, ଉପାୟ ପାଂଚିବା, କହିବା ଦ୍ୱାରା ଲାଭ ହୁଏନି । ତେଣୁ କଥାକୁ କାର୍ଯ୍ୟରେ ପରିଣତ କରିବା ଉଚିତ୍ । ଅସାମାଜିକତାର କାରଣ ଆମ ଭିତରର ଅସଚେତନତା, ଠକାମୀ, ସ୍ୱାର୍ଥପରତା ଓ ଅଳସୁଆମୀ । ସୁବିଧା ହାସଲ କଲାବେଳେ ସର୍ବାଗ୍ରେ ରହିବାକୁ ଚାହୁଁଥିବା ଲୋକମାନେ ଅନ୍ୟକୁ ସୁବିଧା ଦେବାବେଳେ ପଛରେ ରହିବା – ସ୍ୱାର୍ଥପରତା । ଦେଖ ଖବର ରଖ ନଜର ସହିତ ଭଲକାମ କର ବୋଲି ଯୋଡିବାକୁ ହେବ ।
କାର୍ଯ୍ୟରେ ପରିଣତ କରି ପ୍ରମାଣିତ କରିବାକୁ ହେବ ଆମ ସମ୍ବେଦନଶୀଳତା । ନହେଲେ ଅନାମ ଦୁର୍ନାମ ସୁନାମ ପରି ସୁବିଧାବାଦୀମାନଙ୍କୁ ଉସôାହିତ କରି ଅସାମାଜିକତାକୁ ନିମନ୍ତ୍ରଣ କରୁଥିବା! ଅନ୍ୟାୟକୁ ପ୍ରଶୟ ଦେଇଚାଲିଥିବା! ପୁଣି ନିଜକୁ ପ୍ରଶ୍ନ- ଏଭଳି ଲୋକ ଆଖପାଖରେ ଅଛନ୍ତି କି? ସାହିପଡିଶା, ପରିବାର ନା ନିଜ ଭିତେର? ଯଦି ହଁ ସେମାନଙ୍କ ସଂଖ୍ୟା କେତେ? ୟାର ନିରାକରଣ କିଭଳି ହୋଇପାରିବ? ଏଥିପାଇଁ କୌଣସି ରାଜନୀତିକ ଦଳ, ପ୍ରଶାସନକୁ ତ ଦାୟୀ କରିପାରିବାନି ! ସୁବିଧା ଆଳରେ ଅନ୍ୟକୁ ଅଶାନ୍ତି କରି ସୁଖୀ ହେବା ଆମ ଲୋକଚରିତ୍ର ! ଅନେକ ପରଜୀବୀ ପରି କାହାରିକୁ ଶ୍ରେୟ ନଦେଇ ଅନ୍ୟର ସାହାରାରେ ବଂଚନ୍ତି । କିଛି ଜନସାଧାରଣଙ୍କ କ୍ଷତିସାଧନ କରି ଅର୍ଥ ଉପାର୍ଜନ କରନ୍ତି । ସାମାନ୍ୟତମ ଅନୁଶୋଚନା ମଧ୍ୟ ନଥାଏ ସେମାନଙ୍କଠାରେ । ଅନ୍ୟକୁ ଠକିବା ଯେପରି ସେମାନଙ୍କ ଧର୍ମ ! ଲୋକମାନେ ଜାଣିଶୁଣି ବି କିଛି କହନ୍ତିନି ।
ସେହି ଠକାମି ଯେତେବେଳେ ବଡ ସ୍ତରରେ ହୁଏ ସମସ୍ତଙ୍କ ଆଖି ବିସ୍ଫାରିତ ହୋଇଯାଏ! ଏହା ହିଁ ଆମ ମୁଖାପିନ୍ଧା ରୂପ ଓ ରୁଗ୍ଣ ମାନସିକତା । କଥାରେ ଅଛି- କହିଦେଉଥାଇ ପରକୁ ବୁଦ୍ଧି ନଦିଶଇ ନିଜକୁ । ସମାଜ ପାଇଁ ନିଜ କର୍ତ୍ତବ୍ୟର ରୂପରେଖ ବନାଇବାକୁ ହେଲେ ପ୍ରତିକୂଳତାକୁ ସାମ୍ନା କରିବାକୁ ପଡିବ । ଅନୀତି ଦୁର୍ନୀତି କିମ୍ବା କୁନୀତିକୁ ତୃଣମୂଳ ସ୍ତରରୁ ଯଦି ଶ୍ରେୟ ଦିଆଯିବ ତେବେ ଅଙ୍ଗୁଳିନିର୍ଦ୍ଧେଶ କେବଳ ଅନ୍ୟମାନଙ୍କୁ କାହିଁକି ? ଆମେ ବି କଣ ସେ ଅନ୍ୟାୟର ସହଭାଗୀ ନୋହୁଁ ?