ସମ୍ପାଦକୀୟ

ମନୋରଂଜନ ଜଗତ, ଲେଖକ ଓ ଦର୍ଶକ

Dr Mousumi Parida's odia editorial article Manoranjan Jagat, Lekhaka O Darshak

ଏ ଲାଏ କ୍ୟାନ୍ ଟ୍ରାଭେଲ୍ ହାଫ୍ ୱେ ଆରାଉଣ୍ଡ ଦ ୱାର୍ଲ୍ଡ ହ୍ୱାଇଲ୍ ଦ ଟ୍ରୁଥ୍ ଇଜ୍ ପୁଟିଂ ଅନ୍ ଇଟ୍ସ ସୁଜ୍

ମନୋରଂଜନ ଜଗତ, ଲେଖକ ଓ ଦର୍ଶକ

ସମାଜ ଓ ସାହିତ୍ୟ ପରସ୍ପରର ପରିପୂରକ । ସାହିତ୍ୟ ସମାଜର ପ୍ରତିଫଳନ । ସେହିପରି ସମାଜ ମଧ୍ୟ ସାହିତ୍ୟକୁ ଆଧାର କରି ପରିପୁଷ୍ଟ । ଅର୍ଥାତ୍ ସାହିତ୍ୟ ଦ୍ୱାରା ସମାଜ ପ୍ରଭାବିତ ହୁଏ । ବିଭିନ୍ନ ସମୟରେ ସାହିତ୍ୟ ସମାଜର ଦିଗଦର୍ଶକ ସାଜିଛି । ଧର୍ମ ପ୍ରଚାର ପାଇଁ ହେଉ ବା ସ୍ୱାଧୀନତା ଆନ୍ଦୋଳନ, ପ୍ରେମ ବା ବିପ୍ଳବ, ପୁରାଣ-ଶାସ୍ତ୍ର ଆଲୋଚନା ବା ସାହିତ୍ୟଭିତ୍ତିକ ସମାଲୋଚନା, ମନୋରଂଜନଧର୍ମିତା, ଶିକ୍ଷା ବା ଧନ୍ଦାମୂଳକ ବିଭିନ୍ନ ବାଗରେ ନିଜକୁ ପରିପ୍ରକାଶ କରିଆସିଛି । ଯୋଗୀର କେନ୍ଦେରା ସ୍ୱର ବା ଶାଶୁଘରକୁ ଯାଉଥିବା ଝିଅର କାନ୍ଦଣା ଏସବୁରେ ସାହିତ୍ୟ ନିଜସ୍ୱ ଭାବ ତିଆରି କରିଛି । ଯାହା ଆମ ସଂସ୍କୃତି ଓ ପରମ୍ପପରାର ପରିମାପକ । କହିବା ବାହୁଲ୍ୟ ସାହିତ୍ୟ ସମାଜକୁ ଶୃଂଖଳିତ କରିବାର ଦାୟବଦ୍ଧତା ନେଇ ଆଗକୁ ବଢିଛି । ଚେତନାର ସ୍ଫୁଲିଙ୍ଗରେ ଉଦ୍ଭାସିତ କରିଛି ତ ପୁଣି କେବେ ମନରେ ଅନ୍ଧବିଶ୍ୱାସର ଭ୍ରାନ୍ତ ଧାରଣା ସୃଷ୍ଟି କରିଛି ।

ବାଲ୍ମିକୀ କେବଳ ପୁରୁଷୋତ୍ତମ ଶ୍ରୀରାମ କିମ୍ବା ସତୀ ସୀତାଙ୍କ ପାଇଁ ରାମାୟଣ ରଚନା କରିନଥିଲେ, ବରଂ ପାରିବାରିକ ମୂଲ୍ୟବୋଧ, ସତ୍ୟ, ନ୍ୟାୟ, ଧର୍ମ, ଭକ୍ତି, ନିଷ୍ଠା ସହିତ ରାଜାର କର୍ତ୍ତବ୍ୟ ଓ ଗାରିମାର ପାରଦର୍ଶିତା ଦର୍ଶାଇଥିଲେ । ଏକପତ୍ନୀବ୍ରତଧାରୀ ହୋଇ ମଧ୍ୟ ଶ୍ରୀରାମଚନ୍ଦ୍ର ସୀତାଙ୍କ ପ୍ରତି ଅନ୍ୟାୟ କରିଥିଲେ ବୋଲି ତର୍କ ହୁଏ । ତେଣୁ ସେ ସର୍ବଶ୍ରେଷ୍ଠ ପୁତ୍ର, ଭ୍ରାତା, ମିତ୍ର, ରାଜା, ପ୍ରଭୁ ହୋଇ ମଧ୍ୟ ନା ଭଲ ପିତା ନା ଭଲ ସ୍ୱାମୀ ରୂପେ ଅଭିହିତ ହୁଅନ୍ତି । ଅପରପକ୍ଷରେ ମାତା ସୀତା ସତୀ ରୂପେ ଗରିୟସୀ । ପତ୍ନୀ ଧର୍ମ ସହିତ ମାତୃଧର୍ମ ପାଳନରେ ପ୍ରାତଃସ୍ମରଣୀୟା । ଉଭୟ ଚରିତ୍ର ନିଜ ନିଜ ଗୁଣରେ ତେଜୀୟାନ୍ । ସେଠାରେ କୁଟିଳା ମନ୍ଥରା ଅଛି, ପ୍ରଭୁବତ୍ସଳାଶବରୀ ବି ଅଛନ୍ତି । କିନ୍ତୁ ଶ୍ରୀକୃଷ୍ଣଙ୍କ ସମୟରେ ତାଙ୍କ ରାଜକୀୟତା ଅପେକ୍ଷା ବହୁବିବାହ ତଥା ପରକୀୟା ପ୍ରୀତିର ଚର୍ଚ୍ଚା ହୋଇଛି । କାରଣ ସେ ଯୁଗ ଥିଲା ଧର୍ମ ସଂସ୍ଥାପନର । ଅନ୍ୟାୟ ବିପକ୍ଷରେ ନ୍ୟାୟ, ଅନୀତି ବିପକ୍ଷରେ ନୀତି ଓ ଅଧର୍ମ ବିପକ୍ଷରେ ଧର୍ମର ବିଜୟ ପାଇଁ କୂଟନୀତିର ପ୍ରୟୋଗ ଯୁଗ ଯୁଗ ପାଇଁ ଉଦାହରଣଯୋଗ୍ୟ ।

ରାଜା ପ୍ରଜାର ମଙ୍ଗଳ ନିମନ୍ତେ ସିଂହାସନ ଆରୋହଣ କରିଥାଏ ଏବଂ ସେମାନଙ୍କ ହିତ ନିମନ୍ତେ ସ୍ୱାର୍ଥରହିତ ସେବାଦାନ କରି ନିଜ କର୍ତ୍ତବ୍ୟ ସାଧନ କରେ । ସେହି ହେତୁ ଶ୍ରୀରାମଚନ୍ଦ୍ର ଓ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ମୂଲ୍ୟବୋଧ ନେଇ ନିଜ ଆଭିମୁଖ୍ୟକୁ ସଫଳ କରିଛନ୍ତି । ରାମାୟଣ କିମ୍ବା ମହାଭାରତ ଭଳି ଅମୂଲ୍ୟ ଗ୍ରନ୍ଥ ଆମକୁ ଜୀବନର ମୂଲ୍ୟବୋଧ ଶିକ୍ଷାଦେବା ସହିତ ପରମ୍ପରା ଓ ସଂସ୍କୃତିକୁ ବି ପରିଚିତ କରାଏ । ଆଜିକାଲି ସେ ସମୟ, ସ୍ଥିତି ସହିତ ମୂଲ୍ୟବୋଧ ବି ବଦଳିଯାଇଛି । ସାହିତ୍ୟ ନାମରେ କିଛି ଭଣ୍ଡ କୋଇଲା ଖଣିରୁ କୋଇଲା ସଂଗ୍ରହ କରିବାକୁ ଯାଇ ଚମକୁଥିବା ପଦାର୍ଥକୁ ହୀରା ବୋଲି କହି ଏହାର ମୂଲ୍ୟ ବୃଦ୍ଧି କରିଦିଅନ୍ତି ସିନା ତାହା କିନ୍ତୁ ବାସ୍ତବରେ ଚକମକ କରୁଥିବା ସାଧାରଣ ପଥର । ତିନିତୁଣ୍ଡରେ ଛେଳି କୁକୁର ବୋଲି ପ୍ରମାଣିତ ହୋଇପାରେ । ସେଥିପାଇଁ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡେଇବା ନୀତିରେ ସେମାନେ ହିଁ ସାଧା ପଥରକୁ ହୀରା ବୋଲି କହୁଥିବା ଲୋକଙ୍କୁ କୌଶଳରେ ହାତେଇ ଆତ୍ମପ୍ରଚାର ଓ ପ୍ରସାର କରିଥାନ୍ତି । ଫଳତଃ ବହୁମୂଲ୍ୟ ହୀରା ସାଧାରଣ ପାଲଟେ ଓ ସାଧାରଣ ପଥର ହୀରା ବନିଯାଏ । ଏହା ହିଁ ଖେଳ, ଅଭିସନ୍ଧି, ସ୍ୱାର୍ଥପରତା, କୁଟିଳତା । ମହାଭାରତରେ ଧର୍ମର ସଂସ୍ଥାପନ ପାଇଁ ମିଛର ଆଶ୍ରୟ ନିଆଯାଇଛି କାରଣ ସତ୍କାର୍ଯ୍ୟ ପାଇଁ କୁହାଯାଉଥିବା ମିଛ ଅଧର୍ମ ନୁହେଁ । ଏଠାରେ କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ମିଛର ଆଶ୍ରୟ ତାହା ପୁଣି ନିଜସ୍ୱାର୍ଥ ପାଇଁ ।

ସମାଜ ଉପରେ ଏଭଳି ନକାରାତ୍ମକତାର ପ୍ରଭାବ ବେଶି । ମଣିଷର ମନ ଉପରେ ଏହାର କୁପ୍ରଭାବ ଅଧିକ । ଫିଲ୍ମ କିମ୍ବା ଧାରାବାହିକ ସିରିଏଲ୍ ଯାହାକୁ ବି ନିଆଯାଉ, ସେଥିରୁ ଭଲ କଥାଗୁଡିକୁ ବାଦ୍ ଦିଆଯାଇ ଖରାପ ଜିନିଷକୁ ଗ୍ରହଣ କରନ୍ତି ଲୋକେ । ନାଟ୍ୟ ରୂପ, ସଂଳାପ, ସ୍ଥାନ, ପରିବେଶ କିମ୍ବା ବିଷୟବସ୍ତୁର କଳାତ୍ମକ ଦିଗକୁ ନଦେଖି ଲୋକେ ତାର ଅନ୍ୟଦିଗଟିକୁ ଦେଖନ୍ତି, ସେଥିପାଇଁ ଲେଖକ ଓ ନିର୍ମାତାଙ୍କୁ ସତର୍କ ରହିବା ଉଚିତ୍ । ଯେପରି ରାମାୟଣରେ ଶ୍ରୀରାମଚନ୍ଦ୍ର ନିଜ ପତ୍ନୀଙ୍କ ପ୍ରତି କରିଥିବା ଅନ୍ୟାୟ କିମ୍ବା ଶ୍ରୀକୃଷ୍ଣଙ୍କ ପରକୀୟା ପ୍ରୀତି । ଲୋକେ ଅଙ୍ଗୁଳି ନିର୍ଦ୍ଧେଶ କରିବାକୁ ଚାତକ ପରି ଚାହିଁ ବସିଥାନ୍ତି । ପ୍ରତି ଜିନିଷର ଭଲ ଓ ମନ୍ଦ ଦୁଇଟି ପାଶ୍ୱର୍ ରହିଛି । ଆମ ଉପରେ ନିର୍ଭର କରେ ଗ୍ରହଣୀୟତା । ଯେପରି ଗୋଟେ ମାଆ ପେଟରୁ ଚୋରଟେ ଜନ୍ମ ନେଇପାରେ ନତୁବା ସାଧୁ । ଏକା ମାଟିରେ ଲଙ୍କା, କଲରା, ଅଁଳା, ପିଜୁଳି, କଦଳୀ, ସପେଟା କିମ୍ବା ତେନ୍ତୁଳି ଫଳିପାରେ । ଆମ୍ବ ପରି ଫଳ ତ ସ୍ୱାଦରେ ଅଦ୍ଭୂତ ! ଖୁବ୍ ଛୋଟ ଥିବାବେଳେ କଷା ମିଶା ପିତା, ଟିକେ ବଡ ହେଲେ ଖଟା ପୁଣି ପାଚିଲେ ମିଠା ବା ଖଟାମିଠା ସ୍ୱାଦୁଯୁକ୍ତ ।

ବ୍ୟକ୍ତି ଉପରେ ନିର୍ଭର କରେ ସେ କେଉଁ କଥା ଦ୍ୱାରା ପ୍ରଭାବିତ ହେବ, କାହାକୁ ମନୋରଂଜନ ଛଳରେ ଅଣଦେଖା କରିବ । ସମାଜର ଅସୁବିଧା ହେଉଛି ଜଂଗଲ-ନିଆଁ ପରି ପ୍ରତିଟି ମନ୍ଦକଥାକୁ ଖୁବ୍ ଶୀଘ୍ର ପ୍ରସାରିତ ଓ ପ୍ରଚାରିତ କରିଦେବା । କାରଣ ଲୋକମାନେ ଅତିପାରିମାଣରେ ପ୍ରତିକ୍ରିୟାଶୀଳ । ବର୍ଷା ଯୁଆଡେ ଛତା ସେହିଆଡେ ପରି ଗୋଟେ ସମ୍ମୋହନରେ ମତୁଆଲା ହୋଇ ଅକରଣୀୟ କାର୍ଯ୍ୟ ବି କରିଯାଆନ୍ତି । ଠିକ୍ ଭୁଲ୍, ନୀତି ଅନୀତିକୁ ଧ୍ୟାନରେ ନରଖି । ସେ ଅନୁଯାୟୀ ମନୋରଂଜନ ଶିଳ୍ପର ଲେଖକମାନେ ସମୟ ଓ ଡିମାଣ୍ଡ୍‌କୁ ଦୃଷ୍ଟିରେ ରଖି ପ୍ଲଟ୍ ବନେଇଥାନ୍ତି । ପ୍ରତିଯୋଗିତାପୂର୍ଣ୍ଣ ଯୁଗରେ ନିଜକୁ ପ୍ରମାଣିତ କରିବା ପାଇଁ ନିର୍ଦ୍ଧିଷ୍ଟ ଘଟଣାକୁ ନାଟକୀୟ ରୂପ ଦେବାବେଳେ ସମାଜ ପାଇଁ ଥିବା ଗୁରୁଦାୟିତ୍ୱଟିକୁ ପାଶୋରି ଦେଉଛନ୍ତି । ଆଜିର ଯୁଗ ଉଗ୍ରଆଧୁନିକତା ଓ ସ୍ୱେଚ୍ଛାଚାରିତାକୁ ଧର୍ମ ବନେଇଦେଇଛି । ସେଭଳି ସ୍ଥିତିରେ ସାହିତ୍ୟ ସମାଜର ପଥପ୍ରଦର୍ଶକ ହେବା ଅପେକ୍ଷା ନଦୀର ଅଥଳ ଗର୍ଭକୁ ଠେଲିଦେବା ଦୁର୍ଭାଗ୍ୟଜନକ!

ଲେଖକମାନେ ନିଜ ସ୍ୱାର୍ଥ ଅପେକ୍ଷା ସମାଜର ହିତ ନିମନ୍ତେ ଲେଖିବା ଉଚିତ୍ । କାରଣ ସେମାନଙ୍କ ହାତରେ ସ୍ୱୟଂ ଈଶ୍ୱର ଗୋଟେ କୁହୁକ ବାଡି ଦେଇଥାନ୍ତି ଯାହା ମାଧ୍ୟମରେ ସେ ବିଲେଇକୁ ବାଘ କିମ୍ବା ବାଘକୁ ବିଲେଇ ପ୍ରମାଣିତ କରିପାରନ୍ତି । ଆବଶ୍ୟକସ୍ଥଳେ ଗଠନମୂଳକ ଲେଖା ସହିତ ସମାଜକୁ ପ୍ରଭାବିତ କରିଥାନ୍ତି । ଏଭଳି ଅଲୌକିକ ଶକ୍ତିର ଅଧିକାରୀ ହୋଇ ଯଦି ସେମାନେ ସମାଜର ଅମଙ୍ଗଳକାରକ ସାବ୍ୟସ୍ତ ହୁଅନ୍ତି ତେବେ ସେମାନଙ୍କୁ ମାନବତାର ବିଧ୍ୱଂସକ କୁହାଯିବ ।

ଫିଲ୍ମ ବା ସିରିୟଲ୍‌ର ଦର୍ଶକ ସଂଖ୍ୟା ଅଧିକ ଥିବାରୁ ଲୋକମାନେ ପ୍ରଭାବିତ ହେବା ସ୍ୱାଭାବିକ । କୌଣସି ଦୃଶ୍ୟ ବା କାହାଣୀକୁ ଅତିରଂଜିତ କରିବା, ପତିପତ୍ନୀଙ୍କ ଏକାଧିକ ବିବାହ ଓ ବିବାହ ପରର ଅବୈଧ ସଂପର୍କର ପ୍ରଚାର ଓ ପ୍ରସାର କରି ସମାଜକୁ ବିଭ୍ରାନ୍ତ କରିବା ଲେଖକୀୟ ଧର୍ମ ନହେଉ । ସମାଜର ପ୍ରତିଫଳନ ସାହିତ୍ୟରେ ରହିବ, କିନ୍ତୁ ଖରାପ ବାର୍ତ୍ତାକୁ ରୋକିବା ଲେଖକର ଧର୍ମ ହେବା ଉଚିତ୍ । ଲେଖକ ଚର୍ଚ୍ଚିତ ହେବାକୁ ବିକଳ ହୋଇ ଗୁଡେ ନକାରାତ୍ମକତାକୁ ପ୍ରଧାନ୍ୟ ନଦେଉ । ଭଲ ଖରାପର ଅନୁପାତ ମାନବତାର ସୀମା ଲଂଘନ ନକରୁ । ଖରାପ କଥା ହିଁ ଖୁବ୍ ଶୀଘ୍ର ପ୍ରସାରିତ ହୁଏ ମିଥ୍ୟା ପରି ।

ଆମେରିକୀୟ କଥାକାର, ବ୍ୟଙ୍ଗକାର, ପ୍ରକାଶକ, ନିବନ୍ଧକାର, ଅଧ୍ୟାପକ ତଥା ଆମେରିକୀୟ ସାହିତ୍ୟର ଜନକ ମାର୍କ ଟ୍ୱେନ୍‌ଙ୍କ ମତରେ- “ଏ ଲାଏ କ୍ୟାନ୍ ଟ୍ରାଭେଲ୍ ହାଫ୍ ୱେ ଆରାଉଣ୍ଡ ଦ ୱାର୍ଲ୍ଡ ହ୍ୱାଇଲ୍ ଦ ଟ୍ରୁଥ୍ ଇଜ୍ ପୁଟିଂ ଅନ୍ ଇଟ୍ସ ସୁଜ୍” । ଆକ୍ଷରିକ ଭାବାର୍ଥ ଅନୁସାରେ- ସତ ଯୋତା ପିନ୍ଧୁଥିବାବେଳେ, ମିଛ ଅଧା ପୃଥିବୀ ପରିଭ୍ରମଣ କରିସାରିଥାଏ । ଅର୍ଥାତ୍ ମିଛ ଖୁବ୍ ଶୀଘ୍ର ବ୍ୟାପିଯାଏ । ସେହିପରି ଖରାପ ଘଟଣାକୁ ବାରବାର ଉଖାରି ଖରାପ ମାନସିକତା ତିଆରି କରିବା ଅପେକ୍ଷା ଜନସଚେତନତା ଆଧାରିତ ମନୋରଂଜନ କାର୍ଯ୍ୟକ୍ରମ କରାଯାଇପାରନ୍ତା । ଆଜିକାଲି ବିଜ୍ଞାପନର ଯୁଗ । ଭଲ କାମର ଉଦାହରଣ ସୃଷ୍ଟି କରିବାକୁ ହେଲେ ଭଲ ବାର୍ତ୍ତା ଦେଉଥିବା ମନୋରଂଜନଧର୍ମୀ ଚଳଚ୍ଚିତ୍ର ବା ସିରିୟଲ୍ ନିର୍ମାଣ ଜରୁରୀ । ରାମକୃଷ୍ଣ ପରମହଂସ, ଶ୍ୟାମାଚରଣ ଲାହିଡୀ, ରତନ ଟାଟା, ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏ.ପି.ଜେ ଅବଦୁଲ୍ କାଲାମ୍, ଅଟଳ ବିହାରୀ ବାଜପେୟୀ ବା ଲତା ମେଙ୍ଗସ୍କରଙ୍କ ପରି ଅସାଧାରଣ ବ୍ୟକ୍ତିତ୍ୱଙ୍କ ଛାୟାରେ କାହାଣୀ ନିର୍ମିତ ହେଉ । ସେହିପରି ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଜିରୋରୁ ହୀରୋ ବନିଛନ୍ତି ! ସେମାନଙ୍କ କାହାଣୀକୁ ସାମିଲ୍ କରାଯାଉ । ଅରମାକ୍ସର ପରିସଂଖ୍ୟନ ଅନୁଯାୟୀ ପାଖାପାଖି ୧୨ କୋଟିରୁ ୧୪ କୋଟି ୬୦ ଲକ୍ଷ ଲୋକ ଫିଲ୍ମ ଦେଖୁଥିବାବେଳେ ବ୍ରୋଡକାଷ୍ଟ୍ ଅଡିଏନ୍ସ ରିସର୍ଚ୍ଚ, ୨୦୨୦ ଅନୁଯାୟୀ ୮୩ କୋଟି ଗୃହିଣୀ ଓ ଛୋଟ ପିଲା ଟିଭି ସିରିୟଲ୍ ଦେଖନ୍ତି । ସେଥିପାଇଁ ଲେଖକ ସତର୍କ ଓ ସଚେତନ ହେବା ଉଚିତ୍ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top