ସମ୍ପାଦକୀୟ

ନଅ-ସଂଖ୍ୟାର ତାତ୍ତ୍ୱିକ ବିଶ୍ଳେଷଣ

ନବଦିନାତ୍ମକ ପୂଜାବିଧି ଅନୁଯାୟୀ ଖାଦ୍ୟ-ସଚେତନ ରହି ମାଆ ଦୁର୍ଗାଙ୍କର ନବରୂପକୁ ଆରାଧନା କରାଯାଏ ।

ବର୍ଷକୁ ଦୁଇଥର ବାସନ୍ତିକ ଓ ଶାରଦୀୟ ଦୁର୍ଗା ପୂଜା ଜରିଆରେ ମାତୃଶକ୍ତିର ଭିନ୍ନ ଏକ ରୂପକୁ ଆହ୍ୱାନ କରାଯାଇଥାଏ । କିନ୍ତୁ ଶରତ ଋତୁର ଆକାଶ ଓ ବସୁଧା ଉଭୟ ଭିନ୍ନ ଭାବେ ସମ୍ମୋହିତ କରନ୍ତି । ଆଶ୍ୱିନ ମାସର କାଶତଣ୍ଡୀ ଫୁଲର ସମାହାରରେ ପ୍ରକୃତି ଯେବେ ମଥାରେ ସବୁଜ ଓଢଣୀ ଦେଇ ନଦୀର ଅଳସ ସ୍ରୋତରେ ମୁହଁ ଦେଖେ, ମହମହ ବାସେ ପୃଥିବୀ । ପାର୍ବଣ ଋତୁ ଆରମ୍ଭ ହୁଏ ବୋଲି ଆକାଶର ଭସା ବାଦଲମାନେ ଘୋଷଣା ଆରମ୍ଭ କରିଦିଅନ୍ତି । ତେଣୁ ଶରତ ଋତୁର ଶାରଦୀୟ ମହୋତ୍ସବ ନିଆରା ଲାଗେ । ଦଶହରା ଆସୁଆସୁ ଧରାପୃଷ୍ଠର ଅନେକ ପରିବର୍ତ୍ତନ ହୁଏ । ଆକାଶରେ ମାଳମାଳ ଭସା ମେଘ ବିବିଧ ବର୍ଣ୍ଣରେ ପୃଥିବୀକୁ ଚିତ୍ରିତ କରୁଥାନ୍ତି, ବିଲବାଡିରେ ସବୁଜିମା ଲହଡି ଭାଂଗୁଥାଏ । ବର୍ଷା ସରି ଆସିବା ସହିତ ଆକାଶ କ୍ରମଶଃ ଫର୍ଚ୍ଚା ଦିଶେ । ବତୁରା ମାଟି କଠିନ ହୁଏ ଶୀତର ପ୍ରାକ୍- ଆଗମନୀରେ ।

କୁମାର ପୂନେଇଁ ଡାଲାରେ ଶୀତ ଆସେ ବୋଲି ପୁରପଲ୍ଲୀରେ କଥିତ ଅଛି । ଋତୁ ପରିବର୍ତ୍ତନ ସହିତ ମନ ଓ ଶରୀରର ସୂକ୍ଷ୍ମ ସଂପର୍କ ରହିଛି ଯାହା ସ୍ପଷ୍ଟ ନହେଲେ ମଧ୍ୟ ଅଲକ୍ଷ୍ୟରେ ସଂଘଟିତ ହେଉଥାଏ । ବାହ୍ୟ ପ୍ରକୃତି ଓ ଅନ୍ତଃ ପ୍ରକୃତିର ଭାରସାମ୍ୟ ରକ୍ଷା ନିମନ୍ତେ ପୂଜାପାର୍ବଣର ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟଙ୍କ ଚଳନ, ପୃଥିବୀର ଘୂର୍ଣ୍ଣନ ଆଦି ପ୍ରକ୍ରିୟାକୁ ନେଇ ଋତୁମାନେ ଗତିଶୀଳ । ଜୀବଜଗତକୁ ବିଶେଷ ପରିମାଣରେ ପ୍ରଭାବିତ କରୁଥିବା ଋତୁମାନଙ୍କ ସହିତ ଜୀବଜଗତ ବି ପରିବର୍ତ୍ତନଶୀଳ । ଯଦିଓ ହେମନ୍ତ ଋତୁର ଅନୁଭବ ଏତେଟା ପ୍ରତ୍ୟକ୍ଷ ନୁହେଁ ତେବେ ବି ଜନସାଧାରଣଙ୍କ ପାଚନ କ୍ରିୟା, କାର୍ଯ୍ୟପ୍ରଖରତା ଏହି ସମୟରେ ଧୀମେଇ ଯିବା ସହିତ ମନ ମଧ୍ୟ ପ୍ରଭାବିତ ହୁଏ । ସନ୍ତୁଳନ ବଜାୟ ରଖିବା ପାଇଁ ମନ ଓ ଶରୀରକୁ କିଛି ସମୟ ଆବଶ୍ୟକ ହୁଏ । ସେଥିପାଇଁ ଉପବାସର ଗୁରୁତ୍ୱ ରହିଥାଏ ।

ନବଦିନାତ୍ମକ ପୂଜାବିଧି ଅନୁଯାୟୀ ଖାଦ୍ୟ-ସଚେତନ ରହି ମାଆ ଦୁର୍ଗାଙ୍କର ନବରୂପକୁ ଆରାଧନା କରାଯାଏ । ନଅ ସଂଖ୍ୟାର ବି ବିଶେଷ ଗୁରୁତ୍ୱ ରହିଛି ଆଧ୍ୟାତ୍ମିକଶ୍ରୟୀ ଲୋକମାନଙ୍କ ଭିତରେ । ଏକକ ସଂଖ୍ୟାର ବୃହତ୍ତମ ସଂଖ୍ୟା ହେଉଛି ନଅ । ଯାହା ଉତ୍କର୍ଷତାର ପ୍ରତୀକ । ସନାତନ ଧର୍ମରେ ୧୦୮ ହେଉଛି ବିଶେଷ ଗୁରୁତ୍ୱ ବହନକାରୀ ସଂଖ୍ୟା ଯାହାର ପ୍ରତ୍ୟେକ ଅଙ୍କକୁ ମିଶାଇଲେ ନଅ ହୁଏ । ନଅରେ ନବଧା ଭକ୍ତି, ନବ ଗ୍ରହ ପରି ଅନେକ ଧର୍ମୀୟ ବିଶେଷତାକୁ ବୁଝାଯାଏ । ସେହିପରି ଦେବୀଙ୍କ ନବଦିନାତ୍ମକ ପୂଜାର ବିଶେଷ ମହତ୍ୱ ରହିଛି । ନଅଦିନ ଧରି ମାଆଙ୍କ ବିବିଧ ରୂପକୁ ପୂଜା କରିବା ବା ସେହି ରୂପର ବିଶେଷତାକୁ ଉପଲବ୍ଧି କରି ଅଜ୍ଞାନତାର ପରଳ ହଟାଇ ନିଜକୁ ମହାଜ୍ଞାନାଲୋକରେ ଆଲୋକିତ କରିବା ହିଁ ଦଶହରା ପୂର୍ବର ମାତୃଶକ୍ତି ପୂଜା । ଏଠି ମାତୃଶକ୍ତିକୁ ବିଭିନ୍ନ ଭାଗରେ ବାଣ୍ଟି ଦିଆଯାଇଛି । ସେ ହେଉଛନ୍ତି ଜଣେ ପୁତ୍ରୀ, ଜ୍ଞାନାଭିଳାଷୀ କିଶୋରୀ, ସୁନ୍ଦରୀ ଯୁବତୀ, ମାତୃଶକ୍ତି ରୂପିଣୀ, ଆଜ୍ଞାନର କାଳିମା ହଟାଇ ଆଲୋକିତ କରୁଥିବା ଶକ୍ତିମୟୀ, ସଂହାରକାରିଣୀ, ଶାନ୍ତି ପ୍ରଦାୟିନୀ, ସଫଳତା ବା ସିଦ୍ଧି ପ୍ରଦାୟିନୀ ସିଦ୍ଧିଦାତ୍ରୀଙ୍କ ପରି ଅପରିସୀମ ଶକ୍ତିର ଆଧାର । ମାତୃଶକ୍ତିର ବିଭିନ୍ନ ଦିଗକୁ ଚିହ୍ନିବା, ଆବଶ୍ୟକତା ଅନୁଯାୟୀ ଆଧ୍ୟାତ୍ମିକ ଓ ପାର୍ଥିବ ସ୍ତରରେ ନିଜର ଜ୍ଞାନକୁ ପ୍ରସାରିତ କରିବା ହେଉଛି ନବଦିନାତ୍ମକ ପୂଜାର ଆଧାର ।

ଶୈଳପୁତ୍ରୀ

ନବଦିନାତ୍ମକ ପୂଜାର ପ୍ରଥମ ଦିବସ – ଏହି ଦିନରେ ମାଆଙ୍କ ନାମ ଶୈଳପୁତ୍ରୀ ବା ଶୈଳଜା ଯାହାଙ୍କ ବାହନ ନନ୍ଦୀ । ଦୁଇ ହାତ ଥିବା ମାଆ ଶୈଳପୁତ୍ରୀଙ୍କ ମଥାରେ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଥିବାବେଳେ ଡାହାଣ ହାତରେ ତ୍ରିଶୂଳ ଓ ବାମହସ୍ତରେ ପଦ୍ମ ଶୋଭା ପାଉଥାଏ । ଏହା ମାଆଙ୍କ ଶିଶୁ ଅବସ୍ଥାକୁ ସୂଚାଏ । ଶୈଳପୁତ୍ରୀ ଅର୍ଥାତ୍ ଶୈଳ ବା ପର୍ବତଙ୍କ ଶିଶୁକନ୍ୟା ।

ବ୍ରହ୍ମଚାରିଣୀ

ଦ୍ୱିତୀୟ ଦିବସ – ଏହି ଦିନ ସେ ବ୍ରହ୍ମଚାରିଣୀ ରୂପରେ ପୂଜିତା ହୁଅନ୍ତି । ଦୁଇହାତ ବିଶିଷ୍ଟ ମାଆଙ୍କର କୌଣସି ବାହାନ ନଥାଏ । ଡାହାଣ ହାତରେ ରୁଦ୍ରାକ୍ଷ ମାଳା, ବାମ ହାତରେ କମଣ୍ଡଳୁ ତାଙ୍କ ଶିକ୍ଷା ବା ଜ୍ଞାନାହରଣକୁ ସୂଚାଏ । ଏହି ବେଶରେ କୌଣସି ଅସ୍ତ୍ରଶସ୍ତ୍ର ଧାରଣ କରିନଥାନ୍ତି ମାଆ । ତପସ୍ୱିନୀ ବେଶରେ ସେ କିଶୋରୀ, ଜ୍ଞାନାର୍ଜନ ହିଁ ତାଙ୍କ କର୍ମ । ସେଥିପାଇଁ କଠିନ ଅଧ୍ୟବସାୟ କରିବାକୁ ପଡିଥାଏ । ଏହା ହେଉଛି ତାଙ୍କ ଶିଷ୍ୟା ରୂପ ।

ଚନ୍ଦ୍ରଘଂଟା

ତୃତୀୟ ଦିବସ – ଚନ୍ଦ୍ରଘଂଟା ନାମରେ ପୂଜିତା ମାଆ ବାଘ ଉପରେ ଅବତୀର୍ଣ୍ଣା ହୋଇ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ହୋଇଥାନ୍ତି । ହାତରେ ରୁଦ୍ରାକ୍ଷ ମାଳା, କମଣ୍ଡଳୁ ସହିତ ପଦ୍ମ ଧାରଣ କରି ବେଶ୍ ରମଣୀୟା ଦିଶନ୍ତି । ମାଆ କିଶୋରୀରୁ ଯୁବତୀ ରୂପରେ ଶକ୍ତିମୟୀ । ଜ୍ଞାନ ଆହରଣ ସହିତ ଅଭିଜ୍ଞସଂପନ୍ନା ହେବାକୁ ବାକି ଥାଏ ବୋଲି ଶିକ୍ଷାଆହରଣ ସଂପୂର୍ଣ୍ଣ ହୋଇନଥାଏ । ମଥାରେ ତୃତୀୟ ନେତ୍ର ଉନ୍ମୁକ୍ତ ଥାଏ । ଅର୍ଥାତ୍ ରଣଚଣ୍ଡୀ ରୂପରେ ସେ ଦୁଷ୍ଟ ସଂହାର ନିମନ୍ତେ ତତ୍ପର ଥାଆନ୍ତି । ଦଶଭୁଜା ମାଆ ଚନ୍ଦ୍ରଘଂଟା ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା । ଚେହେରାରେ ଅପୂର୍ବ ଆଭା । ସୌନ୍ଦର୍ଯ୍ୟ ଓ ବୀରତାର ସମନ୍ୱୟରେ ସେ ଅପୂର୍ବା । ଗୋଟେ ହାତ କିନ୍ତୁ ବରଦା ମୁଦ୍ରାରେ ଯାହା ଭକ୍ତମାନଙ୍କୁ ଅଭୟ ଓ ଆଶିଷ ପ୍ରଦାନ କରୁଥାଏ । ଭଗବାନ୍ ଶିବଙ୍କ ସହିତ ବିବାହ ପରେ ଶାନ୍ତ ରୂପରୁ ଯୋଦ୍ଧା ରୂପକୁ ପରିବର୍ତ୍ତିତା ହୋଇଥିବା ମାଆଙ୍କ କପାଳରେ ଅର୍ଦ୍ଧଚନ୍ଦ୍ର ଓ ଘଂଟା ସଦୃଶ ପ୍ରତୀକାତ୍ମକ ଚିତ୍ର ବେଶ୍ ସୁଦୃଶ୍ୟ ।

କୁଷ୍ମାଣ୍ଡା

ଚତୁର୍ଥ ଦିବସ – କୁଷ୍ମାଣ୍ଡା ରୂପରେ ପୂଜିତା ହୁଅନ୍ତି ମାଆ । ଅର୍ଥାତ୍ କୁ- ଅଳ୍ପ, ଉଷ୍ମା – ଉଷୁମ, ଅଣ୍ଡା- ସନ୍ତାନ ଉତ୍ପାଦନ ଶକ୍ତି । ମାଆ ମାତୃରୂପରେ ପୂଜିତା । ଆସନ୍ନ ପ୍ରସବା! ସ୍ୱାସ୍ଥ୍ୟ, ଧନ, ସମ୍ପତ୍ତି, ଶକ୍ତି ପ୍ରଦାୟିନୀ ମାଆଙ୍କର ବାହନ ସିଂହ । ଶାକ୍ତମାନଙ୍କ ଦ୍ୱାରା ଦେବୀ ଅଷ୍ଟଭୁଜାଙ୍କୁ ଆଦିଶକ୍ତି ବା ସୃଷ୍ଟିର ରଚୟିତା ଭାବେ ପ୍ରତୀକାତ୍ମକ ସ୍ତରରେ ବିଚାର କରାଯାଏ । ଆଧ୍ୟାତ୍ମିକତାରେ ଏହାର ଅର୍ଥ ଜ୍ଞାନୋଦୟ ।

ସ୍କନ୍ଦମାତା

ପଞ୍ଚମ ଦିବସ -ସ୍କନ୍ଦମାତା ରୂପରେ ଏହିଦିନ ପୂଜିତା ହୁଅନ୍ତି ଦେବୀ ଦୁର୍ଗା । ଏଥିପାଇଁ କାର୍ତ୍ତିକେୟଙ୍କ ଅନ୍ୟନାମ ସ୍କନ୍ଦ । କୋଳରେ ପୁତ୍ର କାର୍ତ୍ତିକେୟଙ୍କୁ ଧରି ମାତୃସୁଲଭ କାନ୍ତିରେ ଉଜ୍ଜଳିଉଠନ୍ତି ମାଆ । ତିନି ଚକ୍ଷୁବିଶିଷ୍ଟା ମାଆ ଚତୁର୍ଭୁଜା -ସ୍କନ୍ଦମାତାଙ୍କ ଦୁଇ ହସ୍ତ ଭିତରୁ ଗୋଟେ ହସ୍ତରେ ପଦ୍ମ ଓ ଅନ୍ୟ ହସ୍ତରେ ପୁତ୍ର ସ୍କନ୍ଦଙ୍କୁ ଧରିଥିବାବେଳେ ଚତୁର୍ଥ ହସ୍ତଟି ବର ପ୍ରଦାୟିନୀ । ଅର୍ଥାତ୍ ସନ୍ତାନର ଲାଳନ ପାଳନରେ ମାଆ ବ୍ୟସ୍ତ ଥିବାବେଳେ ମଧ୍ୟ ତୃତୀୟ ନେତ୍ରଟିଏ ଥାଏ ସନ୍ତାନ ଓ ନିଜର ସୁରକ୍ଷା ପାଇଁ । ନାରୀର ଅନ୍ତର୍ନିହିତ ଶକ୍ତି ସନ୍ତାନର ସୁରକ୍ଷା ପାଇଁ ଯେତିକି ତତ୍ପର ଦୁଷ୍ଟ ସଂହାର ପାଇଁ ସେତିକି ଆଗଭର । ସନ୍ତାନ ସହିତ ସେ ସମଗ୍ର ସଂସାରକୁ ଧାରଣ କରିଥାନ୍ତି କାରଣ ସେ ସଂସାରର ମାଆ । ଅର୍ଥାତ୍ ଆଧ୍ୟାତ୍ମିକତାକୁ କ୍ଷୟ କରୁଥିବା ଯେକୌଣସି ଦୁଷ୍ଟଶକ୍ତିର ବିଧ୍ୱଂସକାରିଣୀ ଭାବେ ସେ ମହାଶକ୍ତିର ପରିଚାୟକ ।

ସିଂହବାହିନୀ

ଷଷ୍ଠ ଦିବସ– ସିଂହବାହିନୀ ମାଆ କାତ୍ୟାୟିନୀ ଚତୁର୍ଭୁଜା, ତ୍ରିନେତ୍ର ଧାରିଣୀ ଓ ଯୋଦ୍ଧା ଭାବେ ପୂଜିତା । ଶତ୍ରୁ ସଂହାର ନିମନ୍ତେ ସଜ୍ଜିତା । ସଂସାରର ସୁରକ୍ଷା ନିମନ୍ତେ ତାଙ୍କ ହସ୍ତରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର । ଅଧ୍ୟାତ୍ମିକତାର ସଂରକ୍ଷକ, ସନ୍ତାନର ସୁରକ୍ଷା ପାଇଁ ସେ ଜଗଜ୍ଜନନୀ ଭାବେ ଅବତୀର୍ଣ୍ଣା ।

କାଳରାତ୍ରୀ

ସପ୍ତମ ଦିବସ– ମାଆ କାଳରାତ୍ରୀ ରୂପେ ପୂଜିତା ମାଆ ଉଗ୍ରା, ନୀଳବର୍ଣ୍ଣା, ସଂହାରକାରିଣୀ ରୂପେ ଅବତୀର୍ଣ୍ଣା । ଅନ୍ଧକାରର ଅନ୍ତ କରି ଜଗତକୁ ଆଲୋକିତ କରିବା, ଅଜ୍ଞାନତାର ଅନ୍ତ ଘଟାଇ ଜ୍ଞାନ ବିତରଣ କରିବା ଏହି ଦିନର ଗୁଢ ରହସ୍ୟ । ଗଧ ବାହନ ଉପରେ ଉପବେଶିତ ମାଆଙ୍କ ଦୁଇ ହସ୍ତ ବର ପ୍ରଦାୟିନୀ ରୂପେ ଥିବାବେଳେ ଅନ୍ୟ ହସ୍ତଦ୍ୱୟରେ ବ୍ରଜାସ୍ତ୍ର ଓ ପର୍ଶୁ ଶୋଭାପାଉଛି । କାଳୀ ରୂପ ଧାରଣ କରିଥିବା ମାଆ ବେଶ୍ ଭୟଙ୍କର ପ୍ରତୀୟମାନ ହେଉଥିଲେ ବି ଦୁଷ୍ଟ ସଂହାରକାରିଣୀ ଭାବେ ଅବତୀର୍ଣ୍ଣା । ଗଧରୂପୀ ମନକୁ କାଳୀରୂପୀ ମାଆ ଦୁର୍ଗା ଆୟତ୍ତ କରି ଶତ୍ରୁକୁ ଦମନ କରୁଥିବାରୁ ରୂପଟି ଭୟଙ୍କର ହେଲେ ମଧ୍ୟ ଜଗତର କଲ୍ୟାଣ ନିମନ୍ତେ ଅପରିହାର୍ଯ୍ୟ ।

ମହାଗୌରୀ

ଅଷ୍ଟମ ଦିବସ– ନନ୍ଦୀ ଉପରେ ବସିଥିବା ମାଆ ମହାଗୌରୀ ବେଶ୍ ଶାନ୍ତ । ଚାରି ହସ୍ତବିଶିଷ୍ଟ ମାଆ ଡମ୍ବରୁ, ତ୍ରିଶୂଳ, ବରଦା ଓ ଅଭୟ ମୁଦ୍ରାରେ ପୂଜିତା । କେବେକେବେ ମାଆ ଧଳା ହାତୀ ଉପରେ ଉପବେଶନ କରିଥିବାର ପରିଲକ୍ଷିତ ହୁଏ । ସାଂସାରିକ ଲୋକେ ଏହି ରୂପକୁ ବରଦା ଓ ଅଭୟ ପ୍ରଦାନକାରୀ ହେତୁ ବିଶେଷ ଭାବେ ପୂଜା କରିଥାନ୍ତି । ଜ୍ଞାନର ଅନ୍ୟଏକ ରୂପ ଦୟା, କ୍ଷମା, ସାହସ, ଶକ୍ତି । ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ମାଆ ଆଶୁତୋଷ ମହାଦେବଙ୍କ ପରି ଅଳ୍ପରେ ସନ୍ତୁଷ୍ଟ ହୋଇ ସନ୍ତାନମାନଙ୍କୁ ଆଶିଷ ଢାଳିଦିଅନ୍ତି ବୋଲି ଲୋକବିଶ୍ୱାସ ରହିଛି । ସେଥିପାଇଁ ମାନସିକ ବ୍ରତଧାରୀମାନେ ମହାଷ୍ଟମୀ ବ୍ରତ ନିଷ୍ଠାର ସହିତ ପାଳନ କରିଥାନ୍ତି ।

ସିଦ୍ଧିଦାତ୍ରୀ

ନବମ ଦିବସ– ନବଦିନାତ୍ମକ ପୂଜାର ଅନ୍ତିମ ଦିନରେ ସିଦ୍ଧିଦାତ୍ରୀ ରୂପରେ ପୂଜିତା ହୁଅନ୍ତି ଦେବୀ ଦୁର୍ଗା । ସମସ୍ତ ଦାୟିତ୍ୱକୁ ନିଷ୍ଠାପରତା ସହିତ ତୁଲାଇ ମାଆଙ୍କୁ ସନ୍ତୁଷ୍ଟ କରିବା ପରେ ହିଁ ସିଦ୍ଧି ହାସଲ ହୁଏ । ସମସ୍ତ କଷ୍ଟ, ରିଷ୍ଟ, ଅନିଷ୍ଟ, ଖଣ୍ଡନ କରି ମାଆ ସିଦ୍ଧିଦାତ୍ରୀ ଆସନ୍ତିି । ପଦ୍ମଫୁଲ ଉପରେ ଉପବେଶନ କରିଥିବା ମାଆ ଚତୁର୍ଭୁଜା ଭାବରେ ଶଙ୍ଖ ଚକ୍ର ଗଦା ପଦ୍ମ ଧାରଣ କରିଥାନ୍ତି । ମାଆ ସିଦ୍ଧିଦାତ୍ରୀ ହିଁ ସମସ୍ତ ଶକ୍ତିର ମୂଳାଧାର ବୋଲି ବିବେଚନା କରାଯାଏ । ଆଧ୍ୟାତ୍ମିକ କ୍ଷେତ୍ରରେ ଆରମ୍ଭରୁ ଅନ୍ତିମ ପର୍ଯ୍ୟାୟର ସିଦ୍ଧିପ୍ରାପ୍ତି ପର୍ଯ୍ୟନ୍ତ କଠିନ ରାସ୍ତା ପାର କଲାପରେ ହିଁ ପରିପକ୍ୱ ହୁଏ ସାଧନା । ସ୍ଥାନକାଳପାତ୍ର ସହିତ ଜନ୍ମର ସବୁ ଭେଦ ଓ ଅବସ୍ଥାକୁ ବୁଝିସାରିବା ପରେ ମନ ଶାନ୍ତ ଅବସ୍ଥାକୁ ଆସିଯାଏ । ଏହିଠାରେ ସାଧକର ସିଦ୍ଧି ହିଁ ତାର ଚରମ ଉପଲବ୍ଧି । ଦଶହରା ଦିନ ରାମଙ୍କ ଦ୍ୱାରା ରାବଣର ମୃତ୍ୟୁ ପାଳିତ ହୁଏ । ଅନ୍ଧାର ଉପରେ ଆଲୋକ, ଅଧର୍ମ ଉପରେ ଧର୍ମ ଓ ଅଜ୍ଞାନ ଉପରେ ଜ୍ଞାନର ବିଜୟ ପର୍ବ ପାଳନ କରାଯାଏ ।

 

 

 

 

 

 

 

ତେଣୁ ନବଦିନାତ୍ମକ ଦୁର୍ଗାପୂଜା ପୀଠଗୁଡିକ ସହିତ ମୁଣ୍ମୟୀ ଦେବୀଙ୍କ ପାଖରେ ଅତିଶ୍ରଦ୍ଧାର ସହିତ ପାଳନ କରାଯାଏ । ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ମନ ଭିତରର ଅଜ୍ଞାନତା, ଜ୍ଞାନଲାଭର ଇଚ୍ଛା, ଦ୍ୱିଧାଦ୍ୱନ୍ଦ୍ୱ, ବନ୍ଧନ, ସୃଷ୍ଟି, ସୁରକ୍ଷା, ଦୁଷ୍ଟଶକ୍ତିଙ୍କ ବିପକ୍ଷରେ ସଂଘର୍ଷ, ସଂହାର, ସିଦ୍ଧିକୁ ନେଇ ତର୍ଜମା କରାଯାଇପାରେ । ନାରୀର ଶିଶୁ ଅବସ୍ଥାରୁ ସିଦ୍ଧି ପର୍ଯ୍ୟନ୍ତ ନଅଟି ଅବସ୍ଥା, ସୃଷ୍ଟିର ବିଭିନ୍ନ ପ୍ରକାରର ମହନୀୟତାକୁ ପ୍ରତିପାଦିତ କରିଥାଏ । ନାରୀ ମାତୃଶକ୍ତି ଓ ଜଗଜ୍ଜନନୀ ହିସାବରେ ରୂପ, ଗୁଣ, ଭାବ, ବିଭାବ ଓ ବୈଭବର ଅଧିକାରିଣୀ । ଏସବୁ ତାତ୍ତ୍ୱିକ ଦୃଷ୍ଟିକୋଣରୁ ନବଦିନାତ୍ମକ ପୂଜାରେ ନଅ ଦିନର ବିଶେଷ ସ୍ୱାତନ୍ତ୍ର୍ୟ ରହିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top