ଗଳ୍ପର ସକଳ ବିଭବ ତଥା ରସ, ରଙ୍ଗ, ରୂପର ସମଷ୍ଟି ଡାଫୋଡିଲ୍ସ – ୧୭୦ରେ ଆକାଶସମ ବ୍ୟାପ୍ତି, ସମୁଦ୍ରସମ ଗଭୀରତା । କାଳଖଣ୍ଡକୁ ୧୭୦ଟି ବାଗରେ ସ୍ୱକୀୟ ଶୈଳୀରେ ଧରି ରଖିବାରେ ସମର୍ଥ ଅଣୁଗପ ସଂକଳନ ହେଉଛି- ଡାଫୋଡିଲ୍ସ – ୧୭୦। ଦୀର୍ଘଗପଠାରୁ ଅଣୁଗପ ପର୍ଯ୍ୟନ୍ତ ଆଂଗିକ ଓ ଆତ୍ମିକ ସ୍ତରରେ ପରିସ୍ଥିତିର ମୋଡ ବଦଳାଇ ପରିସମାପ୍ତିରେ ଅଭିନବ ମୋଡ଼ ଦେବାରେ ଗାଳ୍ପିକା ବେଶ୍ ଧୁରନ୍ଧର ପ୍ରତୀତ ହୁଅନ୍ତି । କେବେକେବେ ଜୀବନ ଦର୍ଶନ ତ କେବେ ପାରିବାରିକ, ସାମାଜିକ, ରାଜନୀତିକ ଘଟଣାଚକ୍ର ପୁଣିକେବେ ପ୍ରେମ, ବିରହ, ଛଳନା ପ୍ରତାରଣାକୁ ନେଇ ଗତିଶୀଳ ତାଙ୍କ ଗପ ବିଭବ।
ଜୀବନକୁ ନେଇ ବିଭିନ୍ନ ପରୀକ୍ଷଣର ପ୍ରତିଫଳନ ହେଉଛି – “ଡାଫୋଡିଲ୍ସ-୧୭୦”।
“ଜୀବନର ବହୁ ଭାବ ବିଭାବ, ରସରଙ୍ଗ, ସଙ୍ଗଭଙ୍ଗ ଆଦି ବହୁ ଅନୁଭବରେ ଚିତ୍ରିତ । ଯୁଗ ଯୁଗ ଧରି ସେ କେତେ ବାଗରେ ଭାଙ୍ଗିହୋଇଛି, ଗଢ଼ିହୋଇ ପୁଣି ଲୀନ ହୋଇଛି । ପୁଣି ତା’ର ଅବଶେଷରୁ ଆରମ୍ଭର ସୂତ୍ରପାତ ହୋଇଛି । ଜୀବନ ସ୍ପନ୍ଦିତ ହୁଏ, ମୁକୁଳିତ ହୁଏ, ନିଜକୁ ଛନ୍ଦେ ପୁଣି ମୁକ୍ତ କରେ । କେବେ ଆକାଶରେ ନିଜକୁ ଖୋଜୁ ଖୋଜୁ ବର୍ଷା ବିନ୍ଦୁ ହୋଇ ତଳକୁ ଖସେ । କେବେ ସମୁଦ୍ରରେ ଜୁଆର କରି ପ୍ରସାରିତ ହେଉହେଉ ବୁଦ୍ ବୁଦ୍ ହୋଇ ଭାଙ୍ଗିଯାଏ କୂଳରେ ପିଟିହୋଇ ।
କେବେ ଆଲୋକର ଉତ୍ସରୁ ଅନ୍ଧକାର ଆବିଷ୍କାର କରେ ତ କେବେ ଧ୍ଵଂସାବଶେଷରୁ ଜୀବନକୁ ମୁକାଳିଆଣେ । ଜୀବନର ଜିଦ୍ ଥାଏ ବଞ୍ଚିବାର। ସେଥିପାଇଁ ସେ ନିଜକୁ ଛିଡା କରାଏ, ବତାସକୁ ବହିଯିବାକୁ ଦିଏ । ବନ୍ୟାକୁ ଭସେଇବାକୁ ଦିଏ । ପରିଶେଷରେ ଜୀବନ ନିନାଦିତ ହୁଏ ପଞ୍ଚମ ତାନରେ । ଜୀବନ ସରେନା । କାହା ନା କାହା ମାଧ୍ୟମରେ ସେ ଫେରେ ପୁଣି । ସଂସାର ହିଁ ତା’ର ଆରାଧନା ସ୍ଥଳୀ । ସେ ପୂଜାରୀଟିଏ ମାତ୍ର”। (ଡାଫୋଡ଼ିଲ୍ସ-୧ ୭୦, ମୁଖବନ୍ଧ, ଡ. ମୌସୁମୀ ପରିଡା ) । ଏକଥା ସ୍ୱୀକାର କରିଛନ୍ତି ନିଜେ ଗାଳ୍ପିକା । ତେଣୁ ତାଙ୍କ ଗପରେ ଜୀବନର ଜୟଗାନ ଝଂକୃତ ହୋଇଛି !
ସାମାଜିକ, ରାଜନୈତିକ, ପାରିବାରିକ, ପ୍ରତୀକାତ୍ମକ ଜୀବନ ଦର୍ଶନ, ପ୍ରେମ ପ୍ରତାରଣା ବିରହ ବିଚ୍ଛେଦ, ମିଛଧର୍ମୀତାକୁ ନେଇ ଅଣୁଗଳ୍ପ ସଂକଳନଟି ବେଶ୍ ପ୍ରଭାବିସ୍ତାରି । ବିନ୍ଦୁରେ ସିନ୍ଧୁ ଓ ଗୋଡ଼ିରେ ଗିରିର ପ୍ରତୀତି ପରି ଲେଖିକାଙ୍କ ଶବ୍ଦ ଓ ଭାବ ! ଖୁବ୍ କମ୍ ଶବ୍ଦ ବିନିମୟରେ ଅଣୁରେ ଆକାଶ ଥାପିବାରେ ଊଣା କରିନାହାନ୍ତି ସେ ! “ସେ ଦୁହେଁ” ଗଳ୍ପ ମାଧ୍ୟମରେ ମାତ୍ର ଦୁଇଧାଡ଼ିରେ ଜୀବନର ଖିଆଲିପଣକୁ ସୁନ୍ଦର୍ ଭାବରେ ଦର୍ଶାଇଛନ୍ତି । ସେହିପରି ଗପ – “ବିଷାକ୍ତ” ମାତ୍ର ୪୧ ଶବ୍ଦ ମଧ୍ୟରେ ସୀମିତ, ଯେଉଁଥିରେ ମାନବତାର ପ୍ରତୀକାତ୍ମକ ଚିତ୍ରଣ କରାଯାଇଛି । ମଣିଷକୁ ସବୁଠାରୁ ଅଧିକ ବିଷାକ୍ତ ବୋଲି ଅଭିହିତ କରିବାର ଚମତ୍କାର ଶୈଳୀ ପାଠକମାନଙ୍କୁ ଆକୃଷ୍ଟ କରିବ ନିଶ୍ଚୟ । ୨୦ ଟି ଶବ୍ଦରେ ଗଠିତ ଏକ ସୁନ୍ଦର୍ ପ୍ରେମ କାହାଣୀ “ଆକାଶ”। ମାତ୍ର ୨ଟି ଧାଡିରେ ପ୍ରେମର ଗଭୀରତା ପରିସ୍ପୁଟିତ ! ୪୪ ଟି ଶବ୍ଦରେ ତିଆରି “ନିଷ୍ପାପ” ରେ ଶିଶୁ ମନସ୍ତତ୍ତ୍ଵ ପ୍ରକଟିତ । ମଣିଷ ମନର ରୁଦ୍ଧ ଦ୍ଵାରଦେଶରୁ ଗୋପନ କଥା ପଢ଼ିବାରେ ଧୁରନ୍ଧର ଗାଳ୍ପିକା ଡଃ ପରିଡାଙ୍କ ଶିଶୁ ମନସ୍ତତ୍ତ୍ୱ ଗଳ୍ପମାନ ହେଉଛନ୍ତି -“ନିଷ୍ପାପ”, “ଅଗପ”, “ସାଧବ ବୋହୂ”, “ଫୁଲ” ଇତ୍ୟାଦି ।
ପଲ୍ଲୀ ଜୀବନ ସହିତ ପ୍ରେମ, ପ୍ରତାରଣା, ବିରହଜନିତ ଅନେକ ଗଳ୍ପ -“ବର୍ଷା ଓ ନାଲି ଚା'”, “କରୋନାରେ ପ୍ରେମ”, “କିଛି ମହକ ପ୍ରେମର”, “ରାଧାର ଧାରା”, “ପ୍ରେମ ଓ ଇଞ୍ଜେକ୍ସନ”, “ବୋକା ପ୍ରେମିକ”, “ସେ ମୁଁ ଓ କରୋନା”, “ଆକାଶ”, “ପ୍ରେମ ବଦଳେନା”, “ଫଟୋ ଗ୍ୟାଲେରୀ ଓ ସେନୋରିଟା”, “ବିଶ୍ୱାସ ଅବିଶ୍ଵାସ”, “ମହାରାଣୀ”, “ଭୋକ ଓ କରୋନା”, “ନୂତନ ସକାଳ”, “ବର୍ଦ୍ଧିତ ଲତାର ଦୁଃଖ”, “ଭାଲେଣ୍ଟାଇନ୍”, “ଗୋଟେ ବିଚ୍ଛେଦ ଖୁସିରେ”, “କିଛି ବାକି”, “ପ୍ରେମ ଓ ଫଗୁଣ” ଇତ୍ୟାଦି ମନକୁ ଭିଜାଇବାକୁ ଯଥେଷ୍ଟ ଓ ସ୍ପନ୍ଦିତ କରିବାକୁ ବ୍ୟଗ୍ର !
ପ୍ରତୀକାତ୍ମକ ଓ ଜୀବନର ମୂଲ୍ୟବୋଧକୁ ନେଇ ସମୃଦ୍ଧ କିଛି ଗପ ମନକୁ ଭାବାବେଗରେ ଜଡେଇ ଧରି ତନ୍ମୟତାରେ ଅନ୍ୟମନସ୍କ କରିଦିଏ । ଏହା ବୋଧେ ଗଳ୍ପର କୁହୁକତା ! କେତେଗୁଡିଏ ଗପରେ ରହସ୍ୟଧର୍ମୀତା ପ୍ରଚ୍ଛନ୍ନ ଦିଶେ । “କଲମ”, “ଶହୀଦ୍”, “ଜ୍ଵଳନ”, “କମ୍ବଳ”, “ତିନୋଟି ପାଗଳ”, “ନାଲି ଜନ୍ଦା”, “ଅପହଞ୍ଚ ନଦୀ”, “ଅଭାବୀ ଲୋକ”, “ସମ୍ପର୍କର ଫରୁଆ”, “ଖାଲି ବନ୍ଧୁକ”, ନାରୀ”, “କାନ୍ଦ” ଇତ୍ୟାଦିରେ ଜୀବନର ବିଭିନ୍ନ ଛନ୍ଦକୁ ଅନୁଭବ କରିହୁଏ ! ମଣିଷର ଅନ୍ତର୍ମନକୁ ନୂତନ ପରିପାଟୀରେ ଭେଟି ହୁଏ ।
ରାଜନୀତିକ ଗଳ୍ପ:-“ଗଣତନ୍ତ୍ର”, “ନାସ୍ତିବାଚକ”, “ବିଜ୍ଞାପନ”, “ଭଗବାନ୍ ଓରଫ୍ ଭଗବାନ୍ ସ୍ୱାଇଁ”, “ଛାଇ ବିକ୍ରୀ”, “ନ୍ୟୁଜ୍ ଚ୍ୟାନେଲ”, “ଦାରିଦ୍ର୍ୟ”, “ଭାଉ”, “ଭିନ୍ନସ୍ଲୋଗାନ”, “ଜାଲ”, “ଦେଶର ଦୂରାବସ୍ଥା” ଇତ୍ୟାଦିରେ ଗଣତନ୍ତ୍ରର ଦୁରାବସ୍ଥା ଓ ବାସ୍ତବ ଚିତ୍ର ପ୍ରତିଫଳିତ ଯାହା ଅଣୁଗଳ୍ପ ସଂକଳନକୁ ସମୃଦ୍ଧ କରିଛି ।
ମିଥ୍ ଧର୍ମୀ ଗଳ୍ପ:-“ମୋକ୍ଷ”, “ପ୍ରାପ୍ୟ”, “ବାନ୍ତର ଅବାନ୍ତର”, “ଏ.କେ.୪୭”, “ଦସ୍ୟୁ ରତ୍ନାକର”, “କୁହେଳି”, “ଜୁଆର ଭଟ୍ଟା”, “ଜୋକ” ଜୀବନର ପରିମଣ୍ଡଳକୁ ଭିନ୍ନ ପରିସର ଅଭିମୁଖୀ କରାଏ ।
ଆଧୁନିକ ସମାଜର ଘଟଣା ଦୁର୍ଘଟଣାକୁ ନେଇ ଯୁଗୋପଯୋଗୀ ଗଳ୍ପଗୁଡିକ – “ଭୂମିକମ୍ପ”, “ମୁଖ୍ୟ ସେବକ”, “କ୍ଷମତା”, “ଦାରିଦ୍ର୍ୟ”, “ଛବି”, “ସହରରେ ଶୀତ”, “ଚକ୍ରାନ୍ତ”, “ଫେସବୁକ୍ ମାୟା” ଇତ୍ୟାଦି ସ୍ୱତନ୍ତ୍ର ପରିଚିତି ବହନ କରେ।
ପାରିବାରିକ ସୁଖଦୁଃଖ, ସ୍ନେହପ୍ରେମ, ଶ୍ରଦ୍ଧା, ଭଲପାଇବାକୁ ଗୁରୁତ୍ୱ ଦେଉଥିବା ଗାଳ୍ପିକା “ସୁନାଝିଅ”, “ବୋକୀ”, “ବଂଶଗତ”, “ଭିନ୍ନଚିତ୍ର, ଚରିତ୍ର”, “ବେଖାପ”, “ଶଣ୍ଠଣା”, “ଜୀବନର ବୈଶାଖ”, “ସୈନିକ ପରିବାର”, “ବନ୍ଧୁ ତାଲିକା”, “ସମୟ ଅଭାବ”, “ପେନସନ୍”, “ଅତୃପ୍ତ ଶୋଷ” ଦ୍ୱାରା ସଂପର୍କର ଭିନ୍ନଭିନ୍ନ ତତ୍ତ୍ଵକୁ ପ୍ରମାଣ କରି ଜୀବନର ପୁଙ୍ଖାନୁପୁଙ୍ଖ ବ୍ୟାଖ୍ୟା କରିଛନ୍ତି ଯାହା ଜୀବନ ବହୁବର୍ଣ୍ଣ ଓ ବହୁରସରେ ପୂର୍ଣ୍ଣ । କହିବା ବାହୁଲ୍ୟ ଡାଫୋଡିଲ୍ସ – ୧୭୦ ଗୋଟିଏ ଫୁଲର ୧୭୦ଟି ପାଖୁଡା ପରି ଅବିଚ୍ଛେଦ୍ୟ ଓ ଅବିସ୍ମରଣୀୟ ଯାହା ଆଜୀବନ ସାଇତାଯୋଗ୍ୟ । ସାହିତ୍ୟକୁ ନୂଆ ଭେଟିଦେବାରେ ତତ୍ପର ଲେଖିକାଙ୍କର ଏହି ଅଣୁଗପ ସଂକଳନଟି ଓଡିଆ ଭାଷାଭଣ୍ଡାରକୁ ସମୃଦ୍ଧ କରିବ ନିଶ୍ଚୟ । ଦୀର୍ଘଗପରୁ ଅଣୁଗପ ପର୍ଯ୍ୟନ୍ତ ତାଙ୍କର ଏ ଜୟଯାତ୍ରା ଯେତିକି ମହତ୍ତ୍ୱପୂର୍ଣ୍ଣ ସେତିକି ଗୌରବାବହ । ଜୀବନାନୁଭୂତିର ଟିକିନିଖି ପରୀକ୍ଷାରେ ସମୃଦ୍ଧ ଏହି ଅଣୁଗପ ସଂକଳନଟି ଭାଷା ସାହିତ୍ୟକୁ ଋଦ୍ଧିମନ୍ତ କରିବ ନିଶ୍ଚୟ ।