ସମ୍ପାଦକୀୟ

ପ୍ଲାଷ୍ଟିକ୍ ଆବର୍ଜନା- ପରିବେଶ ସଚେତନତା

Dr Mousumi Parida's odia editorial article Plastic Abarjana - Paribesha Sachetanataa

ପ୍ଲାଷ୍ଟିକ୍-ମୁକ୍ତ ଦେଶ ଗଠନ ପାଇଁ ସମସ୍ତଙ୍କ ଅବଦାନ ଜରୁରୀ । ଆବଶ୍ୟକସ୍ଥଳେ କଡା ଆଇନ୍ କାନୁନ୍ ପ୍ରଣୟନ ହେବା ଆବଶ୍ୟକ । ଆମ ଉତ୍ତର ଦାୟାଦଙ୍କୁ ଏହା ହିଁ ଆମର ଯଥାର୍ଥ ଉପହାର ହେବ ।

ପ୍ଲାଷ୍ଟିକ୍ ଆବର୍ଜନା- ପରିବେଶ ସଚେତନତା

ପ୍ଲାଷ୍ଟିକ୍ ଆମ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଭୁଲ୍ ହେବନାହିଁ, ଯାହା ଏବେ ବିଶ୍ୱକୁ ଅବକ୍ଷୟ ଆଡକୁ ଟାଣିନେଇଛି ! ପ୍ଲାଷ୍ଟିକ୍‌ମୟ ବିଶ୍ୱ ମୃତ୍ତିକାର ଉର୍ବରତାକୁ ନଷ୍ଟ କରିବା ସହିତ ମାନବସମାଜ, ପଶୁପକ୍ଷୀ, କୀଡପତଙ୍ଗ, ଗଛଲତା, ଜଳଜୀବଙ୍କ ଉପରେ କୁପ୍ରଭାବ ପକାଉଛି । ସରଳରେ କହିବାକୁ ଗଲେ ପ୍ଲାଷ୍ଟିକର ପାର୍ଶ୍ୱପ୍ରତିକ୍ରିୟାରେ ସମଗ୍ର ବିଶ୍ୱ ଏବେ ଅଣନିଃଶ୍ୱାସୀ ଓ ଆତଙ୍କିତ । ଇତିହାସ ସାକ୍ଷୀ- ମଣିଷ ନିଜ ସୃଷ୍ଟି ଦ୍ୱାରା ନିଜେ ଧ୍ୱଂସମୁଖୀ । ପରମାଣୁ ବୋମା ସିନା ଅବିଳମ୍ବେ ନିର୍ଦ୍ଧିଷ୍ଟ ଅଂଚଳକୁ ଧ୍ୱଂସ କରିପାରେ, ପ୍ଲାଷ୍ଟିକ୍ କିନ୍ତୁ ସ୍ଲୋ ପଏଜନ୍ ବା ଧୀର ବିଷ ପରି ବିଧ୍ୱଂସକାରୀ । ସେଥିପାଇଁ ସଚେତନତା ଆବଶ୍ୟକ ।

ପ୍ଲାଷ୍ଟିକ୍‌ର ବ୍ୟବହାର ଆମ ଦିନଚର୍ଯ୍ୟାରେ କେତେ ଓ କାହିଁକି ପ୍ରଥମେ ଭାବିବାକୁ ହେବ । ସକାଳ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଟୁଥ୍‌ବ୍ରଶ, ପେଷ୍ଟ୍, ପାଣି ମଗ୍, ବାଲ୍ଟିଠାରୁ ଆରଂଭ କରି ଚା’ ପାଇଁ କ୍ଷୀର, ବିସ୍କୁଟ୍, କୁକିଜ୍, ନମକିନ୍ ଇତ୍ୟାଦି ଶୁଖିଲା ଖାଦ୍ୟ ବା ରୋଷେଇ ଘରେ ଥିବା ତେଲ, ଘିଅ, ମସଲାମସଲି, ଚିନି, ଏମିତିକି ଖାଦ୍ୟଗ୍ରହଣ କରୁଟୁଥ ଥିବା ଫାଇବର୍ ବାସନକୁସନ ସହିତ ପୋଷାକପତ୍ର, ପାନିଆଁ, ଯୋତା, କଲମ, ଛୋଟବଡ ଜିନିଷ ସାଇତୁଥିବା ଟ୍ରଲି, ହାତରେ ଧରୁଥିବା ମୋବାଇଲ୍ ସହିତ ଯାନବାହନରେ ପ୍ଲାଷ୍ଟିକ୍ର ବ୍ୟବହାର ଅନସ୍ୱୀକାର୍ଯ୍ୟ ।

ଆମ ଜୀବନଶୈଳୀକୁ ନିରୀକ୍ଷଣ କଲେ ଜାଣିହେବ ଅଲକ୍ଷ୍ୟରେ ଆମେ ପ୍ଲାଷ୍ଟିକ୍-ଜୀବୀ ପାଲଟିଯାଇଛୁ ! ଫୁଲଗଛ ପାଇଁ ପ୍ଲାଷ୍ଟିକ୍ କୁଣ୍ଡ, ପାଣି ପିଇବାକୁ ବୋତଲ, ଖାଦ୍ୟସାମଗ୍ରୀ ପାଇଁ ଡବା, ଟ୍ରେ, ଆକ୍ୱାଗାର୍ଡ, କୁଲର୍, ଏ.ସି ପରି ବୈଦ୍ୟୁତିକ ଉପକରଣ, ଯାନବାହନ, ରାସ୍ତାକଡରେ ଲାଗିଥିବା ବିଜ୍ଞାପନର ହୋର୍ଡିଂ ସହିତ ବିଦ୍ୟୁତ ସଂଯୋଗ ତାର, ମୋବାଇଲ୍ କିମ୍ବା କେବୁଲ୍ ତାରରେ ପ୍ଲାଷ୍ଟିକ୍‌ର ବ୍ୟବହାର ନିହାତି ସାଧାରଣ । ଏସବୁ ବାଦ୍ ବହୁଳ ବ୍ୟବହୃତ ହେଉଥିବା ପଲିଥିନ୍ ବ୍ୟାଗ୍, ପାଣିବୋତଲ, ୟୁଜ୍ ଆଣ୍ଡ୍ ଥ୍ରୋ ଗ୍ଲାସ୍, ଷ୍ଟ୍ର, କପ୍, ମୋବାଇଲ୍ ସଂରଜାମ ଇତ୍ୟାଦି ପରିବେଶ ପାଇଁ ଗୋଟେଲେଖାଁ ସତର୍କ ଘଂଟି ! ତେବେମଧ୍ୟ ପ୍ଲାଷ୍ଟିକ୍ ଲୋକପ୍ରିୟତାର ଶୀର୍ଷରେ କାରଣ ପ୍ଲାଷ୍ଟିକ୍ ଅନ୍ୟ ଧାତୁ କିମ୍ବା ଜୈବିକ ପଦାର୍ଥଠାରୁ ଅପେକ୍ଷାକୃତ ଶସ୍ତା,ସୁଲଭ ତଥା ବିଦ୍ୟୁତ କୁପରିବାହୀ । ବେଲଜିୟମ ଜନ୍ମିତ ଗବେଷକ ଲିଓ ହେନ୍‌ଡ୍ରିକ ବେଏକେଲାଣ୍ଡଙ୍କୁ (Leo Hendrik Baekeland) ପ୍ଲାଷ୍ଟିକର ଜନକ ବୋଲି କୁହାଯାଏ । ୧୯୦୭ ମସିହାରେ ସେ ସଂପୂର୍ଣ୍ଣ ସିନ୍ଥେଟିକ୍ ପ୍ଲାଷ୍ଟିକ୍ ଉଦ୍ଭାବନ କରିଥିଲେ । ଏହା ଆଂଶିକ ଉପକାରୀ ହୋଇଥିବାବେଳେ ସ୍ଥଳବିଶେଷରେ ଏହା କମ୍ କିମ୍ବା ବେଶି କ୍ଷତିକାରକ । ପ୍ଲାଷ୍ଟିକ୍ ନିଜର ପ୍ରକୃତି, ଆକାର ପ୍ରକାର ଅନୁସାରେ ନଷ୍ଟ ହେବାକୁ ଅନ୍ୟୁନ ୨୦-୫୦୦ ବର୍ଷ ସମୟ ନିଏ । ଆଉକିଛି ଦଶହଜାର୍ ବର୍ଷ କିମ୍ବା ତଦୁଦ୍ଧ୍ୱର୍ ସମୟ ନିଏ କିନ୍ତୁ ସେ ପ୍ରକ୍ରିୟାରେ ମାଟିର ଉର୍ବରତା ନଷ୍ଟ ହୋଇସାରିଥାଏ । ଦୁବଟିଏ ବି କଅଁଳିନଥାଏ ମାଟିରେ । ବୈଜ୍ଞାନିକଙ୍କ ମତରେ ପ୍ଲାଷ୍ଟିକ୍ କେବେ ନଷ୍ଟ ହୁଏନା । ତାର ବିଷାକ୍ତ ପ୍ରଭାବ ବିଭିନ୍ନ ରୂପରେ ମାଟିରେ ସଂରକ୍ଷିତ ହୋଇ ଜୀବଜଗତ ପାଇଁ ବିଧ୍ୱଂସକ ପାଲଟେ । ତେବେ ବି ଏହାକୁ ଜୀବନରୁ ବାଦ୍ ଦିଆଯାଇପାରୁନାହିଁ ! ପ୍ରତିଦିନ ଭାରତରେ ପ୍ରାୟ ୨୫ହଜାର୍ ୯୪୦ ଟନ୍ ପ୍ଲାଷ୍ଟିକ୍ ଆବର୍ଜନା ଚିନ୍ତା ବୃଦ୍ଧି କରୁଥିବାବେଳେ ଏଥିରୁ ପ୍ରାୟ ୪୦ ପ୍ରତିଶତ ନଦୀନାଳରେ ମିଶି ଜଳପ୍ରଦୂଷିତ କରୁଛନ୍ତି ।
ଲେଖକ – ପ୍ରକାଶକ, ବୁଡ୍ଲେଣ୍ଡ ପାର୍କ ଚିଡିଆଖାନାର ସ୍ୱୟଂସେବକ ଭାବେ କାର୍ଯ୍ୟରତ କେବିନ୍ ଶଫିଲ୍ଡଙ୍କ ଆଲେଖ- ଆମେ କେତେ ପ୍ଲାଷ୍ଟିକ୍ ଖାଉଛୁର ଶୀର୍ଷକରେ ଲେଖିଛନ୍ତି- ଯେବେଠାରୁ ମଣିଷ ପ୍ଲାଷ୍ଟିକର ବ୍ୟବହାର ଶିଖି ତାକୁ ବିଭିନ୍ନ ପ୍ରଣାଳୀରେ ବ୍ୟବହାର କରିବାରେ ଲାଗିଲା ସେବେଠାରୁ ଏହା ମାଇକ୍ରୋପ୍ଲାଷ୍ଟିକ୍ ରୂପରେ ଅତି ଛୋଟଛୋଟ ଧୂଳିକଣାରେ ପରିବର୍ତ୍ତିତ ହୋଇ ମାଟି, ପାଣି, ପବନରେ ମିଶିସାରିଛି । ଅଧ୍ୟୟନ ଅନୁସାରେ ଆମେ ଖାଉଥିବା ଖାଦ୍ୟ, ପିଉଥିବା ଜଳ ଓ ଶ୍ୱାସପ୍ରଶ୍ୱାସରେ ନେଉଥିବା ବାୟୁରେ ମାଇକ୍ରୋପ୍ଲାଷ୍ଟିକ୍ ରହିଛି । ସାମୁଦ୍ରିକ ଆବର୍ଜନା ଖାଉଥିବା ଜଳଜୀବ ଓ ଲୁଣକୁ ଖାଦ୍ୟ ହିସାବରେ, ପ୍ଲାଷ୍ଟିକ୍ ଟୁ୍ୟବ୍ କିମ୍ବା ବୋତଲର ଜଳକୁ ପାନୀୟ ଭାବରେ, ନିତ୍ୟନୈମିତ୍ତିକ ଗରମ ଖାଦ୍ୟରେ ତରଳି ମିଶୁଥିବା ମାଇକ୍ରୋପ୍ଲାଷ୍ଟିକ୍ ଓ ନିଆଁରେ ପୋଡି ପବନରେ ମିଶୁଥିବା ବିଷାକ୍ତ ପ୍ଲାଷ୍ଟିକ୍ ଅଂଶସବୁକୁ ଗ୍ରହଣ କରି ତ୍ୟାଗ କରୁଥିବା ମଳମୂତ୍ରରେ ମାଇକ୍ରୋପ୍ଲାଷ୍ଟିକ୍ ରହୁଛି ଓ ଏହି ପ୍ରକ୍ରିୟା ଅବିରତ ଚାଲୁରହିଛି ।

୨୦୧୯ରେ ୱାର୍ଲ୍ଡ ୱାଇଡ୍ ଫଣ୍ଡ ଫର୍ ନେଚର୍ (ଯାହା ପୂର୍ବରୁ ଡବ୍ଲ୍ୟୁ.ଡବ୍ଲୁ୍ୟୁ.ଏଫ୍- ୱାର୍ଲ୍ଡ ୱାଇଡ୍ ଫଣ୍ଡ୍ ନାମରେ ପରିଚିତ ଥିଲା) ଦ୍ୱାରା ଏକ ଅଧ୍ୟୟନ କରାଯାଇ ଜଣାଯାଇଥିଲା ଯେ ଜଣେଲୋକ ସପ୍ତାହରେ ପ୍ରାୟ ୫ ଗ୍ରାମ୍, ପ୍ରାୟ ଗୋଟେ କ୍ରେଡିଟ୍ କାର୍ଡ ଆକାରର ମାଇକ୍ରୋପ୍ଲାଷ୍ଟିକ୍ ସେବନ କରୁଛି ! ପରିମାଣ କମ୍ ବେଶି ହୋଇପାରେ କିନ୍ତୁ ପରୋକ୍ଷରେ ଖାଦ୍ୟ, ପାନୀୟ ଓ ପବନରେ ମଣିଷ ଶରୀରକୁ ପ୍ରବେଶ କରୁଛି । ୨୦୨୧ମସିହାର ଏକ ତଥ୍ୟାନୁସାରେ ବୟସ୍କମାନେ ପ୍ରତିଦିନ ପାଖାପାଖି ପ୍ଲାଷ୍ଟିକ୍ର ୯୦୦ କଣିକା ସେବନ କରି ପ୍ରାୟ ୨୦୦କଣିକା ମଳମୂତ୍ର ଆକାରରେ ପରିତ୍ୟାଗ କରନ୍ତି । ବାକି ୭୦୦ କଣିକା ହୁଏତ ଶରୀର ଭିତରେ ଜମା ହୋଇ ଭବିଷ୍ୟତରେ ସ୍ୱାସ୍ଥ୍ୟହାନୀ କରିବାର ଆଶଙ୍କା ସୃଷ୍ଟି କରେ । ଶ୍ୱାସ ସଂକ୍ରାନ୍ତୀୟ ନାନା ସମସ୍ୟା ଯଥା ଫୁସଫୁସ୍ କର୍କଟ, ହୃତପିଣ୍ଡଜନିତ ସମସ୍ୟା, ରକ୍ତକର୍କଟ, ସ୍ତନକର୍କଟ ଆଦି ବହୁବିଧ ରୋଗର ଆଶଙ୍କାଗୁଡିକୁ ଏଡେଇ ଦିଆଯାଇନପାରେ ।

ତଥ୍ୟାନୁସାରେ ୧୯୫୦ ମସିହାରେ ୨ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦିତ ହୋଇଥିବାବେଳେ ୨୦୧୮ରେ ଏହାର ପରିମାଣ ୩୮କୋଟି ଟନ୍ କୁ ବୃଦ୍ଧି ପାଇଛି । ଏଭଳି ଯଦି ଚାଲୁରହେ ତେବେ ଆଗାମୀ ପଚିଶ ବର୍ଷ ଭିତରେ ଅନେକ ଜୀବଜନ୍ତୁ ଲୋପ ପାଇସାରିଥିବେ । ସମୁଦ୍ରରେ ପ୍ଲାଷ୍ଟକର ଆବରଣଟିଏ ସୃଷ୍ଟି ହୋଇସାରିଥିବ । ୨୦୧୮ ମସିହାରୁ ପ୍ଲାଷ୍ଟିକ୍-ବର୍ଜ୍ୟବସ୍ତୁ ଆଗାମୀ ବିପଦ ସଂପର୍କରେ ସତର୍କତା ସୃଷ୍ଟି କରିସାରିଛି । ପାଞ୍ଚଦିନର ଲଗାଣ ବର୍ଷା କାରଣରୁ ଏହି ଆବର୍ଜନାମାନ ନଦୀନାଳରେ ଭାସି ଇଣ୍ଡୋନେସିଆର ବାଲି ସମୁଦ୍ର ଉପକୂଳରେ କୁଢକୁଢ ହୋଇ ଜମା ହୋଇରହିଥିଲା । ପର୍ଯ୍ୟଟକଙ୍କ ପାଇଁ “ଗାର୍ବେଜ୍ (ଆବର୍ଜନା) ଏମରଜେନ୍ସି”ଘୋଷଣା କରାଯାଇ ବୁଲଡୋଜର୍ ଜରିଆରେ ସମୁଦ୍ରକୂଳ ସଫା କରାଯାଇଥିଲା । ସେହିପରି ଲଗାଣବର୍ଷାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ସମୁଦ୍ରକୂଳ ପ୍ଲାଷ୍ଟିକ୍ ଆବର୍ଜନାରେ ଭର୍ତ୍ତି ହୋଇ ସମଭାବରେ ଫ୍ରାନ୍ସ, ସ୍ପେନ୍, ଇଟାଲୀର ଚିନ୍ତା ବଢାଇଛି । ଯାହାର ନିରାକରଣ ଅସଂଭବ ।

ପ୍ଲାଷ୍ଟିକ୍ -ବ୍ୟବହାର ବୃଦ୍ଧି ଚିନ୍ତାଜନକ ସ୍ଥିତିରେ । ପରିଣାମସ୍ୱରୂପ ପରିବେଶ ପ୍ରଦୂଷଣ, ତାପମାତ୍ରା ବୃଦ୍ଧି ସହିତ ସମୁଦ୍ରରେ କୁଢକୁଢ ଆବର୍ଜନା । ସେସବୁକୁ ଖାଇ ଅତିକମ୍‌ରେ ବର୍ଷକୁ ୩ ଲକ୍ଷ ସାମୁଦ୍ରିକ ଜୀବ ( ସାମୁଦ୍ରିକ ପକ୍ଷୀ, କଇଁଚ, ଡଲଫିନ୍, ବିଭିନ୍ନ ପ୍ରଜାତିର ମାଛ)ଙ୍କ ପ୍ରାଣହାନୀ ଘଟୁଛି ! ଅନ୍ୟ ଜଳଜୀବଙ୍କୁ ମଣିଷମାନେ ଖାଦ୍ୟଭାବରେ ଗ୍ରହଣ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଆଫ୍ରିକାର ରିୱାଣ୍ଡା ୨୦୦୮ ମସିହାରୁ ପ୍ରଥମ ପ୍ଲାଷ୍ଟିକ ବ୍ୟାନ୍ କରିଥିବା ଦେଶ ଭାବେ ସାରାବିଶ୍ୱରେ ଉଦାହରଣ ସୃଷ୍ଟି କରିଥିବାବେଳେ, ଏହି ମହାଦେଶର ପ୍ରାୟ ୩୦ଟି ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍କୁ ବ୍ୟାନ୍ କରିସାରିଲେଣି । ସଂଯୁକ୍ତ ରାଷ୍ଟ୍ରର କାଲିଫର୍ନିଆ ୨୦୧୪ ଓ ଚାଇନା ୨୦୨୧ରୁ ପ୍ଲାଷ୍ଟିକ୍ ବ୍ୟବାହର ଉପରେ ନିଷେଧାଦେଶ ଜାରି କରିଛି । କିଛି ଦେଶରେ ପ୍ଲାଷ୍ଟିକ ବନାଇବା ଓ ବ୍ୟବହାର କରିବା ଉଭୟଙ୍କ ଦଣ୍ଡନୀୟ ଅପରାଧ ।

ବିଶେଷ କରି ପଲିଥିନ୍, ପ୍ଲାଷ୍ଟିକ୍ ବୋତଲ, ଷ୍ଟ୍ର, ଦୋକାନବଜାର ବିବାହଭୋଜିରେ ବ୍ୟବହାର କରାଯାଉଥିବା ପ୍ଲେଟ୍ର ବହୁଳ ବ୍ୟବହାରକୁ ରୋକିବା ଜରୁରୀ ଯାହା ଡ୍ରେନ୍ ଯୋଗେ ନଦୀନାଳରେ ପଡି ପାଣିକୁ ଦୂଷିତ କରିବା ସହିତ ସମୁଦ୍ରକୁ ବିଷାକ୍ତ କରିଚାଲିଛି । ଏହାର ଉତ୍ପାଦନ ଉପରେ କଟକଣା ଲାଗିବା ଜରୁରୀ । ବ୍ୟୟବହୁଳ ହୋଇଥିଲେ ହେଁ ରିସାଇକ୍ଲିଂ ଯୋଗେ ଏହାକୁ ପୁନର୍ବ୍ୟବହାର କରାଯାଇପାରେ ।

କିଛି ଦେଶରେ ପ୍ଲାଷ୍ଟିକ୍କୁ ପୁନଶ୍ଚ ବ୍ୟବହାର କରାଯାଇ ବିଭିନ୍ନ ପୋଷାକ ପରିଚ୍ଛଦ ବନାଯାଉଛି । ଆମ ଦେଶରେ କିଛି ସଂସ୍ଥା ନିୟୋଜିତ ପ୍ରତିନିଧିଙ୍କ ଦ୍ୱାରା ବିଭିନ୍ନ ସ୍ଥାନରୁ ପ୍ଲାଷ୍ଟିକ୍ ସଂଗ୍ରହ କରି ବ୍ୟାଗ୍, ଭ୍ୟାନିଟି, ସତରଂଜି ଇତ୍ୟାଦି ପ୍ରସ୍ତୁତ କରୁଛନ୍ତି । ଏଭଳି ଉଦାହରଣୀୟ ପଦକ୍ଷେପ ଦ୍ୱାରା ଅନ୍ୟମାନେ ପ୍ରଭାବିତ ହେବା ଉଚିତ୍ । ବିଡମ୍ବନା ଯେ ଆମଦେଶରେ ୨୦୨୨ ଜୁଲାଇ ୦୧ ତାରିଖରୁ ପଲିଥିନ୍ ବ୍ୟାଗ୍କୁ ବ୍ୟାନ୍ କରାଯାଇଥିଲେ ମଧ୍ୟ ଲୋକମାନେ ଗ୍ରହଣ କରୁୁନାହାନ୍ତି । ସେମାନଙ୍କୁ ଜଣାଇଦେବା ଉଚିତ୍ ଯେ ଭାରତରେ ପ୍ଲାଷ୍ଟିକ୍ ଆବର୍ଜନାର ରିସାଇକ୍ଲିଂ ମାତ୍ର ଶତକଡା ୮ ଭାଗ ଯାହା ୨୦୩୫ ମସିହାବେଳକୁ ଶତକଡା ୧୧କୁ ବୃଦ୍ଧି ପାଇପାରେ । କିନ୍ତୁ ସେତେବେଳକୁ ପ୍ଲାଷ୍ଟିକ୍ ବ୍ୟବହାରୀଙ୍କ ସଂଖ୍ୟାବୃଦ୍ଧି ବି ସୀମା ଟପିଥିବ । ଶସ୍ତା, ସୁଲଭ, ଲୋକପ୍ରିୟ ପ୍ଲାଷ୍ଟିକ୍ର ପରିପୂରକ ଆଉ କିଏ ହୋଇପାରିବ ତାକୁ ନେଇ ଗବେଷଣା ହେଉ ।

ପ୍ଲାଷ୍ଟିକ୍-ମୁକ୍ତ ଦେଶ ଗଠନ ପାଇଁ ସମସ୍ତଙ୍କ ଅବଦାନ ଜରୁରୀ । ଆବଶ୍ୟକସ୍ଥଳେ କଡା ଆଇନ୍ କାନୁନ୍ ପ୍ରଣୟନ ହେବା ଆବଶ୍ୟକ । ଆମ ଉତ୍ତର ଦାୟାଦଙ୍କୁ ଏହା ହିଁ ଆମର ଯଥାର୍ଥ ଉପହାର ହେବ । ଅନ୍ୟଥା କେବଳ ମାନବ ସଭ୍ୟତା ନୁହେଁ ଏ ସୁନ୍ଦର ପୃଥିବୀ ମଧ୍ୟ ବିଲୁପ୍ତ ହୋଇଯିବ, ଏହା ନିଃସନ୍ଦେହ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top