ଥରେ ଲୋକଟିଏ ଗୁରୁ ନାନକଙ୍କୁ ପ୍ରଶ୍ନ କଲା- ଗୁରୁଜୀ ! ମୁଁ ଦରିଦ୍ର କାହିଁକି ? ଗୁରୁ ନାନକ କହିଲେ- କାରଣ ତୁମେ ଦେବା ଶିଖିନାହଁ । ଲୋକଟି କହିଲା- କିନ୍ତୁ ମୋ ପାଖେ କିଛି ନାହିଁ କାହାରିକୁ ଦେବା ପାଇଁ! ଗୁରୁଜୀ କହିଲେ – ତୁମ ମୁହଁ ହସ ଦେଇପାରେ, ତୁମ ଓଠ କାହାର ପ୍ରଶଂସା କରିପାରେ । ଦୁଇପଦ ମିଠାକଥାରେ କାହାମନର ବ୍ୟଥା ଉପଶମ ହୋଇପାରେ । ତୁମ ସାନ୍ତ୍ୱନା ହାରିଯାଇଥିବା ଲୋକର ମନକୁ ପ୍ରଶାନ୍ତି ଦେଇପାରେ । ତୁମ ହାତ କେଉଁ ଅସହାୟ ଲୋକକୁ ସାହାଯ୍ୟ କରିପାରେ । ତୁମ ପାଦ କାହା ଅସମୟରେ ଶାରୀରିକ ସାହାଯ୍ୟ ଦେବାକୁ ଧାଇଁ ଯାଇପାରେ । ଆଉ ତୁମେ କହୁଛ ଯେ ତୁମ ପାଖେ କାହାରିକୁ ଦେବା ପାଇଁ କିଛି ନାହିଁ ବୋଲି ? ଆତ୍ମାର ଦାରିଦ୍ର୍ୟ ହିଁ ବାସ୍ତବ ଦାରିଦ୍ର୍ୟ ! ପାଇବାର ହକ୍ ସେମାନଙ୍କର ଅଛି ଯେଉଁମାନେ ଦେଇ ଜାଣନ୍ତି ।
ଲୋକଟି ନିଜ ଅଭାବ ସଂପର୍କରେ ଅବଗତ ହେଲା । ତା ଭିତରୁ ଦାରିଦ୍ର୍ୟ-ଅନ୍ଧକାର ହଟିଯାଇ ଜ୍ଞାନାଲୋକର ଉଜ୍ଜଳତା ପରିଦୃଶ୍ୟ ହେଲା । ସେ ଅନୁଭବ କଲା- ଅନ୍ୟକୁ ଦେବା ପାଇଁ ସମ୍ବେଦନଶୀଳ ମନଟିଏ ଦରକାର । କାରଣ ବିଧାତା ମଣିଷକୁ ଦୈବୀଗୁଣ ସହିତ ଆସୁରିକ ଗୁଣ ମଧ୍ୟ ପ୍ରଦାନ କରିଛନ୍ତି । ସାଧୁତା, କ୍ଷମାଶୀଳତା, ଦୟାଭାବ, ହିଂସ୍ରତା, ବର୍ବରତା, କପଟତା ଏପରି ବହୁ ସୁଗୁଣ, ଅବିଗୁଣ ମଣିଷ ଭିତରେ! ସେ କାହାକୁ ପରିପ୍ରକାଶ କରିବ ନକରିବ ତାହା ତାର ପ୍ରକୃତି ଉପରେ ନିର୍ଭର କରିଥାଏ । ସେଥିପାଇଁ ପର୍ଯ୍ୟାପ୍ତ ଧନ ଥାଇ ବି ଧନୀ ମନରେ ଦରିଦ୍ରତା ଓ ଆର୍ଥିକ ସମ୍ବଳହୀନବ୍ୟକ୍ତି ଅର୍ଥାଭାବସତ୍ତ୍ୱେ ଅନ୍ୟକୁ ମାନସିକ ବଳ ଯୋଗାଇଦେଇ ଧନୀ ପାଲଟେ ! ପ୍ରତ୍ୟେକ ମଣିଷ ଭିତରେ ସୁନ୍ଦରତା, ଆବିଳତା ରହିଥାଏ ! ଭଗବାନ୍ଙ୍କ ସୃଷ୍ଟି ସତ୍ୟ ଶିବ ସୁନ୍ଦର ଅନୁସାରେ ଆଧାରିତ । ପ୍ରକୃତ ଉଦ୍ଧେଶ୍ୟ ନବୁଝି ଭାଗ୍ୟକୁ ଦେବା ଅଜ୍ଞାନତା !
ତେଣୁ ପଣ୍ଡିତମାନେ କହିଯାଇଛନ୍ତି – ସାମର୍ଥ୍ୟଠାରୁ ଯାହାକୁ ଅଧିକ ମିଳେ ତାହା ତାର ଭାଗ୍ୟ, ସବୁ ଥାଇ ଯିଏ ସର୍ବଦା ଅସନ୍ତୁଷ୍ଟ ସେ ହତଭାଗ୍ୟ, ସାମର୍ଥ୍ୟାନୁସାରେ କିଛି ନମିଳିଥିଲେ ଯେ ଖୁସିରେ ରହିଥାଏ ସେ ହିଁ ପ୍ରକୃତ ସୌଭାଗ୍ୟଶାଳୀ ।