ଯିବାକୁ ବାହାରିଛ ତମେ, ସଜ ହେଇ, ଅଳତା ଲଗେଇ,
ମନ ଲାଖି ଗହଣାରେ ଶୃଙ୍ଗାର କରିଛ,
ଅଧିକା ଟିକେ ଲାଲ ତମ ସିନ୍ଦୂର ଦିଶୁଛି
ମତେ ଚାହିଁଛ, ଅପଲକ ଆଖିରେ, ଆଶାରେ,
ମୋ ଆଖିରେ ଇଙ୍ଗିତଟେ ପାଇଁ,
ସତେ ଯେମିତି ମୋ ଅନୁମତି ପାଇଁ, ଅପେକ୍ଷା କରିଛ
ମୋତେ ଡାକୁନ ତମ ସଙ୍ଗେ,
ଏକାଏକା ଯିବ ବୋଲି ବାହାରିଛ ତମେ, ମୋ ଛଡ଼ା
ଏମିତି କିଛି ମନେ ନାହିଁ ମୋର, ସାଥିରେ ଚାଲିବା ପରେ
ମୋତେ ସାଙ୍ଗ କରିବନି, ଏକଥା କେବେ କହିଥିଲ ବୋଲି,
କେବେବି, କେଉଁ ମୁହୂର୍ତ୍ତରେ, ସ୍ଥିତିରେ, କୌଣସି ରାସ୍ତାରେ
କଥା ଥିଲା, ସରଗ ହେଉ କି ନରକ, ସାଙ୍ଗ ହେଇ ଯିବା
ପଛକୁ ଚାହିଁବନି ବୋଲି, ଖଇ ବିଞ୍ଚି ଆସିଥିବା ଘରକୁ ଫେରିନ ତମେ,
ତମ ମନରେ, ପାଦରେ, ପାଦ ପାଦ ଚାଲିଛ ମୋ ସଙ୍ଗେ,
ଅସରନ୍ତି ରାସ୍ତା, ଅସରା ସମୟ ଡେଇଁ, ହାତ ଧରି ମୋର
ତମେ ମୋତେ ବାଟରେ ରଖିଛ, ଆମ ଜୀବନର
ଏବେ ତମେ ବାହାରିଛ, ଯିବ ବୋଲି, ମୋତେ ଛାଡ଼ିଦେଇ ଏକାଏକା,
ଆମ ରାସ୍ତାରେ, ମୁଁ ଏକାକୀ ଚାଲିବି ବୋଲି,
ମୋ ସହମତି ପାଇଁ ମୋତେ ଅନେଇଛ !
ସେପଟେ, କିଟିକିଟି ଅନ୍ଧାରିଆ ଅଜଣା ରାଇଜେ,
ଅପେକ୍ଷା କରିବ ବୋଲି ମିଛମିଛ ସାନ୍ତ୍ଵନା ଦେଉଛ !
ତମେ ମୋର ସହଯାତ୍ରୀ, ତମେ ମୋର ରାସ୍ତା, ତମେ ମୋ’ ସମୟ,
କେତେ ଥର କହିବି ମୁଁ, ତମେ ମୋ’ ଜୀବନ
ଏକାଏକା ଯିବ ଚାଲି, ବାହାରିଛ, ମୋତେ ଛାଡ଼ିଦେଇ ଏକୁଟିଆ,
ଅଲାଜୁକି ପରି ମୋ’ ଉତ୍ତର ମାଗୁଛ, ନିରିଦୟା, ନିଠୁର ହେଉଛ
ମୋ’ ପାଇଁ ଅପେକ୍ଷା ନକରି, ମୋତେ ତମେ ଉପେକ୍ଷା କରୁଛ?
ମୁଁ କ’ଣ ନାହିଁ ଆଉ ତମ ହୃଦୟ ଭିତରେ, ତମ ଜୀବନରେ,
ନା’ ମନ ପୁରିଗଲାଣି ତମର, ଆମ ସମ୍ପର୍କରୁ ?
ଭାବିବିନି ମୁଁ କେବେ, ଭାବି ପାରିବିନି,
ତମ ସମୟ ସରିଗଲେଣି ବୋଲି, ମୋ’ ଠାରୁ ,
ଏ ଜୀବନର ପରିଧୀରେ, ଆମ ସଂସାର ସୀମିତ ନୁହେଁ
ଦୃଶ୍ୟ ପରେ ଦୃଶ୍ୟ ବଦଳୁଛି, ତମ ସହ, ଅନନ୍ତ କାଳରୁ,
ତମ ଗୁଣର ପରଶ ଏଠି, ଥିଲା, ଅଛି, ଥିବ, ତାର ଶେଷକଥା ନାହିଁ
ନାଟକ ଚାଲିଛି ପରା, ଲୀଳା କ’ଣ ସରିଲାଣି ତମର ଯେ, ବାହୁଡ଼ିବ?
ସବୁ ସ୍ଵପ୍ନ, ସବୁ ଇଚ୍ଛା କଣ ସାକାର ହୋଇଗଲେଣି ତମର,
ଆଶା ଅସରନ୍ତି ପରା, ଉଡ଼ୁଥାଏ ହଜାରେ ଆକାଶ ଡେଇଁ
ମନ ପବନ ଡଙ୍ଗାରେ, ଓଲ୍ହାଏନି ବାନ୍ଧିବାକୁ ବସା
ମୋ ସ୍ଵପ୍ନକୁ ଇନ୍ଧନ ଦେଇଛ ତମେ, ସବୁକାଳେ,
ସେସବୁରେ ନିଜ ଇଚ୍ଛା, ସ୍ଵପ୍ନ ବେଢ଼େଇଛ
ନିଜର ବୋଲି, ତମେ କିଛି ଆବୋରିନ କେବେ, କେବଳ ଆମର,
ଆମ ସ୍ଵପ୍ନ, ଆମର ଦୁନିଆ, ତା ଭିତରେ ହଜିଥାଅ ତମେ,
ତମର ବୋଲି, କାନିରେ ଗୁଡ଼େଇଥାଅ, ମୋ ପାଇଁ ତୁମ ବ୍ୟସ୍ତତା କେବଳ
ପାରିଥିଲେ ଗୁନ୍ଥିଦେଇ ଥାଆନ୍ତି ମୁଁ, ଆମ ଦିହିଁଙ୍କୁ ଅଚ୍ଛିନ୍ୟ, ଅଭେଦ୍ୟ କରି
ଅନୁମତି କେମିତି ଦେବି, ଯିବ ଚାଲି ଏକାଏକା, ମୋ ଆଶାବାଡ଼ି ତମେ
ଶୂନ୍ୟତାକୁ ଫେରିବି କେମିତି, ତମ ବିନା ଏ ଅନ୍ଧାରରେ ନଥିବା ରାସ୍ତାକୁ
କ୍ଷଣଟେ ଅପେକ୍ଷା କର ନ ଭୁଲି ନିଶ୍ଵାସ, ସଜ ହେଇ ଆସେ ମୁଁ ଟିକେ
ତମ ସଙ୍ଗେ ତାଳ ଦେଇ, ପଗଡ଼ିରେ, ଯିବା ଆମେ ଶଙ୍ଖ ଆଉ ମହୁରୀ ଧ୍ଵନିରେ