ହଳଦୀର ଔଷଧୀୟ ଗୁଣ
ପିଲାଟିଏ ଜନ୍ମରୁ ବୃଦ୍ଧ ହୋଇ ମରିବା ଯାଏ ଅର୍ଥାତ୍ ଏନ୍ତୁଡ଼ିରୁ ମଶାଣି ଯାଏ ହଳଦୀର ଆବଶ୍ୟକତା ଅପରିହାର୍ଯ୍ୟ । ପିଲାଟିଏ ପୃଥିବୀ ପୃଷ୍ଠରେ ଭୂମିଷ୍ଠ ହେଲା ପରେ ଶାସ୍ତ୍ର ଅନୁସାରେ ତାକୁ ହଳଦୀ ପାଣିରେ ଗାଧୋଇ ଦିଆଯାଏ ।
ହଳଦୀ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରତୀକ । ପିଲାଟିଏ ଜନ୍ମରୁ ବୃଦ୍ଧ ହୋଇ ମରିବା ଯାଏ ଅର୍ଥାତ୍ ଏନ୍ତୁଡ଼ିରୁ ମଶାଣି ଯାଏ ହଳଦୀର ଆବଶ୍ୟକତା ଅପରିହାର୍ଯ୍ୟ । ପିଲାଟିଏ ପୃଥିବୀ ପୃଷ୍ଠରେ ଭୂମିଷ୍ଠ ହେଲା ପରେ ଶାସ୍ତ୍ର ଅନୁସାରେ ତାକୁ ହଳଦୀ ପାଣିରେ ଗାଧୋଇ ଦିଆଯାଏ । ତଥା ମଣିଷ ମୃତ୍ୟୁବରଣ କରିସାରିଲା ପରେ ତା’ର ମୃତ ଶରୀରକୁ ଶ୍ମଶାନରେ ହଳଦୀ ପାଣିରେ ମଧ୍ୟ ଗାଧୋଇ ଦିଆଯାଏ । କେବଳ ଜନ୍ମବେଳେ କିମ୍ୱା ମୃତ୍ୟୁବେଳେ ନୁହେଁ ମଣିଷର ଦୈନନ୍ଦିନ ଜୀବନରେ ହଳଦୀର ଉପଯୋଗୀତା ଅପରିହାର୍ଯ୍ୟ । ବାହାଘର ଠାରୁ ଆରମ୍ଭ କରି ବ୍ରତଘର ତଥା ପ୍ରତ୍ୟେକ ପୂଜାପର୍ବାଣିରେ ଏପରିକି ପୂଜାପର୍ବାଣିରେ ହେଉଥିବା ପିଠାମାନଙ୍କରେ ହଳଦୀ ଗଛର ପତ୍ରର ଆବଶ୍ୟକତା ପଡ଼ିଥାଏ । ରଜ ହେଉ କିମ୍ୱା ପ୍ରଥମାଷ୍ଟମୀ ଓଡ଼ିଶାର ଘରେ ଘରେ ହଳଦୀପତ୍ର ଦିଆ ଏଣ୍ଡୁରି ପିଠା ଖାଇଲେ ଶରୀରରେ ଥିବା ଅନେକ ଚର୍ମ ରୋଗ ଭଲ ହୋଇଥାଏ । ଶରୀର ଶୁଦ୍ଧ ପାଇଁ ହଳଦୀର ଆବଶ୍ୟକତା ଅପରିହାର୍ଯ୍ୟ । ଭାରତୀୟ ଧର୍ମ, ସଂସ୍କୃତି ଏବଂ ସୌନ୍ଦର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ହଳଦୀର ଯେମିତି ଗୁରୁତ୍ୱ ରହିଛି ଔଷଧୀୟ ଦୃଷ୍ଟିକୋଣରୁ ମଧ୍ୟ ତା’ଠାରୁ ଅଧିକ ଗୁରୁତ୍ୱ ରହିଛି । ହଳଦୀକୁ ମଧ୍ୟ ସର୍ବରୋଗହାରୀ କୁହାଯାଏ । ଏହା ଏକ ଉଚ୍ଚମାନର ବିଶୋଧକ ମଧ୍ୟ ଅଟେ । ଶରୀରରେ ଥିବା ବ୍ୟାକ୍ଟେରିଆ ବା ଜୀବାଣୁମାନଙ୍କୁ ହଳଦୀ ସହଜରେ ନିର୍ମୂଳ କରିପାରେ । ଓଡ଼ିଶାରେ ଆରାଧ୍ୟ ଦେବତା ଜଗନ୍ନାଥ ଏବଂ ବଳଭଦ୍ର ବିରାଜିତା ଭଉଣୀ ସୁଭଦ୍ରାଙ୍କ ବର୍ଣ୍ଣ ମଧ୍ୟ ହଳଦିଆ । ହଳଦୀକୁ ମଧ୍ୟ ଶୁଭ ସୂଚକ ବୋଲି କୁହାଯାଏ । ଧନଧାନ୍ୟ, ଗୋପଲକ୍ଷ୍ମୀ ବୃଦ୍ଧି ପାଇଁ ଓଡ଼ିଆ ଘରର ପ୍ରତ୍ୟେକ ଗୃହିଣୀ ମାଣବସା ଗୁରୁବାର ଦିନ ଲକ୍ଷ୍ମୀ ଠାକୁରାଣୀଙ୍କୁ ହଳଦୀ ପାଣିରେ ଗାଧୋଇ ଦିଅନ୍ତି । ହଳଦୀ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଚିରକାଳ ଆମ ସହିତ ମିଶି ଆମର ଜାତୀୟ ସଂହତି ଏବଂ ଶାନ୍ତିପୂର୍ଣ୍ଣ ଭାବେ ଚଳିବାରେ ସହାୟକ ହୋଇ ଆସିଛି । ଓଡ଼ିଆରେ ଏହାକୁ ହଳଦୀ, ସଂସ୍କୃତରେ ହରିଦ୍ରା, ବଙ୍ଗଳାରେ ହଲୁଦ, ହିନ୍ଦୀରେ ହଲଦୀ, ତେଲୁଗୁରେ ପଶୁ ପଚେଚ୍ଚୁ ତଥା ଇଂରାଜୀରେ ଟର୍ମରିକ୍ କୁହାଯାଏ ।
ହଳଦୀର ପ୍ରାୟୋଗିକ ପରୀକ୍ଷଣ ଏକଥା ପ୍ରମାଣ କରିଛି ଯେ ଏହା ରକ୍ତରେ ଗ୍ଲୁକୋଜ୍ (ଶର୍କରା) କମ୍ କରିଥାଏ । ହଳଦୀର ରକ୍ତଶୋଧକ ଗୁଣ ଯୋଗୁଁ ଚର୍ମରୋଗରେ ଏହା ବିଶେଷ ଫଳପ୍ରଦ ହୋଇଥାଏ । ଆୟୁର୍ବେଦର ଏହା ଏକ ଉତ୍ତମ ଆଣ୍ଟିବାୟୋଟିକ୍ ଅଟେ । ହଳଦୀରେ ୧୦ ରୁ ୧୨ ଶତକଡ଼ା ଜଳ, ୪ ରୁ ୧୨ ଶତକଡ଼ା ଫ୍ୟାଟିଅଏଲ୍, ୪.୨ ରୁ ୧୪ ଶତକଡ଼ା ଇସେନ୍ସିଆଲ୍ ଅଏଲ୍, ୫ ରୁ ୧୩ ଶତକଡ଼ା ମିନେରାଲ୍ସ ଏବଂ ୭୦ ଶତକଡ଼ା କାର୍ବୋହାଇଡ୍ରେଟ୍ ତଥା ଭିଟାମିନ୍ ଇ ମଧ୍ୟ ଥାଏ । ହଳଦୀରେ ମାନସିକ ଉତ୍ତେଜନାକୁ ହ୍ରାସ କରିବାର ପ୍ରଭାବ ମଧ୍ୟ ରହିଥାଏ ।
ହଳଦୀର ଗ୍ରହଣୀୟ ଅଂଶ:- ହଳଦୀକୁ କଞ୍ଚା ଏବଂ ଶୁଖିଲା ଉଭୟ ବ୍ୟବହାର କରାଯାଏ ।
ହଳଦୀର ଔଷଧୀୟ ଗୁଣ:-
୧ – ରକ୍ତ ପରିଷ୍କାର ପାଇଁ ସକାଳେ ଖାଲି ପେଟରେ ହଳଦୀ ଗୁଡ଼ କିମ୍ୱା ହଳଦୀ ମହୁ ଖାଇଲେ ରକ୍ତ ଖୁବ୍ ଶୀଘ୍ର ପରିଷ୍କାର ହୋଇଥାଏ । ନିୟମିତ ହଳଦୀ, ଗୁଡ଼ ଖାଉଥିବା ବ୍ୟକ୍ତିକୁ କୌଣସି ରୋଗ ଆକ୍ରମଣ କରେ ନାହିଁ । ନିୟମିତ ଗୋଟାଏ ମାସ ନିମ୍ୱ, ହଳଦୀ ବାଟି ପିଇଲେ ଶରୀରରେ କୌଣସି ଚର୍ମରୋଗ ହୁଏ ନାହିଁ ।
୨ – ପ୍ରତିଦିନ ହଳଦୀ ଲଗାଇଲେ ରକ୍ତ ମାଂସ ତଥା ଚର୍ମରୋଗ ଦୂର ହୁଏ । କୃମି ନଷ୍ଟ ହୋଇଥାଏ ।
୩ – ହଳଦୀକୁ ରାତିରେ ଲଗାଇ ଶୋଇଲେ ଭଲ ନିଦ ହୋଇଥାଏ । ଯେଉଁମାନେ ସର୍ବଦା ମାନସିକ ଦୁଶ୍ଚିନ୍ତାରେ ରହୁଛନ୍ତି ସେମାନେ ନିୟମିତ ହଳଦୀ ଲଗାଇବା ଉଚିତ୍ ।
୪ – ହଳଦୀ ପତ୍ରରେ ପିକା ତିଆରି କରି ଟାଣିଲେ ଶ୍ୱାସରୋଗ ଏବଂ ହିକ୍କା ପ୍ରଭୃତି ରୋଗରୁ ଉପଶମ ମିଳିଥାଏ ।
୫ – ନାକରେ ପିନସ୍ ହୋଇଥିଲେ ହଳଦୀକୁ ଗୁଣ୍ଡ କରି କନାରେ ଛାଣି ପକାଇଲେ କ୍ଷତ ଭଲ ହୋଇଥାଏ ।
୬ – ବଟା ହଳଦୀ ସହିତ ଗାଈଘିଅ, ମହୁ ଓ ସୈନ୍ଧବ ଲବଣ ମିଶାଇ ଖାଇଲେ ସର୍ପ ବିଷ ନଷ୍ଟ ହୋଇଥାଏ ।
୭ – ହଳଦୀକୁ ସିଝାଇ ଥଣ୍ଡା କରି ସେହି ପାଣିରେ ମହୁ ମିଶାଇ ନିୟମିତ ପିଇଲେ ଘିମିରି ଭଲ ହୋଇଥାଏ ।
୮ – ଶ୍ୱାସ କିମ୍ୱା ଧଇଁ ପେଲିବା ସମୟରେ ହଳଦୀକୁ ଗରମ ପାଣିରେ ମିଶାଇ ପିଇଲେ ଉପଶମ ମିଳିଥାଏ ।
୯ – କୋଷ୍ଠକାଠିନ୍ୟ ବା ଝାଡ଼ା ସଫା ନ ହେଉଥିଲେ ଘୋଳ ଦହି ସହିତ ବଟା ହଳଦୀ ମିଶାଇ ପିଇଲେ ପେଟ ସଫା ହୋଇ ଯାଇଥାଏ ।
୧୦ – କଞ୍ଚା ହଳଦୀ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବୁଲା ଭଲ ହୋଇଥାଏ ।
୧୧ – ହଳଦୀକୁ ବାଟି ରାଶିତେଲରେ ମିଶାଇ ଲଗାଇଲେ ଚର୍ମରୋଗ ଭଲ ହୋଇଥାଏ ।
୧୨ – ହଳଦୀ ବଟା ସହିତ ମହୁ ମିଶାଇ ଖାଇଲେ ଆଣ୍ଠୁଗଣ୍ଠି ଦରଜ ସହିତ ଅଣ୍ଟା ବିନ୍ଧା ପ୍ରଭୃତି ଭଲ ହୋଇଥାଏ ।
୧୩ – ଅମରପୋଇ ପତ୍ର ସହ ହଳଦୀକୁ ବାଟି ଲେପ ଦେଲେ ହାତ, ପାଦଜଳା ପୋଡ଼ା ବନ୍ଦ ହୋଇଥାଏ ।
୧୪ – ପାଟିରେ ଘା’ ହୋଇଥିଲେ ୫୦ ଗ୍ରାମ୍ ହଳଦୀ ଗୁଣ୍ଡକୁ ଅଧ ଲିଟର ପାଣିରେ ସିଝାଇ ସେହି ପାଣିକୁ ଥଣ୍ଡା କରି କୁଳୁକୁଳୁ କଲେ ପାଟି ଘା’ ଭଲ ହୋଇଥାଏ ।
୧୫ – ପୁରୁଣା ଶ୍ୱାସ ପାଇଁ ହଳଦୀକୁ ଗୋଲମରିଚ, ଦ୍ରାକ୍ଷା, ପୁରୁଣା ଗୁଡ଼, ରାସ୍ନା, ପିପ୍ପଳୀ, ଗନ୍ଧଶୁଣ୍ଠି ସହ ଚୂର୍ଣ୍ଣ କରି ସୋରିଷ ତେଲରେ ମିଶାଇ ଦିନକୁ ଦୁଇଥର ସେବନ କଲେ ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ ।
୧୬ – ହଳଦୀଗୁଣ୍ଡ ପ୍ରତିଦିନ ଖାଲି ପେଟରେ ଖାଇଲେ ପେଟର ଯାବତୀୟ ରୋଗ ଭଲ ହୋଇଥାଏ ।
୧୭ – ହଳଦୀକୁ ସମ ପରିମାଣର ଚୂନ ସହିତ ସେବନ କଲେ ତରଳ ଝାଡ଼ା ଭଲ ହୋଇଥାଏ ।
୧୮ – ହଳଦୀ ଓ ହରିଡ଼ାକୁ ଲୁହା ପାତ୍ରରେ ଘୋରି କଣନଖାରେ ଲଗାଇଲେ କଣନଖା ଭଲ ହୋଇଥାଏ ।
୧୯ – ଡାଇବେଟିସ୍ ରୋଗୀ ନିମ୍ୱ ଛେଲି ସହ ଶୁଖିଲା ହଳଦୀ କିମ୍ୱା କଞ୍ଚା ହଳଦୀ ବାଟି ଖାଲି ପେଟରେ ପିଇଲେ ଡାଇବେଟିସ୍ ବା ମଧୁମେହ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ ।
୨୦ – ହଳଦୀ ଚୂର୍ଣ୍ଣକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳୁକୁଳୁ କଲେ ମୁହଁ ଦୁର୍ଗନ୍ଧ ଦୂର ହୋଇଥାଏ ।
୨୧ – ଦାନ୍ତର ଯାବତୀୟ ରୋଗରେ ହଳଦୀ ବେଶ୍ ଉପକାରୀ । ହଳଦୀ ସାଥିରେ ଜୁଆଣି ଏବଂ ଲବଙ୍ଗ ବାଟି ଗୁଲି କରି ଦାନ୍ତ ମୂଳରେ ରଖିଲେ ଦାନ୍ତବିନ୍ଧା ଭଲ ହୋଇଥାଏ ।
୨୨ – ନିୟମିତ ଏକ ସପ୍ତାହ ପିଲାମାନଙ୍କୁ କଞ୍ଚା ହଳଦୀ ପିଆଇଲେ ସେମାନଙ୍କର କୃମି ଭଲ ହୋଇଥାଏ ।
୨୩ – ଦେହରେ ରମ୍ପା କିମ୍ୱା କୁଣ୍ଡିଆ ହୋଇଥିଲେ ତେନ୍ତୁଲି ପତ୍ର ଏବଂ ହଳଦୀକୁ ବାଟି ଏକ ସପ୍ତାହ ଦେହରେ ଲଗାଇଲେ ରମ୍ପା, କୁଣ୍ଡିଆ ଭଲ ହୋଇଥାଏ ।
୨୪ – ଲିଭର୍ ବଢ଼ି ପୀଡ଼ା ହେଉଥିଲେ ହଳଦୀକୁ ଦୁଗ୍ଧରେ ସିଝାଇ ଚିନି ମିଶାଇ ସେବନ କଲେ ଲିଭର୍ ଦୋଷ ଭଲ ହୋଇଥାଏ ।
୨୫ – ହଳଦୀ ଗୁଣ୍ଡ ସହିତ ଗୋମୂତ୍ର ମିଶାଇ ସେବନ କଲେ ସୋଥ, ବ୍ରଣ, ମଚଳା, କୁଣ୍ଡିଆ ଆଦି ରୋଗରୁ ମୁକ୍ତି ମିଳିଥାଏ ।
୨୬ – ଶରୀରର ଯେକୌଣସି ସ୍ଥାନରେ କଳାଦାଗ ପାଇଁ ହଳଦୀ ସହିତ ପୋସ୍ତକକୁ ପାଣିରେ ଭିଜାଇ ବାଟି ପ୍ରତ୍ୟେହ ଦୁଇମାସ ପର୍ଯ୍ୟନ୍ତ ଲେପ ଦେଲେ କଳାଦାଗ ବିନିଷ୍ଟ ହୋଇଥାଏ ।
୨୭ – ଆଣ୍ଠୁଗଣ୍ଠି ବାତ, ଅଣ୍ଟା ବିନ୍ଧା ପାଇଁ ହଳଦୀ ବଟା ସହିତ ମହୁ ମିଶାଇ ଖାଇଲେ ରୋଗ ଭଲ ହୋଇଥାଏ ।
ହଳଦୀ କାୟା (ଶରୀର) ର ବର୍ଣ୍ଣକୁ ଠିକ୍ କରିବା କାରଣରୁ ଏହାକୁ କାଞ୍ଚନୀ, ବରବର୍ଣ୍ଣନୀ, ଗୌରୀ, ହେମରାଗିଣୀ, ରୁଦ୍ରବିଳାଶିନୀ, ସୌନ୍ଦର୍ଯ୍ୟକାରିଣୀ, ସର୍ବରୋଗ ହାରିଣୀ ପରି କାବ୍ୟମ୍ମତ ନାମ ଦିଆଯାଇଛି । ଏହାକୁ ସ୍ତ୍ରୀ ଲୋକମାନଙ୍କର ସର୍ବଶ୍ରେଷ୍ଠ ଭୂଷଣ ବୋଲି କୁହାଯାଏ । ହଳଦୀର ଗୁଣ ବର୍ଣ୍ଣନା କରିବା ଧୃଷ୍ଠତା ମାତ୍ର । ଏହି ଲେଖା ମାଧ୍ୟମରେ ଯଥା ସମ୍ଭବ ଚେଷ୍ଟା କରାଯାଇଛି ହଳଦୀର ଗୁଣାବଳୀ ବିଷୟରେ ଉପସ୍ଥାପନା କରିବା ପାଇଁ । ଆଶା ଓ ବିଶ୍ୱାସ ପ୍ରିୟ ପାଠକ ଓ ପାଠିକା ଯଦି ଏହାକୁ ନିଜ ଜୀବନରେ ବ୍ୟବହାର କରି ସୁସ୍ଥ ରହି ପାରିଲେ ଏବଂ ଉପକୃତ ହୋଇପାରିଲେ ତା’ହେଲେ ମୋର ଲେଖିବାର ଶ୍ରମ ସାର୍ଥକ ହେବ ।
ଜୟ ଜଗନ୍ନାଥ ।