ଆୟୁର୍ବେଦ

ଆୟୁର୍ବେଦ ଚିକିତ୍ସାରେ ଖଜୁରୀ

Dr Debadatta Samantaray odia ayurbeda Ayurbeda Chikitsaare Khajuri

ଖଜୁରୀକୁ ଶିଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ୱାରା ପିଲାମାନଙ୍କର ଦାନ୍ତ ମଜଭୁତ୍ ହେବା ସହ ଦାନ୍ତଗୁଡ଼ିକ ସହଜରେ ଉଠିଯାଇଥାଏ, କାରଣ ଖଜୁରୀରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ରହିଅଛି ।

ଆୟୁର୍ବେଦ ଚିକିତ୍ସାରେ ଖଜୁରୀ

ପ୍ରକୃତିର ବରଦାନ ସ୍ୱରୂପ ଆମ ସୃଷ୍ଟିରେ ବିଭିନ୍ନ ପ୍ରକାରର ଗୁଣକାରୀ ଓ ଶକ୍ତିବର୍ଦ୍ଧକ ଫଳମାନଙ୍କର ଉତ୍ପତ୍ତି ହୋଇଅଛି । ବିଭିନ୍ନ ରୋଗଦ୍ୱାରା ଓ ବିଭିନ୍ନ ବିକାର ଦ୍ୱାରା ଆମ ଶାରୀରିକ ଶକ୍ତି କମ୍ ହୋଇଥାଏ । ଶାରୀରିକ ଦୁର୍ବଳତାକୁ ନଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାର ଫଳ ଖାଇବାର ଆବଶ୍ୟକତା ରହିଅଛି । ଫଳରେ ବହୁ ପରିମାଣରେ ପ୍ରାକୃତିକ ଭିଟାମିନ୍ ଏବଂ ଖଣିଜ ତତ୍ତ୍ୱ ଭରପୂର ହୋଇଅଛି, ଯାହା ଶରୀରର ରୋଗ ପ୍ରତିରୋଧ କ୍ଷମତାକୁ ବୃଦ୍ଧି କରାଇଥାଏ । ବିଭିନ୍ନ ଫଳମାନଙ୍କ ମଧ୍ୟରୁ ଖଜୁରୀ ଅନ୍ୟତମ । ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ଖଜୁରୀର ବର୍ଣ୍ଣନା ବିସ୍ତୃତ ଭାବେ କରାଯାଇଅଛି ।

ଆୟୁର୍ବେଦ ଅନୁସାରେ ଭାରତବର୍ଷରେ ଖଜୁରୀ ତିନି ପ୍ରକାରର । ଯଥା- ପିଣ୍ଡ ଖଜୁରୀ, ଲାଲ୍ ଖଜୁରୀ ଏବଂ ହଳଦିଆ ଖଜୁରୀ । ଆୟୁର୍ବେଦ ଚିକିତ୍ସାରେ ପିଣ୍ଡ ଖଜୁରୀର ବ୍ୟବହାର ବହୁମାତ୍ରାରେ କରାଯାଇଥାଏ ।

ଆୟୁର୍ବେଦ ଅନୁସାରେ ଖଜୁରୀ ମଧୁର, ସ୍ନିଗ୍ଧ, ଗୁରୁ, ଶୀତଳ ଏବଂ ବାତପୀତ ନାଶକ ହୋଇଥାଏ । ଖଜୁରୀ ପୌଷ୍ଠିକ ଏବଂ ଶକ୍ତିବର୍ଦ୍ଧକ ଅଟେ । ନିୟମିତ ଖଜୁରୀ ଖାଇବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ବା ରକ୍ତ ବୃଦ୍ଧି ହୋଇଥାଏ । ଆୟୁର୍ବେଦ ଅନୁସାରେ ଖଜୁରୀରେ ମାଛ, ମାଂସ ଠାରୁ ଅଧିକ ଶକ୍ତି ପ୍ରଦାନ କରୁଥିବା ପୌଷ୍ଟିକ ତତ୍ତ୍ୱ ଭରପୁର ହୋଇ ରହିଅଛି । ନିୟମିତ ଖଜୁରୀ ଖାଇବା ଦ୍ୱାରା ଶାରିରୀକ ନିର୍ବଳତା ନଷ୍ଟ ହୋଇଥାଏ ।

ଆୟୁର୍ବେଦରେ ଖଜୁରୀକୁ ଶକ୍ତିବର୍ଦ୍ଧକ ଓ ଧାତୁବର୍ଦ୍ଧକ ଫଳରୂପେ ବିବେଚନା କରାଯାଇଅଛି । ଖଜୁରୀ ସେବନ ଦ୍ୱାରା କଫ ବିକୃତ ନଷ୍ଟ ହୋଇଥାଏ । କୋଷ୍ଠବଦ୍ଧତା (constipation)ରୁ ମୁକ୍ତି ପାଇଁ ନିୟମିତ ଖଜୁରୀ ସେବନ ନିତ୍ୟାନ୍ତ ଆବଶ୍ୟକ । ହୃଦୟରୋଗୀମାନଙ୍କ ପାଇଁ ଖଜୁରୀ ଏକ ବରଦାନ ସ୍ୱରୂପ । ଖଜୁରୀ ସେବନ ଦ୍ୱାରା ଶରୀରରେ ରକ୍ତ ପୀତର ବିକୃତି ମଧ୍ୟ ନଷ୍ଟ ହୋଇଥାଏ । ଖଜୁରୀ ସେବନ ଦ୍ୱାରା ମସ୍ତିଷ୍କର ଦୁର୍ବଳତା ନଷ୍ଟ ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । କଟିଶୁଳ, ଗ୍ରୁଧ୍ରୁଶୀ (ସାୟିଟିକା) ବିକୃତି ପାଇଁ ଖଜୁରୀ ସର୍ବୋତ୍ତମ । ଖଜୁରୀ ସେବନ ଦ୍ୱାରା ଆମକୁ ପ୍ରାକୃତିକ ଶର୍କରା ମିଳିଥାଏ । ୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ୍ ଶର୍କରା (Glucose) ଥାଏ । ଖଜୁରୀରେ କ୍ୟାଲସିୟମ୍, ଫସ୍ଫରସ୍, ଆଇରନ୍ ଏବଂ ଖଣିଜ ତତ୍ତ୍ୱ ଭରପୁର୍ ହୋଇ ରହିଅଛି ।

ଖଜୁରୀର ଔଷଧୀୟ ଗୁଣ :-

– ଖଜୁରୀ, ଅଙ୍ଗୁର, ଅଦା, ତେନ୍ତୁଳି ଓ ଗୋଲମରିଚକୁ ଏକତ୍ର ବାଟି ଲୁଣ ମିଶାଇ ଚଟ୍‌ଣି କରି ଖାଦ୍ୟର ଏକ ଘଣ୍ଟା ପୂର୍ବରୁ ଚାଟି ଖାଇଲେ ଅରୁଚି ରୋଗରୁ ମୁକ୍ତି ମିଳିଥାଏ ।

– ଖଜୁରୀ ମଞ୍ଜିକୁ ଶିଳରେ ବାଟି ମଥାରେ ଲେପ ଦେଲେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ ।

– ରାତିରେ ୧୦ଟି ଖଜୁରୀକୁ ପାଣିରେ ଭିଜାଇ ରଖନ୍ତୁ । ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ସନ୍ଧି ଶୋଥ ବା ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ ।

– ଖଜୁରୀ ସହିତ ଅଶ୍ୱଗନ୍ଧା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ ।

ଯେଉଁ ସ୍ତ୍ରୀଲୋକମାନଙ୍କର ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ପ୍ରତ୍ୟେକ ଦିନ ସକାଳେ ୫ଟି ଖଜୁରୀ ଏବଂ ରାତିରେ ୫ଟି ଖଜୁରୀ ସେବନ କଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ ।

– ଶାରୀରିକ ଶ୍ରମ କରୁଥିବା ସ୍ତ୍ରୀ ଲୋକମାନଙ୍କ ପାଇଁ ଖଜୁରୀ ଏକ ସର୍ବୋତ୍ତମ ଶକ୍ତି ପ୍ରଦାନକାରୀ ଫଳ ଅଟେ ।

– ଖଜୁରୀକୁ ଶିଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ୱାରା ପିଲାମାନଙ୍କର ଦାନ୍ତ ମଜଭୁତ୍ ହେବା ସହ ଦାନ୍ତଗୁଡ଼ିକ ସହଜରେ ଉଠିଯାଇଥାଏ, କାରଣ ଖଜୁରୀରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ରହିଅଛି ।

– ଖଜୁରୀ ସହିତ ଗୁଜୁରାତି ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଉପଦଂଶ (Syplilis) ରୋଗରୁ ମୁକ୍ତି ମିଳିଥାଏ ।

– ଖଜୁରୀ ସହିତ ଅଁଳାର ମୁରବ୍ବା ଖାଇ ଗାଈ କ୍ଷୀର ସେବନ କଲେ ଶରୀରରେ ଶୁକ୍ର (ବୀର୍ଯ୍ୟ) ବୃଦ୍ଧି ହୋଇଥାଏ ।

– ଖଜୁରୀ ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ ସେବନ କଲେ ସ୍ୱପ୍ନ ଦୋଷ ରୋଗରୁ ମୁକ୍ତି ମିଳିଥାଏ ।

– ଖଜୁରୀ ନପୁଂସକତା ରୋଗପାଇଁ ୪/୫ଟି ଖଜୁରୀ ସହିତ ଡାଲଚିନି ଚୂର୍ଣ୍ଣ ମିଶାଇ ସେବନ କଲେ ଉପକାର ମିଳିଥାଏ ।

– ପରିସ୍ରାଗତ (UTI) ସମସ୍ୟା ପାଇଁ ଖଜୁରୀ ପତ୍ରରସ ସହ ମିଶ୍ରି ମିଶାଇ ସେବନ କଲେ ରୋଗରୁ ମୁକ୍ତି ମିଳିଥାଏ ।

ନିଃସନ୍ଦେହ ଭଗବାନଙ୍କ ସୃଷ୍ଟିର ଏକ ଅମୂଲ୍ୟ ବରଦାନ “ଖଜୁରୀ'” !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top