କବିତା

ପ୍ରେମିକାର ସ୍ୱାମୀ ପାଇଁ

Dr Dilip Kumar Swain's odia poem Premikara Swami Pain

ଫୁଟା କଳସୀଟି ଘରକୁ ନେଲ ଯେ
ଏବେ ଲହଡ଼ା ମାରୁଚି ପାଣି ଦାଣ୍ଡସାରା
ନାଁ ଛାଡ଼ି ପାରୁଚ ପାଣିପିଆ
ଭାଙ୍ଗିପାରୁଚ ମାଠିଆ ।

ପ୍ରେମିକାର ସ୍ୱାମୀ ପାଇଁ

ଭାଇନା
ପ୍ରେମରେ ବାଜି ଜିତିବା ଅର୍ଥ
ପରାଜୟ ପାଇଁ ପ୍ରସ୍ତୁତ ହେବା ।

ଫୁଟା କଳସୀଟି ଘରକୁ ନେଲ ଯେ
ଏବେ ଲହଡ଼ା ମାରୁଚି ପାଣି ଦାଣ୍ଡସାରା
ନାଁ ଛାଡ଼ି ପାରୁଚ ପାଣିପିଆ
ଭାଙ୍ଗିପାରୁଚ ମାଠିଆ ।

ଏଇ କଳସୀ ଜିଣିବା ପାଇଁ
କେତେ ଯନ୍ତର ମନ୍ତର ନ କଲ ଭାଇନା ।
କଲେଜ କାନ୍ଥରେ ନିଜ ନାଁ ଲେଖିଲ ଅଙ୍ଗାରରେ
ତମ ନିରବ ପ୍ରତିପକ୍ଷଙ୍କୁ
ନୀଳହତ୍ୟା କଲ ଜହ୍ନରାତିରେ
ଏବେ ତମ ଘରବୁଡ଼ି ପାଣି ଆଣ୍ଠୁଏ
କଳସୀ କାଖେଇ ବୁଲୁଥା’ ।

ଯାହା କହୁଛ କୁହ
ସିଏ କିନ୍ତୁ ତୁମର ନୁହଁ ।
ତା’ ଆଖିକୁ ଦେଖୁନ
ସାଇତିଛି ଅନେକ ପ୍ରେମିକଙ୍କ ଆଲବମ୍
ଓଠକୁ ଦେଖ
ମାତାଲ ପ୍ରେମିକଙ୍କ ଚୁମାରେ
ଚିତ୍ରମୟ ଦିଶୁଚି ମଧୁଶାଳା ।
ଏମିତିକି ସ୍ତନ, ନାଭି, କଟି ଓ ପିଠିରେ
ସବୁଠି ପ୍ରେମିକମାନଙ୍କ ଚୁମା ଚିହ୍ନ
ତମେ କେଉଁଠି ପାଦ ଥୋଇବ
ଅଛି ଶୂନ୍ୟସ୍ଥାନ ?

ତମ ମୋ ଭିତରେ ବ୍ୟବଧାନ କ’ଣ ?
ତମେ ମଥାର ସିନ୍ଦୂର
ମୁଁ ଅଧରର ନାଲିଗାର
କୋଟିଏ ଈର୍ଷା
ଅୟୂତ ଅସୂୟା
ପରସ୍ପରକୁ ହତ୍ୟା କରିବାର ଷଡ଼ଯନ୍ତ୍ର
ନୀଳ ନିରାଶାର ନିର୍ଜନତା
କେତେଟା ଚୁମା ଚିହ୍ନ !

ଚୁମା ଓ ଲୁହ ଭିତରେ ଯେଉଁ ଶୂନ୍ୟସ୍ଥାନ
ସେଠି କିଏ ବସିଛି ଭାଇନା ?

ଆସ ଆମେ ବସିବା
ଏଇ ଭଙ୍ଗାକାଠ ପୋଲ ଉପରେ
ମୋ ପରାଜିତ ସୁଖ
ତୁମ ଅର୍ଜିତ ଦୁଃଖକୁ ନେଇ
ଗୀତ ଗୋଟେ ଗାଇବା ଯୁଗଳ କଣ୍ଠରେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top