ଅଣୁଗଳ୍ପ

ଅଭିଶାପ

Hemanta Kumar Rout's odia short story Abhishaapa

ପ୍ରଜାମାନେ ଭୁଲ୍ କଲେ ରାଜା ତା’ର ବିଚାର କରିବେ । ରାଜା ଯଦି ନିଜେ ଅପରାଧୀ ବିଚାର କରିବ କିଏ ?

ଅଭିଶାପ

ଦୈତ୍ୟପତି ରାବଣର ଛାତିରେ ଯେତେବେଳେ ରାମଙ୍କର ତୀକ୍ଷ୍ଣଶର ବିଦ୍ଧ ହେଲା, ସେ ଧନୁଶର ତ୍ୟାଗ କରି ମାଟି ଉପରେ ଲୋଟିଗଲେ । ତା’ପରେ ରାମ ଲକ୍ଷ୍ମଣଙ୍କୁ ନିଜ ପାଖକୁ ଡାକିଥିଲେ । ବହୁକାଳ ଧରି ସେମାନେ ଅରଣ୍ୟରେ ଘୂରିଘୂରି ରାଜନୀତି ଶିଖିନାହାନ୍ତି । ତେଣୁ ଲଙ୍କା ପତି ସେମାନଙ୍କୁ ରାଜନୀତି ଶିଖାଇବେ ।

ଦୈତ୍ୟରାଜ କହିଲେ, ଯେତେ ଭଲ କାର୍ଯ୍ୟ ତାକୁ ଶୀଘ୍ର ସାରିବାକୁ ହେବ । କୁକାର୍ଯ୍ୟ ଗୁଡ଼ିକ ଉପରେ ଚିନ୍ତା କରିବାକୁ ପଡ଼ିବ । ସୀତା ହରଣ ପୂର୍ବରୁ ମୁଁ ଯେବେ ଚିନ୍ତା କରିଥାନ୍ତି, ତେବେ ଏଭଳି ବିପର୍ଯ୍ୟୟ ମୋ ଜୀବନରେ ଆସିନଥାନ୍ତା । ସ୍ୱର୍ଗ ଜୟ ସମୟରେ ଭାବିଥିଲି ନର୍କକୁଣ୍ଡ ଫିଙ୍ଗିଦେବାକୁ ଓ ସମସ୍ତେ ସ୍ୱଦେହରେ ସ୍ୱର୍ଗପୁର ଯିବାକୁ ଏକ ସିଡ଼ି ବାନ୍ଧିବାକୁ । ତାହା କରିବି କରିବି ବୋଲି କରିପାରିଲି ନାହିଁ ।

ବ୍ରହ୍ମଶରର ଜ୍ୱାଳାରେ ମୁଁ ଜର୍ଜରିତ । ଯେଉଁ ସମୟର ପ୍ରଭାବରେ ତୁମେ ରାଜ୍ୟହରା ପତ୍ନୀ ହରା ହୋଇ ଅରଣ୍ୟରେ ମାୟାମୃଗ ପଛରେ ଗୋଡ଼େଇଲ, ସେ ପ୍ରଭାବରେ ଅସୁରଙ୍କ ଖାଦ୍ୟ ମାଙ୍କଡ଼ମାନେ ଲଙ୍କାପୁରରେ କୋକୁଆ ଭୟ ସୃଷ୍ଟି କଲେ । ପାଣିରେ ପଥର ଭାସିଲା । ପକ୍ଷୀଙ୍କ ପରି ମାଙ୍କଡ଼ମାନେ ଆକାଶରେ ଉଡ଼ିଲେ । ବେଶି ଧର୍ମ ପାଇଁ ତମେ ଜିତିଲ ଓ ବେଶି ଅଧର୍ମ ପାଇଁ ମୁଁ ହାରିଲି । ସବୁ ସ୍ୱକର୍ମର କରାମତି ।

ସୂର୍ପଣଖାର ନାସା ଛେଦନ ପୂର୍ବରୁ ତମର ଚିନ୍ତା କରିବାର ଥିଲା । ଜଣେ ଅସହାୟା ରମଣୀକୁ ଯେପରି ଭାବରେ ଦୁଇଭାଇ ନିର୍ଯ୍ୟାତିତ କଲ ଆଗାମୀ ମଣିଷମାନେ ତୁମକୁ କ୍ଷମା ଦେବେ ନାହିଁ । ପ୍ରଜାମାନେ ଭୁଲ୍ କଲେ ରାଜା ତା’ର ବିଚାର କରିବେ । ରାଜା ଯଦି ନିଜେ ଅପରାଧୀ ବିଚାର କରିବ କିଏ ? ସେଦିନ ପ୍ରଥମରୁ ମୋ ପାଖରେ ଅଭିଯୋଗ ଦେଇଥିଲେ ଏଭଳି ବିପଦ ଘଟିନଥାନ୍ତା, କାରଣ ମୁଁ ତା’ର ବଡ଼ଭାଇ ।

ଏ ପାପର ପ୍ରାୟଶ୍ଚିତ୍ତ ହେବ । ମୋ ଦେଶକୁ ଯେ ଛାରଖାର କରିଛି । ତମେମାନେ ଦିନେ ମୋ ଦେଶ ପାଖରୁ ହାରିବ । ଭାରତର ଲୋକସଂଖ୍ୟା ୧୨୦ କୋଟିରୁ ଅଧିକ । ମୋ ଦେଶର ଲୋକସଂଖ୍ୟା କୋଟିଏରୁ ଅଧିକ । ସେତେବେଳେ କ୍ରିକେଟ୍ ଖେଳରେ କଖାରୁ ମଞ୍ଜି ଭଳି ମୋ ଦେଶ ପଛକୁ ହଟେଇବ ଓ ବାରମ୍ୱାର ହରେଇବ ଏହା ମୋର ଅଭିଶାପ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top