ଜୁଲାଇ ୨୯ ତାରିଖ ଦିନ ଆନ୍ତର୍ଜାତିକ ବାଘ ଦିବସ ପାଳନ ହେଲା । ସେଦିନ ବାଘ ବିଷୟରେ ନିଜ ପୁଅକୁ ଜ୍ଞାନ ଦେବାପାଇଁ ଜଣେ ବାପା ନିଜ ପୁଅକୁ ଗୋଟିଏ ବାଘ ଅଭୟା ଅରଣ୍ୟ ଦେଖାଇ ନେଲେ । ଅଭୟା-ଅରଣ୍ୟ ବାହାରେ କୋଡିଏ ଫୁଟ କାନ୍ଥ ଓ ତା ଉପରେ ଦଶ ଫୁଟ ତାରବାଡ ଦିଆ ଯାଇଥାଏ ।
ଛୋଟ ପୁଅଟି ବାପାକୁ ପଚାରିଲା:
–ବାପା, ଅଭୟା ଅରଣ୍ୟରେ ଏତେବଡ ପାଚେରୀ କାହିଁକି ଦିଆ ଯାଇଛି ?
— ଭିତରେ ଥିବା ବାଘ ଓ ଅନ୍ୟ ପଶୁମାନେ ବାହାରିକୁ ଆସି ପାରିବେ ନାହିଁ ।
— ବାଘ କେତେ ଉପରକୁ ଡ଼େଇଁପାରେ ?
— ଅଠର ଫୁଟ ।
— ତା ହେଲେ କୋଡିଏ ଫୁଟ ପାଚେରୀ ଉପରେ ପୁଣି ଦଶ ଫୁଟ ତାର ବାଡ଼ କାହିଁକି ଦିଆ ଯାଇଛି ?
— କୋଡିଏ ଫୁଟ କାନ୍ଥ ଏଇଥି ପାଇଁ ଦିଆ ଯାଇଛି ଯେ, ବାଘ ବାହାରକୁ ଆସି ମଣିଷକୁ ମାରି ପାରିବ ନାହିଁ । ଅଧିକ ଦଶ ଫୁଟ ତାରବାଡ ଏଇଥି ପାଇଁ ଦିଆ ଯାଇଛି ଯେ ମଣିଷ ତା ଭିତରକୁ ପଶି ବାଘକୁ ମାରି ପାରିବ ନାହିଁ । ତା ନ ହେଲେ ମଣିଷ ସବୁ ବାଘକୁ ସଫା କରିଦେବେ, ଯେମିତି ଓଡିଶାର ସବୁ ଜଙ୍ଗଲରୁ ବାଘକୁ ସଫା କରି ଶିକାରୀ ମାନେ ଚମଡା ବାହାରେ ଦେଶରେ ବିକ୍ରି କରି ଦେଉଛନ୍ତି ।
— ତା ହେଲେ କଣ ଏମିତି ଦିନ ଆସିବ ଦୁନିଆରୁ ବାଘ ଲୋପ ପାଇଯିବ ?
— ନା, ସେମିତି ହେବନି ।
— ତା ହେଲେ ବାଘକୁ ଶିକାରୀ ମାନଙ୍କ ଠାରୁ କିଏ ରକ୍ଷା କରିବ ?
— ବାଘକୁ ଶିକାରୀ ଓ ତାଙ୍କୁ ଜଗୁଥିବା କର୍ମଚାରୀ ମାନଙ୍କ ଠାରୁ କେହି ରକ୍ଷା କରି ପାରିବେ ନାହିଁ । ତେବେ ଯଦିଓ ବାଘ ରହିବ ନାହିଁ, ବାଘମାମୁଁ ସବୁଦିନ ରହିବ । ସେ ବହି, କେଲେଣ୍ଡର, ଫେସବୁକ ଓ WhatsApp ରେ ବଞ୍ଚି ରହିବ । ସେଥିପାଇଁ ମୁଁ ତତେ ବାଘ ଦେଖାଇବାକୁ ଆଣିଛି । ଆଗକୁ ସତ ବାଘ ଆଉ କେହି ଦେଖି ପାରିବେ ନାହିଁ ।
