ଥିଲି ନିର୍ଜନ ପଥର ପଥିକ ମୁଁ
ଆଦେଖା ଗନ୍ତବ୍ୟେ ଅହରହ ଚାଳୁଥିଲି,
ଗ୍ରୀଷ୍ମେ ସିଝୁଥିଲି, ଶ୍ରାବଣେ ଭିଜୁଥିଲି,
ହେଲେ ଫଗୁଣର କେବେ ସ୍ପର୍ଷ ପାଇନଥିଲି ।
ତୁମେ ଦେଖା ହେଲା ପରେ,
ଗନ୍ତବ୍ୟ ପଥରେ ସୀମାରେଖା ଟାଣିଦେଲି,
ପ୍ରେମରେ ଭିଜିଲି, ପ୍ରତାରଣାରେ ଜଳିଲି,
ଫଗୁଣର ସବୁରଙ୍ଗକୁ ଅଙ୍ଗେ ନିଭେଇ ଦେଲି ।
ଥିଲି ପୁଷ୍ପ ଉଦ୍ୟାନର ମାଳି ମୁଁ
ନିସ୍ୱାର୍ଥେ ଅହରହ ଯତ୍ନ ନେଉଥିଲି,
ବାସ୍ନା ବାରୁଥିଲି, ରଙ୍ଗ ବାରୁଥିଲି,
ହେଲେ ମହୁର କେବେ ସ୍ପର୍ଷ ପାଇନଥିଲି।
ପ୍ରେମ ବଗିଚାରେ ପାଦ ଦେଲାପରେ
ଆସକ୍ତିରେ ସ୍ଵାର୍ଥର ସୌଦାଗର ସାଜିଲି,
ଫୁଲକୁ ତୋଳିଲି, କଣ୍ଟାର ଆଘାତ ପାଇଲି,
ମଧୁ ଲୋଭେ ମୋହରେ ବିମହିତ ହୋଇଗଲି ।
ଥିଲି ଦୂର ଆକାଶର ବିହଙ୍ଗମ ମୁଁ
ଦିଗହରା ହୋଇ ଏଣେ ତେଣେ ଉଡୁଥିଲି,
ଫଳ ଖାଉଥିଲି, ଡ଼ାଳେ ବସୁଥିଲି,
ହେଲେ ବସା ବାନ୍ଧିବାକୁ ମନ ବଳେଇନଥିଲି।
ଡେଣାରେ ଭାବ ଡୋର ବାନ୍ଧିବା ପରେ
ପାଗଳ ପରାୟେ ତୁମ ପଛେ ପଛେ ଗୋଡ଼ାଇଲି,
ନା ରହି ପାରିଲି, ନା ଶୋଇ ପାରିଲି,
ମନ ଆକାଶେ ତୁମ ପାଇଁ ଘରଟିଏ ତୋଳିଦେଲି ।