ସାହିତ୍ୟ, ସଙ୍ଗୀତ ତଥା ଋଚି ସାମାଜିକ ଚିନ୍ତାଧାରାର ପ୍ରତିଫଳନ । ଏଇ ଅଳ୍ପଦିନ ତଳର କଥା , ଆମ ଘର ଆଗ ରାସ୍ତାରେ, ଗୋଟିଏ ବରଯାତ୍ରୀ ଦଳ ଯାଉଥିଲେ । ବାଣ ରୋଷଣୀ, ନାଚ ଗୀତ, ମଧ୍ୟରେ ଗୋଟେ ଗୀତ ବାଜି ଉଠିଲା , “ ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ!”- ଗୀତଟି ଶୁଣୁ ଶୁଣୁ , ଦୁଲୁକାଏ ପବନରେ ଝଙ୍କା ଗଛଟିଏ ଦୋହଲିଗଲା ପରି, ବରଯାତ୍ରୀ ଦଳଟା ଯାକ ମଦ ପିଇଲା ଭଳି ଦୋହଲି ଉଠିଲେ। ନାଚର ଲୟ, ତାଳ, ପାଦ ପକାଇବା , ଅବା ଆଉ କୌଣସି ଅଭିନୟ ଆସୁ ଅବା ନଆସୁ, ସେଇ “ବୋତଲ ଭାଙ୍ଗିବା” ଅଭିନୟଟିକୁ ସମସ୍ତେ ନିଖୁଣ ଭାବରେ କରୁଥା’ନ୍ତି । ଗୀତଟି ଆଡ଼କୁ କାନେଇଲି । ଗୀତଟିକୁ ଶୁଣି ବୁଝିଲି , ଏହା ଏକ ବିଫଳ ପ୍ରେମିକ ର ପ୍ରେମ ନିବେଦନ, ଓ ସେ ଏକ ଜିଦିଆ ପ୍ରେମିକଟି ପ୍ରେମିକା ଠାରୁ ହଁ ଟିଏ ଶୁଣିବା ପାଇଁ , ତା ଘର ସାମ୍ନାରେ ମଦ ବୋତଲ ଭାଙ୍ଗିବାକୁ ମଧ୍ୟ ପ୍ରସ୍ତୁତ। ତେବେ ଗୀତଟିର ଭାବାର୍ଥ ଆଉ ଯାହା ହେଉଥାଉନା କାହିଁକି। ସେତେବେଳକୁ ଏକଥା ତ, ମୋ ଆଗରେ ସ୍ପଷ୍ଟ ହୋଇସାରିଥିଲା କି, ଗୀତ ଶୁଣି, ଆମେ କ୍ରୋଧ ଓ ପ୍ରେମ ମଧ୍ୟରେ ଥିବା ପାର୍ଥକ୍ୟ କୁ ଭୁଲିବା ପୂର୍ବରୁ, ଆମେ, ଆମର ଏହି ଶତୃଟି ବିଷୟରେ ଟିକିଏ ଭାବିବା ଆବଶ୍ୟକ।
ଆମର ଏହି ଶତୃଟି ସହିତ ଆମେ ଅତି ପରିଚିତ, କିନ୍ତୁ, ତା’ର କବଳକୁ ଯାଇ , ତା’ ସମ୍ମୁଖରେ ହାର୍ ମାନିବାରୁ ଆମେ ନିଜକୁ ଅଟକାଇ ପାରୁନା । କେଉଁ ଶତୃଟି ବିଷୟରେ ମୁଁ କହୁଛି ତାହା ଆପଣ ଭାବୁଛନ୍ତି କି ? – ଆମର ଏହି “ମିତ୍ର-ଶତୃ” ଟିର ନାମ ହେଉଛି “କ୍ରୋଧ”। “କ୍ରୋଧ ଆମର ପରମ ଶତୃ, କ୍ରୋଧ ଆମପାଇଁ କ୍ଷତିକାରକ, କ୍ରୋଧ ହିଁ ପରମ ଚଣ୍ଡାଳ” , ଏକଥା ଆମେ ସମସ୍ତେ ଜାଣୁ ।
ଖାଲି ଜାଣିଲେ କ’ଣ ହେବ ! ଶତୃକୁ ଜିଣିପାରିଲେ ହବ ନାଁ ! ସେମିତି କ’ଣ ହେଇପାରୁଛି ? ଆମର ଖାଲି ସବୁବେଳେ ମୁଣ୍ଡଟା ଗରମ ହେଇଯାଉଛି । ଆମ ରାଗକୁ ଦେଖେଇ ଆମେ ଖାଲି ଲୋକଙ୍କୁ ଧମକଉଛୁ ।
ଏଇ ଦେଖୁନାହାନ୍ତି ଆମ ନଟ କଥା – “ ଦେଖ୍ ! ମୋତେ ରଗାନା କହୁଛି ! ମୁଁ ରାଗିଲେ, ଇନ୍ଦ୍ର ଚନ୍ଦ୍ର କିଛି ମାନେ ନାହିଁ !” ଏମିତି କିଛି ଗୁଡାଏ କହି ନଟ ସେଦିନ, ନଟିକୁ ଚୁପ୍ କରିଦେଲା । ଛାଡହେ ସେ ନଟ କଥା, ଆପଣ କହିଲେ ଦେଖି ;
୧) ଆପଣ ନିକଟ ଅତୀତରେ କେବେ ରାଗିଥିଲେ କି?
୨) ଯଦି ରାଗିଥିଲେ, ସେ ରାଗିବା ପଛରେ କ’ଣ କାରଣ ଥିଲା ?
୩) ଆପଣ ରାଗିକରି କ’ଣ କ’ଣ କରିଗଲେ , ଯଥା ଘରର କେତୋଟି ପ୍ଲେଟ୍, ଅବା ମୋବାଇଲ୍ ଫୋନ୍ ଭାଙ୍ଗିଲା ?
୪) ଆପଣ ରାଗିବାପରେ ସମସ୍ୟାର କେତେଦୂର ସମାଧାନ ହୋଇପାରିଲା ?
୫) କେଉଁ କେଉଁ ପରିସ୍ଥିତିରେ , ଆପଣ ସାଧାରଣ ଭାବେ ରାଗିଯାଆନ୍ତି, ଅର୍ଥାତ୍, ଆପଣଙ୍କ ମୁଣ୍ଡ ଗରମ୍ ହୋଇଯାଏ ?
କ’ଣ କହିଲେ ? – ଆପଣ ବିନା କାରଣରେ ରାଗନ୍ତି ନାହିଁ ? ହଉ ଭଲ ହେଲା । ଆପଣ ତା’ହେଲେ ଭଲ ଲୋକ ।
ମୁଁ କହି ଦେଉଛି କି ଅମେ , ଅର୍ଥାତ୍ ମୁଁ ଓ ନଟ , କେତେବେଳେ ଓ କେଉଁ କେଉଁ ପରିସ୍ଥିତିରେ ରାଗୁ।
୧) ଆମେ ରାଗୁ ସେତେବେଳେ, ଯେତେବେଳେ କାମଟା ଆମ ମନ , ଅବା ବରାଦ ମୁତାବକ ହୋଇ ନଥାଏ । ଆମେ ନଟ ହାତ ଛାଟି ସେତେବେଳେ କହେ “ ଭାଇ କରିବ ଯଦି କର ! ନହେଲେ ଖୋଲା ଖୋଲା ମନା କରିଦିଅ । ହେମେତ୍ (ସେମିତି) ହଇରାଣ୍ କରନି ।”
୨) ଆମେ ରାଗୁ ସେତେବେଳେ, ଯେତେବେଳେ ଆମ ମନର କୌଣସି ଇଚ୍ଛା ପୂରଣ ହୋଇନଥାଏ ଅବା ଆମ ସ୍ୱାର୍ଥରେ ବାଧା ଆସେ । ଏବଂ ତା’ପାଇଁ ଆମେ ଆଉ କାହାକୁ ଦୋଷଦେଉ । ଏଇତ ଗତକାଲି ନଟ, ଛକ ଟ୍ରାଫିକ୍ ଭିଡରେ, ତା’ କାର୍ ରେ ବସି ଭିଡରେ ଛାଟିପିଟି ହୋଇ କହିଲା , “ସମସ୍ତେ ତ କାର୍ ଚଲେଇବେ। ରାସ୍ତାରେ ଗାଡି ଯିବ କେମିତି?” – ହାଃ ! ହାଃ ! କାର୍ ରେ ବସିବା ସୌଭାଗ୍ୟଟା କେବଳ ଆମ ନଟର ।
୩) ଆମେ ରାଗୁ ସେତେବେଳେ, ଯେତେବେଳେ ଆମର ଗଭୀର ବିଶ୍ୱାସ ଥାଏ, କି ରାଗିବାଦ୍ୱାରା କାମଟି ହୋଇଯିବ ଅବା ଜଟିଳ ପରିସ୍ଥିତି ଆୟତ୍ତକୁ ଆସିଯିବ । ଆଜି ସକାଳେ ମୁଁ , ଆମ ଅଫିସ୍ ଚପରାସୀକୁ ବହେ ଗାଳିଦେଲି, ଆଉ ବୁଲିକରି କହିଲି, “ ନ ରାଗିଲେ ଲୋକ କ’ଣ ବୁଝୁଛନ୍ତି ? ବୁଝୁନାହାନ୍ତି ପରା !”
୪) ଆମେ ରାଗୁ ସେତେବେଳେ, ଯେତେବେଳେ ଆମ ମନରେ ଧାରଣା ଥାଏ କି ରାଗିବା ଦ୍ୱାରା ସାମନା ଲୋକଟି ଆମ କଥା ଶୁଣିବ । ଆମ ନଟ କହିଲା , “ଚାଣକ୍ୟ କହିଛନ୍ତି ପରା; ସାମ, ଦାମ,ଦଣ୍ଡ, ଭେଦ – ସବୁ ଦରକାର”
୫) ଆମେ ରାଗୁ ସେତେବେଳେ, ଯେତେବେଳେ ଆମେ ଆମ ନିଜ ଦୋଷ ସ୍ୱୀକାର ନକରି, ସବୁ ଦୋଷ ଅନ୍ୟ ଉପରେ ଲଦିଦେଉ । ପୁଣି, ବେଳେବେଳେ ଅନ୍ୟ କେହି ନିଜ ଭୁଲ୍ ନବୁଝି ସବୁ ଦୋଷ ଆମ ଉପରେ ଲଦି ଦିଅନ୍ତି । ଗତ ପୁନେଇରେ ନଟ ନଟୀ ପୁଣି ଲାଗିଲେ। ନଟୀ କହିଲା, “ ତୁମେ ମୋତେ ସବୁ କଥାରେ କାହିଁକି ଦୋଷ ଦେଉଛ? , ନଟ କହିଲା, “ସବୁ ଦୋଷ କ’ଣ ଖାଲି ମୋ’ର, ତୋର କିଛି ଭୁଲ୍ ନାହିଁ?” – ତା’ ପରେ କ’ଣ ହେଇଥିବ, ଆପଣ ସହଜରେ ଅନୁମାନ କରିପାରୁଥିବେ ।
୬) ଯେତେବେଳେ ଆମେ ନିଜ ଲୋକଙ୍କୁ ବାରମ୍ବାର ଭୂଲ୍ କରୁଥିବାର ଦେଖୁ , ଓ ଚାହିଁକରି ମଧ୍ୟ କିଛି କରିପାରୁନାହିଁ। ନଟ ଦିନେ ନଟୀ ଉପରେ ଚିଡି ଉଠି କହିଲା , “ ଛାଡହେ , ସେ ଚୁଲିକୁ ଯାଉ ! ଆପେ ବଞ୍ଚିଲେ ବାପର ନାଁ ବୁଝେଇ ବୁଝେଇ ଥକି ଗଲିଣି !”
୭) ଆମେ ରାଗୁ ସେତେବେଳେ, ଯେତେବେଳେ ଆମେ ଭୁଲ୍ କରୁ, ତା’ପାଇଁ ଅନୁତାପ ମଧ୍ୟ କରୁ , କିନ୍ତୁ , ପୁଣିଥରେ ଭୁଲ କରିବାରୁ ନିଜକୁ ଅଟକାଇ ପାରୁନା, ଓ ନିଜ ଉପରେ ରାଗିଯାଉ ।
ଆମେ ଆଶାକରୁ , କି ରାଗିବାଦ୍ୱାରା ସବୁ ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ଫଳ ଠିକ୍ ତା’ର ଓଲଟା ହୁଏ।
ନଟ କହିଲା, “ମୋ ମୁଣ୍ଡ ଗରମ୍ କରନାହିଁ କହୁଛି!” ଏଟା ଜ୍ୱର ହେବା ସମୟର ମୁଣ୍ଡ ଗରମ ହେବା ନୁହେଁ। ଏଟା ଆଉ କିଛି । ଆଚ୍ଛା, ମୁଣ୍ଡ ଗରମ୍ ହେଲେ ହୁଏ କ’ଣ ?- ଆପଣ ପଚାରିପାରନ୍ତି । ମୁଁ ଉତ୍ତର ଦେଉଛି ଶୁଣନ୍ତୁ ! ସିଧା କଥା ! ପ୍ରଥମେ ମୁଣ୍ଡ ଗରମ୍ ହୁଏ , ତା’ପରେ ମୁଣ୍ଡ ଖରାପ୍ ହୁଏ । କ୍ରୋଧ ଆମ ବ୍ୟବହାରରେ କ’ଣ ଯେ ପରିବର୍ତ୍ତନ ଆଣିପାରେ, ତାହା ନ କହିଲେ ଭଲ ।
ପ୍ରଥମତଃ, କ୍ରୋଧ ଆମର ଅହଂକାରକୁ ବଢାଏ । ଅହଂକାର ବଶରେ ,ପ୍ରଥମେ ଆମେ ଅନ୍ୟମାନଙ୍କୁ ଅଗ୍ରାହ୍ୟ କରୁ, ତା’ପରେ ଲଜ୍ଜିତ କରିବାକୁ ଚେଷ୍ଟା କରୁ । ଯେଉଁ ବ୍ୟକ୍ତି ଉପରେ ଆମେ ରାଗିକରି ଥାଉ, ଧୀରେ ଧୀରେ ତା’କୁ ଆମେ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରୁ।
ଆମ ମନରୁ , ଦୟା, କ୍ଷମା , କରୁଣା , ଆଦି ଭାବ ଦୂରକୁ ପଳାଏ ଏବଂ ଇର୍ଷା, ପରଶ୍ରୀକାତରତା, ଘୃଣା, ଅସୂୟା ଆଦି ଭାବ ଆମ ହୃଦୟରେ ବସା ବାନ୍ଧି ଉଠେ। ବେଳେ ବେଳେ ଆମେ , ଆମ ସ୍ୱଜନଙ୍କୁ ଅପମାନିତ କରି ଏକ ପ୍ରକାରର ଆନନ୍ଦ ପାଉ। ଆମେ ଯେଉଁ ବ୍ୟକ୍ତି ଉପରେ କ୍ରୋଧାନ୍ୱିତ, ସେ ବ୍ୟକ୍ତିଜଣଙ୍କ କଷ୍ଟ ପାଇଲେ , ଆମକୁ ଖୁସି ଲାଗେ। ସମୟକ୍ରମେ ସ୍ୱଜନଙ୍କ ସହିତ ଆମ ସମ୍ପର୍କ ଦୁର୍ବଳ ହୁଏ, ଆମ ମନରେ, ବିଫଳତା ଓ ନୈରାଶ୍ୟ ଭାବ ଆସେ। ଜୀବନଟା ଛାର ଓ ମୂଲ୍ୟହୀନ ମନେ ହୁଏ।
ଏଇତ କିଛିଦିନ ଆଗରୁ , ନଟ ପାଟିରୁ ବାହାରି ଆସିଲା, “ ଛି ! କି କୁକୁର ଜୀବନ ! ମରିଗଲେ ଭଲ !” ମୁଁ କ’ଣ ଜାଣିଥିଲି କି ନଟର ଏ କଥା ସତ ବୋଲି ? ମୁଁ କ’ଣ ଜାଣିଥିଲି , କି ସତରେ ନଟ ରାଗି ରାଗି ଧିରେ ଧିରେ ମରୁଛି ବୋଲି ?” ଟିଭି ରେ ଡାକ୍ତର ବାବୁ କିଛି ଦିନ ଆଗରୁ କହୁଥିଲେ, ରାଗିଲେ ଆମର କି କି କ୍ଷତି ହୁଏ : ପ୍ରଥମେ ଆମକୁ ବ୍ୟସ୍ତ ଲାଗେ, ହୃତ୍ ପିଣ୍ଡ ଓ ନିଶ୍ୱାସ ପ୍ରଶ୍ୱାସ ର ବେଗ ପ୍ରଖର ହୁଏ। ଅକାରଣରେ ରକ୍ତ ସଞ୍ଚାଳନ ବଢିବା ହେତୁ , ଶରୀର ମଧ୍ୟରେ ରସାୟନିକ ପ୍ରକ୍ରିୟା ଅଧିକ ହୁଏ, ରକ୍ତ ଜମାଟ ବାନ୍ଧେ । ଏହି ଜମା ହୋଇଥିବା ରକ୍ତ ହୃଦୟ ଓ ମସ୍ତିଷ୍କ ଆଡକୁ ଗତି କରି ହୃଦ୍ ଘାତ ଓ ମସ୍ତିଷ୍କ ଘାତ କରାଏ । ଶରୀରର ଉତ୍ତାପ ବଢିଯାଏ , ଝାଳ ବହେ, ଶରୀରରେ ଶର୍କରାର ପରିମାଣ କମିଯାଏ , ଶରୀର କମ୍ପି ଉଠେ। ମୁଣ୍ଡର ସ୍ନାୟୁ ତନ୍ତୁଗୁଡିକ ଟାଣହୋଇ ମୁଣ୍ଡ ବିନ୍ଧିଉଠେ । ଅଧିକ ଉତ୍ତେଜନାଓ ଦୁଶ୍ଚିନ୍ତା ହେତୁରୁ ପାକସ୍ଥଳୀରେ ଅଧିକ ଅମ୍ଳ ଉତ୍ପନ୍ନ ହୋଇ, ପ୍ରଥମେ ଅମ୍ଳରୋଗ ଓ ପରେ ପରେ ଅଲ୍ସର୍ ରୋଗ କରାଏ। ଶରୀର ଉପରେ କ୍ରୋଧର ନକାରାତ୍ମକ ପ୍ରଭାବ ପଡେ, ତେଣୁ ଅଧିକ ରାଗୁଥିବା ଲୋକମାନଙ୍କୁ ; ଥଣ୍ଡା, ଶ୍ୱାସ, କାଶ, ଚର୍ମରୋଗ, ଆଣ୍ଠୁଗଣ୍ଠି ପୀଡା ଆଦି ହେବାର ଅଧିକ ସମ୍ଭାବନା ଥାଏ। ମୁଁ ପିଲାବେଳେ ଶୁଣିଥିଲି , “ଲୁଣ ଖାଏ ହାଣ୍ଡି , ଚିନ୍ତା ଖାଏ ଗଣ୍ଡି !” କିନ୍ତୁ , ଏ କ୍ରୋଧ ? “କ୍ରୋଧ ଖାଏ, ଗଣ୍ଡି, ମୁଣ୍ଡ, ବୁଦ୍ଧି ଆଉ ତାହା ସହିତ ବାକି ସବୁକିଛି ।”
କିଛିଦିନ ତଳେ ନଟକୁ ପଚାରିଲି, “କିରେ ! ରାଗିଛୁ ?” ଚଟ୍ କିନା ଉତ୍ତର ଦେଲା, “କିଏ କହିଲା? କାହିଁ ନାହିଁ ତ!” ମୁଁ କହିଲି, “କାହିଁ କିଏ କହିବ ମଁ ! ଲାଗୁଛି ତ !” ନଟ କହିଲା , “ ହୁଁ ! ଭାରି ପଣ୍ଡିତଟା ! ଚେହେରା ଦେଖି ଜାଣି ଯାଉଛୁ ଆଉ ?” ମୁଁ ଜ୍ୟୋତିଷ କି ପଣ୍ଡିତ ନ ହୋଇଥାଇପାରେ, କିନ୍ତୁ, ମନସ୍ତତ୍ତ୍ୱବିତ୍ ମାନେ ଏକଥା କୁହନ୍ତି କି, ଏକ କ୍ରୋଧାନ୍ୱିତ ବ୍ୟକ୍ତି, କ୍ରୋଧର କିଛି ସଙ୍କେତ ଦେଇଥାଏ।
କ୍ରୋଧର ଏହି ପରିପ୍ରକାଶ ନିଷ୍କ୍ରିୟ ହୋଇପାରେ । କ୍ରୋଧର ନିଷ୍କ୍ରିୟ ପରିପ୍ରକାଶ କହିଲେ ତାହା ବୁଝାଏ , ଯେବେ ବ୍ୟକ୍ତି କ୍ରୋଧକୁ ଲୁଚାଏ ଅବା ଅନ୍ୟ କୌଣସି ବାଟରେ ଜଣାଇବାକୁ ଚେଷ୍ଟାକରେ। ଯଦିଓ ବ୍ୟକ୍ତିଜଣଙ୍କ ଖୋଲାଖୋଲି ଭାବେ ପ୍ରକାଶ ନକରେ, ତାର ହାବ ଭାବ ଓ ବ୍ୟବହାରରୁ ଆମେ ସହଜରେ ଜାଣିପାରିବା କି ସେ କ୍ରୋଧାନ୍ୱିତ । ସେ ଅଧିକ ସମୟ ଶୋଇଲେ, ମିଥ୍ୟା ସ୍ମିତହାସ୍ୟ ଦେଲେ, ବନ୍ଧୁ ପରିବାରଙ୍କ ପ୍ରତି ଅନୁରାଗ ପୋଷଣ ନକଲେ, ଆମେ ଜାଣି ପାରିବା କି ସେ କ୍ରୋଧାନ୍ୱିତ । ଏଭଳି ବ୍ୟକ୍ତି , ଯାହା ଉପରେ ରାଗିଥାଏ, ତା ଅସୁବିଧାରେ ସାହାଯ୍ୟ ନକରି , ତା’ ଠାରୁ ଦୁରେଇ ରହିବାକୁ ଚେଷ୍ଟା କରେ। ପରାଜୟର ମନୋଭାବ ରଖି, ଘରର ଜିନିଷ ଫୋପଡା ଫିଙ୍ଗା କରିବା, ନୈତିକତା ଦୃଷ୍ଟିରୁ ଦୁର୍ବଳ ଓ ଅବିଶ୍ୱାସନୀୟ ବ୍ୟକ୍ତିମାନଙ୍କ ସହ ବନ୍ଧୁତ୍ୱ ସ୍ଥାପନ କରିବା, ନିଜେ ସୁରକ୍ଷିତ ରହି “ତୁ ମାର୍! ମୁଁ ଅଛି” ଆଦି କହି କଳହକୁ ଉତ୍ତେଜିତ କରିବା ଆଦି ବ୍ୟବାହାର ମଧ୍ୟ ତା’ ଠାରେ ଦେଖାଯାଏ। କିଛିଜଣ ଅନ୍ତର୍ମୂଖୀ ରାଗୀ ବ୍ୟକ୍ତି , ନିଜର ଉତ୍କର୍ଷତା ପ୍ରତିପାଦନ କରିବାକୁ ଯାଇ , ଅଶାନ୍ତ ହୋଇ କାମ କରି ଚାଲିଥା’ନ୍ତି । ଆଉ କିଛିଜଣ ବାରମ୍ବାର କ୍ଷମା ପ୍ରାର୍ଥନା କରି ଚାଲିଥାନ୍ତି , ଆଉ ସେମାନଙ୍କ ମନରେ ଥାଏ କି , ଆପଣ ମଧ୍ୟ ଅନୁତପ୍ତ ହୋଇ ସେମାନଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଅତଏବ୍ , ଏହି ଲୋକଟି ମନେ ମନେ ଜଳୁଥାଏ, କିନ୍ତୁ ବାହାରକୁ ଜଣା ପଡେନାହିଁ ।
ଆଉ କିଛିଜଣଙ୍କର ରାଗଟା ଖୋଲା । ସେମାନେ କ୍ରୋଧକୁ ଲୁଚାନ୍ତି ନାହିଁ, ବରଂ ଆକ୍ରମଣାତ୍ମକ ତଥା ସକ୍ରିୟ ଭାବରେ ପ୍ରକାଶ କରନ୍ତି। ଅନ୍ୟକୁ ଡରାଇବା, ଧମକାଇବା, କାହାର ଶାରୀରିକ ଦୁର୍ବଳତାକୁ ନେଇ ଥଟ୍ଟା କରିବା, ଅକାରଣରେ ଜଣକୁ ଏକ ପ୍ରତିଯୋଗିତାକୁ ଠେଲିଦେଇ ତା ଉପରେ ବଡପଣ ଜାହିର୍ କରିବା ଆଦି, ଏହି ବ୍ୟକ୍ତିର ଲକ୍ଷଣ। ଏପରି ବ୍ୟକ୍ତିମାନେ ମଧ୍ୟ ସାଧାରଣଭାବେ ଦୋଷଦର୍ଶୀ , ଯିଏକି ସାଧାରଣ କଥାଗୁଡିକୁ ଅତି ଗମ୍ଭୀର ଭାବେ ନେଇ, “ତୁମେ ସବୁବେଳେ ଏପରି କରୁଛ” – “ତୁମେ କେବେବି ମୋ କଥା ଶୁଣୁନ” ଆଦି ଶବ୍ଦ ପ୍ରୟୋଗ କରି ଅନ୍ୟକୁ ମାନସିକ ଆଘାତ ଦିଅନ୍ତି। ବ୍ୟକ୍ତିଗତ ଶତୃତା କାରଣରୁ ଅନ୍ୟକୁ କ୍ରୋଧରେ ଆବଶ୍ୟକତା ଠାରୁ ଅଧିକ ଦଣ୍ଡ ଦେଇ, ପିଲାମାନଙ୍କୁ ଶାରୀରିକ କଷ୍ଟ ଦେଇ ,ପଶୁମାନଙ୍କ ଉପରେ ଆକ୍ରମଣ କରି , ଅତି ଦୃତଗତିରେ ଦୟିତ୍ତ୍ୱହୀନ ଭାବରେ ଗାଡି ଚଲାଇ ସେମାନେ ଅନ୍ୟମାନଙ୍କୁ କ୍ଷତି ପହଞ୍ଚାନ୍ତି । କାର୍ଯ୍ୟଦ୍ୱାରା ଅନ୍ୟର କ୍ଷତି ହେଉଥିଲେ ମଧ୍ୟ, ନିଜ ସ୍ୱାର୍ଥସିଦ୍ଧି ବିଷୟରେ ହିଁ ଭାବିବା । କାହାଠାରୁ , ସ୍ନେହ, ପ୍ରେମ, ଭଲପାଇବା ନିଜ ଅଧିକାର ପରି ଦାବୀ କରେ ଓ ସ୍ନେହ ନପାଇଲେ ଉଗ୍ର ହିଂସାତ୍ମକ ଭାବ ପ୍ରଦର୍ଶନ କରେ ଆଉ କହେ, “ବୋତଲ ଭାଙ୍ଗିବି ଗୋରୀ ତୋ ଦୁଆରେ!” । ଆପଣମାନେ ଏଭଳି କିଛି ପାଗଳ ପ୍ରେମିକମାନଙ୍କୁ ମା’ ଝିଅମାନଙ୍କ ଉପରେ ଏସିଡ୍ ମାଡ କରିବାର ଖବର ମଧ୍ୟ ଖବରକାଗଜରେ ପଢିଥିବେ। କିନ୍ତୁ, ଏଭଳି ବ୍ୟକ୍ତିଟିଏ ଏକ ଦୁଃଖୀ , କ୍ରୋଧୀ ଆତ୍ମା , କେବେହେଲେ ପ୍ରେମିକଟିଏ ନୁହେଁ।