ପ୍ରବନ୍ଧ

ଆବାହନ ଓ ବିସର୍ଜନ

Prafulla Kumar Panda's odia prose Aabahana O Bisarjana

ବେଦଜ୍ଞ ମର୍ତ୍ତ୍ୟରେ ଭଗବାନଙ୍କର ସପ୍ତସତୀ ଚଣ୍ଡିପାଠର ନିଦାନରେ ଗଗନ ପବନ ମୂଖରିତ ।

ଆବାହନ ଓ ବିସର୍ଜନ

ପାର୍ବତାର ରମ୍ୟ ପରିବେଶରେ, ସ୍ୱଚ୍ଛ ବାତାବରଣରେ ଅବତରି ଆସନ୍ତି ଜଗତଜନନୀ ଯୋଗମାୟା । ପ୍ରକୃତିରାଣୀ ବେଶଭୂଷାରେ ସୁସଜ୍ଜିତ ହୋଇ ନିର୍ନିମେଷ ନୟନରେ ଅପେକ୍ଷାରତ । ବିଭିନ୍ନ ପୁଷ୍ପରାଜି ମାନଙ୍କ ସ୍ତବଗାନ କରିବାରେ ନିମଜ୍ଜିତ । ବେଦର ମୂର୍ଚ୍ଛନାରେ ଗଗନ ପବନ ସ୍ତମ୍ବିତ । କାଶତଣ୍ଡୀର ଶୁଭ୍ରଚାମର ଢାଳିବାକୁ ବାୟୂଦେବ ସୁବୁସ୍ତ ନୟନରେ ଅପେକ୍ଷାରତ ଆଦ୍ୟଶକ୍ତିଙ୍କର ଆଗମନିକୁ । ସେ ମହାମାୟା, ମହାକାଳୀ, ମହାସରସ୍ୱତୀ, ମହାଲକ୍ଷ୍ମୀ ସ୍ୱରୂପା । ସେ ଶୃଷ୍ଟି, ସ୍ଥିତି, ପ୍ରଳୟର କର୍ତ୍ତି । ସେ ସ୍ୱଚ୍ଛ, ରଜ , ତମ ତ୍ରିଗୁଣର ସମାହାର । ସେ ସ୍ଥୁଳ ପୁଣି ସୁକ୍ଷ୍ମ । ସେ ମମତାମୟୀ ପୁଣି ଭୟଙ୍କରୀ । ସେ ପାଳନକର୍ତ୍ତୀ ପୁଣି ସଂହାରକର୍ତ୍ତୀ । ସମସ୍ତ ଦୁର୍ଗତିର ନାଶକାରିଣୀ ବିଶ୍ବର ଦୁର୍ଗତିକାଳରେ ଅନଳ ସସ୍ତୁତା ଆବିର୍ଭୁତା । ପ୍ରବଳ ଆସୁରିକ ଶକ୍ତିର ପ୍ରଭାବରେ ଜର୍ଜରିତ ବିଶ୍ବସାମୁଦାୟ ଆବାହନକରେ ଶକ୍ତିରୂପା ଅମଙ୍ଗଳ ନାଶକାରୀ ମଙ୍ଗଳମୟୀଙ୍କ । ଦେବ ଦୁର୍ଗତିକାଳରେ ଦେବଙ୍କର ଆକୁଳ ନିବେଦନକୁ ପାଥେୟକରି ମହିଷାସୁର ଭଳି ମହାପରାକ୍ରମଶାଳୀ ଅସୁରକୁ ନିଧନ କରିଥିଲେ । ତ୍ରେତୟାଯୁଗରେ ଅପହୃତା ଜଗତ ଜନନୀ ସୀତା ଠାକୁରାଣୀଙ୍କୁ ଉଦ୍ଧାର କରିବାକୁ ଯାଇ ମହାରାଜା ଦଶରଥଙ୍କ ସୁପୁତ୍ର ପ୍ରଭୁ ଶ୍ରୀରାମଚନ୍ଦ୍ର ଦଶପ୍ରହରଣଧାରିଣୀ ଦଶଭୂଜା ମାଆଙ୍କୁ ଆରାଧନା ପୂର୍ବକ ଦଶଶିର ବିଶିଷ୍ଟ ବିଶ୍ରଦା ରୂଷିଙ୍କର ପୁତ୍ର ବେଦଜ୍ଞ ରାବଣଙ୍କୁ ନିଧନ କରିବାକୁ ଦଶହରା ବା ବିଜୟା ଦଶମୀ ର ପାବନ ଦିବେଶରେ ଦଶମାନଂଦା ସମର୍ପଣ କରି ଜୟଯାତ୍ରା ଆରମ୍ଭ କରିଥିଲେ

ସମସ୍ତ ପାପତାପ ପରିହାରି । ସମସ୍ତ ଦୁଃଖ ଦାରିଦ୍ର୍ୟର ବିମୋଚନ କାରିଣୀ । ସମସ୍ତ ଅମଙ୍ଗଳ ଓ ଆସୁରିକ ଶକ୍ତିର ସଂହାର କାରିଣୀଙ୍କୁ ଭବ୍ୟ ସ୍ୱାଗତରେ ସମଗ୍ର ବିଶ୍ୱ ଚଳଚଞ୍ଚଳ । ସମସ୍ତ ମାତୃ ପ୍ରେମୀ ଏକୀଭୂତ “ମା”ଙ୍କର ସ୍ତୁତିଗାନ କରିବାରେ । ସହର, ନଗର ପୂରପଲ୍ଲୀର କୋଣ ଅନୁକୋଣ ରେ ପ୍ରତିଦ୍ବନ୍ଦିତା ମୂଳକ ମାତୃଉପାସନା ପୀଠ । ପୀଠମାନଙ୍କରେ ବ୍ୟୟ ବହୁଳ ସୂବର୍ଣ୍ଣ ମେଢ଼, ଚାନ୍ଦି ମେଢ଼, ତାରକସୀ ମେଢ଼ ସହିତ ସୁନ୍ଦର ତୋରଣରେ ସୁସଜ୍ଜିତ ଶକ୍ତିପୀଠ । ବେଦଜ୍ଞ ମର୍ତ୍ତ୍ୟରେ ଭଗବାନଙ୍କର ସପ୍ତସତୀ ଚଣ୍ଡିପାଠର ନିଦାନରେ ଗଗନ ପବନ ମୂଖରିତ ।

ହୋମ ଅଗ୍ନିରୁ ନିର୍ଗତ ଧୂମ୍ର ସମଗ୍ର ବାୟୁ ମଣ୍ଡଳକୁ କରେ ବିଶୁଦ୍ଧ ଏବଂ ପବିତ୍ର । ହୃଦୟରୁ ଦୂରୀଭୂତ ହୁଏ ସମସ୍ତ କଳୁଷିତ ଦୁଃର୍ଭାବନା । ସୃଜନଶୀଳତାର ମୂର୍ତ୍ତିମନ୍ତ ଦେବୀଙ୍କର ଉପାସରେ ମାତୃଭକ୍ତମାନେ ଏପରି ତଲ୍ଲୀନ ହୋଇ ଯାଆନ୍ତି ସତେକି ଜଣାଯାଏ ମାତୃଶକ୍ତିକୁ ଯଥା ସମ୍ମାନ ଦେବାପାଇଁ ସଂକଳ୍ପବଦ୍ଧ । ଅନ୍ୟପକ୍ଷରେ ଜଣେ ନାରୀ ଦିବାକାଳରେ ମଧ୍ୟ ରାଜରାସ୍ତାରେ ଯିବାପାଇଁ ସଂକୋଚ ବୋଧକରେ । ବିଭିନ୍ନ ଅଶ୍ଳୀଳ ଇଙ୍ଗିତରେ ଶରଦ୍ୟ ହୁଏ । ନାରୀତ୍ୱ ଭୂଲୁଣ୍ଠିତ ହୁଏ । ଉପଯୁକ୍ତ ସମ୍ମାନରୁ ଉପେକ୍ଷିତ, ଲାଞ୍ଛିତ, ଅବହେଳିତ । ଏହାହିଁ ହେଉଛି ଆମର ସଭ୍ୟ ସମାଜର ମାତୃଉପାସନାର ମହାନ ନିଦର୍ଶନ ।

ଚିରଚିନ୍ମୟୀ ଜଗତ୍‌ଜନନୀଙ୍କର ନବଦିନାତ୍ମକ ପୂଜା ସମାପନ ପରେ ସମସ୍ତ ଆନନ୍ଦ ଉଲ୍ଲାସରେ ଅନ୍ତ ଘଟାରି ଆସେ ମହାଦଶମୀ ବା ମହାନିର୍ବାନ ବା ଵିସର୍ଜନର ମୁହୂର୍ତ୍ତ । ଚିରା ଚରିତ ପ୍ରଥା ଅନୁଯାୟୀ ମା’ଙ୍କୁ ଜଳସମାଧୀ ଦେବାର ବିଧି । ଯାହା ମାତୃପ୍ରେମୀମାନଙ୍କ ହୃଦୟ ବିଗଳିତ ହେବା ବିଧେୟ । ଏହିଭଳି ଏକ ସାମୟିକ ବିଚ୍ଛେଦ ଦୁଃଖଦ ପରିବେଶ ପରିବର୍ତ୍ତେ ଏକ ମନୋଜ୍ଞ ପରିପାଟିରେ ଜଗତ୍‌ଜନନୀଙ୍କୁ ଜଳ ସମାଧି ଦେବାକୁ ନିଆଯାଏ । ବିଭିନ୍ନ ପ୍ରକାର ଆତସବାଜି , ବିବିଧ ବାଦ୍ୟ ଏବଂ ଉତ୍କଟ ଶବ୍ଦଯୁକ୍ତ ଡ଼ାକବାଜି ଯନ୍ତ୍ର ସହିତ ଆସୁରିକ ମାଦକଦ୍ରବ୍ୟ ସେଵନ ପୂର୍ବକ ଅଶ୍ଳୀଳ ସଙ୍ଗୀତର ତାଳେ ତାଳେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରି ମା;ଙ୍କର ଭସାଣି ଉତ୍ସବ ପାଳନ କରାଯାଏ । ଫଳତଃ ଶବ୍ଦ ପ୍ରଦୂଷଣ , ବାୟୁ ପ୍ରଦୂଷଣ ଏବଂ ଭକ୍ତିଭାବନାର ରୂପାନ୍ତର ଘଟେ । ସର୍ବସାଧାରଣ ଶ୍ରୁତିହୀନତା ଏବଂ ହୃଦ୍ଘାତ ଭଳି ଦୁରାରୋଗ୍ୟର ଶିକାର ହୋଇ ମୃତ୍ୟୁ ମୁଖରେ ନିପତିତ ହୁଅନ୍ତି । ବହୁ ମୂଲ୍ୟବାନ ଜୀବନ ଅଚିରେ ଝରିପଡ଼େ । ପ୍ରତ୍ୟେକ୍ଷରେ ନ ହେଲେବି ପରୋକ୍ଷରେ ଆପଣାର ସଂକୀର୍ଣ୍ଣ ଆମଦାତା ପାଇଁ , ବହୁ ନିରୀହ ଜୀବନକୁ ମୃତ୍ୟୁ ମୁଖକୁ ଠେଲିଦେଇ ହତ୍ୟାକାରୀ ଭାବେ ପରିଗଣିତ ହେଉ ନାହାନ୍ତି ତ ? ଶେଷରେ ମୃଣ୍ମୟୀ ମୂର୍ତ୍ତିମାନଙ୍କୁ ଭାରିଯାନ ଉପରୁ ଧକ୍କା ମାରି ଜଳକୁ ଠେଲିଦେବାର ଦୃଶ୍ୟ ଅତ୍ୟନ୍ତ ମର୍ମନ୍ତୁଦ ଏବଂ ହୃଦୟ ବିଦାରକ । ଯାହା ସମଗ୍ର ମାତୃଶକ୍ତି ପ୍ରତି କୁଠାରଘାଟ ନୁହେଁ କି ? ଆପଣା ଭିତରେ ଥିବା ପ୍ରବଳ ଆସୁରିକ ଶକ୍ତିକୁ ପରାହତ କରିବାକୁ ଚେଷ୍ଟା କରିପାରୁନାହାନ୍ତି କିନ୍ତୁ ମହା ବିଜ୍ଞାନୀ, ମହା ପଣ୍ଡିତଙ୍କୁ ଅଧିକାଂଶ ସ୍ଥାନରେ ପୂଜାକରୁଥିବା ସ୍ଥଳେ ଆମେ ରାବଣ ପୋଡି କରି ନିଜର ଅହଂଭାବକୁ ପ୍ରଦର୍ଶନ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ଯଦି ଜଗତ୍‌ଜନନୀଙ୍କୁ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂକୀର୍ତ୍ତନ କରି ବିସର୍ଜନ କରାଯାଇ ପାରନ୍ତା ଏବଂ ସୁସ୍ଥ ପରିବେଶଟିଏ ଗଠନ ହୋଇ ପାରନ୍ତା ବୋଲି ଆଶା ଓ ବିଶ୍ବାସ । ସର୍ବଜନ ହିତାର୍ଥେ ଉପାସନା ସର୍ବଜନଙ୍କର ଅମଙ୍ଗଳର କାରଣ ନ ହେଉ ।

ଓଁ ସର୍ବ ମଙ୍ଗଲ୍ୟେ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ
ଶରଣ୍ୟେ ତ୍ରୟମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ।।

ଲୋକପ୍ରିୟ ଲେଖା

To Top