ଅଣୁଗଳ୍ପ

ଚୁଟି

Pravat Kumar Muduli's odia short story chuti

ମୋତେ ସବୁବେଳେ କୁହନ୍ତି ତୁମେ ଚୁଟି ଖୋଲା ରଖ, ଆଉ ମୁଁ ତାଙ୍କ କଥା ମାନେ ବି

ଚୁଟି

ସିଏ କହୁଥିଲେ ତାଙ୍କୁ କାଳେ ଲମ୍ବା ଘନ, ଆଉ ସୁନ୍ଦର ଛୁଟି ଭଲ ଲାଗେ । ମୁଁ ତାଙ୍କୁ କାଳେ ସେମିଟି ଦୁନିଆର ସବୁଠୁ ଅଧିକ ସୁନ୍ଦର ଦେଖାଯାଏ । ମୋତେ ସବୁବେଳେ କୁହନ୍ତି ତୁମେ ଚୁଟି ଖୋଲା ରଖ, ଆଉ ମୁଁ ତାଙ୍କ କଥା ମାନେ ବି । ତାଙ୍କର ପ୍ରତି କଥା ମାନିବାକୁ ମୋତେ ବି ଭଲ ଲାଗେ । କେବେ ବାଧ୍ୟ ବାଧକ ଅନୁଭବ ହେଇନି । ମୋ ପାଖରେ ଶୋଇଲା ବେଳେ ସେ ଚୁଟି ସହ ଖେଳେନ୍ତି ଆଉ ତାକୁ ଧରି କେତେ ତାର ପ୍ରଶଂସା ବି କରନ୍ତି । ମୋ ସୁଖ ଦୁଃଖ ସବୁ ସିଏ ବୋଲି ମୁଁ ଭାବି ନେଇଛି । ଶାଶୁ ଘରକୁ ଆସିବା ପାଇଁ ସିଏ ହିଁ ତ ଏକ ମାତ୍ର କାରଣ ଥିଲେ । ତାଙ୍କ ଭଲ ପାଇବା ସବୁବେଳେ ମୋ ପାଇଁ ଅବିରତ ଅଜାଡି ହୋଇ ରହିଥିଲା । କେବେ ତାଙ୍କୁ ଏତେ ରାଗ କି କ୍ରୋଧରେ ଦେଖିନି । କାହାକୁ ହୁଡ଼ିକି କହିବା, ଗାଳି ଗୁଲଜ କରିବା କେବେବି ଶୁଣିନି ।

ସେ ଦିନ କଣ ହେଲା କେ ଜାଣି ମୁଁ ଖାଇବା ବାଢି ଦେଇ ରୋଷେଇ ଘର ପଟେ ଥାଏ । ସେ ଖାଉଥିବା ଘରୁ ଜୋର୍‌ରେ ଗୋଟେ ଶବ୍ଦ ହେଲା । ମୁଁ ଦୌଡ଼ି ଯାଇ ଦେଖିଲି କି ସେ ନିଜେ ହିଁ ଖାଉଥିବ ବାସନାକୁ ଫିଙ୍ଗି ଘର ସାରା ଛିନ୍‌ଛତ୍ର କରିଛନ୍ତି । ତାଙ୍କ ମୁହଁ ରାଗରେ ଲାଲ ପଡି ଯାଇଛି, ଆଉ ମୁହଁରୁ ଖାଲି କୁଭାଷା ବର୍ଷଣ ହେଉଛି । ମୋତେ ସେଦିନ କେତେ କଥା କହିଗଲେ , ମୋ ମା’ ମୋତେ କିଛି ଶିଖେଇନି, ମୋ ସଂସ୍କାର ନାହିଁ, ମୁଁ ଗୋଟେ ପୋଚରୀ । କାହାକୁ କେମିତି ଶାନ୍ତିରେ ମୁଠେ ଖାଇବାକୁ ଦିଆଯାଏ ଜାଣିନି । ଏମିତି କେତେ କଣ… ଯାହା ପାଟିକୁ ଆସିଲା ବକି ଦେଇ ଗଲେ । ନା ସେଥିରେ ଥିଲା ଦୟା ନା କିଛି ବୁଝିବାର ଶକ୍ତି ଥିଲା ତାଙ୍କ ପାଖରେ । ପଚାରିବାରୁ ଜାଣିଲି ଯେ ମୁଁ କୁଆଡେ ସେଦିନ ବହୁତ ବଡ଼ ଭୁଲ କରି ଦେଇଛି । କାରଣ ସେ ଖାଉଥିବା ଖାଦ୍ୟରୁ ମୋ ଚୁଟି ଗୋଟେ ବାହାରିଛି ଆଉ ତାଙ୍କୁ ଖରାପ ଲାଗିଛି ସେଥିପାଇଁ ସେ ଏଭଳି ଏକ କାଣ୍ଡ ଘଟେଇଛନ୍ତି ।

ତାଙ୍କୁ ଖୁସି କରିବାକୁ ମୁଁ ସେଦିନ ମୁଣ୍ଡ ଛଡାଇ ଖୋଲା ରଖି ସୁଖାଉଥିଲି । କାଳେ ତାଙ୍କ ଖାଇବାରେ ଡେରି ହେଇଯିବ ଭାବି ରୋଷେଇ ବି କରିଦେଲି । ରୋଷେଇ କଲା ବେଳେ କେତେବେଳେ କଣ ପଡ଼ିଥିବ ମୁଁ କଣ ଜାଣିଥିଲି । ହେଲେ ସିଏ ବୁଝିଲେ ତ , ସେ ଦିନ ତାଙ୍କର ସେ ପ୍ରେମ, ପୁରୁଷ ପଣିଆ, ମଣିଷ ପଣିଆ ଆଉ ସ୍ତ୍ରୀ ର ସ୍ବାଧୀନତା ସମ୍ମାନ ସବୁ ପରସୀ ଦେଲେ ଏକାଥରେ । ମୋତେ ବୁଝିବାକୁ ବି ଥରେ ଚେଷ୍ଟା କଲେ ନାହିଁ । ନିଜ ମନକୁ ଯାହା ଆସୁଥିଲା କହୁଥିଲେ, ମୁଁ କବାଟ କଣରେ ମୁହଁ କୁ ଲୁଚେଇ ଖାଲି ଯାହା କାନ୍ଦୁଥିଲି ଆଉ ଭଗବାନଙ୍କୁ ପଚାରୁଥିଲି ।

ହେ ଭଗବାନ ଇଏ କଣ ତାଙ୍କ ଭଲ ପାଇବା ଥିଲା ମୋ ପାଇଁ, ସାମାନ୍ୟ କଥା ପାଇଁ ମୋତେ ଏତେ କଥା ଶୁଣିବାକୁ ପଡିଲା । ସେହିଦିନଠାରୁ ଜାଣିଲି ଯେ ପୁରୁଷ ମାନେ ନାରୀକୁ ଉପଭୋଗର ବସ୍ତୁ ବୋଲି ଭାବନ୍ତି, ତାଙ୍କ ହିସାବରେ ଚାଲିବ, ହସିବ, ସଜେଇହେବ ଯଦି ତୁମେ ଦୁନିଆର ସବୁଠୁ ଭଲ ସ୍ତ୍ରୀ ହେଇ ପାରିବ । କେବେ ତାଙ୍କର ସ୍ତ୍ରୀ ପ୍ରତି ଟିକେ ସହାନୁଭୂତି ନ ଥାଏ ସବୁବେଳେ ସେ ନିଜ କଥା ଚିନ୍ତା କରନ୍ତି । ମୁଁ ସେଦିନ ରାତି ସାରା ଭାବୁଥାଏ ମୋ ଚୁଟି ସତରେ ତାଙ୍କୁ ଭଲ ଲାଗେ ନା ଘୃଣା, ଯେଉଁଥିପାଇଁ ଏସବୁ କଲେ । ଧନ୍ୟ ତୁମ ଭଲ ପାଇବା ଧନ୍ୟ ତୁମ ପ୍ରେମ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top