କବିତା

ଆଲାନ୍‌ କୁର୍ଦି

Brundabana Das's odia poem Alan Kurdi

ଗୋଟେ ପରିତ୍ୟକ୍ତ ବିବର୍ଣ୍ଣ ସକାଳରୁ
ତମାମ ଦିନର ବିଭତ୍ସ ଚିତ୍ର
ଛାପି ହୋଇଯାଏ ମନରୁ ମନ ସର୍ବତ୍ର
ସବୁ ମଣିଷର ମଣିଷପଣିଆକୁ ତାତ୍ସଲ୍ୟ କରି ।

ଆଲାନ୍‌ କୁର୍ଦି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଲାନ୍‌ କୁର୍ଦି : ବୟସ – ତିନିବର୍ଷ
ସାକିନ୍‌ : ସନ୍ତ୍ରାସ – ନା’… ନା’… ଦୁରାରୋଗ୍ୟ
କ୍ୟାନ୍ସର କବଳିତ ସିରିଆସ୍ଥ କୋବୋନି ସହର
ପ୍ରତିହିଂସା ଓ ଲୁହର ନିଆଁରେ ଜଳି
ଦୁଃସ୍ୱପ୍ନରେ ଘାଣ୍ଟି ହେଉଥିବା ଗୋଟେ ନାଚାର ସହର
ଗୋଟେ ନାଚାର ବିଶ୍ବର କ୍ଷୁଦ୍ର ପ୍ରତିରୂପ ।

ସମ୍ଭାବନାର ସୁନ୍ଦର କଢିଟିଏ
ମୁକୁଳିତ ହେବାର ବହୁ ପୂର୍ବରୁ ଝଡ଼ିପଡ଼େ
ଝଡ଼ିପଡ଼େ ପୃଥିବୀ ପୃଷ୍ଠସ୍ଥ ସବୁ ବଗିଚାର
ପେନ୍ଥା ପେନ୍ଥା ସାରାଫୁଲ ତା’ ଉପରେ
ଗୋଟେ ପରିତ୍ୟକ୍ତ ବିବର୍ଣ୍ଣ ସକାଳରୁ
ତମାମ ଦିନର ବିଭତ୍ସ ଚିତ୍ର
ଛାପି ହୋଇଯାଏ ମନରୁ ମନ ସର୍ବତ୍ର
ସବୁ ମଣିଷର ମଣିଷପଣିଆକୁ ତାତ୍ସଲ୍ୟ କରି ।

ଅବୋଧ ନିରୀହ ଶିଶୁ
ନିଜ ଅବର୍ତ୍ତମାନରେ ପାଲଟି ଯାଏ
ଏକ ଉପେକ୍ଷିତ ମୂହୂର୍ତ୍ତର କରୁଁ ଦୀର୍ଘଶ୍ବାସ
ଦୋହଲାଇ ଦିଏ ମଣିଷ ଜାତିର ଛାତି
ଦାଗ ହୋଇ ଲେଖିଦେଇ ଯାଏ ହୃଦୟରେ
ଘୃଣା ଓ ଧର୍ମାନ୍ଧତାରେ ଚକ୍‌ ଚକ୍‌ ଦସ୍ତାବିଜ୍‌
ଏକ ଖୋଲା କଳଙ୍କିତ ଇତିହାସର
ଦରଲିଭା ବହୁ ଅପକଥା ।

ଆଲାନ୍‌ କୁର୍ଦି ସବୁରି ପାଶେ ସବୁଠି ଥାଏ
କେଉଁଠି ପଦ୍ମ ପତ୍ରରେ ଢଳ ଢଳ ମୁକ୍ତାବିନ୍ଦୁଟିଏ ତ
କେଉଁଠି ଛଳ ଛଳ ଶୈଶବର
ସହଜ ତରଳ ସରୁ ଧାରଟିଏ
ପୁଣି ଦେବତ୍ୱର ଶୁଭ୍ର ଆଭାରେ
ଝଟକୁଥିବା ନୀଳ ତାରାଟିଏ
ସବୁରି ମୁହଁରେ ଆସନ୍ତା କାଲିର ସାଙ୍କେତିକ ଭାଷା ସିଏ
ସେ କ’ଣ ସହଜରେ ହଜିପାରେ
ନା’ ସମୟ ତାକୁ ଲୁଚେଇ ରଖିପାରେ
ନୀଳ ତରଙ୍ଗର ଧବଳ ଉତ୍ତରୀୟ ତଳେ !!

ସମୁଦ୍ର ତଟରେ ଶୋଇ ଯାଇନି ସେ
ଶୋଇ ଯାଇଛି ଆମ ପୁରୁଷାକାର ପାରିଲା ପଣ
ତା’ ଶାୟିତ ମୁଦ୍ରାର ନିସ୍ତେଜ ଛବି
ଚେତେଇଦିଏ ଆମ ଆଖିରେ ଆଙ୍ଗୁଠି ଗୁଞ୍ଜି
କେଉଁ ଗୋଷ୍ଠି ଧର୍ମ ମତବାଦର ଦୌଡ଼ରେ ସେ ?
କେଉଁ ଈଶ୍ବର ତା’ଠୁଁ ବଞ୍ଚିବାର ଅଧିକାର ଛଡ଼େଇ
ଅସହାୟତାର ଯୂପକାଠରେ ବଳି ପକାଅନ୍ତି ?

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top