“ଗୁଡ ମର୍ଣିଂ, ମା’ମ,” ପିଲାଏ ଏକ ସ୍ଵରେରେ କହିଥିଲେ, ମୋବାଇଲ୍ରେ ଭିଡିଓ କନ୍ଫରେନ୍ସିଂରେ ଅନ୍ଲାଇନ କ୍ଳାସ୍ ଆରମ୍ଭ କରିବା ମାତ୍ରେ ଅନିତା । କାନ୍ଥ ଘଣ୍ଟାକୁ ଚାହିଁଲା, ଆଠଟା ବାଜି ପାଞ୍ଚ ମିନିଟ୍ ହୋଇଛି । ତରତରରେ ନିଜକୁ ସଜାଡି ନେଇ କହିଲା ଅନିତା, “ଗୁଡ ମର୍ଣିଂ, ଚିଲ୍ଡ୍ରେନ । ”
“ନିଜ ନିଜର ବହିର ସପ୍ତମ ଅଧ୍ୟାୟ ଖୋଲ । କାଲି ପଢାଇ ଥିଲି, ମାନେ ବି ବୁଝାଇ ଦେଇଛି, ଜଣେ ପରେ ଜଣେ ଗୋଟେ ଗୋଟେ ପାରାଗ୍ରାଫ ପଢ । ଆଉ ହଁ, ନିଜ ନାମର ଆଲଫାବେଟ ଅନୁସାରେ ପଢିବ । ”
ଅବିନାଶ ପଢିବା ଆରମ୍ଭ କରି ଦେଇଥିଲା, “ଦେୟାର ୱାଜ୍ ଏ କିଙ୍ଗ ………. । ”
ରୁ୍ର କବାଟ ବନ୍ଦ କରୁ କରୁ ଅନିତାକୁ ଶୁଭୁଥିଲା ଚିତ୍କାର ଓ କାନ୍ଦଣା- ତାର ଦୁଇ ବର୍ଷର ପୁଅ ଗୁଡୁଲୁର ।
“ମାମା ପାଖକୁ ଯିବି । ”
“ଚୁପ ହେଇଯାରେ ବାବା – ବାହାରକୁ ଯିବା, ଚଢେଇ ଦେଖିବା, ଖାଇବା,” ଗୁଡୁଲୁର ବେବୀସିଟର ହେମା ତାକୁ ସମ୍ଭାଳିବା ପାଇଁ ଚେଷ୍ଟା କରୁଥିଲା ।
ପିଲାଟାକୁ କାଲିଠୁ ଜ୍ଵର, ଜମା ଛାଡୁନି । ସବୁବେଳେ ଅନିତା ସହ ରହିବାକୁ ଜିଦ୍ କରୁଛି ।
ସେ ଖୁଆଇଲେ ଯାଇ ଖାଉଛି ।
“ମାଡାମ, ଆଜି ଛୁଟି ନେଇ ନିଅନ୍ତୁ,” କହୁଥିଲା ହେମା ।
“ନାଇଁ, ପିଲାଙ୍କ ପଢା ବହୁତ ପଛେଇ ଯାଇଛି କରୋନା ପାଇଁ । ଛୁଟି ନେବିନି,” କହି ତରତରରେ କବାଟ ବନ୍ଦ କରିଦେଲା ଅନିତା ।
ଏମିତି ସ୍କୁଲ ଗଲେ କିଛି ସମୟ ପାଇଁ ଗୁଡୁଲୁ କଥା ଭୁଲିଯାଏ, ସ୍କୁଲରେ ତ ଆହୁରି ଅନେକ ଗୁଡୁଲୁ ଅଛନ୍ତି ଯେଉଁ ମାନଙ୍କର ଯତ୍ନ ନେବା ତା ପାଇଁ ଅତ୍ୟନ୍ତ ଆବଶ୍ୟକ । ସେତେବେଳେ ସେ ତାର ସାମର୍ଥ୍ୟ ମୁତାବକ ସମୟ, ଶକ୍ତି ଦେଇଥାଏ ପିଲାମାନଙ୍କୁ ପଢାଇବା, କିଛି ଶିଖାଇବାରେ । ଭଲ ରାଷ୍ଟ୍ର, ସମାଜ, ଓ ପୃଥିବୀ ଗଢିବାର ଗୁରୁ ଦାଇତ୍ଵ ତା ଭଳି ଶିକ୍ଷକ ମାନଙ୍କ ଉପରେ ନ୍ୟସ୍ତ ହୋଇଛି ।
ଘରେ ଥିଲେ ସେ ମା’ର କର୍ତବ୍ୟ କରି ଥାଏ । ପୁରା ସମୟ ଗୁଡୁଲୁକୁ ଦିଏ ।
ବେଳେ ବେଳେ ଦୁଇଟା ବାଲାନ୍ସ କରିବାକୁ ଟିକେ କଷ୍ଟ ହୁଏ ତାକୁ, ତଥାପି ଜୀବନ ଛାଲିଛି ।
ଗୁଡୁଲୁ ଜନ୍ମ ହେଲା ପରେ ଶାଶୁଘର ଲୋକେ ତାକୁ ଶିକ୍ଷକତା ଛାଡିବା ପାଇଁ କହିଥିଲେ । ମାତ୍ର, ପିଲା ଦିନରୁ ବାପାଙ୍କ ଆଦର୍ଶରେ ଅନୁପ୍ରାଣିତ ଅନିତା ଦୃଢ ନିର୍ଣ୍ଣୟ ନେଇଥିଲା ଯେ ମଣିଷ ଗଢିବାର ପ୍ରକ୍ରିୟାରେ ଅଣୁ ମାତ୍ର ହେଲେ ବି ସେ ତା ଯୋଗଦାନ ଜାରି ରଖିବ ।
ଏମିତି କି, ସହକର୍ମୀ ଜଣେ ଦିଜଣ ଉପଦେଶ ଦେଇଛନ୍ତି ଯେ, “ଆପଣ ପାଠ ପଢାଇବା କଥା ପଢାଇବେ । କିନ୍ତୁ ପିଲାଙ୍କ ଦେହପା, ଚରିତ୍ର ଇତ୍ୟାଦି ପାଇଁ ଏତେ ଟା ମୁଣ୍ଡ ପୂରେଇବା କଣ ଦରକାର ? ଏବେ ନିଜେ ମା ହେଲେଣି, ନିଜ ଛୁଆ ଆଡକୁ ଧ୍ୟାନ ଦିଅନ୍ତୁ” ଉତ୍ତରରେ ଅନିତା କହେ, “ଶିକ୍ଷକତା ମୋ ପାଇଁ ପେଶା ନୁହେଁ, ଏକ ନିଶା । ”
“ଏଇ ବର୍ଷ ରାଷ୍ଟ୍ରପତି କି ରାଜ୍ୟପାଳଙ୍କ ଶ୍ରେଷ୍ଠ ଶିକ୍ଷକଙ୍କ ତାଲିକାରେ ଆପଣଙ୍କ ନା ତ ନିଶ୍ଚିତ ଆସିବ,” ଥଟ୍ଟା କରିବା ଢଙ୍ଗରେ ଅଶୋକ ସାର ତାଚ୍ଛଲ୍ୟ କରି କହିଥିଲେ । ମର୍ମାହତ ହୋଇଥିଲେ ମଧ୍ୟ କଥାକୁ ନ ବଢାଇ ଚୁପ ରହିଥିଲା ଅନିତା ।
* * * * *
“ମାଡାମ, ମାଡାମ, ସମସ୍ତେ ପଢି ସାରିଲେଣି,” କ୍ଳାସ ମନିଟର ରଶ୍ମି କହିଲା ।
ଭାବନା ରାଜ୍ୟ ରୁ ଫେରିଲା ଅନିତା ।
ପିଲାଏ ପଢି ସାରିଲେଣି, ସେ ଶୁଣିନି ଭଲରେ କି କାହାର ଭୂଲକୁ ସୁଧାରିବାକୁ ଚେଷ୍ଟା ବି କରିନି । ତାର ଏଇ ମାତୃତ୍ଵ ଆଉ କର୍ତବ୍ୟ ଭିତରେ ଯୁଦ୍ଧରେ ଉଭୟ ହାରି ଯାଇଥିଲେ, କେବଳ ଏଇ କରୋନା ମହାମାରି ପାଇଁ ।
ନିଜ ଭିତରେ ଦୋଷୀ-ଦୋଷୀ ଲାଗୁଥିଲା ଅନିତାକୁ ।
