ସଭ୍ୟତାର ସମ୍ଭାର ପରିସ୍ଫୁଟ ହୁଏ ପ୍ରଗତି, ପରମ୍ପରା, ପରିମାର୍ଜିତ ସଂସ୍କାର ଓ ସଂସ୍କୃତିକୁ ନେଇ। ପ୍ରାଚୀନ ପ୍ରସ୍ତର ଯୁଗରୁ ଅଧୁନା ପରମାଣୁ ଯୁଗ ଯାଏ ପରିବର୍ତ୍ତିତ କରିଦେଇଛି ସ୍ଥୂଳ ଜୀବନ ର ଭାବାବେଗ, ଚରିତ୍ର ଓ ଚେତନାର ଅଭିବୃଦ୍ଧି। ମଣିଷ ର ବୌଦ୍ଧିକ ଦିଗରେ ଅଗ୍ରଗତି ନିଃସନ୍ଦେହ ପ୍ରଶଂସନୀୟ, ଆଈମା’ କୋଳର ଜହ୍ନ ରାଇଜର କପୋଳକଳ୍ପିତ କାହାଣୀ ଆଜି ବାସ୍ତବରେ ଏକ ସଫଳ ମହାକାଶ ମାରାଥନ୍ଯାତ୍ରାରେ ରୁପାନ୍ତରିତ ହୋଇପାରିଛି। ମଣିଷର ବୈଜ୍ଞାନିକ ଜ୍ଞାନ କୌଶଳ ଯୁଗାନ୍ତକାରୀ ବୈପ୍ଳବିକ ଉନ୍ନତି ଆଣିଦେଇଛି ତାର ଦୈନନ୍ଦିନ ଜୀବନଶୈଳୀ ଓ ପାର୍ଥିବ ପରିତୃପ୍ତିରେ। ଏସବୁ ଯାବତୀୟ ଉନ୍ନତିର ଅନ୍ତରାଳରେ ମଣିଷ ତାର ନୈତିକତା ସ୍ଖଳନ ଓ ଆଧ୍ଯାତ୍ମିକ ଅଧୋଗତି ପାଇଁ ଆଜି ଅନୁତପ୍ତ ଏବଂ ଅନ୍ତକରଣ କରି ସୁପ୍ତ ଚେତନାର ଅନୁସନ୍ଧାନକାରୀ। ଯୁଗ ଯୁଗରୁ ଦେବଭୂମି ଭାରତ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି ନିଜର ଆଧ୍ଯାତ୍ମବାଦୀ ସଂସ୍କାର, ସଂସ୍କୃତି ଓ ପରମ୍ପରା ପାଇଁ। ପରମ୍ପରାର ଏକ ନିଛକ ଚରିତ୍ର ପ୍ରତିବିମ୍ବିତ ହୁଏ ତାର ପର୍ବ ପର୍ବାଣୀରେ। ପ୍ରତ୍ୟେକଟି ପର୍ବ କେଉଁ ଏକ ଭାବଧାରା, ଜୀବନ ଶୈଳୀ, ଆସ୍ଥା, ବିଶ୍ବାସ ଓ ଚେତନାର ପରିପାଟୀକୁ ପର୍ଯ୍ୟବେସିତ କରିଥାଏ ଯାହା ସମାଜକୁ କରିଥାଏ ରୁଦ୍ଧିମନ୍ତ ଏବଂ ଭାବୀପିଢ଼ିକୁ ଏକ ଶିକ୍ଷଣୀୟ ଢାଞ୍ଚାରେ ଅନୁପ୍ରାଣିତ। ଅନେକ ପର୍ବ ମଧ୍ଯରେ ସମଗ୍ର ଭାରତୀୟ ପରମ୍ପରାକୁ ପ୍ରଭାବିତ କରିପାରୁଥିବା ପର୍ବଟିଏ ହେଲା ପୁଣ୍ଯ ଦୀପାବଳୀ।
ହିନ୍ଦୁ ଚନ୍ଦ୍ର-ସୌର ମାସ, ପବିତ୍ର କାର୍ତ୍ତିକ ଅମାବାସ୍ଯାରେ ଦଶହରାର ୨୦ ଦିନ ପରେ ଇଂରାଜୀ ମାସ, ମଧ୍ଯ ଅକ୍ଟୋବର ଓ ମଧ୍ଯ ନଭେମ୍ବରରେ ପାଳିତ ହୁଏ ଏହିପର୍ବ ଯାହା ପ୍ରତିପାଦନ କରେ ଅନ୍ଧକାର ବିରୁଦ୍ଧରେ ଆଲୋକର ଜୟ, ମନ୍ଦ ବିପକ୍ଷରେ ଭଲର ପ୍ରଶଂସା ଏବଂ ଅଜ୍ଞାନ ବଦଳରେ ଜ୍ଞାନର ବ୍ଯାପକତା । ଦୀପାବଳୀ ମୁଖ୍ଯତଃ ଧନଧାନ୍ୟ ଓ ପ୍ରତିପତ୍ତିର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀଙ୍କ ପୂଜନ ପାଇଁ ଉଦିଷ୍ଟ ହୋଇଥିଲାବେଳେ କିଛି ଆଂଚଳିକ ଆସ୍ଥା ଅନୁଯାୟୀ ମାତା ସୀତା, ପ୍ରଭୁ ରାମ,ବିଷ୍ଣୁ, କୃଷ୍ଣ ,ଦେବୀ ଦୁର୍ଗା, ଯମରାଜ, ମାତା କାଳୀ, ଧନ୍ବନ୍ତରୀ ଏବଂ ବିଶ୍ୱକର୍ମା ଆଦି ଦେବାଦେବୀଙ୍କର ମାହାତ୍ମ୍ଯ ମଧ୍ଯ ଏହି ପବିତ୍ର ଅବସରରେ ମନ୍ଥନ କରାଯାଇ ଦୀର୍ଘ ୫ ଦିନର ପାର୍ବଣ ଛୁଟି ମନା ଯାଇଥାଏ। ପ୍ରଥମ ଦିନ ଧନତେରାସ୍, ଯେଉଁ ଦିନ ସମ୍ପୂର୍ଣ୍ଣ ଘର ଦ୍ବାର ପରିଷ୍କାର ପରିଛନ୍ନ କରି, ରଙ୍ଗୋଲି ପ୍ରସ୍ତୁତ କରି, ମା ମାନେ ସୁନା ରୂପା ଆଦି ମୂଲ୍ଯବାନ ଧାତବୀୟ ପଦାର୍ଥ ମାନ କିଣି ଥାଆନ୍ତି। ଦ୍ବିତୀୟ ଦିନ ହେଲା ନରକ ଚତୁର୍ଦ୍ଦଶୀ, ଦକ୍ଷିଣ ଭାରତୀୟ ପରମ୍ପରା ଅନୁଯାୟୀ ଏହିଦିନ ଦୀପାବଳୀର ମୁଖ୍ଯ ଦିନ ଯେଉଁ ଦିନ କୃଷ୍ଣ ନରକାସୁରକୁ ବଦ୍ଧ କରି ଷୋଳସହସ୍ର କନ୍ଯାଗଣଙ୍କୁ ଉଦ୍ଧାର କରିଥିଲେ । ତୃତୀୟ ଦିନ ହେଲା ଲକ୍ଷ୍ମୀ ପୂଜନ ବା କାଳୀପୂଜା, ଏହିଦିନ ଭାରତର ବାକି ସମସ୍ତ ପ୍ରାନ୍ତରେ ମୁଖ୍ଯ ଦୀପାବଳୀ ଭାବେ ବିବେଚନା କରାଯାଏ। ପୌରାଣିକ ଗ୍ରନ୍ଥ ଅନୁସାରେ ଏହିଦିନ ରଘୁପତି ପ୍ରଭୁ ରାମଚନ୍ଦ୍ର ଦୀର୍ଘ ୧୪ ବର୍ଷ ବନବାସ ପୂର୍ଣ୍ଣ କରି ରାକ୍ଷସ ରାବଣକୁ ବଧ କରି ଭ୍ରାତା ଲକ୍ଷ୍ମଣ ଓ ମାତା ସୀତାଙ୍କ ସହ ଅଯୋଧ୍ୟା ପ୍ରତ୍ଯାବର୍ତ୍ତନ କରିଥିଲେ। ଆନନ୍ଦିତ ପୁରବାସୀ ଆଲୋକିତ ଦୀପ ମାଳା, ଆତସବାଜି, ମିଷ୍ଟାନ୍ନରେ ଉତ୍ସବମୁଖରିତ କରିଦେଇଥିଲେ ଚତୁର୍ଦ୍ଦିଗ। ଚତୁର୍ଥ ଦିନ ହେଲା ଗୋବର୍ଦ୍ଧନ ପୂଜା ଓ ବଳିପ୍ରତିପଦ, ଯାହାକି ସ୍ବାମୀ ସ୍ତ୍ରୀଙ୍କର ନୈସର୍ଗିକ ସମ୍ପର୍କ ପ୍ରତି ଉତ୍ସର୍ଗୀକୃତ। ପଞ୍ଚମ ଦିନ ହେଲା ଭାଇଦୂଜ୍, ଯାହା ଭାଇ ଭଉଣୀମାନଙ୍କ ପବିତ୍ର ସମ୍ପର୍କର ଏକ ଅତୁଟ ଆବେଗିକ ଉତ୍ସବ। ଏହି ପଞ୍ଚମ ଦିବସକୁ କିଛି ହିନ୍ଦୁ ଓ ଶୀଖ୍ ଧର୍ମାବଲମ୍ବୀ ବିଶ୍ବକର୍ମା ପୂଜା ଭାବେ ପାଳନ କରନ୍ତି।
ପବିତ୍ର ଦୀପାବଳୀ ହିନ୍ଦୁ, ଜୈନ, ଶୀଖ୍ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ଭିନ୍ନ ଭିନ୍ନ ବିଶ୍ବାସକୁ ନେଇ ପାଳନ କରାଯାଏ। ଜୈନ ମାନେ ଦୀପାବଳୀକୁ ମହାବୀରଙ୍କ ମହାନିର୍ବାଣ ଦିନ ଭାବେ ପାଳନ କରନ୍ତି, ଶୀଖ୍ମାନେ ଦୀପାବଳୀକୁ ବନ୍ଦୀ ଛୋର ଦୀବସ ଭାବେ ବିବେଚନା କରନ୍ତି ଯେଉଁ ଦିନ ଗୁରୁ ହରଗୋବିନ୍ଦ ମୋଗଲ୍ ସମ୍ରାଟ ଜାହାଙ୍ଗୀରଙ୍କ ଗୋଆଲିୟର୍ କରାଗାରରୁ ମୁକ୍ତ ହୋଇଥିଲେ। ନେଓ୍ବାରୀ ବୌଦ୍ଧଧର୍ମାବଲମ୍ବୀ ମାନେ ଦୀପାବଳୀକୁ ଲକ୍ଷ୍ମୀ ପୂଜନ କରୁଥିବା ବେଳେ ବଙ୍ଗୀୟ ହିନ୍ଦୁ ମାନେ ଦୀପାବଳୀରେ ମାତା କାଳୀଙ୍କୁ ଉପାସନା କରିଥାନ୍ତି।
ମୌଳିକ ଆସ୍ଥା, ବିଶ୍ବାସ, ନିଷ୍ଠା ଓ ପ୍ରାସଙ୍ଗିକତା ପରିପ୍ରେକ୍ଷୀରେ ପରିବର୍ତ୍ତନର ଆବର୍ତ୍ତନୀ ସୁଅରେ ଆଜି ଅନେକ ବଦଳି ଯାଇଛି ଦୀପାବଳୀ ପର୍ବର ମାହାତ୍ମ୍ଯ। ହେଲେ ସୂକ୍ଷ୍ମ ଅନୁଧ୍ଯାନ କଲେ ଜଣାଯାଏ ଆମ ଅଜାଣତରେ ମଧ୍ଯ ଆଜିର ଏହି ଅପଭ୍ରଂଶ ପରମ୍ପରାଗତ ଦୀପାବଳୀ ଉଜ୍ଜୀବିତ କରି ରଖିପାରିଛି ମାନବତ୍ବର ଅନେକ ମୂଲ୍ଯବୋଧକୁ। ଆଜିର ଓୌଦ୍ୟୋଗିକ ଦୁନିଆରେ ଏହି ଦୀପାବଳୀ ଦିନ ଯୋଗ୍ୟତା ଓ ପ୍ରତିଷ୍ଠିତିର ଲକ୍ଷ୍ମଣ ରେଖା ଡେଇଁ ପରସ୍ପରକୁ ସାମୟିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିବାଦନ, କାର୍ଯ୍ୟବ୍ୟସ୍ତ ବସ୍ତୁବାଦୀ ଦୁନିଆରେ ବିରଳ ହେଲେବି ସମ୍ଭବ ହୋଇଥାଏ। ମିଷ୍ଟାନ୍ନ,ବିଭିନ୍ନ ଆକର୍ଷଣୀୟ ଭେଟି ସହ ଦୀପାବଳୀ ବୋନସ୍ଦେଇ ମାଲିକମାନେ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ଓୌଦ୍ୟୋଗିକ ଏବଂ ଘରୋଇ ଅନୁଷ୍ଠାନ ମାନଙ୍କରେ କର୍ମଚାରୀମାନଙ୍କୁ ବର୍ଷ ରେ ଥରୁଟିଏ ହେଲେବି କେବଳ ବ୍ୟବସାୟିକ ସଂମ୍ପର୍କରୁ ଉର୍ଦ୍ଧ୍ବକୁ ଉଠି ଭାଇଚାରାର ଦୃଷ୍ଟାନ୍ତ ଦିଅନ୍ତି। ସମସ୍ତ ମାନ, ଅଭିମାନରୁ କ୍ଷଣିକ ନିବୃତ ହୋଇ ସାମୟିକ ହସ ଖୁସିର ଆସର ଖେଳି ଯାଇଥାଏ ଦୀପାବଳୀର ଏହି ପାର୍ବଣ ପାଞ୍ଚ ଦିନରେ ଧନୀ ଦରିଦ୍ର ସବୁରି ଘର ଅଗଣାରେ। ଦୀପାବଳୀ ଦୀପର ଘିଅସଳିତାର ଆଲୋକରେଖା ସତେଯେପରି ମଣିଷର ଜୀବନ ରେଖାକୁ ବାଟ କଢ଼ାଇ ନିଏ ପ୍ରସନ୍ନତାର ଏକ ଆଲୋକିତ ରାମରାଜ୍ଯକୁ। ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦର ରଶ୍ମି ସୁଖ ସମୃଦ୍ଧିରେ ପୁଲକିତ କରେ ମାନବ ଜୀବନର ସିମୀତ ଅବଧିକୁ। କହିବା ବାହୁଲ୍ଯ, ଦୀପତଳ ଅନ୍ଧାର ପରି ମଣିଷ ତାର ଅଜ୍ଞାନତା ଓ କୁସଂସ୍କାରର ପରିଧିକୁ ଜ୍ଞାନ ଓ ଚେତନାର ବିକଶିତ ଆଲୋକରେ ଜାଜୁଲ୍ୟମାନ କରି, ସ୍ରଷ୍ଟାଙ୍କର ସର୍ବୋତ୍ତମ ସୃଷ୍ଟି ବୋଲି ନିଜକୁ ପ୍ରତିପାଦିତ କରିବାକୁ ଆଜିର ଏହି ପୁଣ୍ଯ ଦୀପାବଳୀରେ ଦିବ୍ଯ ପ୍ରତିଜ୍ଞା ନେବ।