କବିତା

ରାତି

Dr Nilamadhab Kar's odia poem Raati

ଆଉ ଟିକେ ଗଭୀର ହେଲେ
ରାତି ଭାରୀ ଲୋଭନୀୟ
ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’
ଏଠି କିଛି ଭେଦାଭେଦ ନାହିଁ
ଉଚ୍ଚ ନୀଚ ନାହିଁ
ନା ମନ, ନା ଅଭିମାନ
କିଛି ଦିଶେ ନାହିଁ
କାୟା ନାହିଁ, ଛାୟା ନାହିଁ
ମାୟା ବି ନାହିଁ ।

ରାତି

ଦିପହର ଡେଇଁ, ସୂର୍ଯ୍ୟ ନଇଁ ଗଲାପରେ
ସନ୍ଧ୍ୟା ଯେବେ ହୁଏ ଧୀରେ ଧୀରେ
ସଞ୍ଜବତୀ ଜଳେ,
ଓଦା ଓଦା ମାଟି ଉପର ଦେଇ
ଚହଲିଆ ହେମାଳ ପବନ
ଦେହ ମନ ଛୁଇଁଯାଏ ।

ଧୂଆଁର ସରୁ ସରୁ ଧାରସବୁ
ଚାଳ ଉପରୁ ଉଠି, ଛୁଏଁ ଆକାଶ
ମିଶିଯାଏ ଆଉଟିକେ ବାକିଥିବା
ଈଷତ ସଫେଦ ନୀଳ ପରଦାରେ
ଅନନ୍ତ ବ୍ୟାପ୍ତିରେ ।

ମନ୍ଦିର ଆଳତୀର ଘଣ୍ଟା ଶୁଭେ
ଭାସିଆସେ ପ୍ରାର୍ଥନାର ସ୍ୱର
କୋମଳ କଣ୍ଠର, ଅସ୍ପଷ୍ଟ ଶବ୍ଦରେ କିନ୍ତୁ
ବାରି ହେଇଯାଏ ଭାବ
ଛୁଇଁ ଯାଏ ହୃଦୟ ଅନ୍ତର ।

ଆଉ ଟିକେ ଗଭୀର ହେଲେ
ରାତି ଭାରୀ ଲୋଭନୀୟ
ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’
ଏଠି କିଛି ଭେଦାଭେଦ ନାହିଁ
ଉଚ୍ଚ ନୀଚ ନାହିଁ
ନା ମନ, ନା ଅଭିମାନ
କିଛି ଦିଶେ ନାହିଁ
କାୟା ନାହିଁ, ଛାୟା ନାହିଁ
ମାୟା ବି ନାହିଁ ।

କିଛି ସମୟ ନିଜକୁ ହଜେଇବାର
ଭୁଲିଯିବାର,
ଥାଇ ନଥିବାର ଅନୁଭୂତି ସେଠି
ମନ ଇଚ୍ଛା ନିଜ ସଙ୍ଗେ
ଲୁଚକାଳି ଖେଳିବାର
ହଜେଇ ଖୋଜିବା ଓ ମନ ହେଲେ
ପାଇବା ବା ନପାଇବାର ସୁଯୋଗ ସେଠି ।

ରାତିରେ ରାତିରେ
ବାରମ୍ବାର ନିଜକୁ ହଜେଇ
ପୁଣି ପୁଣି ଖୋଜିବାର ମଜା
ଅନ୍ଧାରରେ ନିଜ ସଙ୍ଗେ ମାତିବାର
ମଞ୍ଚ ସଜେଇଥାଏ ରାତି ।

ହସ ଲୁହର ସଂଜ୍ଞା
ଦୁଃଖ ସୁଖର ଭାଷା
ନିରର୍ଥକ ସେଠି
ସୂର୍ୟୋଦୟରେ ପୁର୍ନଜନ୍ମ ପାଇଁ
ଅପେକ୍ଷା କରିବାର ସମୟ – ରାତି
ସବୁ ଆବର୍ଜନାକୁ ଫିଙ୍ଗି
ପୁଣି କଢିଟିଏ ପରି ମୁଣ୍ଡ ଟେକିବାର
ସୁଯୋଗ ଦିଏ, ଯୋଗ୍ୟ କରାଏ ରାତି ।

ଲୋକପ୍ରିୟ ଲେଖା

To Top