“ବାପା ରହିଯାଅ, ରହିଯାଅ … ମୁଁ ଯାଉଛି । “ମଥୁରି ଝିଅର ଡାକ ଶୁଣିଲା କି ନାହିଁ କେଜାଣେ ମୁଣ୍ତରେ ବୋଝ ମୁଣ୍ତେଇ ଟଳ ମଳ ହେଇ ଦାଣ୍ଡ ଦୁଆରୁ ଖୋଲା କବାଟ ଦେଇ ଅଗଣା ଆଡକୁ ଯାଉଥାଏ । ଶୋଭିତା ଶୀଘ୍ର ଧାଇଁ ଯାଇ ମୁଣ୍ଡରୁ ବୋଝ ଟା କାଢି ପାଦ ଧୁଳି ନେଲା । “ଏତେ ଓଜନିଆ ଜିନିଷ ମୁଣ୍ଡେଇଛ ! ଆଉ ପାରିବ? ” ମଥୁରି ଝିଅକୁ ଦେଖୂଲା ପରେ ‘ମାଁ … ରେ ‘- ତାର ପାଟି ବାଷ୍ପାକୁଳ ହେଇ ଆଖି ଦି ଡୋଳା ଚଞ୍ଚଳ ହେଇଉଠିଲା ।
ଶୋଭିତା ତା ବାପାଙ୍କୁ ଦେଖୁଛି ତା ବାପା ପୋଖରୀରେ ସଢ଼ି ସଢ଼ି ଆସୁଥିବା ପୌଷ ମାସର ଟାଣ ପଦ୍ମ ପତର ପାଲଟି ଗଲେଣି । ବୟସ ଚମଡାକୁ ଦୋହଲାଇ ଦେଇ ଯନ୍ତ୍ରଣାର ଗଭୀର ଦାଗ ଟାଣି ଦେଇଛି ମୁଁହ ସାରା । ଏମିତି ଅଦୃଶ୍ୟ ବୋଝ ହେଇ ପିଠିରେ ପଡିଛି ଯେ ମେରୁଦଣ୍ଡକୁ କେଇଟା ବର୍ଷରେ ବଙ୍କା କରିଦେଲା ।
ସେଇ ଘର ସେଇ ଅଗଣା କିଛି ବି ପରିବର୍ତ୍ତନ ନାହିଁ। କକ୍ଷଗୁଡିକ ଗୋଲାକାର ହେଇ ବସିଛି ଓ ଅଗଣାର ମଝିରେ ତୁଳସୀ ନଥିବା ସେଇ ସମୟର ଚଉଁରା ଖରା, ବର୍ଷା, ଶୀତ ଖାଇ ଜରା ଜୀର୍ଣ୍ଣ ହେଇ ପଡିଛି । ଦାଣ୍ଡ କବାଟ ଖୋଲା ଥିଲେ ଅଗଣା ଟି ଛୋଟ ଗୋଲାକାର ଖେଳ ପଡିଆଟି ପରି ପ୍ରତ୍ୟୟମାନ ହୁଏ ଏବଂ ଏହାକୁ ଦୁଇ ଭାଗ କରି ମଧ୍ୟମ ରେଖାର ସୂଚକ ହେଇ ଦଣ୍ଡାୟମାନ ରହିଛି ତୁଳସୀ ଚଉଁରା । ଛୁଟି ଦିନରେ ପଡିଶା ଝିଅ ମାନଙ୍କ ସହ ଖେଳକୁଦ ହେଉଥଲା ଏଠି , ବାହାର ଲୋକଙ୍କ ଦୁଷ୍ଟି ଆକର୍ଷଣ ନ କରିବ ବୋଲି ପ୍ରବେଶ ମୁହଁରେ ବାଉଶ ବେତର ଗୋଟେ କବାଟ ଲଗିଥାଏ । ଆଉ ଠିକ୍ ପ୍ରବେଶ ମୁଁହର ସାମ୍ନାର ଟିକିଏ ଦୂରରେ ଅର୍ଥାତ ପଶ୍ଚିମରେ ଲୌହ ନିର୍ମିତ କବାଟଟି ବାଡି ପଟୁ ଘର ଓ ଘର ଅଗଣାକୁ ନିରାପତ୍ତା ଦେଉଥିଲା । ଭାଇ ବର୍ଷକର ବାଳକ ତାକୁ ଜଗିରହିବାକୁ ଯାଇ ମାଁ ପଲକ ପକାଉନଥୁଲା, କାଳେ ଏପଟ ସେପଟ ପଳେଇବ ଭାବି ଦାଣ୍ଡ ଓ ବାଡି କବାଟ ସବୁବେଳେ ଦେଇ ରଖୁଥାଏ । ଭାଇ ଅଗଣାର ଏମୁଣ୍ତରୁ ସେମୁଣ୍ଡ ଯାଏ ଦୈଡୁଥାଏ । ଫିତା ଚପଳର ଚଟୁ ଚଟୁ ଆବାଜରେ ସେ ପ୍ରକୃତିସ୍ଥ ହେଇ ପଡିଲା । ବାପା ତାର ବାଡି ପଟକୁ ଗୋଡ ହାତ ଧୋଇବା ପାଇଁ ଯାଉଥିଲେ । ଗୋଡ ହାତ ଧୋଇ ସାରି ଘର ଭିତରୁ ଖଟିଆ ଟାଏ କାଢଚ୍ଚି ଝିଅ ଆଗରେ ବାରଣ୍ଡାରେ ବସି ପଡିଲେ।
ଆଜବେଷ୍ଟର ଛାତକୁ ଧରି ରଖୁଥୁବା ସିମେଣ୍ଟ ଖମ୍ବକୁ ଆଉଜି ଧରି ସେ ଭାବୁଥାଏ । ବୟସ- ଖୁସି , ରଙ୍ଗ ଓ ସଂପର୍କକୁ ଛଡେଇ ନିଏ । ଭାରାକ୍ରାନ୍ତ ଅପରାହ୍ନରେ ମାୟା ଓ ମରୀଚିକା ଉଭେଇ ଗଲା ପରି ତାଙ୍କ ଜୀବନରେ ଖୁସି ଓ ରଙ୍ଗ ନାହିଁ । ବୋଧେ ଅନେକ ଦିନରୁ ସେ ସ୍ଵପ୍ନ ଦେଖି ନ ଥିବେ ଯଦି କେବେ କେବେ ଦେଖିଥିବେ ଆତ୍ମୀୟତାର ସେଇ ପୁରୁଣା ଡାକ ଶୁଣୁଥିବେ ଆଉ ସକାଳେ ନିଦ ଭାଙ୍ଗିଲା ପରେ ଡହକ ବିକଳ ଜୀବନକୁ ମୁଣ୍ଡେଇ ସବୁ ଭୁଲି ଯାଉଥିବେ ।
ଦିନେ ସେ ମୋ ପାଇଁ କେଉଁଠୁ ନା କେଉଁଠୁ ଖୋଜି ଆଣି ଦେଉଥ୍ଵଲେ ରଙ୍ଗ ଥି ଖୁସି । ଯେବେ ମୁଁ ପ୍ରତିଯୋଗିତାର ଭରା ନଈରେ ଲମ୍ଫ ଦେଉଥିଲି ସେଠି ଜୀବିକା ପାଇବା ଦୂର ଥିବା ବେଳେ ଜୀବନଟା ଅସହାୟତା ଭିତରେ ଉବୁଡୁବୁ ହେଉଥାଏ ଆଉ ଏ ମଣିଷଟା ଏ କୂଳରୁ ସେ କୂଳ ଯାଏ ସେତୁବନ୍ଧ ହେଇ ପଡିରହିଥିଲେ । ଯେଉଁଥିରେ କି ଗରୀବର କଳା କଳା ଦାଗ ସ୍ପଷ୍ଟ ଫୁଟି ଉଠୁଥାଏ ଧଳା ପତଳା ଚାଦର ଭିତରୁ । ଶୋଭିତା ସେ ଖମ୍ଭକୁ ଛାଡି ଦେଇ ତା ବାପାଙ୍କ ଗୋଡ ହାତକୁ ଆଉଁସି -“ ବାପା ତମକୁ ଦେଖିବାର ମାଧ୍ୟମ ଥୁଲା କିନ୍ତୁ … ।” ନୀରବ ରହି ସେ ମନ ଭିତରେ ଅପୂର୍ଣ୍ଣ ବାକ୍ୟକୁ ପୂର୍ଣ୍ଣ କରୁଥାଏ । କେମିତି କହିବି ବାପା ଏଇ ପରିଣତ ବୟସର ଅସଂଖ୍ୟ ଦାଗରୁ ଗୋଟେବି ଚମଡାରେ ଦିଶୁ ନ ଥିଲା କି ଦୂରଭାଷରୁ ମତେ ସ୍ପଷ୍ଟ କର୍ଣ୍ଣଗତ ହେଉ ନଥୁଲା ତୁମ ଅସହାୟତାର ସ୍ଵର । ଯୋଗାଯୋଗ ହେଇଛି କିନ୍ତୁ ଆନ୍ତରିକତା ବହୁତ ପଛକୁ ଫେରି ଯାଇଛି । ମଥୁରି ନିସ୍କ୍ରୋଭ ଆଖରେ ଝିଅର ନୀରବତାକୁ ଦେଖୁଥାଏ । ନାଁ ନାଁ ବହୁତ ସହିଲଣି କହି ତା ବାପାଙ୍କ ହାତ ଟାଣୁଥାଏ । ଯେପରି ସେ ଏଇ ମୁହୂର୍ତରେ ତା ବାପାଙ୍କୁ ନେଇ କିଛି ଗୋଟେ ଫୈସଲା କରିବ । ହାତ ଟାଣିବା ଦ୍ୱାରା ମଥୁରି ବସି ପଡିଲେ । ଆସିଲା ବେଳଠୁ ଏଯାଏ ପାଣି ଟୋପେବି ଛୁଇନୁ, ଆଗ ମୋର ଯନୁ କଥା ଭାବି – କାହିଁ ଦୁଃଖ କରୁଛୁ ଯେ । ପ୍ରଥମେ ତୁ କହ କେମିତି ଅନ୍ତୁ ସେଠି । ଯେତେବେଳେ ବି ଫୋନ ଯୋଗେ କଥା ହେବି ଭାବିଲେ ତୁ ବ୍ୟସ୍ତ ବିବ୍ରତ ଜଣାପଡ଼ୁ ଗୋଟେ- ଦି ମିନିଟ କଥା ହେଇ ଫୋନ ରଖି ଦେଉ ତୋର ଅବସ୍ଥା ସେଠି ଠିକ ଅଛି ତ ? ମାଁରେ ସୁଖି ଆସୁଥୁବା ଗଛଟି ବୋଧେ ଜାଣିଯାଏ ଯେ ଆଗକୁ ତା’ ଜୀବନରେ କ’ଣ ହେବ । ମଥୁରି ଝିଅର ମୁଣ୍ତରେ ହାତ ରଖି – “ମୋ ପାଇଁ ଚିନ୍ତା କରନା ମାଁ । ଅନୁକୂଳ ପରିବେଶ ଓ ପରିସ୍ଥିତିରେ ଯେଉଁ ହାଲକା ପବନଟା ଆସେ ତାହା ଦେହକୁ ବେଶି ଥରାଏ । ମୂଳର ଚେର ଦୂରକୁ ଯେଉଁ ଲମ୍ବି ଲମ୍ବି ଯାଇଥାଏ ତାହା ସାହାରାର ପ୍ରତୀକ୍ଷାରେ ପଚି ପଚି ଛିଣ୍ଡି ଯାଏ ଆଉ ଗଛଟି ଅସହାୟ ଓ ନିସଙ୍ଗତାର ପ୍ରତିଧ୍ଵନି କୁ ସହି ନ ପରି ପତ୍ରହରା ହେଇ ଟଳି ପଡ ।
କେମିତି କହିବି ବାପା ତମର ଏ କଥା ଶୁଣି ମୋ ଛାତି ଭିତରଟା କୋହରେ ଫାଟି ପଡ଼ୁଛି ତମକୁ ଦେଖିଲେ ଯେମିତି ଲାଗୁଛି ସବୁଜିମା ଭିତରେ ଗୋଟେ ଅର୍ଦ୍ଧଶୁସ୍କ ତରୁ ଆଜି ବଞ୍ଚିବା ପାଇଁ ଶୀତଳ ସ୍ପର୍ଷକୁ ମନା କରୁଛି ।
ମାତ୍ର କେଇଟା ବର୍ଷର ବ୍ୟବଧାନ, ଏ ଭିତରେ ବଦଳି ଯାଇଛି ଜୀବନର ପରିଧି ସେବେ ମୁଁ ଯେବେ ଆସୁଥିଲି, କେତେ ଭଲମନ୍ଦ ବଖାଣୁଥିଲି ଆଉ ବାପା ମୋ ବିଷୟରେ କେତେ କ’ଣ ଭାବୁଥିଲେ । କିନ୍ତୁ ଆଜି ଭାବିବେ କ’ଣ ? ତାଙ୍କୁ ଦେଖୁ ଲୋକେ ଅନେକ କିଛି ଭାବୁଛନ୍ତି । ବାର୍ଦ୍ଧକ୍ୟର ରୋଗା ଦେହଟା ଦେହର ପୀଡାକୁ ଠିକ ସେ ବି ପ୍ରକାଶ କରିପାରୁ ନାହିଁ ।
ସରକାରୀ ପ୍ରଶାସନିକ ସେବାରେ ରହିବା ଜାଲ ଭିତରେ ବଞ୍ଚିବାଠୁ କମ୍ ନୁହେଁ । ଲୋକଙ୍କୁ ସନ୍ତୁଷ୍ଟ କରି ହୁଏ ନାହିଁ କି ଅସୁବିଧାରୁ ମୁକୁଳି ଖୁବ୍ ଜୋରରେ ଆବାଜ କାଢି ହୁଏ ନାହିଁ । ବଞ୍ଚିବା ଓ ବଞ୍ଚେଇବା ଆଗରେ ମୋହର ଲାଗିଥ୍ଵବା ସେବାଟା ଅତ୍ୟନ୍ତ ଜଟିଳ ଫାଶ ହେଇ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ମାଡି ବସେ । ବାପା ମୋର ଏ ଅସୁବିଧାରୁ କ’ଣ ମୁକ୍ତି ପାଇପାରିବିନି । ଉପାୟ ଖୋଜୁ ଖୋଜୁ ଆଉ କେତେ ବର୍ଷ ଲାଗିବ ଯେ ମତେ । ଏବେ ବାପା ଧୀରେ ଧୀରେ ଧିମେଇ ଯାଉଛନ୍ତି ଏପରିକି ନିଜ ପାଇଁ ରୋଷେଇ କରିବା ବି ଛାଡି ଦେଲେଣି । ପଡିଶା ଝିଅ ନିତାଇ ରୋଷେଇ କରି ପରସୁଛି । ବୁଝିପାରୁନି କି ଜରୁରୀ ଥୁଲା ଯେ ବାହାରୁ ବୋଝ ବୋହି ଘରକୁ ଆଣୁଥିଲେ । ଯେ ତ ଘର ସଜାଡିବା କଥା ସଜାଡ଼ୁନି, ନିଜର ଠିକଣା ତିଆରି କରିବା କଥା କରୁନି । ବାପା କାହିଁକି ….?? ଶୋଭିତା ତା ଭାଇର କଥା ଭାବି ବିବ୍ରତ ହେଉଥଲା । ନିତାଇ ପୁରୁଣା ଦରଭଙ୍ଗା ମେଜ ଉପରେ ଖାଇବା ଥୋଇ ଦେଇ ଡାକଛାଡୁଥାଏ- “ଶୋଭି ଦେଇ ଶୋଭି ଦେଇ ଆସ ଖାଇବା ଥଣ୍ଡା ହେଇଯିବ ।” ବାପ ଝିଅ ଗୋଡ ହାତ ଧୋଇ ଚୌକି ଉପରେ ବସି ପଡିଲେ । ଖାଇବା ଆରମ୍ଭ କଲେ । ଶୋଭିତା ତା ବାପାଙ୍କୁ ଦେଖୁଥାଏ – ଏବେ ତା ବାପାର ହାତ ଖାଦ୍ୟ ପାଟିକୁ ନେବାକୁ ଅସମର୍ଥ , ଅଧିକାଂଶ ଗୋଟି ଗୋଟି ହେଇ ଥାଳୀର ବାହାରେ ପଡୁଛି । ବାପା ଖାଇବା ଭଲ ହେଇଛି ନାଁ ଶୋଭିତା ପଚାରିବାରୁ ମୁଣ୍ଡ ହଲେଇ ସେ ହଁ କହିଥିଲେ । ନିଜ ଖାଇବା ଚାମଚରେ ଖାଦ୍ୟକୁ ନେଇ ତା ବାପାଙ୍କ ପାଟିକୁ ନେଲା ବେଳକୁ ସେ ବାମ ହାତରେ ତାକୁ ଏଡାଇବାକୁ ଚେଷ୍ଟା କରୁଥିଲେ । ମୋର ସମସ୍ତେ ଅଛନ୍ତି , ମୋର ସମସ୍ତେ ଆପଣାର କହୁଥିଲେ କିନ୍ତୁ ସେ କାହାର ଆପଣାର ? ଆନ୍ତରିକତା ଦେବାରେ ମୋର ଡେରି ହେଇଗଲା କି ? ନିତାଇ ଶୋଭିତା ର ମୌନତାକୁ ଦେଖି ଦିଦି ଖାଆନ୍ତୁ ବେଳ ଉଚ୍ଛୁର ହେଲାଣି କହି ତାର ବାମ କାନ୍ଧରେ ହାତ ପକେଇ ଦମ୍ଭ ଦେଉଥାଏ । ସେମାନେ ଖାଇ ସାରିବା ପରେ ନିତାଇ ଅଇଁଠା ବାସନ ସବୁ ଗୋଟେଇ ସେଠି ଠିଆ ହେଇ ଶୋଭିତା କୁ ନିରୀକ୍ଷଣ କରୁଥାଏ। ଶୋଭିତା ଟାୱେଲରେ ହାତ ପୋଛା ପୋଛି ହେଇ ପୁରୁଣା ଜରାଜୀର୍ଣ୍ଣ କୋଠା ଆଡକୁ ପାଦ ବଢେଇଲା । “ଦେଇ ସେପଟକୁ ଯାଉଛ କାହିଁ , ଦରଭଙ୍ଗା କୋଠାଟା…… । “ ଶୋଭିତା ନିତାଇର ଡାକ ଶୁଣି ପଛକୁ ଓଲଟି – ଏଠାରେ ବାପା ନୀତି ଶୁଅନ୍ତି ନାଁ ? ପଚାରିବାରୁ ସେ ମୁଣ୍ଡ ଟୁଙ୍ଗାରି ହଁ କହିଥିଲା ।
ଶୋଭିତା ଭିତରକୁ ପଦାର୍ପଣ କଲା, ଜିନିଷ ପତ୍ର ସବୁ ଯେମିତି ଦୀର୍ଘ ଦିନରୁ ଅସଜଡା ହେଇ ପଡିଛି । ଛୋଟ ଖଟିଆ ଟାଏ କାନ୍ଥକୁ ଲାଗି ପଡିଥାଏ ଆଉ ତା ଉପରେ ଏକ ସୂତା ପାଞ୍ଚି ମୁଣ୍ଡା ମୁଣ୍ଡି ହେଇ ରହିଥାଏ ତାକୁ ହାତମାରୀ ଦେଖୁଛି ଖଡ଼ ଖଡ଼ ଲାଗିଛି , ଏ ଭିଜିଲେ ନିଶ୍ଚୟ ଅଠାଳିଆ ହେଇଯିବ ଭାବି ସେଠି ଥୋଇଦେଲା କିନ୍ତୁ ଦୃଷ୍ଟି ସେ ପାଞ୍ଚି ଉପରେ ନିବିଦ୍ଧ ଥାଏ । ବାପା କ’ଣ ଏକୁଟିଆ ହେଲା ପରେ ସବୁ ଦୁଃଖ କ’ଣ ଏଠି ପାଛୁଛନ୍ତ । ସବୁ ରାତି କ’ଣ ଏଠି ଆଉଟୁ -ପାଉଟୁ ହେଇ ମୋ ନିଖୋଜ ଭାଇକୁ ଖୋଜୁଛନ୍ତି । କୋଠୋରୀଟି ପ୍ରଶ୍ନଭରା କେଉଁ ଏକ ଅଲୋଡା ଯାଯାବରର ଭଙ୍ଗା ପାନ୍ଥଶାଳା ହେଇ ଶୋଭିତାକୁ ସିହରେଇ ଦେଉଥାଏ ଯେପରି ତାର ସ୍ମୁତି କେହି ସାଇତି ରଖୁ ନାହାନ୍ତି , ସମୟର ଧାସରେ ଲିଭି ଲିଭି ଯାଉଛି କାନ୍ଥରୁ। ସେ ସେଠାରୁ ବାହାରି ଅନ୍ୟ ଏକ କୋଠରୀର କବାଟ ଧଡ଼ କରି ଠେଳି ଦେଲା, ଦୀର୍ଘ ଦିନର ଜାମ୍ କବାଟଟି କେଁ କେଁ ଆବାଜ କରିବାରୁ ତାର ହୁଦସ୍ପନ୍ଦନ ବଢିବାରେ ଲାଗିଲା । ସେ ସମୟର ଭଣ୍ଡାର ଘର , ଝର୍କା ନାହିଁ ଦି’ ଟା ବଡ ବଡ ସାଏ ଲାଇଟ ସଂଲଗ୍ନ ହେଇଥାଏ । ଯେତିକି ଆଲୁଅ ଆସିବା କଥା ଆସେନି ଅଧିକ ଧୁଳି ଆସେ । କାନ୍ଥରେ ଲାଗିଥିବା ସୁଇଚ ମାନଙ୍କ ଉପରକୁ ଯନ୍ତ୍ରବତ ତାର ହାତ ଚାଲି ଯାଇଥିଲା । ଆଲୁଅ ଆସିଲା । ପଙ୍ଖା ଗୁଡିକ ଘୂରିବା ମାତ୍ରେ ପୁରୁଣା ଆସବାବ ପତ୍ରରୁ ଧୁଳି ଉଡି ଘର ଭିତର ଧୁଳିମୟ କରିଦେଲା ଆଉ ସେ ମୋଟା ଧୂଳିର ବଳୟ ଭିତରୁ ଟହ ଟହ ହସର ଶବ୍ଦ ଶୁଣାଗଲା । ବିଦୁପ ହସରୁ ସ୍ପଷ୍ଟ ଜଣା ପଡୁଥାଏ ଏକ ଯୁବକର ଅସହାୟତା, ଯେପରି ସେ ଅନେକ ଦୂରତା ଅତିକ୍ରମ କଲାପରେ ଥକି ପଡି ନିଜକୁ ନିଜେ ତାଚ୍ଛଲ୍ୟ କରୁଛି ଚାରି କାନ୍ଥ ଭିତରେ । ଧୂଳିର ବଳୟ ପତଳା ହେଇଗଲା ହସ ଥମିଗଲା। ହଠାତ ଯାଦୁ ବାକ୍ସରୁ ଯାଦୁ ଉଡିଗଲା ପରି ପ୍ରତ୍ୟୟମାନ ହେଉଥାଏ ଯେ କେଉଁ ରହସ୍ୟ ଘେରରେ ତାର ଭାଇ ବାଟ ବଣା ହେଇ ମୂଳ ରାସ୍ତା କୁ ଫେରିବାର କୌଶଳ ହରେଇ ବସିଛି । କେତେ ଗୋଷ୍ଟି କେତେ ସଂଗଠନ ର ବଳ ଥରିଲା ସେ ସେସବୁ ଏବେ ଗୋଟେ ବଡ ପଞ୍ଝା ହେଇ କାବୁ କରି ରଖିଛି ତାକୁ । ଘରର ଏ କୋଣରେ – ସେ କୋଣରେ କେତେ ସଂଗଠନର କେତେ ଧ୍ଵଜ ,ବ୍ୟାନର । କାନ୍ଥରେ ଟଙ୍ଗା ହେଇଥିବା ବଡ ବ୍ୟାନରକୁ ଆଖି ପୁରେଇ ଦେଖିଲେ ଠିକ୍ ଜଣାପଡ଼ୁଛି ଯେ ସେ ମାନବ ଅଧ୍ଵକାରର କଥା କିପରିବର୍ତ୍ତନର କଥା କହୁ ନାହିଁ ବରଂ ବେନର ଚିତ୍ରରେ ବିସ୍ତାରିତ ନିଆଁର ଦୃଶ୍ୟ ବିଭୀଷିକା ର କଥା ଭାବିବାକୁ ବାଧ୍ୟ କରୁଛି । ପ୍ରକୃତରେ ସେ ଜାଣି ପାରିନି, ବିସ୍ଲବ, ବିଦ୍ରୋହ ଓ ସଂଘର୍ଷ ମଧ୍ୟରେ ଥିବା ତାରତମ୍ୟକୁ । ନୂତନକୁ କେବେ ଭେଟିପାଇବାକୁ ଚେଷ୍ଟା କରିନି, ହିଂସାରେ ଜଳିଛି ଜଳେଇଛି , ଏପରିକି ଧନ ଜୀବନ ଓ ଯୌବନକୁ ବାଜି ଲଗେଇବାକୁ ବି ଅଣ୍ଟା ଭିଡିଛି । କୋଉ ସଂଗଠନର ଏଇ ବ୍ୟାନର ଜଣା ଗଲାନି କି ଏହା ଏକ ଅସମ୍ପୂର୍ଣ୍ଣ ବ୍ୟାନର ତାକୁ ସଠିକ୍ ତଥ୍ୟ ଜଣାପଡିଲାନି । ପେଡି ଉପରେ ଥୁବା ବ୍ୟାନର ଗୁଚ୍ଛରୁ ଗୋଟେ କାଢି ଦେଖେତ ଲାଲ ରଙ୍ଗ ଭିତରେ ଶକ୍ତି ଓ ଏକତାର ଚିହ୍ନ । ସତରେ ଲୋକଙ୍କୁ ସହଯୋଗ ଦେବା ଓ ଏକଜୁଟ କରିବା ପାଇଁ କ’ଣ ରକ୍ତପାତ ଜରୁରୀ ଅଟେ । କିଛି ହସ୍ତଗତ ପାଇଁ ବିଭୀଷିକା ଟାଣିବା କ’ଣ ଅବଶ୍ୟମ୍ଭାବୀ । ଶୋଭିତା ଭାବୁଥାଏ ତା’ ଭାଇ ଏଯାଏଁ ବୁଝି ପାରୁନି ଜୀବନକୁ । ବୁଝିପାରିଥିଲେ କାହିଁ ଜୀବନ ବଞ୍ଚେଇବାକୁ ଯାଇ ଜୀବନ ନେବାର ରେଖା ଟାଣୁଥାନ୍ତା । ଏ ସବୁ ତ ଦୁଇ ବର୍ଷର ପୁରୁଣା କଥା । ଏବେ ସେ କୋଉଠି , କେଉଁ ଉଦ୍ଦେଶ୍ୟ ନେଇ କେଉଁ ସଂଗଠନ ସହ କାମ କରୁଛି, କାହିଁକି ଘର ସଙ୍ଗେ ବୁଢା ବାପ କୁ ଛାଡିଛି ଯେ କି ସବୁବେଳେ ନିଜକୁ ନିଜ ପୁଅ ଭିତରେ ଦେଖୁଛି , ନିଜର ଠିକଣା କହିବା ଆଗରୁ ପୁଅର ନାଁ ଧରୁଛି । କାହିଁକି ସେ ଆଜି ଏତେ ଦୂରରେ ?? ଚିନ୍ତା ରେ ଶୋଭିତାର ଛାତି ଭିତରଟା ଅଜଣା ଭୟରେ ସିହରୀ ଉଠୁଥାଏ ।
ହଟାତ଼ ପଙ୍ଖା ପବନର ପ୍ରଖରତାରେ କାଠ ଆଲମାରି ଉପରେ ସାଇତା ଥିବା ପୁରୁଣା ଜିନିଷ ପତ୍ର ସବୁ ବିଛାଡି ହେଇ ପଡିଲା । ଶୋଭିତା ଚମକି ପଡିଲା । “ କ’ଣ ଖୋଜୁଛୁ ଲୋ ମାଁ, ଦୁଲ୍ ଦାଲ୍ ପଡୁଛି , ପୁରୁଣା ଜିନିଷକୁ ଲୋଭ କରନା ସେ ସବୁ ଭାଙ୍ଗିବ ହିଁ ଭାଙ୍ଗିବ । ଶୋଭିତା ପଛକୁ ବୁଲି ଦେଖେତ ତା’ ବାପା ସେଇ ଖଟିଆରେ ସୋଇଛନ୍ତି । “ ବାପା ତମେ କ’ଣ ମତେ ଡାକିଲ, କିଛି କହିଲ?” କିଛି ପ୍ରତ୍ୟୁତ୍ତର ଆସିଲା ନାହିଁ , ଏ କ’ଣ ମୋ ମନରେ ସୃଷ୍ଟି ହେଇଥିବା ପ୍ରତିଧ୍ଵନି ଭାବି ବିଛାଡି ହେଇ ପଡିଥିବା ସମସ୍ତ ଜିନିଷକୁ ଗୋଟେଇବାରେ ଲାଗିଲେ । ସେ ଭିତରେ ଏକ ପୁରୁଣା ଝୁଲଣା ଜାକିଯୁକି ହେଇ ରହିଥାଏ । ତାକୁ ଝାଡି ଝୁଡି ପୂର୍ବରୁ ଝୁଳୁଥିବା ବାପାଙ୍କ ଶୟନ କକ୍ଷରେ ପୁନଶ୍ଟ ଝୁଲେଇଦେଲା । ପଙ୍ଖା ପବନରେ ଦୋଳିଟି ଥିରି ଥିରି ଝୁଲିବାକୁ ଆରମ୍ଭ କଲା , ସେବେ ବାପା ଏ ଝୁଲଣା ଟିକୁ ଦେଖି ଗାଇଉଠୁଥିଲେ –
ଏ ଝୁଲଣା …
ତୋ ଭାବନା ନେଇ ଉଡ଼ୁଥିବା ଏକ ଖେଳଣା
ହେଲେ ମୋ କୋଳ ତୋ ଝୂଲଣା
ତୁ କିରି କିରି ହସିଲେ
ହସଫୁଲରେ , ହସେ ଘର ଅଗଣା
ମୋ କୋଳ ତୋ ଝୁଁଲଣା …… ।
ଏତେ ଆଉ ସଜାନା ଲୋ ମାଁ ପୁରୁଣା ଦରଭଙ୍ଗା ହେଇଗଲାଣି , ଘରର କୋଉ କୋଣରେ ପକେଇଦେ ତାକୁ , ସେ ତୋ ପାଇଁ ବଜାରର ସବୁ ଖେଳଣାଠୁ ଭିନ୍ନ ହେଇ ଆକାଶକୁ ଛୁଇଁବାର ପ୍ରତିଶୃତି ଦେଇପାରିବନି କି ମୋ କୋଳ ଆଉ ତୋ ଝୁଁଲଣା ହେଇପାରିବନି , ଏଇ ଘର ହିଁ ଆମ ଠିକଣା। ଏତେ ଶୀଘ୍ର ଏତେ ଭାବ ବିହ୍ଵଳ ଶବ୍ଦ କହିପାରୁଛନ୍ତି ବାପା ଏଇଟା ଆଜିର ଭାବନାରୁ ନିର୍ଗତ ହେଇଥିବା ଶବ୍ଦ ନୁହେଁ ବଂର ବହୁ ଆଗରୁ ମନ ଭିତରେ ସାଇତା ଥିବା ଶବ୍ଦ ଗୁଡିକଜିହ୍ଵା ଅଗରୁ ଚାଲି ଆସିଛି । ମୋର ପ୍ରୟାସ କ’ଣ ନିଷ୍ଫଳ ହେବ । ଏଇ ଦରଭଙ୍ଗା ଘରେ କ’ଣ ବାପା ପଡିରହିବେ ଶେଷ ସମୟ ଯାଏ । ସେ ଆଗରୁ ଅନେକ ଥର କହୁଥିଲେ ମୁଁ ତୋର ଅତିଥି, ତୁ କି ତୋ ଘର ମୋ ଠିକଣା ନୁହେଁ । କିନ୍ତୁ ଆଜି ଜିଏଁଇବା ଓ ସ୍ଵାଭିମାନ ମଧ୍ୟରୁ ମତେ ଜିଏଇବାଟାକୁ ହିଁ ବାଛିବାକୁ ପଡିବ । ଶୋଭିତା ବ୍ୟଗ୍ର ହେବାକୁ ଲାଗିଲା , ବାହାରକୁ ଆସି ଦେଖେତ ରାତି ବଢିବାକୁ ଲାଗିଛି । ପର୍ଶରୁ ମୋବାଇଲ କାଢି ୮:୩୦ ହେଇ ଗଲାଣି କହି ତା ବାପାଙ୍କ ଲୁଗା , ଔଷଧ ଓ ଅନ୍ୟାନ୍ୟ ଜିନିଷ ବ୍ୟାଗ୍ ରେ ପୁରେଇବାକୁ ଲାଗିଲା ।
ପୁଣି ରାତ୍ରି ଭୋଜନ ପାଇଁ ନିତାଇ ଡାକ ଛାଡିଲା । ବାପାଙ୍କ ଖଟ ପାଖକୁ ଦି’ ଖଣ୍ଡ ରୋଟି ଓ ଅଳ୍ପ ତରକାରୀ ଆଣିଦେଇ ସେ ଯାଇ ଡାଇନିଙ୍ଗ ରେ ବସି ପଡିଲା । ଶୀଘ୍ର ଖାଇସାରି, ଶୟନ କକ୍ଷକୁ କେତେ ବର୍ଷ ପରେ ପ୍ରତ୍ୟାବର୍ତନ କରି ବିଛଣାରେ ଗଡିବାକୁ ଲାଗିଲା । ଆଖି ଲାଗିବା ଆଗରୁ ତା ବାପାଙ୍କର ସମସ୍ତ ହାବଭାବ ନାଚି ଉଠୁଥାଏ ଆଖି ଆଗରେ । ବାପା ମୁଁ କେମିତି କହିବି ତମକୁ , ତମେ ହିଁ ତ ମୋର ଠିକଣା । ପ୍ରତ୍ୟହ ତମକୁ ଖୋଜେ ମୋ ଭିତରେ , ଆଇନାରେ ମୋ ଛବି କୁ ଦେଖି ଖୁସି ହୁଏ , ଆଖି , ନାକ , କାନ , ଗୋଡ , ହାତ ଏପରିକି ସମ୍ପୂର୍ଣ୍ଣ ଦେହଟା ଠିକ୍ ତମ ପରି । ନିଜର ସର୍ବାଙ୍ଗକୁ ଆଉଁସି ଜାଣିଛ ବାପା ଭାଇ ଆଜି ରୁଦ୍ଧ କୋଠରୀ ରୁ ନିର୍ଗତ ହେଉଥୁବା ବିଷାକ୍ତ ଧୂଆଁ ଆଉ ସେଧୂଆଁର ବଳୟ ଭିତରେ ତମେ ଢାଙ୍କି ହେଇ ରହୁଛ । ନା ପବନକୁ ଅଟକେଇ ହେବ ନା ସମାଜର ମୁହଁ ଚୁପ କରି ହେବ , ଧୂଆଁ ପବନରେ ମିଶି ନିଜର ଅସ୍ତିତ୍ୱ ହରେଇଲା ପରି ଭାଇ ସମାଜର ଅନ୍ଧାର ଦୁନିଆ ଭିତରେ ହଜି ଯାଇଛି । ବର୍ତ୍ତମାନ ସେ ଗୋଟେ ଠିକଣା ବିହୀନ ନାଁ । ତେଣୁ ମତେ ବାରମ୍ଭାର ଶୁଣିବାକୁ ପଡ଼ୁଛି ତାର ଭାଇଟିଏ ବି ଥିଲା। ଶୋଭିତା ସେଦିନେ ଅନେକ କିଛି ଭାବି ଘୁମେଇପଡିଥଲା ।
ଫରଚା ଫାଟିବା ପରେ ଶୋଭିତା ତା ବାପାଙ୍କୁ ନିଦରୁ ଉଠେଇବା ପାଇଁ ଶୟନ କକ୍ଷର କବାଟକୁ ଖଡ଼ ଖଡ଼ କରିବାକୁ ଲାଗିଲା ମାତ୍ର ତା ବାପା କବାଟ ଖୋଲିବାକୁ ଆସିନଥିଲେ । ସେ ଟିକିଏ ଠେଲି ଦେବା ଦ୍ୱାରା ସ୍ୱତଃସ୍ଫୁର୍ତ୍ତ କବାଟଟି ଖୋଲିଗଲା । ଘର ଭିତରଟି ନିସ୍ତବ୍ଧ ଜନାକୀର୍ଣ୍ଣ ପରି ତାକୁ ଲାଗିଲା । ବାପା ସୋଇ ରହିଥୁବା ଖଟ ପାଖର ଟେବୁଲ ଉପରେ ସଂବାଦ ପତ୍ର ଖୋଲା ହେଇ ରହିଛି ଯେପରି ସେ ସଂପୂର୍ଣ୍ଣ ପଢି ନ ପାରି ତା ଉପରେ ଚଷମା ଓ ଚା କପ୍ ରଖି କୁଆଡେ ଯାଇଛନ୍ତି ଯାହା ଦୀର୍ଘ ଦିନରୁ ବାପା ନ ଥିବା କଥା ପ୍ରମାଣ କରୁଛି । ଶୋଭିତା ଭାବୁଥାଏ – ମୁଁ କ’ଣ କାଲି ମାନସିକ ଭାରସାମ୍ୟ ହରାଇ ବସିଥିଲି । ବାପାଙ୍କ ପ୍ରତି ଥିବା ଭଲପାଇବା , ଆନ୍ତରିକତା ମୋ ଭିତରେ କ’ଣ ଏତେ ଜୀବନ୍ତ ହେଇଗଲା ଯେ ମୁଁ ଜାଣି ପାରିଲିନି ବାସ୍ତବତାକୁ । ସ୍ଵୀକାର କରି ପାରୁନି ସେ ଅନେକ ଦିନଠୁ ମୃତ । ମନ କହୁଛି ସେ ନିଖୋଜ ଅଛନ୍ତି ତେଣୁ ମୁଁ ଭୁଲି ପାରୁନି ଖୋଜୁଛି …. ।
ଘର ଭିତରୁ ଛଳ ଛଳ ଆଖି ଫେରି ଆସୁଥାଏ ହଠଡ଼ ବାପାଙ୍କ ଖଟ ଉପରେ ଛିଣ୍ଡି ପଡିଥିବା ଝୁଲଣାଟି ଉପରେ ଅଟକି ଗଲା । ଯାହା କାଲି ସନ୍ଧ୍ୟାରେ ଯନୁରେ ବାନ୍ଧିଥିଲା ସେ । ଚାପା କୋହରେ ତାକୁ ନିସ୍ତେଜ ହାତରେ ଖଟ ଉପରୁ ଉଠେଇ ଛାତିରେ ଚାପି ଧରିଲା ଶୋଭିତା ।