ଅଣୁଗଳ୍ପ

ମାନବିକତାର ତିନୋଟି ଭିନ୍ନ ସ୍କେଚ୍

Dr Mousumi Parida's odia short story Maanabikataara Tinoti Sketch

ମାନବିକତାର ତିନୋଟି ଭିନ୍ନ ସ୍କେଚ୍

ମାନବିକତାର ତିନୋଟି ଭିନ୍ନ ସ୍କେଚ୍

-୧-

ଲୋକଟା ସ୍ୱାଭାବିକ ଥିଲା । ତା ଚେହେରାରୁ ବାରି ହେଉନଥିଲା କୌଣସି ଅସ୍ୱାଭାବିକତା । ସାଇକେଲଟାରେ ଟଙ୍ଗେଇ ଥିଲା ବିଭିନ୍ନ ପ୍ରକାରର ଅଖା ବସ୍ତା ଓ ବ୍ୟାଗ୍ । ବେଶ୍ ମଳି ଧରିଯାଇଥିଲା ସେସବୁ ଠିକ୍ ତାରି ପରି । ପାଦରେ ଥିଲା ହଳେ ମଇଳା ଯୋତା, ଦୁଇଟି ଭିନ୍ନ ରଙ୍ଗର । ତା ସହ କଳା ଓ ମାଟିଆ ରଙ୍ଗର ମୋଜା ଦିଓଟି..ଯାହା ମୋଡି ହୋଇ ଯୋତା ଉପରକୁ ଝୁଲିରହିଥିଲା । ଲୋଚାକୋଚା ଲୁଙ୍ଗି ଓ ଫୁଲ୍ ହାତ ସାର୍ଟଟାଏ ପିନ୍ଧି ସେ ସନ୍ତର୍ପଣରେ ଚାହୁଁଥିଲା ଏଣେତେଣେ । ହାତରେ ଧରିଥିଲା ଦା’ଟିଏ..! ଛୋଟ ଚିରା ଅଖାବ୍ୟାଗ୍ଗୁଡିକରୁ ବଡ ଅଖାକୁ କିଛି ଜିନିଷ ଅଜାଡି ଏକାଠି କରୁଥିଲା । ପୁଣି ଫାଙ୍କା ବ୍ୟାଗ୍ ଧରି ନିରେଖୁଥିଲା କିଛି । ଦା’ରେ ଏପଟ ସେପଟ କରି ଦେଖୁଥିଲା ପରିତ୍ୟକ୍ତ ସ୍ଥାନ । ସେ ଅସନା ଜିନିଷକୁ ହାତରେ ନଛୁଇଁ କୌଣସି ବାଡି କିମ୍ବା ଦା’ରେ ଛୁଉଁଥିଲା ।

ଲାଗିଲା ସେ ପ୍ଲାଷ୍ଟିକ୍ ଖୋଜୁଛି, କିଛି ଟିଣ, ଲୁହା ଜିନିଷ ବି..! ମଝିରେ ମଝିରେ ଛନ୍‌ଛନ୍ ହୋଇ ଚାହୁଁଚି ଏଣେତେଣେ । ଅପରିତ୍ୟକ୍ତ ସ୍ଥାନରୁ ଜିନିଷ ଗୋଟାଉଥିଲା ବୋଲି ତାର ବେଶଭୂଷା ଭିନ୍ନ ଧରଣର ଥିଲା । ଅସନା ପୋଷାକ ପିନ୍ଧିଥିଲା ସତ ହେଲେ ମଳିଧୂଳି ତା ଦେହକୁ ସ୍ପର୍ଶ କଲା ଭଳି ଲାଗୁନଥିଲା । କାରଣ ସେ ସଚେତନ ଥିଲା । ସନ୍ଦେହ ଆସୁଥିଲା ଯେ ସେ ଜାଣି ଜାଣି ଏପରି ବେଶ ଧରିଥିଲା କି କଣ! ସାଇକେଲ୍ରେ ଖୁବ୍ ଗୁଡାଏ ଜିନିଷ ବାନ୍ଧିଥିଲା । ଅଖାଗୁଡିକର ପେଟ ଫୁଲିଯାଇଥିଲା । ତଥାପି ସେ ଖୋଜିବା ଛାଡିନଥିଲା । ଲୋଭଟା ଗ୍ରାସିସାରିଥିଲା ତାକୁ ଏକାବେଳକେ । କିଛିଲୋକ ଆସୁଥିବାର ଦେଖି ସେ ହସିଲା, ପାଗଳଟେ ପରି !

ତଳକୁ ମୁହଁ ପୋତି କଥା ହେଲା, ଆକାଶକୁ ଚାହିଁଲା । ହାତ ପତେଇଲା କିଛି ଟଙ୍କା ପାଇଁ । ଲୋକଟିଏ ପାଞ୍ଚଟଙ୍କାର କଏନ୍ ତା ହାତକୁ ଦେଲା । ଆଉଜଣେ ଦଶ ଟଙ୍କାଟେ ଦେଇ କହିଲା- କଣ କିରେ ପାଗଳା, ଆଜିକାଲି କଣ କେହି ଗରିବ ଅଛନ୍ତି ସଂସାରରେ? ସମସ୍ତେ ପରା ‘ଥିଲାବାଲା’ ପାଲଟିଲେଣି । ତୁ କାଇଁ ରୋଲ୍ କରୁଚୁ? ତୋର ତ ଭଲ ଚେହେରା ଅଛି, କାମ କରୁନୁ । ମାଗିଯାଚି କଣ ଚଳୁଚୁ ବେ! ଶଳେ..ମାହାଳିଆକୁ ପଇସା ପାଇଲଣି । ତା ସାଙ୍ଗକୁ ଭତ୍ତା, ଛତା, ସାଇକେଲ୍, ଟୋପି ସହ ଆହୁରି କେତେକଣ! ଅନେକ ଯୋଜନା ବନାହେଲାଣି ତମ ପାଇଁ । କାମ କାଇଁକି କରିବ? ହେଲେ ତମମାନଙ୍କର ଏ ମଗାଯଚା ମାନସିକତା କଣ ଯାଉଚି ନା ଯିବ !

ଗରିବ ହେବାର ପ୍ରମାଣ ପାଇଁ ବାପଠାରୁ ପୁଅ ଭିନ୍ନେ । ଭାଇଠାରୁ ଭାଇ ଅଲଗା । ଆଇ.ଏ.ଏସ୍ ପୁଅର ବାପା ବି.ପି.ଏଲ୍ ଲିଷ୍ଟ୍‌ରେ । ତାକୁ କାଳେ ପୁଅ ପଚାରୁନି । ଯୁଗ କଣ ହେଲା! ବାପା ବି ପୁଅଠାରୁ ଅଲଗା ହେଲାଣି ! ଖାଲି ଯାହା ଟିକେ ବିଷ ମାଗେଣାରେ ମିଳୁନି ଆମମାନଙ୍କ ପାଇଁ ! ସେତିକି ବାକି ରହିଗଲା..ଯାହା ! ପାଗଳ ପରି ଲାଗୁଥିବା ଲୋକଟା କିନ୍ତୁ ନିରୁତ୍ତର ଥିଲା ଓ ଏସବୁ କଥାକୁ ଅଣଶୁଣା କରି ଆଗକୁ ବଢିଲା । ଅନ୍ୟ ଲୋକ ଦୁହେଁ ବି ଆଗକୁ ଚାଲିଲେ.. ।

ଏବେ ସେ ଫେରିଲା ତା ସାଇକେଲ୍ ନିକଟକୁ । ତା ବ୍ୟାଗ୍‌ରେ ଥିବା ପ୍ରତ୍ୟେକ ଜିନିଷକୁ ଭିନ୍ନ ଭିନ୍ନ ଅଖାରେ ଭର୍ତ୍ତି କଲା । ପାଇଥିବା ଟଙ୍କାକୁ ସାର୍ଟ୍ ପକେଟ୍‌ରେ ସୁରକ୍ଷିତ ରଖି ହାତରେ ଗ୍ଲୋବ୍ସ ପିନ୍ଧିଲା ଆଉ ମୁହଁରେ ମାସ୍କ । ଏଥର ସେ ନର୍ଦ୍ଧମାରୁ କଳଙ୍କିଲଗା ଲୁହା ରଡ୍ ଓ ଡବାକିଛି ବାହାରକରି ସାଇକେଲ୍‌ରେ ବାନ୍ଧିଲା । ମଇଳା ଗ୍ଲୋବ୍ସକୁ ଫିଙ୍ଗି ହାତରେ ଯାହାକୁ ବୋଳିଲା ବୋଧେ ସେଇଟା ସାନିଟାଇଜର୍ ଥିଲା ! ଏବେ ସେ ଭଦ୍ର ସମାଜକୁ ହାଲ୍କା ହସଟେ ଫିଙ୍ଗି ହ୍ୱିସିଲ୍ ମାରି ସାଇକେଲ୍ ଚଲେଇଲା ।

ସେ ଜଣାପଡୁନଥିଲା ପାଗଳ କିମ୍ବା ମୂର୍ଖ ବୋଲି । ଦୁନିଆ ବଦଳି ଯାଉଥିଲା ଆଖି ସାମ୍ନାରେ । ଲୋକମାନେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରି ମାନବିକତାକୁ ବିକ୍ରି କରୁଥିଲେ ଓ ଅନ୍ୟର ସରଳତାକୁ ଲୁଟୁଥିଲେ ! ଅଥଚ ଦରିଦ୍ର ତାଲିକାଟି ଭୋଟର୍‌ଙ୍କ ତାଲିକା ପରି ବେଶ୍ ଲମ୍ବା ହୋଇଯାଉଥିଲା । ତା ସହିତ ଲମ୍ବା ହୋଇଯାଉଥିଲା ଅଭାବ ।

-୨-

ଜଜ୍ ଚିନ୍ତାଗ୍ରସ୍ତ ଜଣାପଡୁଥିଲେ । ଦୀର୍ଘ ପାଞ୍ଚବର୍ଷ ଧରି ଚାଲିଥିବା କେଶ୍‌ର ଆଜି ହିଁ ନିଷ୍ପତ୍ତି ନେବାକୁ ପଡିବ । ମହିଳା ଜଣକ ବେଶ୍ ଅସହାୟା । ତାକୁ ଏଭଳି କାକୁସ୍ଥ ହୋଇ ବସିଥିବାର ଦେଖନ୍ତି ଜଜ୍ । ଦିନକୁ ଦିନ ସେ ବେଶୀ ବେଶୀ ଭାଙ୍ଗି ପଡୁଛି ! ଏତିକି ଦିନ ଭିତରେ ବୁଢୀଟିଏ ଭଳି ଦିଶିଲାଣି । ତା ସ୍ୱାମୀ ଥିଲେ ବିବାହକୁ ସାତବର୍ଷ ହୋଇଥାନ୍ତା ! ଅଥଚ ଏବେ ସେ ଅସହାୟା, ପରିବାରରୁ ବିତାଡିତା । ନିଜର କହିଲେ ଏକମାତ୍ର ଝିଅ । କେବେକେମିତି ଭିନ୍ନ ଭିନ୍ନ ଲୋକେ ଆସନ୍ତ ତା ସହିତ । ତାର ଶୀଘ୍ର ଫଇସଲା ଦରକାର.. । ଭଗାରୀମାନେ ହଇରାଣ କରୁଛନ୍ତି ବୋଲି ସେ ବସ୍ତିରେ ରହୁଛି କେବେଠୁ । ନିଜ ଶାଶୁଘରେ ତାର ଅଂଶ ଦରକାର । ସେତକ ବିକ୍ରୀ କଲେ ଏକମାତ୍ର ଝିଅର ଭବିଷ୍ୟତ ସୁଧାରିବ ।

କୁନି ଝିଅଟା ସେ କୋଣରେ ଅପରାଧିନୀଟେ ପରି ଛିଡା ହୋଇଛି । ଭଗାରୀମାନେ କିନ୍ତୁ ନାରାଜ ସମ୍ପତ୍ତିକୁ ଭାଗ କରିବାକୁ । ସେମାନଙ୍କ ମତରେ ସ୍ତ୍ରୀ ଲୋକଟି କାଳେ ଦୁଶ୍ଚରିତ୍ରା ! ପ୍ରମାଣ କିନ୍ତୁ ମିଳିପାରି ନାହିଁ ଏଯାଏଁ । ଏକମାତ୍ର ଦେଢଶୁର ୟା’ଭିତରେ ଆରପାରିରେ । ଦୁଇଯାଆ ବିଧବା ହୋଇଥିବାରୁ ଅନେକଙ୍କ ଆଖି ବି ସେମାନଙ୍କ ସମ୍ପତ୍ତି ଉପରେ । ତେଣୁ ଜଜ୍ ତୁରନ୍ତ ଫଇସଲା ଶୁଣାଇବେ । ଅଦାଲତରେ ଉପସ୍ଥିତ ଥିବା ଲୋକମାନଙ୍କ ଆଗରେ ସେ ପଢି ଶୁଣାଇଲେ- ଏହି ନିରାଶ୍ରୟା ମହିଳାକୁ ସରକାରୀ ସାହାଯ୍ୟ, ବିଧବା ଭତ୍ତା ସହିତ ଅନ୍ୟାନ୍ୟ ଯୋଜନାରେ ସାମିଲ୍ କରାଯିବାକୁ ନିର୍ଦ୍ଧେଶ ଦିଆଯାଉଛି । ଆବଶ୍ୟକ ହେଲେ ତା ପିଲାକୁ ଉଚ୍ଚଶିକ୍ଷିତ କରିବାକୁ ସରକାରୀ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯିବ । ମହିଳା ଆଖିରୁ ଲୁହ ଝରି ପଡିଲା । ସେ ଜଜ୍‌ଙ୍କ ପାଦ ତଳେ ଲୋଟି ପଡିଲା କୃତଜ୍ଞତାରେ ।

କିଛି ସମୟ ପରେ ଜଜ୍ ଛୁଟି ଯୋଗୁଁ ନିଜ ଗାଁକୁ ଫେରିଲେ । ଅଳ୍ପ ଦୂରରୁ ସ୍ତ୍ରୀ ଲୋକଟିକୁ ଦେଖିପାରିଲେ । ତା ମଥାରେ ସିନ୍ଦୁର । ହାତରେ ନାଲିଶଂଖା..! ନିଜ ଝିଅ ଓ ଜଣେ ପୁରୁଷ ସହିତ ଗୋଟେ ବ୍ୟାଗ୍ ଧରି ସେ ଖୁସି ଖୁସି ଚାଲିଥିଲା ଆଗକୁ । ଜଜ୍ ନିଜ ଆଖିଦୁଇଟିକୁ ବିଶ୍ୱାସ କରିପାରିଲେନି ! ଲୋକମାନେ ଠିକ୍ କହୁଥିଲେ- ସେ ଦୁଶ୍ଚରିତ୍ରା ! ଡ୍ରାଇଭର୍‌ଟି କହିଲା- ନା ସାର୍ । ସେ ସ୍ତ୍ରୀ ଲୋକଟି ବାହା ହୋଇଛି ପୁଣିଥରେ । ତଥାପି ସମ୍ପତ୍ତିର ଲୋଭ ମନରୁ ଯାଇନି ।

ଏକଥା ତା ପ୍ରତିପକ୍ଷର ଲୋକେ କେହି କହିଲେନି କାହିଁକି ? ଜଜ୍ ପ୍ରଶ୍ନ କଲେ ।

କେହି ହୁଏତ ଜାଣିନଥିବେ ସେ କାହାକୁ ବାହା ହୋଇସାରିଛି ବୋଲି ! ଆପଣଙ୍କ ପରି ଅନ୍ୟମାନେ ବି ନୂଆ କରି ତା ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ଦେଖୁଥିବେ । ସତରେ ଅନ୍ୟମାନଙ୍କ ପାଇଁ ବି କଥାଟି ନୂଆ ଥିଲା ।

ହେଲେ ତାକୁ ବିଧବା ଭତ୍ତା ପାଇଁ ଲେଖି ଦେଇଛି ଯେ ! ଜଜ୍ କହିଲେ । ସେ ନିଜକୁ ବିଧବା ବୋଲି ପ୍ରମାଣିତ କରିସାରିଛି । ଏତେଥର ମଥାର ସିନ୍ଦୂର ଲିଭେଇଛି । ଆଗକୁ ବି ଲିଭେଇଦେବାରେ ଅସୁବିଧା କଣ ! ଏଇ ଲୋକଟିକୁ ସେ ପ୍ରକୃତରେ ବାହାହେଇଛି କି ନା ସେ ପ୍ରମାଣ ସେ ରଖିଥିବା ଭଳି ଲାଗୁନି ଆଜ୍ଞା । ତା ଦ୍ୱିତୀୟ ସ୍ୱାମୀର ବି ତା ସମ୍ପତ୍ତି ଉପରେ ଲୋଭ ଥିବ, ନଇଲେ କଣ ସେ ଏମିତି କରିବାକୁ ତା ସ୍ତ୍ରୀକୁ ଅନୁମତି ଦେଉଥାନ୍ତା ! ତେଣୁ ଆବଶ୍ୟକ ପଡିଲେ ସେ ତା ସ୍ୱାମୀକୁ ଆଉ କିଛି ସଂପର୍କର ନାଁ ଦେଇପାରେ, ସ୍ୱାମୀ ମଧ୍ୟ ସ୍ୱକାରିପାରେ ! ଜଜ୍ ବିଷର୍ଣ୍ଣ ଦିଶୁଥିଲେ, ଭାବୁଥିଲେ ମାନବିକତାର ପରିଭାଷା ବଦଳିଯାଇଛି ବୋଧେ !

-୩-

ଲୋକଟା ହ୍ୱିଲ୍ ଚେୟାର୍ ଉପରେ ବସି ଏମିତି ବାରବାର ଆସୁଛି କଚେରୀକୁ ନ୍ୟାୟ ପାଇବା ପାଇଁ । ଡାକ୍ତର ତାକୁ ଅକ୍ଷମତାରେ ଚାଳିଶ ପ୍ରତିଶତ ଦେଇଛନ୍ତି ବୋଲି ତାର ଖୁବ୍ ଗୁଡାଏ କ୍ଷୋଭ । ତାର ଅଶୀ ପ୍ରତିଶତ ବା ତାଠାରୁ ଅଧିକ ହେବା ଉଚିତ୍ । ସେ ସବୁ ସୁବିଧା ପାଇବା ହକଦାର୍ । ଚାଉଳ, ଭତ୍ତା ସହିତ ଅନ୍ୟାନ୍ୟ ସୁବିଧା ବି । ଜଜ୍ ତାକୁ ତନ୍ନତନ୍ନ ପରୀକ୍ଷା କଲେ । ଡାକ୍ତରଙ୍କୁ ଜେରା କଲେ । ହେଲେ ପ୍ରକୃତରେ ଲୋକଟାର ଫିଜିବିଲିଟି ନାହିଁ । ଗୋଟେ ହାତ କେମ୍ପା ଅଛି । ଓଠ ବେଙ୍କଇ କଥା କହୁଛି ଯାହା କିଛି କିଛି ଅସ୍ପଷ୍ଟ ।

ପରିବାରରେ କେହି ସେମିତି ରୋଜଗାରିଆ ନାହାନ୍ତି ଯେ ଏ ଅକ୍ଷ ମକୁ ସାହା ହେବେ । ଜମିବାଡି ବି ଶୂନ । ଏଭଳି ଲୋକକୁ ଅଶୀ ପର୍ସେଂଟ୍ ମିଳିବା କଥା ।

ଅଥଚ ଡାକ୍ତର ଅଣଦେଖା କରୁଚନ୍ତି ଏ ବିଚରାଟାକୁ! ଜଜ୍ ଭର୍ତ୍ସନା କଲେ ଡାକ୍ତରଙ୍କୁ । ସରକାରୀ ସାହାଯ୍ୟ ତ ଏଇମାନଙ୍କ ପାଇଁ । ଏମାନେ ଲାଭ ନପାଇଲେ ଯୋଜନା ବ୍ୟର୍ଥ । ଏକଥା ଶୁଣି ଲୋକଟାର ଆଖି ଲୁହରେ ଭରିଗଲା । ସେଦିନ ମଙ୍ଗଳା ଛକରେ ଚାଟ୍ ବିକ୍ରି କରୁଥିଲା ସେ । ଜଜ୍‌ଙ୍କ ଝିଅ ସେଇଠି ବରାବର ଚାଟ୍ ଖାଏ । ଗାଡିରୁ ଓହ୍ଲାଇ ଝିଅ ଚାଟ୍ ବରାଦ କଲାବେଳେ ଜଜ୍ ଅଦୂରରୁ ନିରେଖୁଥିଲେ ସେ ଚାଟ୍ ବିକାଳୀକୁ । ଝିଅ ଖାଇସାରି ହାତ ଧୋଇଲାବେଳକୁ ସେ ଦେଖୁଥିଲେ ଲୋକଟା ଏତେ ବଡ ଠେଲା ଗାଡିଟିକୁ ଆରାମରେ ଠେଲି ନେଇଯାଉଥିଲା..କଲୋନୀ ଭିତରକୁ.. !

ଜଜ୍ ଭାବୁଥିଲେ- ଭୁଲ୍ ହୋଇଗଲା କି ! ଲୋକଟା ତ ଏତେ ବି ଅକ୍ଷମ ନୁହେଁ । ତା କଥା ବୁଝିହେଉଛି ଠିକ୍‌ରେ, ସେଦିନ ତ ସେ କଥା କହିପାରୁନଥିଲା । ଅଶୀ ପ୍ରତିଶତ ଅକ୍ଷମ ମନେହେଉଥିବା ଲୋକଟା ଆଜି ମାତ୍ର ତିରିଶ୍ ପ୍ରତିଶତ ଅକ୍ଷମ ମନେହେଉଥିଲା ! ଅଳ୍ପକୁ ଅଧିକ ବନେଇ ଲୁଟିନେଇଥିଲା ଅଧିକ ସହାୟତା ଓ ସମବେଦନା । ମନେମନେ ଜଜ୍ କ୍ଷମା ମାଗୁଥିଲେ ଡାକ୍ତର ଓ ଈଶ୍ୱର ଉଭୟଙ୍କୁ । ଡାକ୍ତର ଠିକ୍ ବୁଝିଥିଲେ ଲୋକଟାର ଶାରୀରିକ ଓ ମାନସିକ ଅକ୍ଷମତାର ପରିମାଣ କେତେ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top