ଅନୁବାଦ ସାହିତ୍ୟ

ରବିବାରର ତାନ

Ram Nagina Maurya's Short Story Rabibarara Taana in odia by Dr Mousumi Parida

କଥା କଣ ? ଆଜି ଆଇନାରେ ନିଜ ମୁହଁକୁ ଖୁବ୍ ଧ୍ୟାନର ସହିତ ନିରେଖୁଛ ?

ରବିବାରର ତାନ
ରାମ ନଗୀନା ମୌର୍ଯ୍ୟ, ଲକ୍ଷ୍ନୌ

ରାମ ନଗୀନା ମୌର୍ଯ୍ୟ, ଲକ୍ଷ୍ନୌ

ମୂଳ ହିନ୍ଦୀ

ବିଶ୍ୱମ୍ଭର ଦୟାଲଙ୍କ ଅବସର ନେବାକୁ ଏବେ ପାଞ୍ଚ ବର୍ଷ ବାକି ଅଛି । ପ୍ରାୟ ଚଉବନ, ପଞ୍ଚାବନ ବର୍ଷ ବୟସ ହେବ ତାଙ୍କୁ । ଦୁଇ ପିଲା ଉଚ୍ଚଶିକ୍ଷା ପାଇଁ ମହାନଗରରେ ରହୁଛନ୍ତି । ସମସ୍ତଙ୍କ କିଛି ନା କିଛି ଅଭ୍ୟାସ ବା ସଉକ ରହିଥାଏ । ସେ କାରଣରୁ ବିଶ୍ୱମ୍ଭର ଦୟାଲଙ୍କର ବି ପଢିବା ଲେଖିବାର ସଉକ ଥିଲା । ତାଙ୍କ ପତ୍ନୀ ବି କ୍ୱିଚିତ୍ ଖାଲି ବସିଥିବାର ଦେଖିବାକୁ ମିଳନ୍ତି । ଯେହେତୁ ତାଙ୍କ ପତ୍ନୀଙ୍କର ଘର କାମ, ସଫାସଫି ଛଡା ଆଉ କିଛି ସଉକ ନାହିଁ ତେବେ ବି ବ୍ୟସ୍ତ ରହନ୍ତି । ହାତ ପାଦରେ ଯନ୍ତ୍ରଣା ବୃଦ୍ଧି ପାଇଲେ ଯାଇ ବିଶ୍ରାମ କରନ୍ତି । ଅନ୍ୟଥା ପୂଜାପାଠ ସାରି ଘର କାମରେ ମଜ୍ଜି ଯାଆନ୍ତି । ଚାରି ସଦସ୍ୟ ବିଶିଷ୍ଟ ପରିବାରରେ ଏବେମାତ୍ର ଦୁଇଜଣ ଘରେ ରହୁଛନ୍ତି ।

ବିଶ୍ୱମ୍ଭର ଦୟାଲଙ୍କ ଦିନଚର୍ଯ୍ୟା ହେଉଛି, ସକାଳୁ ଉଠି ଉଷୁମ ପାଣି ପିଇସାରିବା ପରେ ନିଜେ ଚା ବନେଇ ପିଇବା । ଝାଡା ଲାଗିବା ପର୍ଯ୍ୟନ୍ତ ଖବରକାଗଜ ପଢିବା । ନିଜ ନାମ, ଜନ୍ମତିଥିକୁ ନେଇ ଆଗ୍ରହ ପୂର୍ବକ ନିଜ ରାଶିଫଳ ପଢିବା, ବୁଝିପାରୁଥିବା କଥାଗୁଡିକୁ ଅନୁରୂପ ପାଳନ କରିବା । କେବେକେବେ ସଂପୂର୍ଣ୍ଣ ଖବରକାଗଜର ପୃଷ୍ଠାଗୁଡିକୁ ଓଲଟେଇ ମୋଟାମୋଟି ଭାବେ ପଢିବା ପରେ ବି ଯଦି ଠିକ୍‌ରେ ଝାଡା ନଲାଗେ ତେବେ ପୁଣି ଥରେଅଧେ ଚା ପିଅନ୍ତି ।

ଫ୍ରେଶ୍ ହେବା ପରେ ଘର ପଛରେ ଥିବା ପାର୍କରେ ଦୁଇ ତିନି ଘେରା ଚାଲିବା ପରେ ଅଳ୍ପ ଦୂରରେ ଥିବା ମୁଖ୍ୟ ରାସ୍ତାରୁ ପାଖ ଗଳି ଦେଇ ଗିରିଧାରୀ ଲାଲ୍‌ଙ୍କ ଦୋକାନରୁ କ୍ଷୀର ପ୍ୟାକେଟ୍ କିଣି ଘରକୁ ଫେରିବା ପରେ ଅଫିସ୍ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତି । ଛୁଟି କିମ୍ବା କାର୍ଯ୍ୟଦିବସମାନଙ୍କରେ ବିଶ୍ୱମ୍ଭର ଦୟାଲ୍‌ଙ୍କ ସକାଳ ଦିନଚର୍ଯ୍ୟାରେ ସେମିତି ବିଶେଷ କିଛି ପରିବର୍ତ୍ତନ ହୁଏନାହିଁ ।

ଗିରିଧାରୀ ଲାଲ୍‌ଙ୍କ ସାଧାରଣ ଷ୍ଟୋର୍‌ର ପାଖାପାଖି ଆହୁରି ତିନି ଚାରୋଟି ଦୋକାନ ଅଛି । ଯେମିତି ଗୋଟେ ଷ୍ଟେସନାରୀ, ଦ୍ୱିତୀୟଟି ମୋବାଇଲ୍ ଆନୁଷଂଗିକ ଜିନିଷ, ଟପ୍ଅପ୍, ରିଚାର୍ଜ ଭାଉଚର୍ ଇତ୍ୟାଦି, ତୃତୀୟଟି ଫଟୋ ଷ୍ଟୁଡିଓ ସହିତ ଫଟୋ ଦୋକାନ ଏବଂ ଚତୁର୍ଥଟି ‘ଷ୍ଟାଇଲ୍ ହେୟର୍ କଟିଂ ସେଲୁନ୍’ ନାମକ ଚୁଟିକଟା ଦୋକାନ । ମୁଖ୍ୟ ରସ୍ତାର ପାଖାପାଖି ଗୋଟେ ମାଇଲ୍ ଆଗକୁ ଗଲାପରେ ରାସ୍ତାର ଦୁଇପାଶ୍ୱର୍ରେ ଦୁଇଟା ବଡବଡ ପବ୍ଲିକ୍ ସ୍କୁଲ୍ ବି ଅଛି । ଆଖପାଖରେ ଭଲ ଷ୍ଟେସନାରୀ ଦୋକାନ ନଥିବାରୁ ଏହି ଦୋକାନଟି ଭଲ ଚାଲେ । ଦୋକାନରେ ଷ୍ଟେସନାରୀ ସମ୍ବନ୍ଧୀୟ ସବୁତକ ଜିନିଷ ସୁସଜ୍ଜିତ ହୋଇ ଥାକରେ ରଖାହୋଇଥିବାର ଦେଖିବାକୁ ମିଳେ । ବିଶ୍ୱମ୍ଭର ଦୟାଲ୍ ରହୁଥିବା କଲୋନୀର ଲୋକମାନେ, ସ୍କୁଲ୍କୁ ଯାଉଥିବା ପିଲାମାନେ ଆବଶ୍ୟକୀୟ ଛୋଟମୋଟ ଜିନିଷ ଏହି ଦୋକାନରୁ କିଣିଥାନ୍ତି ।

ଉଚ୍ଚଶିକ୍ଷା ପାଇଁ ପିଲାମାନେ ମହାନଗରରେ ରହୁଥିବାରୁ ଘରେ ବିଶେଷ କିଛି କାମ ନଥାଏ । ତେଣୁ ସମୟ ବିତାଇବା ପାଇଁ ଏହି କିଛି ବର୍ଷ ହେଲା ବିଶ୍ୱମ୍ଭର ଦୟାଲ୍‌ଙ୍କର ପଢିବା-ଲେଖିବା ସଉକଟା ବଢିଛି । ସେଥିପାଇଁ କେବେକେବେ କଲମ ପେନସିଲ୍, ଡାଏରି, ନୋଟ୍‌ବୁକ୍ ଆଦିର ଆବଶ୍ୟକତା ପଡେ । ସେହିସବୁ ଆବଶ୍ୟକତା ଯୋଗୁଁ ବିଶ୍ୱମ୍ଭର ଦୟାଲ୍ ଏହି ଦୋକାନ ଉପରେ ନିର୍ଭର କରନ୍ତି । ମଝିରେ ମଝିରେ ରେଜା ଆବଶ୍ୟକ ହେଉଥିବାରୁ ବିଶ୍ୱମ୍ଭର ଏହି ଦୋକାନରୁ କଲମ ପେନ୍ସିଲ, ଡାଏରୀ ଇତ୍ୟାଦି କିଣନ୍ତି ଯେଉଁଥିପାଇଁ ତାଙ୍କ ପାଖରେ ଏସବୁ ଚିଜ ଷ୍ଟକ୍ ହୋଇ ରହିଗଲାଣି । ତାଙ୍କର ଏହି ଅଭ୍ୟାସ ଯୋଗୁଁ ବିରକ୍ତ ହୋଇ କେବେକେବେ ପତ୍ନୀ ବିରାମ ଦେବାକୁ ଯାଇ କହନ୍ତି- ଏ ବୟସରେ ଅଧିକ ରାତିଯାଏଁ ପଢାପଢି କଲେ ଆଖି ଉପରେ ଜୋର୍ ପଡିବ । ଅନିଦ୍ରାଜନିତ ସମସ୍ୟା ହୋଇପାରେ । ବହୁ ସମୟ କମ୍ପୁ୍ୟଟର୍ ସାମ୍ନାରେ ବସି ଲେଖାପଢା କଲେ ଅଣ୍ଟା, ଆଣ୍ଠୁଗଣ୍ଠି ଓ ପିଠିର ଯନ୍ତ୍ରଣା ବଢିପାରେ । ତୁମର କୋଷ୍ଠକାଠିନ୍ୟ ସମସ୍ୟା ବି ରହିଛି । ଏଣୁ ଲେଖକଙ୍କ ପରି ଏ ସଉକ ଛାଡି ଚଲାବୁଲା କରିବା ସହିତ ବ୍ୟାୟାମ ବି କର । ଟିକେ ଦେଖ ତ, ତୁମ ପେଟ କେମିତି ବାହାରକୁ ବାହାରି ଚାଲିଛି ! ହେଲେ ପତ୍ନୀ ଗୋଟେ ଥର କହିଦେଲେ ଯେ ବିଶ୍ୱମ୍ଭର ମାନିଯିବେ ଏ କଣ ସଂଭବ ! ପତ୍ନୀଙ୍କର ଏସବୁ ଆକଟ, ନିର୍ଦ୍ଧେଶ ସେ ଏ କାନରେ ଶୁଣି ସେ କାନରେ ବାହାର କରିଦିଅନ୍ତି । ଅବଶ୍ୟ ଟିକେ ବଡ ପାଟିରେ କହିଲେ ଶୁଣନ୍ତି । ହେଲେ ଏ କାରଣ ପାଇଁ ଘଟଣା ବାରବାର ସଂଘଟିତ ହୁଏନାହିଁ । ବରଂ ତାଙ୍କ ବୋହେମିୟାନ୍‌ପଣ ବା ଅହମିକା ପାଇଁ ଏସବୁ ଘଟେ । କିଛିରେ ପରିବର୍ତ୍ତନ ହୁଏନାହିଁ ।

ବିଶ୍ୱମ୍ଭର ଦୟାଲ୍ ବିଶ୍ୱାସ କରନ୍ତି- ଲେଖାପଢା ସଉକ ଏମିତି ଯେ ଲୋକ ଭୋକଶୋଷ ଭୁଲି ମୋହାବଶ ହୋଇ ନିଜ ଧୂନ୍ରେ ମଗ୍ନ ହୋଇଯିବାକୁ ଚାହେଁ । ପ୍ରକାରାନ୍ତରେ ସେ ଲେଖାପଢାର ବାସ୍ତବ ମୂଲ୍ୟକୁ ସ୍ୱୀକାର କରିଆସିଛନ୍ତି । ଏହି ଅଭ୍ୟାସ ହେତୁ ଘରେ ବହିଗୁଡିକୁ ନେଇ ଭଲ ପାଠାଗାରଟିଏ ଗଢିଉଠିଛି । ଦିନୁଁ ଦିନ ବଢିଚାଲିଥିବା ବହିଥାକ, ଷ୍ଟକ୍ ଯୋଗୁଁ ଘରେ ସ୍ଥାନାଭାବ ଅନୁଭୂତ ହେଉଥିବାରୁ ପତ୍ନୀ ଆକଟ କଲେ ସେ ଲାଲା ଲଜପତ୍ ରାୟ କହିଥିବା କଥା- “ମୁଁ ପୁସ୍ତକଗୁଡିକୁ ନର୍କରେ ବି ସ୍ୱାଗତ କରିବି । ଏମାନଙ୍କଠାରେ ଏଭଳି ଶକ୍ତି ନିହିତ ଅଛି ଯାହା ନର୍କକୁ ବି ସ୍ୱର୍ଗ ବନାଇଦେବାର କ୍ଷମତା ରଖେ”କୁ ଦୋହରାଇ ତାଙ୍କୁ ଚୁପ୍ କରାଇ ଦିଅନ୍ତି । କହନ୍ତି ବହିଦ୍ୱାରା ନକାରାତ୍ମକ ବିଚାର ମନରେ ଆସେନାହିଁ । ଯଦି ବି ଆସୁଥାଏ ତେବେ ଲେଖାପଢା ଯୋଗୁଁ ସେସବୁର ସାର୍ଥକ ସମାଧାନ ହୋଇଯାଏ । ବର୍ତ୍ତମାନ ଆଉ ଅଧିକ କଥାକୁ ବୁଲେଇ ବେଙ୍କଇ ନକହି ନିହାତି ଆବଶ୍ୟକ କଥାଟିକୁ କହିବା ଉଚିତ୍ ହେବ ଯେଉଁ କାରଣରୁ ଏ କାହାଣୀର ମୂଳଦୁଆ ପଡିଥିଲା ।

ସେଦିନ ରବିବାର ଥିଲା । ସେଥିପାଇଁ ଶନିବାର ରାତିରେ ଡେରି ରାତିଯାଏଁ ଲେଖାପଢା କରି ଶୋଇବା ହେତୁ ରବିବାର ସକାଳୁ ଉଠୁଉଠୁ ବିଳମ୍ବ ହୋଇଯାଇଥିଲା । ନିତ୍ୟକର୍ମ ସାରି ଖବରକାଗଜରୁ ନିଜ ରାଶିଫଳ ମନଦେଇ ପଢିଲେ ବିଶ୍ୱମ୍ଭର । ଲେଖା ହୋଇଥିଲା- ଆଜି ଆପଣଙ୍କ ମନରେ ଯେଉଁ ବିଚାର ଆସୁଛି ତାର ପରିଣାମ କଥା ଚିନ୍ତାନକରି ତାକୁ କାମରେ ପରିଣତ କରନ୍ତୁ । ଦିନ ଭଲରେ ବିତିବ ।

ରବିବାରର ନିଜସ୍ୱ ଏକ ଆକର୍ଷଣ ଅଛି । ରାଶିଫଳ ପଢି ବହୁତ ଖୁସି ହୋଇ ବିଶ୍ୱମ୍ଭର ଦୟାଲ ବୁଲିବାକୁ ବାହାରିଗଲେ । ଛୁଟିଦିନ ହୋଇଥିବାରୁ ସେ ଟିକେ ଲମ୍ବା ବାଟଯାଏଁ ଚାଲିଯାଇଥିଲେ । ଯେଉଁଥିପାଇଁ ଫେରିବାକୁ ବିଳମ୍ବ ହୋଇଗଲା । ସୂର୍ଯ୍ୟ ମୁଣ୍ଡ ଉପରେ ଥିଲେ । ଏପ୍ରିଲ ମାସ ସକାଳ ପାଖାପାଖି ଏଗାର କି ବାରଟା ପାଖାପାଖି ଯେତିକି ଗରମ ହେବା କଥା ସେତିକି ଗରମ ଅନୁଭୂତ ହେଉଥିଲା ।

ଚଲାବୁଲା କରିବା ପରେ କ୍ଷୀର ପ୍ୟାକେଟ୍ ନେଇ ଫେରିବାବେଳେ ବିଶ୍ୱମ୍ଭର ଦୟାଲ ଯେବେ ସେ ଷ୍ଟେସନାରି ଦୋକାନ ସାମ୍ନା ଦେଇ ବାହାରିଲେ ଦୋକାନ ଭିତରକୁ ତାଙ୍କ ଦୃଷ୍ଟି ପହଁରିଗଲା । ଦୋକାନ କାଉଣ୍ଟର ରେ ଦୁଇଜଣ ମହିଳା ବସିଥିଲେ । ସେ ଦୁହିଁଙ୍କ ଭିତରୁ ଜଣେ ଖବରକାଗଜ ପଢୁଥିଲା । ଗାଢ ଲାଲ୍ ରଙ୍ଗର ସୁଟ୍ ସହିତ ଧାରରେ ଚୁମକି ଓ ସୁନେଲି ଜରି ଦ୍ୱାରା କାମକରାହୋଇଥିବା ଓଢଣି ପିନ୍ଧି ସୁନ୍ଦର ଦିଶୁଥିଲା । ଗୋଟେ କ୍ଷଣ ପାଇଁ ବିଶ୍ୱମ୍ଭର ଦୟାଲ୍ ଆନମନା ହୋଇଗଲେ । ପୁଣି ଆରକ୍ଷଣରେ ଯନ୍ତ୍ରବତ୍.. ଷ୍ଟେସନାରୀ ଦୋକାନକୁ ଯାଇ କାଉଣ୍ଟର ରେ ଖବରକାଗଜ ପଢୁଥିବା ମହିଳାଙ୍କୁ କହିଲେ- ମୋତେ ଗୋଟେ ଶସ୍ତା ଜେଲ୍ ପେନ୍ ଦିଅନ୍ତୁ । ଯେହେତୁ ସେଠାରେ ଆଉ କେହି ଗ୍ରାହକ ନଥିଲେ, ତେଣୁ ବିଶ୍ୱମ୍ଭର ଦୟାଲଙ୍କ ଅନୁରୋଧ କ୍ରମେ ଚଟାପଟ୍ ସେ ମହିଳା ଖବରକାଗଜ ପଢିବା ଛାଡି କାଉଣ୍ଟର ପାଖରେ ଥିବା ସମାନ ମୂଲ୍ୟର ତିନି, ଚାରିଟା ଜେଲ୍ ପେନ୍ ବାହାର କରି ତାଙ୍କ ସାମ୍ନାରେ ରଖିଦେଲା । ବିଶ୍ୱମ୍ଭର ସେଥିରୁ ଦୁଇଟି ପେନ୍ ପସନ୍ଦ କଲେ ।

କିନ୍ତୁ କଲମର ଦାମ୍ ଦେବାକୁ ପକେଟ୍‌ରେ ହାତ ପୂରାଇ ବେକୁବ୍ ହୋଇଗଲେ । ତାଙ୍କ ପକେଟ୍‌ରେ ତିନି ଚାରି ଟଙ୍କା ବ୍ୟତୀତ ଆବଶ୍ୟକ ପରିମାଣର ଅର୍ଥ ନଥିଲା । ସେ ସବୁଦିନ ପରି ସକାଳୁ ସକାଳୁ କେବଳ କ୍ଷୀର କିଣିବା ମୁତାବକ ଟଙ୍କା ଧରି ବାହାରନ୍ତି । “କିଛି କଥା ନାହିଁ ମଉସା, ଆପଣ ତ ପ୍ରାୟ ଏଇପଟେ ଯା’ ଆସ କରନ୍ତି । ଟଙ୍କା ପଛରେ ଦେଇଦେବେ” । କାଉଣ୍ଟର ରେ ବସିଥିବା ଦ୍ୱିତୀୟ ମହିଳାଜଣକ ହସ୍ତକ୍ଷେପ କରି କହିଲା । ବିଶ୍ୱମ୍ଭର ଦୟାଲ ନିଜ ପକେଟ୍କୁ ଦରାଣ୍ଡୁଥିବା ଦେଖି ଦ୍ୱିତୀୟ ମହିଳାଜଣକ ଅନୁମାନ କଲା କି ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନାହିଁ । ତେଣୁ ତାଙ୍କ ବ୍ୟସ୍ତତା କାଟିବାକୁ ସେ କଥାର ଦିଗ ବଦଳାଇଲା । ମହିଳାଟିର ଏ କଥା ଶୁଣି ବିଶ୍ୱମ୍ଭର ଦୟାଲ ପୁଣିଥରେ ସଂଭ୍ରମି ଗଲେ । “ମଉସା, ଆଜି କ୍ଷୀର ବହୁ ଡେରିରେ ନେଉଛନ୍ତି?” ଏଥର ଗାଢ ଲାଲ୍ ରଙ୍ଗର ସୁଟ୍ ପିନ୍ଧିଥିବା ମହିଳାଟି ଅପ୍ରତ୍ୟାଶିତ ଭାବେ ପ୍ରଶ୍ନ କଲା ।

ହଁ, ଆଜି ଟିକେ ଡେରି ହୋଇଗଲା । ସହର ବାହାରକୁ ଚାଲିଯାଇଥିଲି । କାଲି ବିଳମ୍ବିତ ରାତିରେ ଘରେ ପହଞ୍ଚିଲି । ଶୋଇବାକୁ ବିଳମ୍ବ ହେବାରୁ ଉଠିବା ବି ବିଳମ୍ବ ହୋଇଗଲା । ବିଶ୍ୱମ୍ଭର ଦୟାଲ ଦୁଇଟାଯାକ କଲମ ନିଜ କାମିଜ୍ ପକେଟ୍‌ରେ ଖୋସୁଖୋସୁ ଜାଣିନଥିଲେ କାହିଁକି ମିଥ୍ୟାର ସାହାରା ନେବାକୁ ପଡିଲା ବୋଲି ।

ମଉସା, କ୍ଷୀର ପ୍ୟାକେଟଗୁଡିକୁ ଏବେ ନେଇ ଫ୍ରିଜ୍‌ରେ ରଖିଦେବେ ନହେଲେ କ୍ଷୀର ଛିଡିଯବ । ଗାଢ ଲାଲ୍ ରଙ୍ଗର ସୁଟ୍ ପିନ୍ଧିଥିବା ମହିଳାଜଣକ କୋଉ ମାନସିକତାରେ ଥିଲା କେଜାଣି ଏମିତି ନିର୍ଦ୍ଧେଶ ଦେଲା ଯେମିତି କ୍ଷୀର ଛିଡିଯିବ ବୋଲି ତାର ଖୁବ୍ ଚିନ୍ତା! ବିଶ୍ୱମ୍ଭର ଦୟାଲ୍ ବି ଅଳ୍ପ ହସି କୃତଜ୍ଞତାବଶତଃ କିମ୍ବା ସାମାଜିକ ସଂପର୍କ କାରଣରୁ ନିଜ ବେକକୁ ଉପର ତଳ ଏମିତି ଦୁଇଥର ହଲାଇ ଖୁସି ଜାହିର୍ କଲେ । ସେ ମହିଳାର ଏପରି ନିର୍ଦ୍ଧେଶ ଶୁଣି ତାଙ୍କୁ ଲାଗିଲା- ଯେମିତି କିଛି ମହିଳା ଯେକୌଣସି ପରିସ୍ଥିତିରେ ବି ଘରେ, ବାହାରେ, ନିଜ ଆଖପାଖରେ ଲୋକମାନଙ୍କ ପ୍ରତି ଚିନ୍ତିତ ରହନ୍ତି । କିନ୍ତୁ ପରମୂହୁର୍ତ୍ତରେ ସେ ସଚେତନ ହେଲେ ଯେ ଏବେ ମୋର ଏତେ ବୟସ ବି ହୋଇନାହିଁ ଯେ କେହି ମୋତେ ମଉସା ବୋଲି ଡାକିବ! ତେଣୁ.. ।

ଘରକୁ ଆସିବାବେଳେ ନିଜ ପକେଟ୍‌ରେ ଦୁଇଟାଯାକ କଲମର ଉପସ୍ଥିତିକୁ ଅନୁଭବ କରି ରାସ୍ତା ସାରା ଫିଲ୍ମ ଗୀତ- ୟେ ଲାଲ୍ ରଙ୍ଗ କବ୍ ମୁଝେ ଛୋଡେଗା..କୁ ଗୁଣୁଗୁଣଉଥିଲେ ଯାହାର ଗୂଢାର୍ଥ ବା ଶବ୍ଦାର୍ଥ ସେ ସମୟରେ କେବଳ ତାଙ୍କୁ ହିଁ ଜଣା ଥିଲା ।

ଏ କ୍ଷୀର ପ୍ୟାକେଟ୍ଗୁଡିକୁ ଫ୍ରିଜ୍‌ରେ ରଖିଦିଅ । ନହେଲେ କ୍ଷୀର ଛିଡିଯିବ । ଡାଇନିଙ୍ଗ୍ ଟେବୁଲ୍ ଉପରେ କ୍ଷୀର ରଖୁରଖୁ ସେ ପତ୍ନୀଙ୍କୁ ନିର୍ଦ୍ଧେଶ ଦେଲେ ।

ହଁ ..ଯେମିତି ମତେ ଜଣାନଥିଲା । ଆଜି ହିଁ ଏ ମହତ୍ୱପୂର୍ଣ୍ଣ ଜ୍ଞାନ ତୁମଠାରୁ ଶିଖିବାକୁ ମିଳିଲା । ପତ୍ନୀଙ୍କ ଉତ୍ତର ବି ତତୋଧିକ ରମଣୀୟ ଥିଲା ।

ଆରେ ଭାଇ, ମୁଁ ତ ସାମାନ୍ୟ ସୂଚନାଟିଏ ଦେଇଥିଲି । ଆଚ୍ଛା, ଛାଡ । ଗରମ ଗରମ କଫି ଗୋଟେ କପ୍ ଏବେ ମିଳିପାରିବ ?

ଏତେ ଡେରିରେ କ୍ଷୀର ଆଣିକି ଆସିବ ଯଦି ୟାକୁ ଫ୍ରିଜ୍‌ରେ ରଖିବାର ଆବଶ୍ୟକତା କଣ! ବରଂ ୟାକୁ ପାତ୍ରରେ ଢାଳି ଗ୍ୟାସ୍‌ରେ ବସାଇଦିଅ । ଆଉ କଫି ନିଜେ ବନାଅ । ବହୁତ ସମୟଯାଏଁ ଘରକୁ ସଫାସଫି କରୁଥିଲି । କେଶରେ ଧୂଳି ଜମିଯାଇଛି । ଦୁଇଦିନ ହେଲାଣି ଶାମ୍ପୁ ବି କରିନି । ମୁଁ ଗାଧୋଇବାକୁ ଯାଉଛି । ..ଆଇଲେ କଫି ପିଇବାକୁ.. କହି ତାତ୍ସଲ୍ୟ କଲେ ପତ୍ନୀ!

ଯାହା ଇଚ୍ଛା, ହଜୁର୍ । ବିଶ୍ୱମ୍ଭର ଯେଉଁ ଖାମଖିଆଲି ମନୋଭାବରେ ଘରକୁ ଫେରିଥିଲେ ସେ ତନ୍ଦ୍ରା ଭାଂଗିଗଲା । ପତ୍ନୀଙ୍କଠାରୁ ଏଭଳି ରୁକ୍ଷ କଥା ଶୁଣିବାକୁ ପଡିବ ବୋଲି ଆଶା କରିନଥିଲେ । ପତ୍ନୀଙ୍କ ମନୋଦଶାକୁ ଲକ୍ଷ୍ୟକରି ସେ ବାଥ୍ରୁମ୍କୁ ଗଲା ପରେ ଆଜ୍ଞାକାରୀ ସ୍ୱାମୀଟେ ପରି ପ୍ରଥମେ କ୍ଷୀର ପ୍ୟାକେଟ୍ କାଟି ବଡ ପାତ୍ରରେ ଢାଳିଲେ । ପୁଣି ସସ୍‌ପ୍ୟାନ୍‌ରେ ଦୁଇକପ୍ କଫି ବନାଇବାକୁ କ୍ଷୀର ଓ ପାଣି ସହିତ ଚିନି ମିଶାଇ ଗ୍ୟାସ୍ ବର୍ଣ୍ଣର ଉପରେ ରଖି ସେଭିଙ୍ଗ୍ ହେବାକୁ ପ୍ରସ୍ତୁତ ହେଲେ ।

କଫି ପିଇବା ପରେ ବିଶ୍ୱମ୍ଭର ଦୟାଲ୍ ଯେବେ ଆଇନା ସାମ୍ନାରେ ଛିଡାହୋଇ ଧ୍ୟାନ ସହକାରେ ନିଜ ମୁହଁକୁ ନିରେଖିଲେ, ଦେଖିଲେ- ଅର୍ଦ୍ଧାଧିକ ନିଶ ଧଳା ହେବାକୁ ଆରମ୍ଭ କରିଛନ୍ତି । ମୁହଁରେ ଠାଏ ଠାଏ କରି କୁଂଚିତ ରେଖାମାନ ଉକୁଟି ଦିଶିଲେଣି । ମୁଣ୍ଡଚୁଟି ବି କଳାଧଳା ମିଶ୍ରିତ । ଏ ସବୁ ପରିବର୍ତ୍ତନ ତାଙ୍କୁ ସାମୂହିକ ଭାବେ ବୟସ୍କ ପ୍ରମାଣିତ କରିବାକୁ ଛିଗୁଲାଉଥିଲେ ।

କଥା କଣ ? ଆଜି ଆଇନାରେ ନିଜ ମୁହଁକୁ ଖୁବ୍ ଧ୍ୟାନର ସହିତ ନିରେଖୁଛ ? ଆଇନା ଆଗରେ ବିଶ୍ୱମ୍ଭର ନିଜ ମୁହଁର ଭାବଭଂଗୀକୁ ବଦଳାଉଥିବାର ଦେଖି ପତ୍ନୀ ବାଥ୍ରୁମ୍ରୁ ବାହାରୁ ବାହାରୁ କହିଲେ ।

ଭାବୁଛି, ନିଶର ଏ ଯେଉଁ ଦି ଚାରିଟା ଚୁଟି ଧଳା ହୋଇଯାଇଛି ତାକୁ ଉପାଡିଦେବି । । ବିଶ୍ୱମ୍ଭର ଗମ୍ଭୀରତାର ସହ କହିଲେ ।

ଦି ଚାରିଟା ଚୁଟି? ମୋତେ ତ ତୁମ ନିଶର ଡଜନଠୁ ବି ଅଧିକ ଚୁଟି ଧଳା ଦିଶୁଛି । ପତ୍ନୀ ବ୍ୟଙ୍ଗ କଲେ ।

ଦେଖିବାର ନିଜ ନିଜ ମନୋଭାବ । ବିଶ୍ୱମ୍ଭର ଟିକେ ନିରାଶ ହୋଇ କହିଲେ ।

ଆଜି କେହି କିଛି କହିଦେଲା କି ? ଏଥର ପତ୍ନୀଙ୍କ ମୁହଁରେ ଆଶ୍ଚର୍ଯ୍ୟ ମିଶ୍ରିତ ହସଟିଏ ଥିଲା ।

ନା । ବାସ୍..ଏମିତି.. । ବିଶ୍ୱମ୍ଭର ଦୟାଲ ସଂକ୍ଷିପ୍ତରେ କହିଲେ ।

ଅନ୍ତରାଳରୁ କେଉଁ ଦୂରରୁ ତାଙ୍କୁ ଶୁଭୁଥିଲା ଟ୍ରାଂଜିଷ୍ଟର୍ର ସେଇ ଗୀତଟି- ଅବ ଭି କୋଇ କଙ୍ଗନା ବୋଲେ ପାୟଲ ଝନକ ଯାଏ.. ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top