ଅଣୁଗଳ୍ପ

ମୁଁ ଭଗବାନଙ୍କୁ ଦେଖିଛି

Shrimanta Kumar Panda's odia short story Mun Bhagabananku Dekhichhi

ମା, ଆଜି ତମେ ଖାଇବାକୁ ଦେଲ, ତମେ ମୋ ପାଇଁ ଭଗବାନ । ମୁଁ କେତେ ବର୍ଷ ହେଲା ଏମିତି ଗାଁ ଗାଁ ବୁଲୁଛି ମନେ ନାହିଁ, ଏଇ ପିଲାଙ୍କ ଭଳିଆ ହେଇଥିଲି, ସାରା ଭାରତ ବୁଲିଛି, କିନ୍ତୁ କେବେ ଭୋକରେ ରହି ନାହିଁ । ସବୁଦିନ କେହିନା କେହି ଡାକି ଖାଇବାକୁ ଦେଇଛନ୍ତି । ତମ ଭଳିଆ ସବୁ ଗାଁ ରେ ଜଣେ ଜଣେ ଭଗବାନ ଅଛନ୍ତି ।

ମୁଁ ଭଗବାନଙ୍କୁ ଦେଖିଛି

ଆମ ପିଲାଦିନ ଆଜିର ଦୁନିଆରୁ ଟିକେ ଅଲଗା ଥିଲା । ଛୋଟ ବେଳେ ମୁଁ ଅନେକ ସମୟ ଗାଁ ରେ ରହୁଥିଲି । ସେତବେଳେ ଛୁଟି ସମୟରେ କେହି ସ୍କୁଲ ପିଲା ଟ୍ୟୁସନ ହେଉନଥିଲେ । ଛୁଟି ମାନେ ଛୁଟି ।

ଥରେ କିଛି ଛୋଟପିଲା ଗାଁ ରେ ଖେଳୁଛୁ । ବାହାରୁ ଗୋଟେ ଲୋକ ଆସିଲା । ସେ ଗୋଟେ ବଡ ବାକ୍ସ ଧରିଥିଲା । ଆମକୁ ଡାକି ପଚାରିଲା:– ବାଇସ୍କୋପ ଦେଖିବ ? ଯାହାର ଦେଖିବାର ଅଛି ଯାଅ ପଇସା ଆଣିକି ଆସିବ ।

ଭିତରୁ କିଛି ଜଣ ଘରକୁ ଯାଇ ପାଞ୍ଚ, ଦଶ ପଇସା ଲେଖା ଧରିକି ଆସିଲୁ । ଜଣେ ଦୁଇଜଣ ଚାଉଳ ଧରିକି ଆସିଲେ । ସବୁ ରଖିଲା ପରେ ଲୋକଟି, ବାକ୍ସରେ ଲାଗିଥିବା ଇଂରାଜୀ X ଅକ୍ଷର ଭଳିଆ ଦୁଇଟି ବାଡ଼ିକୁ ଖୋଲିଲା । ଯାହା ବାକ୍ସର ଷ୍ଟାଣ୍ଡ ଭଳିଆ ରହିଲା । ବାକ୍ସ ଉପରୁ ଘୋଡା ହେଇଥିବା ଏକ କପଡା କାଢ଼ିଦେଇ, ଯେଉଁମାନେ ପଇସା ଓ ଚାଉଳ ଦେଇଥିଲେ, ସେମାନଙ୍କୁ କହିଲା, ଦେଖ ।

ବାକ୍ସ ଟା ପାଞ୍ଚ କୋଣିଆ ଥିଲା ଓ ପ୍ରତି ପାର୍ଶ୍ୱ ରେ ଗୋଟିଏ ଲେଖା ନଳୀ ଲାଗିଥିଲା । ଆମେ ଆଗରୁ କେହି ବାଇସ୍କୋପ ଦେଖି ନଥିଲୁ । ଆମେ ଦେଖିଲା ବେଳକୁ ଉପରେ ଲାଗିଥିବା ହ୍ୟାଣ୍ଡେଲ୍ କୁ ବାଇସ୍କୋପ ବାଲା ବୁଲାଉ ଥାଏ । ତା ଭିତରେ ବଡ ବଡ ଫୋଟୋ ସବୁ ବୁଲୁ ଥାଏ । ସାଇଜ ବହୁତ ବଡ, ସତ ମଣିଷ ଭଳିଆ । ଗୀତ ବି ବାଜୁ ଥାଏ । ଆମକୁ ଆମକୁ ଆଶ୍ଚର୍ଯ୍ୟ ଲାଗିଲା ଏତେ ଛୋଟ ବାକ୍ସରେ ଏତେ ବଡ ବଡ ମଣିଷ କେମିତି ଦେଖା ଯାଉଛନ୍ତି । ଯେଉଁ ସମୟର କଥା କୁହ ଯାଉଛି, ସେତବେଳେ ଆମେ ସିନେମା ଓ ଟିଭି ଦେଖିନଥିଲୁ ।

ଆମେ ଦେଖି ସାରିବାପରେ, ଯେଉଁମାନେ ପଇସା ଦେଇନଥିଲେ ତାଙ୍କୁ ଡାକି ଦେଖେଇଲା । ଆମର ଇଚ୍ଛା ଥିଲା ଆଉ ଥରେ ଦେଖିବାକୁ । ବାଇସ୍କୋପ ବାଲା ଆମ ମନ କଥା ଜାଣି ପାରିଲା । ସେମାନେ ଦେଖି ସାରିବା ପରେ ଆମକୁ ପୁଣି ଥରେ ଦେଖେଇଲା । ଏମିତି ଆମେ ଜଣେ ପରେ ଜଣେ ବହୁ ସମୟ ଧରି ବାଇସ୍କୋପ ଦେଖିଲୁ ।

ଦେଖି ସାରିବା ପରେ ଆମେ ପୁଣି ଖେଳିବା ଆରମ୍ଭ କଲୁ । ଗୋଟେ ନୂଆ ଜିନିଷ ଦେଖିଥିବାରୁ ଆମେ ଟିକେ ଖୁସି ଥାଉ । ଯାହା ଆମର ହାବଭାବରୁ ଜଣା ପଡି ଯାଉଥାଏ । ଏ ଘଟଣାଟି ମୋ ମାମୁଁ ଘର ଗାଁ ର । ମୋ ଆଈ ଆମର ହାବଭାବ ଦେଖି, ପଚାରିଲେ;
କଣ ହେଇଛି?
ଆମେ ବାଇସ୍କୋପ ଦେଖିଥିବା କଥା କହିଲୁ । ଭିବିଥିଲୁ ଶୁଣିକି ଖୁସିହେବେ ।
କିନ୍ତୁ କଥା ଓଲଟା ହେଲା, ଆମକୁ ରାଗିଲେ । ରାଗିବାର କାରଣ ଆମେ ପଇସା ନେଇଥିବା କିମ୍ୱା ଜଣେ ଅଜଣା ଲୋକ, ଯିଏ ଛୁଆ ଚୋର ହେଇପାରେ ପାଖକୁ ଯିବା ନ ଥିଲା । ବରଂ ସେ କହିଲେ;
ଏବେ ଖାଇବା ବେଳ, ଗାଁ କୁ ଜଣେ ବାହାର ଲୋକ ଆସିଥିଲା, ତମେ ମାନେ କାହିଁକି ତାକୁ ଖାଇବାକୁ ଡାକିଲ ନାହିଁ ? ଏତେ ଖରାରେ ସେ ଏବେ କଉଠି ଖାଇବ ? ଯାଅ ତାକୁ ଡାକି ଆଣିବ ।

ଏଇଟା ଆମର ଭୁଲ ଜାଣି ନଥିଲୁ କିନ୍ତୁ ନିର୍ଦ୍ଦେଶ ପାଇବା ପରେ ତାକୁ ଡାକିବାକୁ ବାହାରି ଗଲୁ । ଯେଉଁ ସମୟର କଥା କୁହା ଯାଉଛି, ସେ ସମୟରେ ବଡ ଲୋକଙ୍କ ମୁହଁରୁ ବାହାରୁଥିବା ପ୍ରତି କଥା ଆମପାଇଁ ନିର୍ଦ୍ଦେଶ ଥିଲା । ଯେହେତୁ ଗାଁରୁ ବାହାରକୁ ଯିବାକୁ ଏକମାତ୍ର ରାସ୍ତା ଥିଲା, ତେଣୁ ରାସ୍ତା ପାଇବାରେ ଅସୁବିଧା ନ ଥିଲା । କିନ୍ତୁ ଗାଁ ର ଏକ ନିର୍ଦ୍ଦିଷ୍ଟ ସୀମା ପରେ ଆମେ କେବେ ଏକୁଟିଆ ଯାଇ ନଥିଲୁ । ଜଣେ ବଡ ଲୋକ ନଥିଲେ ସେ ସୀମା ଆମେ ଡେଉଁ ନଥିଲୁ । କାରଣ, ସେଠି ଗୋଟେ ଗଛ ଥିଲା ଓ ଗଛରେ ଗ୍ରାମଦେବୀ ରହୁଥିଲେ । ଯିଏ ବାହାରକୁ ଗଲେ ସେଠି ମୁଣ୍ଡିଆ ମାରି ଯାଉଥିଲେ ।

ଆମର ଭାଗ୍ୟ ଭଲ ବାଇସ୍କୋପ ବାଲା ଆଗକୁ ନ ଯାଇ, ସେ ଗଛତଳେ ବିଶ୍ରାମ କରୁଥିଲା । ତାକୁ ଡାକିଲୁ, କିନ୍ତୁ ଏବେ ଆଶ୍ଚର୍ଯ୍ୟ ଲାଗୁଛି ତାକୁ କେମିତି ଡାକି ପାରିଲୁ, ତା ଭାଷା ଆମକୁ ଜଣ ନଥିଲା ଓ ଆମେ ତା ଭାଷା ଜାଣିନଥିଲୁ । ବୋଧହୁଏ, ସେ ସବୁ ଆଡେ ବୁଲୁଥିବାରୁ ସବୁ ଭାଷା କିଛି କିଛି ଜାଣିଥିଲା । ଆସିଲା ବେଳକୁ ତାକୁ ମୋ ଆଈ ସହ ଆଉ କିଛି ଲୋକ ଅପେକ୍ଷା କରିଥିଲେ । ତାକୁ ଗୋଡ ହାତ ଧୋଇବାକୁ ଆମେ ପାଣି ଦେଲୁ । ତା ପରେ ତାକୁ ଖାଇବାକୁ ଦିଆଗଲା । ଆମେ ବି ଖାଇନେଲୁ । ସମସ୍ତେ ଖାଇ ସାରିବା ବେଳକୁ ଦ୍ୱିପହର ହେଇ ଯାଇ ଥାଏ । ଗାଁ ମଝିରେ ଥିବା ବରଗଛ ତଳେ ଲୋକଟି ଟିକେ ବିଶ୍ରାମ ନେଇ ବାହାରିବ କହିଲା । ଏ ଭିତରେ ତା ବିଷୟରେ ଜାଣିବାକୁ ଆହୁରି ଲୋକ ଜମା ହେଇ ସାରିଥିଲେ । ସମସ୍ତଙ୍କ ମନରେ ବିଭିନ୍ନ ପ୍ରଶ୍ନ ।

– ତା ଘର କଉଠି, କେତେ ବର୍ଷ ହେଲା ବୁଲୁଛି, ଘରେ କିଏ ସବୁ ଅଛନ୍ତି, କେତେ ଦିନରେ ଥରେ ଘରକୁ ଯାଏ, ଭାରତର କଉ ଜାଗା ସବୁ ବୁଲିଛି …..ଏମିତି ଅନେକ ।

ମୋର ସବୁ ପ୍ରଶ୍ନ ଓ ଉତ୍ତର ମନେ ନାହିଁ । କିନ୍ତୁ ସେ ବଡ ଆଗ୍ରହ ରେ ସବୁ ଉତ୍ତର ଦେଉ ଥାଏ ।

– ଘର ବମ୍ବେ ପାଖରେ, କେତବର୍ଷ ହେଲା ମୁଁ ବୁଲୁଛି ମନେ ନାହିଁ । ଏମିତି ବୁଲି ବୁଲି କିଛି ପଇସା ହେଇଗଲେ ଗାଁ କୁ ଯାଏ । ମୁଁ ପାଦରେ ସାରା ଭାରତ ବୁଲିଛି ।

ବାଇସ୍କୋପକୁ ନେଇ ତାର ବଡ ଗର୍ବ ଥିଲା, କହିଲା ଏ ବାଇସ୍କୋପ ଥିଲା ମାନେ ମୋର କିଛି ଅସୁବିଧା ନାହିଁ । ଟ୍ରେନରେ ଗଲେ ବି ପଇସା ଲାଗିବ ନାହିଁ । ଥରେ ଟ୍ରେନରେ ଯାଉଥିଲି, TTE ଆସିଲା । ସମସ୍ତଙ୍କୁ ଟିକେଟ ମାଗିଲା । ଟିକେଟ ନ ଥିଲେ ଫାଇନ, ଲଗେଜ ଥିଲେ ଡବଲ ଫାଇନ । ମୋ ପାଖକୁ ଆସି ପଚାରିଲା ଏ ବାକ୍ସରେ କଣ ଅଛି । କହିଲି;

– ତା ଭିତରେ, ରାଜା ମନ୍ତ୍ରୀ ଅଛନ୍ତି ।

ନଇଁପଡ଼ି ଦେଖିଲା, ମୁଁ ଏଇ ହାଣ୍ଡେଲ ବୁଲେଇ ଦେଲି ।

କହିଲା, ମୋ ଝିଅ ଥିଲେ ଦେଖିଥାନ୍ତା । ଆଉ ମତେ ଟିକେଟ ମାଗିଲା ନାହିଁ ।

ଆହୁରି କହିଲା, ଉତ୍ତର ପଟେ କାମାକ୍ଷା ଦେଶ ଅଛି । ସେଠିକି ଗଲେ ଫେରିବା ମୁସ୍କିଲ । ନରବଳୀ ଦିଆହୁଏ । ମୁଁ କିନ୍ତୁ ଯାଇଛି ମୋର କିଛି ଅସୁବିଧା ହେଲାନି । ସେଠି ଖାଲି ତନ୍ତ୍ର ମନ୍ତ୍ର ।

ଏମିତି ତାନ୍ତ୍ରିକ ଅଛନ୍ତି, ଗଛ କୁ ଚଳେଇ ଦେବେ, ସେ ଯେଉଁଠିକି କହିବି ଗଛ କଥା ମାନି ସେଠିକି ଯିବ ।

ବେତାଳ ସାଧିଥିବା ତାନ୍ତ୍ରିକ ଅଛନ୍ତି, ସେମାନେ ବିନା ବଳଦରେ ଶଗଡ଼ଗାଡି ଚଲାଇବେ, ହଳ କରିବେ । ଆଉ କିଛି ଅଛନ୍ତି ଖାଲି ପବନରେ ବଞ୍ଚିଛନ୍ତି, ବର୍ଷ ବର୍ଷ ହେଲା କିଛି ଖାଇ ନାହାନ୍ତି ।

ଆହୁରି କେତେ କଣ କହିଲା ମୋର ମାନେ ନାହିଁ ।

କିନ୍ତୁ ଗୋଟେ ପ୍ରଶ୍ନ ଓ ତାର ଉତ୍ତର ଆଜିବି ବର୍ଷ ପରେବି ମୋର ସ୍ପଷ୍ଟ ମାନେ ଅଛି । ପ୍ରଶ୍ନଟି ମୋ ଆଈ ତାକୁ ପଚାରି ଥିଲେ ।

– ଆଜି ସିନା ଆମେ ତମକୁ ଖାଇବାକୁ ଦେଇଦେଲୁ, କିନ୍ତୁ ତମେ ସବୁବେଳେ ବୁଲୁଛ, ସବୁ ଜାଗାରେ ହୋଟେଲ ନାହିଁ; କଣ କେମିତି ଖାଉଛ ?

ଏ ପ୍ରଶ୍ନ ଶୁଣିବା ପରେ ସେ ଟିକେ ଚୁପ ହେଇଗଲା । ମୋ ଆଈକୁ ଗୋଟେ ମୁଣ୍ଡିଆ ମାରି କହିଲା; ତା କଣ୍ଠ ଟିକେ ଥର ଥର ହେଉଥାଏ ।

– ମା, ଆଜି ତମେ ଖାଇବାକୁ ଦେଲ, ତମେ ମୋ ପାଇଁ ଭଗବାନ । ମୁଁ କେତେ ବର୍ଷ ହେଲା ଏମିତି ଗାଁ ଗାଁ ବୁଲୁଛି ମନେ ନାହିଁ, ଏଇ ପିଲାଙ୍କ ଭଳିଆ ହେଇଥିଲି, ସାରା ଭାରତ ବୁଲିଛି, କିନ୍ତୁ କେବେ ଭୋକରେ ରହି ନାହିଁ । ସବୁଦିନ କେହିନା କେହି ଡାକି ଖାଇବାକୁ ଦେଇଛନ୍ତି । ତମ ଭଳିଆ ସବୁ ଗାଁ ରେ ଜଣେ ଜଣେ ଭଗବାନ ଅଛନ୍ତି ।

ଗୋଟେ ସମୟରେ ଏ ଦେଶରେ କେବଳ ସାପୁଆକେଳା ନ ଥିଲେ, ଭଗବାନଙ୍କୁ ଦେଖିଥିବା ଲୋକ ଥିଲେ ଓ ଭାଗବାନ ବି ଥିଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top