କାଳ ବୈଶାଖୀର କଳା ବାଦଲ ପରି
ଆକସ୍ମିକ ଭାବେ ଆସିଥିଲ ମୋ ଜୀବନରେ,
ଅରଣ୍ୟ ବହ୍ନିରେ ଜଳ ସିଞ୍ଚନ ପ୍ରାୟେ
ଅସରାଏ ବର୍ଷା ଦେଇ ଚାଲିଗଲ କେତେ ଦୂରେ ।
ତୁମେ ଶୀତ ସକାଳର ଅରୁଣିମା ସାଜି
ଉଷ୍ମତା ଭରିଦେଲ ମୋ ଶୀତଳ ହୃଦୟେ,
କାକର ବିନ୍ଦୁ ପ୍ରାୟ ମୋ ଚୁନା ଚୁନା ଆକାଂକ୍ଷାକୁ
ବାଷ୍ପୀଭୂତ କରିଦେଲ ତୁମ ପ୍ରେମର ବଳୟେ ।
ମୋ ମନ ମାନଚିତ୍ରକୁ ବିଭକ୍ତ କରିଦେଲ
ଜୀବନରେ ଆସି ବିଷୁବ ରେଖା ପରାୟେ,
ଏ ଜୀବନ ଭୂଗୋଳ ପୋଥିରେ ତୁମେ ରହିଅଛ
ତୁମ ମୁହଁ ଉଙ୍କିମାରେ ଅକ୍ଷାଂଶରୁ ଦ୍ରାଘିମା ଯାଏ ।
ମାୟା ମୃଗ ପରାୟେ ହେଲ ଅଗୋଚର
କେଉଁ ମାୟା ନଗରୀର କୁହୁକ ଉଦ୍ୟାନରେ,
ଆଜି ବି ସେହି ଶିହରଣ ଖେଳେ ମୋ ତନୁରେ
ଜେବେ ତୁମ ସ୍ମୁତିକୁ ଭାଳେ ବସି ନିରଳାରେ ।