ଅଣୁଗଳ୍ପ

ନାମକରଣ

Minati Pradhan's odia short story Naamakarana

ଏ ପୁରୁଷ ପ୍ରାଧାନ ସମାଜ ଯେତେ ଦିନ ଯାଏ ନିଜର ନଜର ବଦଳାଇ ନ ଥିବେ, ସମାଜ ର ସ୍ଥିତି ବଦଳିବା କଷ୍ଟ । ଆମକୁ ଝିଅଙ୍କ ନାମ ନୁହେଁ ସମାଜ ର ଦୃଷ୍ଟି ଭଙ୍ଗି ବଦଳାଇବାକୁ ପଡିବ ।

ନାମକରଣ

ସକାଳର ସୁନେଲି ଖରା ଝରକାର କାଚ ଦେଇ ହସ୍ପିଟାଲ ରୁମ ସାରା ବିଛାଡି ହୋଇ ପଡିଥିଲା । ବାହାରେ ଚଢେଇ ମାନଙ୍କର କିଚିରି-ମିଚିରି ଶବ୍ଦ ରେ ନିଦ ଭାଙ୍ଗି ଗଲା ସୁନିତାର । ଦେହ ସାରା ଦରଜ, ଗତ ସନ୍ଧ୍ୟାରେ ପ୍ରସୂତି କଷ୍ଟରେ ଯେତିକି ଚିତ୍କାର କରିଛି, ଝିଅ ଭୂମିଷ୍ଠ ହେବା କ୍ଷଣି ନିଆଁରେ ପାଣି ପଡିଲା ଭଳି ଚୁପ ପଡି ଯାଇଥିଲା ତା ପାଟି । ଡାକ୍ତର ଓ ନର୍ସ ମାନେ ଏକାଥରେ କହିଥିଲେ “ଶୁଭେଚ୍ଛା ମ୍ୟାଡାମ, ଝିଅ ହୋଇଛି!” ଝିଅ କୁ ଖାଲି ପୋଛା ପୋଛି କରୁଥିବାର ଦେଖିଲା ସୁନିତା । ଯାହା ହେଉ ତାର ବହୁ ଦିନର ପ୍ରାର୍ଥନା ପୂରଣ ହୋଇଛି । ଝିଅ ଟିଏ ହୋଇଛି ତାର । ଡାକ୍ତର ଇଂଜେକଶନ ଦେଉ ଦେଉ କଣ ପଚାରୁଥିଲେ, ସୁନିତା କିନ୍ତୁ ଦୁଇ ଦିନ ର ଅନିଦ୍ରା ଆଉ କେଇ ଘଣ୍ଟା ର ପ୍ରସୂତି ଯନ୍ତ୍ରଣା ରୁ ଉପସମ ପାଇ ଆଖି ଦୁଇଟା ତାର ବୁଜି ଆସୁଥିଲା । ରାତି ସାରା ଏତେ ଗଭୀର ଶୋଇ ଯାଇଛି ଯେ ଏବେ ଯାଇ ତାର ନିଦ ଖୋଲୁଚି । ଝିଅ କୁ ଭଲ ଭାବେ ଦେଖିନି ଏ ଯାଏ । ପାଖ ଦୋଳିକୁ ଚାହିଁଲା ସୁନିତା, ଦେଖିଲା ସେଇ କୁନି ଜୀବନ ଟିକୁ, ଯାହା ତା ଭିତରେ ବଢୁଥିଲା ଏ ଯାଏ । ଆଖି ବନ୍ଦ କରି କପଡାରେ ଗୁଡା ହୋଇ ନିଶିନ୍ତରେ ଶୋଇ ଯାଇଛି । ତାକୁ ଏ ଯାଏ କୋଳରେ ଉଠେଇନି ସୁନିତା । ହାତ ବଢାଇ ଉଠାଇ ଆଣିଲା ସୁନିତା । ପିଲାଟି ଟିକେ ଇତସ୍ତତ ହେଲା, କ୍ଷୀଣ ସ୍ଵରରେ ଟିକେ କାନ୍ଦିଲା । ସୁନିତା ତାକୁ ଉଠାଇ ଛାତି ରେ ଟିକେ ଜାକି ଧରିବା ମାତ୍ରେ କାନ୍ଦ ବନ୍ଦ କରି ଦେଲା । ହୃଦୟ ପୁରି ଉଠିଲା ସୁନିତା ର- ଏଇ ତ ମାତୃତ୍ଵ ! ନିଜ ଭିତରେ ଥିବା ବେଳେ ଭାବନା ଠୁ ଆହୁରି ଶକ୍ତ, ଆଖି ଜକାଇ ଆସିଲା । ଠିକ୍‌ ସେହି ସମୟରେ ଭିତରକୁ ପଶି ଆସିଲେ ସୌମେଶ । ଇସାରାରେ ଝିଅ କୁ ଶୁଆଇ ଦେବାକୁ କହିଲେ । ସୁନିତା କୁ କୁଣ୍ଢାଇ ଶୁଭେଚ୍ଛା ଜଣାଇଲେ, ସୁନିତା ବି । ଦୁହେଁ ମିଶି କରି ଦେଖିଥିବା ସ୍ଵପ୍ନ ଟି ବାସ୍ତବରେ ଆଜି ସତ ହୋଇଛି । ଗୋଟେ ଝିଅ ପିଲା କେତେ ଚାହିଁ ନ ଥିଲେ ସେମାନେ ସତରେ ! ଜେଜେମା ସବୁ ବେଳେ କହୁଥିଲା, “ଝିଅ ଟିଏ ହେଲେ ଘର କୁ ଲକ୍ଷ୍ମୀ ଆସନ୍ତି! ”

ଲକ୍ଷ୍ମୀ ଆସନ୍ତୁ କି ନ ଆସନ୍ତୁ, ଏମାନଙ୍କ ପାଇଁ ଝିଅ ର ମାତା ପିତା ହେବା ଭାରି ସୌଭାଗ୍ୟର କଥା । ମାତ୍ର ଜେଜେମାର ତାଗିଦା, “ଝିଅ ର ଭଲ ନାମ ଟେ ରଖିବୁ ।”

“ଭଲ ମାନେ କଣ କହିଲ, ଜେଜେମା?”

“ମାନେ ଏମିତି ଏକ ନାମ ଯାହା ତା ଜୀବନକୁ ଖୁସି ଓ ଆନନ୍ଦରେ ଭରି ଦେବ ।”

“ହଁ, ବାପା-ମା ମାନେ ତ ଆମେ ତାକୁ ଭଲରେ ରଖିବା ପାଇଁ ଚେଷ୍ଟା କରିବୁ ।”

“ସେ କଥା ତ ମୁଁ ଜାଣେ, କିନ୍ତୁ ଭଲ ବେଳା ଦେଖି ଭଲ ନାମ ଟିଏ ରଖିଲେ ପିଲାଏ ଭାଗ୍ୟବତି ହୁଅନ୍ତି ।”

ଏ କଥା ଶୁଣି ପ୍ରତିଦିନ ଇଣ୍ଟେର୍ନେଟରେ ଖୋଜୁଥିବା ନାମ ଆଉ ସେସବୁକୁ ନେଇ ସୌମେଶ ଆଉ ତା ଭିତରେ ଚାଲିଥିବା ତର୍କ ବନ୍ଦ ହୋଇ ଗଲା । ଯେହେତୁ ଝିଅ ହେବ କି ପୁଅ ଜଣା ନ ଥିଲା ଦୁହେଁ କେବଳ ଡେଲିଭରୀ ଦିନ କୁ ଅପେକ୍ଷା କରି ରହିଥିଲେ ।

“ଏବେ ଆମେ ନାମ ସ୍ଥିର କରି ପାରିବା,” ସୌମେଶ କହିଲେ । ଗତ କାଲି ଝିଅ ଜନ୍ମ ହେବା ପରେ ହସ୍ପିଟାଲ ରୁ ଯାଇ ପରିବାର ଜୋତିଷ ଙ୍କ ପାଖକୁ ଯାଇଥିଲି । ଝିଅ ର ନାମ ‘ନ’ ରେ ଉଠିଛି । ‘ନି’ ବା ‘ନା’ ରେ ଦେଲେ ଭଲ ହେବ, ଜୋତିଷ କହିଛନ୍ତି ।”

“ହୁଁ, କିନ୍ତୁ ଭଲ ନାମ ଟେ ଦେବା ।”

“ସବୁ ପିଲା ମାନେ ବହୁତ କାନ୍ଦନ୍ତି ଜନ୍ମ ହେଲା ବେଳେ, ମୋ ଝିଅ କିନ୍ତୁ ବେଶୀ କାନ୍ଦି ନାହିଁ । ନିର୍ଭୟ ଝିଅ, ତା ନାମ ନିର୍ଭୟା ରଖିବା,” କହି ସାରି ଚୁପ ହୋଇଗଲେ ସୌମେଶ । ତାଙ୍କ ନୀରବତାର କାରଣ ବୁଝି ପାରିଲା ସୁନିତା ।

“ହେଉ, ହେଉ, ନିର୍ଭୟା ନୁହେଁ, ଅଭୟା ଦେବା,” ଅଜାଣତରେ ବାହାରି ଗଲା ସୁନିତା ମୁହଁରୁ ।

ଆଖି ବଡ ବଡ କରି ଚାହିଁଲେ ସୌମେଶ ।

“ଏବେ ଖବର କଣ ଦେଖିନି କି ସୁନିତା?” ମନେ ମନେ ଭାବିଲେ ।

“ଛାଡ, ଆମେ ଏସବୁ ଆଧୁନିକ ନାମ ଶିଲ୍ପା, ପିହୁ, ମାମିତା କି ଛବି ଦେବାନି, ଏ ସବୁ ନାମର ଝିଅ ମାନଙ୍କର ଭାଗ୍ୟ ଖରାପ ପଡୁଛି । ସେ ତାଲିକା ରେ କିରଣ, ମନାଲି, ରୀତିକା, ବର୍ଷା, ବିଦ୍ୟା କୁ ବି ମିଶାଇ ଦିଅ ।”

“ତାହେଲେ କଣ ପୁରାଣରୁ ଦେବା? କେଉଁ ନାମ ଟିରେ ଭଲ ଭାଗ୍ୟ ଅଛି କହିଲ ? ଅହଲ୍ୟା, ଆର୍ଯ୍ୟା, ବୃନ୍ଦା, ସୀତା, କୁନ୍ତୀ ନା ଦ୍ରୌପଦୀ?”

“ନ ହେଲେ ପୁରୁଣା ଇତିହାସ ରୁ ଦେବା ।”

“କରୁବାକୀ, ରେଜିଆ, ରିଆ, ୟୁରୋପା, ହେରା, ଲେଡା କି ମେଡୁସା କିଏ ଭଲ ଜୀବନ ବଞ୍ଚିଛି କହିଲ?”

“ତା ହେଲେ?”

“ଦେଖ, ନାମ ଯାହା ଦେଲେ ବି ଗୋଟେ ଝିଅ ର ଜୀବନ ସଂଘର୍ଷ ପୂର୍ଣ, ଏଥିରେ ସନ୍ଦେହ ନାହିଁ ।”

“ତା ଛଡା ଆଜି ଦେଇଥବା ନାମ ଯେ କାଲିକୁ ଦୁର୍ଭାଗ୍ୟର ଶୀକାର ନ ହେବ, ତାର କଣ କିଛି ମାନେ ଅଛି ? ଏ ପୁରୁଷ ପ୍ରାଧାନ ସମାଜ ଯେତେ ଦିନ ଯାଏ ନିଜର ନଜର ବଦଳାଇ ନ ଥିବେ, ସମାଜ ର ସ୍ଥିତି ବଦଳିବା କଷ୍ଟ । ଆମକୁ ଝିଅଙ୍କ ନାମ ନୁହେଁ ସମାଜ ର ଦୃଷ୍ଟି ଭଙ୍ଗି ବଦଳାଇବାକୁ ପଡିବ ।”

ମନକୁ ପୁରା ନ ପାଇଲେ ବି ସୌମେଶ ଙ୍କ କଥାରେ ହଁ’ ଭରୁଥିଲା ସୁନିତା….।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top