ସୁଉଚ୍ଚ କଂକ୍ରିଟ୍ ଅଟ୍ଟାଳିକାର ସେହି ଛୋଟ କୋଠରୀଟିରେ ସଞ୍ଜ ଓହ୍ଲାଇଆସିଲେ ଏକ ଅଜବ ନୀରବତା ଛାଇଯାଏ । ବାଲ୍କୋନିର ନିରୋଳା କୋଣରେ ବସି ଚା’ କପ୍ରୁ ଉଡ଼ୁଥିବା ଧୂଆଁକୁ ଅନାଇ ରହେ ମୁଁ—’।
ସେହି ଦୁଇଜଣ ମୋ ଜୀବନକୁ ସମ୍ପୂର୍ଣ୍ଣ ଆବୋରି ରଖିଛନ୍ତି । ଦୁହେଁ , କିନ୍ତୁ ଦୁହିଁଙ୍କ ରୂପ, ରଙ୍ଗ, ସ୍ୱଭାବ ଆଉ ଆଚରଣ ସମ୍ପୂର୍ଣ୍ଣ ଭିନ୍ନ । ଜଣଙ୍କ ଆଖିରେ କେବଳ ମୋହ, ସ୍ୱପ୍ନ ଆଉ କରୁଣତାର ନଦୀ; ଅନ୍ୟଜଣଙ୍କ ଆଖିରେ ଶାସନ, ଦୃଢ଼ତା ଆଉ କଠୋର ବାସ୍ତବତାର ଝଲକ ।
ଜଣଙ୍କ ନାଁ **’ସ୍ମୃତି’** — ମୋର ପ୍ରଥମ ପ୍ରେମ, ମୋ ଜୀବନର ସୁନ୍ଦରୀ ନାୟିକା।
ଅନ୍ୟଜଣଙ୍କ ନାଁ **’ସ୍ଥିତି’** — ମୋର ବାସ୍ତବଧର୍ମୀ ନାୟିକା, ଯିଏ ଅବାଧ୍ୟ, ଜିଦ୍ଦି ଆଉ ନିଷ୍ଠୁର।
ମୁଁ ଏହି ଦୁଇଜଣଙ୍କର ଅଦୃଶ୍ୟ ଟଣାଓଟରା ମଝିରେ ବାନ୍ଧିହୋଇଥିବା ଜଣେ ହତାଶ ପଥିକ ।
ରାତିର ଶେଷ ପ୍ରହର । ସହରର କୋଳାହଳ ନିଜକୁ ନିଜେ ନୀରବତାର ଚାଦରରେ ଢାଙ୍କି ଶୋଇପଡ଼ିଛି । ରାସ୍ତାର ଲ୍ୟାମ୍ପ୍ପୋଷ୍ଟ୍ ତଳେ ଛାୟାମାନେ ଲମ୍ବା ହୋଇ ନିରବରେ ପଡ଼ିରହିଛନ୍ତି । ପବନ ବି ଯେପରି ନିଜର ପଦଧ୍ୱନି ଲୁଚାଇ ଦେଇଛି । ସେହି ନିବିଡ଼ ନିରବତାରେ ମୋ ଘରର କବାଟରେ କୌଣସି ଶବ୍ଦ ହୁଏନାହିଁ, କୌଣସି ଠକ୍ ଠକ୍ ଶୁଣାଯାଏନାହିଁ; ତଥାପି କବାଟଟି ଧୀରେ ଧୀରେ ନିଜେ ନିଜେ ଖୋଲିଯାଏ ।
ମୁଁ ଜାଣେ — ସେ ଆସିଛି ।
ସେ କେହି ସାଧାରଣ ଅତିଥି ନୁହେଁ । ସେ ମୋ ହୃଦୟର ଚିରପରିଚିତା, ମୋ ନିଶ୍ୱାସର ଗଭୀରେ ବାସ କରୁଥିବା ଅନାମିକା ନାୟିକା—ସ୍ମୃତି ।
ଆଜି ମଧ୍ୟ ସେ ନୀଳାଭ ରେଶମୀ ଶାଢ଼ୀ ପିନ୍ଧି ଆସିଛି । ତା’ର କାନିରେ ଜହ୍ନର ରୂପାଲି ଆଲୋକ ଲାଗି ଝଲମଲ କରୁଛି । ଖୋଲା କେଶରେ ମଲ୍ଲୀ ଓ ରଜନୀଗନ୍ଧାର ମିଶ୍ରିତ ସୁବାସ । ସେ ଯେତେବେଳେ ଧୀରେ ଧୀରେ ଚାଲିଆସେ, ଲାଗେ ଯେପରି ଫୁଲର ପାଖୁଡ଼ା ମାଟି ଉପରେ ପଡ଼ୁଛି । ପବନ ମଧ୍ୟ ତା’ର ପଦପାତ ଶୁଣିପାରେନାହିଁ ।
ସେ ମୋ ସାମ୍ନାରେ ଆସି ଟିକେ ଅଭିମାନିନୀ ଭଳି ଠିଆହୁଏ ।
ମୃଦୁ ହସି କହେ—
“କ’ଣ… ଆଜି ବି ମୋତେ ଅପେକ୍ଷା କରୁଥିଲ ତ? ନା ପୁଣି ନିଜକୁ କାମର ଭିଡ଼ରେ ହଜାଇ ଦେଇଥିଲ?”
ମୁଁ ହସିବାକୁ ଚେଷ୍ଟା କରେ, କିନ୍ତୁ ଶବ୍ଦ ବାହାରେ ନାହିଁ ।
ସେ ମୋ ଆଖିକୁ ଚାହିଁ କହେ —
“ତୁମ ଆଖି ମୋତେ ସବୁ କହିଦେଉଛି । କ୍ଳାନ୍ତ ହୋଇପଡ଼ିଛ ତ ? ଆସ… ଆଜି ସବୁ ଭାର ମୋତେ ଦେଇଦିଅ । ତୁମେ କେବଳ ଟିକେ ହସିଦିଅ। ”
ଏତିକି କହି ସେ ମୋ କପାଳରେ ହାତ ରଖେ ।
ସେହି ସ୍ପର୍ଶରେ କେତେ ବର୍ଷର କ୍ଳାନ୍ତି ଟି ଦୂରୀଭୂତ ହୋଇଯାଏ, କେତେ ଯେ ଅକୁହା ବେଦନା ନୀରବରେ ଲୁହ ହୋଇ ଭିତରେ ଝରିପଡ଼େ — ତାହା କେବଳ ହୃଦୟ ଜାଣେ ।
ସେ ହଠାତ୍ ମୋ ହାତ ଧରି ଟାଣିନେଇ କହେ —
“ଚାଲ… ଆଜି ପୁଣି ସେହି ପାହାଡ଼ ତଳକୁ ଯିବା । ମନେଅଛି ? ସେଠାରେ ତୁମେ କେତେ ନିର୍ଭୟରେ ଦୌଡ଼ୁଥିଲ । ସେଠାରେ କାହାର ବାରଣ ନଥିଲା, କାହାର ବିଚାର ନଥିଲା । ନ ଥିଲା କୌଣସି ନିୟମ କାନୁନ୍ ବାଧା ବନ୍ଧନ ,କେବଳ ହସ ଥିଲା… ଆଉ ଥିଲା ଅନେକ ସ୍ୱପ୍ନ ।”
ମୁଁ ତା’ ପଛେ ପଛେ ଚାଲିଯାଏ ।
ଆମେ ପହଞ୍ଚିଯାଉ ଏକ ଅଦ୍ଭୁତ ଦୁନିଆରେ ।
ସେଠାରେ ସବୁଜ ଧାନକ୍ଷେତ ପବନ ସହ ଗୀତ ଗାଉଛି । ନଦୀ ମୃଦୁ ହସରେ ବହିଚାଲିଛି । କୁଳୁକୁଳୁ ନାଦରେ ଖିଲି ଖିଲି ହୋଇ ଝରଣା ହସୁଛି । କାଶଫୁଲ ଜହ୍ନର ଆଲୋକରେ ରୂପା ଭଳି ଚମକୁଛି । ଆମ୍ବ ବଗିଚାରୁ କୋଇଲିର ସ୍ୱର ଭାସିଆସୁଛି । ବର୍ଷାର ପ୍ରଥମ ବୁନ୍ଦା ମାଟିକୁ ଛୁଇଁ ଅପରୂପ ସୁଗନ୍ଧ ବିଛାଇ ଦେଉଛି । ଅସମୟରେ ମନ୍ଦ ମଳୟ ପ୍ରବାହିତ ହେଉଛି ।
ସେ ବର୍ଷାରେ ଦୁଇ ହାତ ପ୍ରସାରିତ କରି ଘୂରିଘୂରି ନାଚେ ।
ତା’ର ହସରେ ଆକାଶ ବି ହସିଉଠେ ।
ସେ ମୋତେ ଡାକି କହେ —
“ଆସନା… କାହିଁକି ଏତେ ଗମ୍ଭୀର ହୋଇଗଲ ? ତୁମେ ତ ଏମିତି ନଥିଲ । ମନେଅଛି ? ବର୍ଷା ଆସିଲେ ତୁମେ ପ୍ରଥମେ ଭିଜୁଥିଲ । କାଦୁଅରେ ଚାଲି କେତେ ହସୁଥିଲ । ଏବେ କାହିଁକି ନିଜକୁ ଏତେ ବଦଳାଇଦେଲ ? ”
ମୁଁ ଚୁପ୍ ରହେ ।
ସେ ଟିକେ ନିକଟକୁ ଆସି ମୋ ଆଖିରେ ଆଖି ମିଶାଇ କହେ —
“ଏ….ଶୁଣ… ସମୟ ତୁମ ମୁହଁରେ ବୟସର ରେଖା ଆଙ୍କିପାରେ, କିନ୍ତୁ ତୁମ ମନର ସେହି ନିଷ୍କପଟ ପିଲାଟିକୁ କେବେ ବଡ଼ କରିପାରିବ ନାହିଁ । ମୁଁ ତାକୁ ପ୍ରତିଦିନ ଦେଖେ । ସେ ଆଜି ବି ମୋତେ ଡାକେ ।”
ମୁଁ ଆଶ୍ଚର୍ଯ୍ୟରେ ପଚାରେ —
“ତୁମେ ସତରେ ପ୍ରତିଦିନ ମୋତେ ମନେରଖ ?”
ସେ ହସିଦିଏ ।
“ପାଗଳ ! ମୁଁ ଯଦି ତୁମକୁ ଭୁଲିଯାଏ, ତାହେଲେ ମୁଁ ସ୍ମୃତି ବୋଲି କେମିତି କୁହାଯିବି ? ତୁମେ ଭୁଲିଯାଅ, ମୁଁ କେବେ ନୁହେଁ । ତୁମ ପ୍ରତ୍ୟେକ ହସ, ପ୍ରତ୍ୟେକ ଲୁହ, ପ୍ରତ୍ୟେକ ସ୍ୱପ୍ନକୁ ମୁଁ ମୋ ହୃଦୟରେ ସାଇତି ରଖିଛି ପରା ।”
ମୋ ଆଖି ଛଳଛଳ ହୋଇଉଠେ ।
ସେ ଧୀରେ ମୋ ଲୁହ ପୋଛି ଦିଏ ।
“କାନ୍ଦନି । ତୁମ ଆଖିରେ ଲୁହ ଭଲ ଲାଗେନାହିଁ । ତୁମ ହସ ହିଁ ମୋର ସବୁଠାରୁ ସୁନ୍ଦର ଅଳଙ୍କାର ।”
ତା’ପରେ ସେ ମୋ ମୁଣ୍ଡକୁ ନିଜ କୋଳରେ ରଖି ଧୀରେ ଧୀରେ କେଶରେ ହାତ ବୁଲାଇବାକୁ ଲାଗେ ।
ତା’ର କଣ୍ଠସ୍ୱର ନଦୀର କଳକଳ ଧ୍ୱନି ପରି କୋମଳ ହୋଇଯାଏ —
“ଯେତେବେଳେ ଦୁନିଆ ତୁମକୁ ବୁଝିପାରିବ ନାହିଁ, ମୋ ପାଖକୁ ଆସିଯିବ । ଯେତେବେଳେ ତୁମ ମନ ଭାଙ୍ଗିଯିବ, ମୋ କୋଳରେ ମୁଣ୍ଡ ରଖିଦେବ । ମୁଁ ତୁମକୁ କେବେ ଏକା ଛାଡ଼ିବିନାହିଁ ।”
ଏତିକି ବେଳେ ପୂର୍ବ ଆକାଶରେ ପ୍ରଭାତର ପ୍ରଥମ ଆଲୋକ ଦେଖାଦିଏ ।
ସେ ଧୀରେ ଉଠିଯାଏ ।
ମୁଁ ବ୍ୟାକୁଳ ହୋଇ କହେ —
“ଏତେ ଶୀଘ୍ର ଯାଉଛ ?”
ସେ ଫେରିଚାହିଁ ହସି କହେ —
“ମୁଁ ଯାଉନି… ଦିନର ଆଲୋକରେ କେବଳ ଅଦୃଶ୍ୟ ହୋଇଯାଏ । ରାତି ହେଲେ ପୁଣି ଫେରିଆସିବି । ତୁମ କବାଟରେ କେବେ ଟେକା ମାରିବିନି, କାରଣ ତୁମ ହୃଦୟର ଦୁଆର ଯେ ମୋ ପାଇଁ ସବୁବେଳେ ଖୋଲା ।”
ଏତିକି କହି ସେ ଜହ୍ନର ଶେଷ ଆଲୋକରେ ମିଶିଯାଏ ।
ଘର ପୁଣି ନିରବ ହୋଇଯାଏ ।
କିନ୍ତୁ ତା’ର ସୁବାସ, ତା’ର ସ୍ପର୍ଶ, ତା’ର ହସ, ତା’ର କଥା—ସବୁକିଛି ମୋ ହୃଦୟରେ ରହିଯାଏ ।
ସେହିଦିନ ବୁଝିଲି, ଜୀବନର ସବୁଠାରୁ ସୁନ୍ଦର ଯିଏ ସେ ଅନ୍ୟ କେହି ନୁହେଁ; ସେ ହେଉଛି ସ୍ମୃତି—ଯିଏ ପ୍ରତ୍ୟେକ ନିଶୀଥରେ ନୀରବରେ ଆସି ହୃଦୟର ଶୂନ୍ୟତାକୁ ପ୍ରେମ, ସ୍ନେହ ଓ ଅମ୍ଳାନ ଅନୁଭୂତିରେ ପୂର୍ଣ୍ଣ କରିଦିଏ ।
ସେହି ସମୟରେ ହଠାତ୍ କୋଠରୀର ନିରବତା ଭାଙ୍ଗିଯାଏ ।
କାନ୍ଥଘଣ୍ଟାର ଟକ୍… ଟକ୍… ଟକ୍… ଧ୍ୱନି ଯେପରି ସମୟର କଠୋର ପଦଧ୍ୱନି ହୋଇ କାନରେ ବାଜିଉଠେ । ମୋ ଟେବୁଲ୍ ଉପରେ ଥିବା ଆଇଫୋନ୍ର ଆଲାର୍ମ ନିଦ୍ରାଭଙ୍ଗର ଶଙ୍ଖନାଦ କରି ଚିତ୍କାର କରିଉଠେ । ମୁହୂର୍ତ୍ତକ ପାଇଁ ଲାଗେ, କେହି ଯେପରି ସ୍ୱପ୍ନର ମନ୍ଦିରରେ ପଥର ଫିଙ୍ଗିଦେଇଛି ।
ଧୀରେ ଧୀରେ ଦ୍ୱାର ଖୋଲିଯାଏ ।
କିନ୍ତୁ ଏଥର କୌଣସି ନୀଳ ସୁବାସ ଭିତରକୁ ପଶେନାହିଁ । କୌଣସି ମଲ୍ଲୀର ଗନ୍ଧ ନାହିଁ, କୌଣସି ଜହ୍ନର ଆଲୋକ ନାହିଁ ।
ଦ୍ୱାରରେ ଆସି ଦୃଢ଼ଭାବେ ଠିଆହୁଏ — ସ୍ଥିତି ।
ସେ ଅନ୍ୟରକମ ।
ତା’ର ଆଗମନରେ ବୀଣାର ଝଙ୍କାର ନାହିଁ, ଅଛି ଶୃଙ୍ଖଳାର କଠୋର ଶବ୍ଦ । ତା’ ଚକ୍ଷୁରେ ସ୍ୱପ୍ନର ନୀଳିମା ନାହିଁ, ଅଛି ବାସ୍ତବତାର ଅଗ୍ନି । ମୁହଁରେ ହସର କୋମଳତା ନାହିଁ; ଅଛି ସଂଘର୍ଷରେ ଗଢ଼ା ଦୃଢ଼ତା । ସେ ଯେପରି ହିମାଳୟର ଶିଳାଖଣ୍ଡ — ନିର୍ମମ, କିନ୍ତୁ ଅବିଚଳ ।
ତା’ ହାତରେ ଗୋଲାପ ନାହିଁ ।
ତା’ ହାତରେ ରହିଛି ଶହ ଶହ ଦାୟିତ୍ୱର ତାଲିକା — ପରିବାର, କର୍ତ୍ତବ୍ୟ, ସମାଜ, ସମୟ, ଜୀବିକା, ପ୍ରତିଶ୍ରୁତି, ସଂଘର୍ଷ ଓ ଅସଂଖ୍ୟ ଅପୂର୍ଣ୍ଣ ସ୍ୱପ୍ନର ହିସାବ ।
ସେ କୋଠରୀରେ ପାଦ ରଖିବାମାତ୍ରେ ଅଦ୍ଭୁତ ପରିବର୍ତ୍ତନ ଘଟିଯାଏ ।
କିଛିକ୍ଷଣ ପୂର୍ବରୁ ଯେଉଁ ସୁବାସରେ କୋଠରୀ ଭରିଯାଇଥିଲା, ସେ ସୁବାସ ଧୀରେ ଧୀରେ ମିଳେଇଯାଏ । ଜହ୍ନର ଆଲୋକ ମଳିନ ହୋଇଯାଏ । ସ୍ମୃତି ଭୟଭୀତ ହରିଣୀ ପରି ପଛକୁ ଚାହିଁ ମୋତେ ଗୋଟିଏ ଅସହାୟ ଦୃଷ୍ଟି ଦେଇ ନୀରବରେ ଅନ୍ଧକାରରେ ଲୀନ ହୋଇଯାଏ ।
ମୁଁ ତା’କୁ ଅଟକାଇବାକୁ ଚାହେଁ ।
କିନ୍ତୁ ସମୟର ନିୟମ କେବେ କାହାର ହାତରେ ରହିନାହିଁ ।
ସ୍ଥିତି ମୋ ସାମ୍ନାକୁ ଆସି ଦୃଢ଼ କଣ୍ଠରେ କହିଲା —
“ଆଉ କେତେଦିନ ସେହି ସୁନ୍ଦରୀର ମାୟାରେ ନିଜକୁ ବନ୍ଦୀ କରିରଖିବ ? ଆଖି ଖୋଲ । ମୋତେ ଦେଖ । ମୁଁ ତୁମର ଆଜି । ମୁଁ ସୁନ୍ଦର ନୁହେଁ, କିନ୍ତୁ ସତ୍ୟ । ମୁଁ କୋମଳ ନୁହେଁ, କିନ୍ତୁ ଅପରିହାର୍ଯ୍ୟ ।”
ମୋ ଭିତରେ ଯେପରି ବିଦ୍ରୋହ ଜାଗିଉଠିଲା ।
ମୁଁ କ୍ଷୋଭରେ କହିଲି —
“ତୁମେ ଏତେ କଠୋର କାହିଁକି ? ତୁମେ ଆସିଲେ ମୋ ଜୀବନର ସବୁ ରଙ୍ଗ ଫିକା ହୋଇଯାଏ । କବିତା ନୀରବ ହୋଇଯାଏ, ସ୍ୱପ୍ନ ଭାଙ୍ଗିଯାଏ । ଲୋକେ ତୁମକୁ ଦେଖି ଭୟ କରନ୍ତି । ତୁମେ ମୋ ହୃଦୟରୁ ସଙ୍ଗୀତ ଛଡ଼ାଇ ନେଉଛ ।”
ସ୍ଥିତିର ଓଠରେ ହାଲୁକା ଉପହାସର ହସ ଫୁଟିଉଠିଲା ।
ସେ ଧୀରେ ମୋ କାନ୍ଧରେ ହାତ ରଖି କହିଲା —
“ଭୟ କରନ୍ତି ? ହଁ… କାରଣ ସତ୍ୟ ସବୁବେଳେ ଭୟଙ୍କର ଲାଗେ । ମିଠା ସ୍ୱପ୍ନ ମଣିଷକୁ ହସାଇପାରେ, କିନ୍ତୁ କଠିନ ବାସ୍ତବ ତାକୁ ବଞ୍ଚିବା ଶିଖାଏ ।”
ସ୍ଥିତି କିଛିକ୍ଷଣ ନୀରବ ରହିଲା । ତା’ର ଆଖିରେ କଠୋରତା ଥିଲା, କିନ୍ତୁ ସେହି କଠୋରତାର ଅନ୍ତରାଳରେ ଅକୁହା ଅଭିମାନର ଏକ ଛାୟା ଲୁଚିଥିଲା । ସେ ଧୀରେ ଝରକା ଆଡ଼କୁ ଚାହିଁଲା, ଯେଉଁଠାରେ ସ୍ମୃତିର ସୁବାସ ଏଯାବତ୍ ମୃଦୁଭାବେ ଭାସୁଥିଲା ।
ତା’ପରେ ସେ ମୋ ଆଡ଼କୁ ଫେରି କହିଲା —
“ତୁମେ ତାକୁ ବହୁତ ଭଲପାଅ, ନୁହେଁ ? ତା’ର ହସ ତୁମକୁ ମୋହିତ କରେ, ତା’ର କୋମଳ ସ୍ପର୍ଶରେ ତୁମେ ସବୁ ଦୁଃଖ ଭୁଲିଯାଅ । ତୁମେ ଜାଣ, ମୁଁ କେବେ ତା’ ପ୍ରତି ଈର୍ଷା କରେନି । କାରଣ ସେ ମୋର ସଉତୁଣୀ ସତ୍ୟ, କିନ୍ତୁ ଶତ୍ରୁ ନୁହେଁ । ସେ ତୁମ ହୃଦୟର ଅତୀତ, ଆଉ ମୁଁ ତୁମ ଜୀବନର ବର୍ତ୍ତମାନ ।”
ସେ ମୃଦୁ ନିଶ୍ୱାସ ଛାଡ଼ିଲା ।
“ସେ ଯେତେବେଳେ ଆସେ, ତୁମ ଆଖିରେ କବିତା ଫୁଟିଉଠେ; ଆଉ ମୁଁ ଆସିଲେ, ସେହି ଆଖିରେ ଦାୟିତ୍ୱର ରେଖା ଦେଖାଯାଏ । ସେ ତୁମକୁ ଗତକାଲିର ଫୁଲମାଳା ପିନ୍ଧାଏ, ମୁଁ ତୁମ କାନ୍ଧରେ ଆଜିର କର୍ତ୍ତବ୍ୟର ଭାର ରଖେ । ସେ ତୁମକୁ ନିରବ ଚାନ୍ଦନୀରେ ବୁଲାଏ, ମୁଁ ତୁମକୁ ଖରାରେ ଚାଲିବା ଶିଖାଏ ।”
ତା’ର କଣ୍ଠସ୍ୱର ଆହୁରି ଗମ୍ଭୀର ହୋଇଉଠିଲା ।
“ତୁମେ ଭାବୁଛ, ସେ ହିଁ ତୁମକୁ ସବୁଠାରୁ ଅଧିକ ଭଲପାଏ ? ନା… ସେ ତୁମ ଭଙ୍ଗା ମନକୁ ସାନ୍ତ୍ୱନା ଦିଏ; କିନ୍ତୁ ମୁଁ ତୁମ ଭଙ୍ଗା ମନକୁ ପୁଣି ଗଢ଼ି ଠିଆ କରେ । ସେ ତୁମ ଲୁହ ପୋଛିଦିଏ; ମୁଁ ତୁମକୁ ନିଜ ହାତରେ ଲୁହ ପୋଛି ହସିବା ଶିଖାଏ । ସେ ତୁମକୁ ଆଶ୍ରୟ ଦିଏ; ମୁଁ ତୁମ ପାଦ ତଳେ ଭୂମି ହୋଇ ରହେ ।”
ସେ କିଛିକ୍ଷଣ ଥମିଯାଇ ମୋ ଆଖିରେ ସିଧା ଚାହିଁ କହିଲା —
“ତା’ର ପ୍ରେମରେ ସୁଗନ୍ଧ ଅଛି, ମୋ ପ୍ରେମରେ ଶ୍ରମର ଗନ୍ଧ । ତା’ର ହାତରେ ଫୁଲ ଅଛି, ମୋ ହାତରେ କଣ୍ଟା । ତା’ର ପଥରେ ଚାନ୍ଦନୀ ବିଛାଯାଇଛି, ମୋ ପଥରେ ପଥର ଓ କଣ୍ଟକ । କିନ୍ତୁ ମନେରଖ — ଫୁଲର ସୁଗନ୍ଧ କ୍ଷଣିକ, ଭୂମିର ଦୃଢ଼ତା ଚିରସ୍ଥାୟୀ ।”
ତା’ର ଓଠରେ ହାଲୁକା ହସ ଫୁଟିଉଠିଲା ।
“ମୁଁ ତା’କୁ କେବେ ହରାଇବାକୁ ଚାହେଁନି । କାରଣ ସେ ନଥିଲେ ତୁମ ହୃଦୟ ଶୁଷ୍କ ହୋଇଯିବ । କିନ୍ତୁ ମୁଁ ନଥିଲେ ତୁମ ଜୀବନ ଭାଙ୍ଗିପଡ଼ିବ । ସେଥିପାଇଁ ଆମେ ଦୁହେଁ ତୁମ ଜୀବନର ଦୁଇ କୂଳ । ସେ ତୁମକୁ ସ୍ୱପ୍ନ ଦେଖିବାକୁ ଶିଖାଏ, ଆଉ ମୁଁ ସେହି ସ୍ୱପ୍ନକୁ ସତ କରିବା ପାଇଁ ସଂଘର୍ଷ କରିବାକୁ ଶିଖାଏ ।”
ଏତିକି କହି ସ୍ଥିତି ନୀରବ ହୋଇଗଲା ।
ସେହି ନୀରବତାରେ ମୁଁ ପ୍ରଥମଥର ପାଇଁ ବୁଝିପାରିଲି — ସ୍ମୃତି ଓ ସ୍ଥିତି ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ନୁହନ୍ତି; ସେମାନେ ଜୀବନର ଦୁଇ ଅପରିହାର୍ଯ୍ୟ ନାୟିକା । ଜଣେ ହୃଦୟକୁ କୋମଳ କରେ, ଅନ୍ୟଜଣେ ଚରିତ୍ରକୁ ଦୃଢ଼ କରେ । ଏହି ଦୁଇଜଣଙ୍କ ମଧ୍ୟରେ ମଣିଷ ତା’ର ସମ୍ପୂର୍ଣ୍ଣ ଜୀବନକୁ ଖୋଜି ପାଏ ।
ମୁଁ ଚୁପ୍ ହୋଇଗଲି ।
ସେ ଆଉ କହିଲା —
“ତୁମେ ଭାବୁଛ ମୁଁ ନିଷ୍ଠୁର? ନା… ମୁଁ ନିଷ୍ଠୁର ନୁହେଁ; ମୁଁ ଜୀବନର ସବୁଠାରୁ ସତ୍ୟ ବନ୍ଧୁ । ଲୁହ ଦେଇ ଯେଉଁମାନେ ତୁମକୁ ଦୁର୍ବଳ କରନ୍ତି, ସେମାନେ ସବୁବେଳେ ଆପଣାର ନୁହନ୍ତି । ଯେଉଁମାନେ ଯନ୍ତ୍ରଣା ଦେଇ ତୁମକୁ ଶକ୍ତ କରନ୍ତି, ସେମାନେ ହିଁ ପ୍ରକୃତ ସାଥୀ ।”
ମୋ ଆଖି ଅନାୟାସରେ ନଇଁଗଲା ।
ସେ ମୋ ଚିବୁକକୁ ହାଲୁକା ଉପରକୁ ଉଠାଇ କହିଲା —
“ଦେଖ… ଆକାଶରେ ଉଡ଼ିବା ପୂର୍ବରୁ ପକ୍ଷୀକୁ ବାତାସର ବିରୋଧରେ ଡେଣା ମେଲିବାକୁ ପଡ଼େ । ସୁନାକୁ ଅଳଙ୍କାର ହେବା ପୂର୍ବରୁ ଅଗ୍ନିରେ ତପିବାକୁ ପଡ଼େ । ମଣିଷକୁ ମଧ୍ୟ ମହାନ ହେବା ପୂର୍ବରୁ ସଂଘର୍ଷର ଅଗ୍ନିପଥ ଦେଇ ଚାଲିବାକୁ ପଡ଼େ ।”
ସେ ମୋ ହାତକୁ ଦୃଢ଼ଭାବେ ଧରି କହିଲା —
“ଆସ… ମୋ ସହ ଚାଲ। ମୁଁ ତୁମକୁ ଫୁଲର ବିଛଣା ଦେବିନି, କିନ୍ତୁ ଏମିତି ପଥ ଦେବି ଯାହାର ଶେଷରେ ତୁମେ ନିଜକୁ ସମ୍ମାନ କରିପାରିବ । ମୁଁ ତୁମକୁ କବିତାରୁ ବଞ୍ଚିତ କରିବାକୁ ଆସିନାହିଁ; ମୁଁ ଚାହେଁ ତୁମ ଜୀବନ ନିଜେ ଗୋଟିଏ କବିତା ହୋଇଉଠୁ ।”
ସେହି ମୁହୂର୍ତ୍ତରେ ମୁଁ ବୁଝିଲି —
ସ୍ମୃତି ହୃଦୟକୁ କୋମଳ କରେ, କିନ୍ତୁ ସ୍ଥିତି ଚରିତ୍ରକୁ ଦୃଢ଼ କରେ ।
ଜୀବନର ପୂର୍ଣ୍ଣତା କେବଳ ସ୍ମୃତିର ଆଲିଙ୍ଗନରେ ନୁହେଁ, ସ୍ଥିତିର କଠୋର ହାତ ଧରି ଆଗକୁ ଚାଲିବାରେ ମଧ୍ୟ ନିହିତ । ଏହି ଦୁଇ ନାୟିକାଙ୍କ ମଧ୍ୟରେ ହିଁ ମଣିଷର ସମଗ୍ର ଜୀବନ ପ୍ରତିଦିନ ନୂଆ ଅର୍ଥ ପାଏ ।
ମୋର ସ୍ଥିତି’ ମୋ ସାମ୍ନାରେ ଆସି ଛିଡ଼ାହେଲା । ସେ ମୋ ହାତରେ ଚା’ କପ୍ଟି ବଢ଼ାଇଦେଇ କହିଲା, *”ଉଠ ଏ ! ସକାଳ ହୋଇଗଲାଣି । ଆଜିର ପଥ ତୁମକୁ ଅପେକ୍ଷା କରିଛି ।”*
ମୁଁ ଛିଡ଼ାହେଲି । ମୋର ଗୋଟିଏ ପାଦ ସ୍ମୃତିର ସୁବାସରେ ଆମୋଦିତ, ଆଉ ଅନ୍ୟ ପାଦଟି ସ୍ଥିତିର କଠିନ ସଡ଼କରେ ଚାଲିବା ପାଇଁ ପ୍ରସ୍ତୁତ । ଦୁଇଜଣଙ୍କୁ ନିଜ ଜୀବନର ଦୁଇପାଖରେ ରଖି ମୁଁ ଆଗକୁ ପାଦ ବଢାଇଲି ।
