ଅଣୁଗଳ୍ପ

ତାଳଗଛ

Laxmidhar Sahoo's odia short story Taala Gachha

ଆକାଶ ଯେମିତି ଦି’ ଫାଳ ହେଇ ଯାଇଛି । ବିଜୁଳିଟେ ପଡ଼ିବା ପଡ଼ିବା ମୋ ଉପରେ । ଜୀବନ ଜିଁ ବାର ଆଶା ହରାଇ ସାରିଥାଏ ମୁଁ । ହଟାତ ଦେବଦୂତ ପରି ଲାଗିଲା ଠିଆ ହୋଇଛି ତାଳଗଛଟା । ସବୁ ବିଜୁଳିକୁ ଶୋଷି ନେଇ ଜଳି ଜଳି ଆସୁଥିଲା ଉପରୁ ତଳ ପର୍ଯ୍ୟନ୍ତ ।

କାଇଁ କେତେକାଳରୁ ତାଳଗଛଟା ଆକାଶକୁ ଚାହିଁ ସେମିତି ଠିଆ ହେଇଥିଲା । ମନେଅଛି ମୋର ପିଲାଦିନେ ବାଳକା, ବିଲୁଆଦଣ୍ଡା, ଦେଢ଼ମାଣ ବିଲ ଆଦି ଦେଇ ମାମୁଘର ଯିବା ବେଳେ ବାଟ ଭୁଲିଯିବି ବୋଲି ମୁଁ ଏଇ ତାଳଗଛକୁ ସାକ୍ଷୀ ରଖିଥିଲି । ଅଜା କୁହନ୍ତି ରଜ ଭାର ଆଣିଲା ବେଳେ ଥକ୍କା ଲାଗିଲେ ତାଳ ପାରି ଖାଆନ୍ତି । ଭାରି ମିଠା । ଦି ପହରେ ଖାଇବାକୁ ଅଝଟ କଲେ ବୋଉ ସେଇ ତାଳ ଗଛ ଆଡକୁ ଆଙ୍ଗୁଠି କରି ବାଇଚଢ଼େଇ ଗୀତ ଗାଇ ଖୁଆଇ ଦିଏ ମୋତେ । ଅଜା କୁହନ୍ତି ତାଙ୍କ ଅମଳରେ କୁଆଡ଼େ ପ୍ରବଳ ତାଳହୁଡ଼ା ଯାକ ଥିଲା । ଧୀରେ ଧୀରେ ଅଟଳ ଅମଳରେ ଚକବନ୍ଦୀ ଯେଉଁ ହେଲା ସବୁ ଗଛ କଟା ହେଲା । କେନାଲ ଖୋଳା ହେଲା ବେଳେ ବି କିଏ କାହିଁ କାହା ଜମିରୁ ଅଯଥାରେ ଦେବ ଜାଗା । ଗୁଡ଼ାଏ ତାଳହୁଡ଼ା ନିପାତ ହେଲା । ଜେଜେମା ଗର୍ଭିଣୀ ସଂକ୍ରାନ୍ତିରେ ପିଠା ନେଇ ସରାଗେ କହେ ବାଇଚଢ଼େଇକୁ ରାଇଜଳା ପୋକଜୋକକୁ ଖାଇ ଉଦ୍ଧାର କର ମୋ ଫସଲ । ମୋ ଜାତକ ଲେଖା କଥା ବାପା କୁହନ୍ତି, କଷ୍ଟେ ମଷ୍ଟେ ଚମାର ଗଛକୁ କହି ଚଢି ବାଛି ବାଛି ତାଳ ପତ୍ର ଦେଇଥିଲେ ଜ୍ୟୋତିଷକୁ । ଧୀରେ ଧୀରେ ଲୋକେ ଆଧୁନିକ ହେଲେ । ଫସଲରେ ବିଷ ଓଷଦ ବିଞ୍ଚିଲେ । କେତେ ବାଇଚଢ଼େଇ ମଲେ । ଆଉ କେତେ ମୁହଁଫୁଲେଇ ପୁଣି ଜହ୍ନମାମୁଁକୁ ଖୋଜିବାକୁ ଚାଲିଗଲେ । ମୁଁ ସରକାରୀ ଦପ୍ତରରେ ରାଜସ୍ୱ ନିରୀକ୍ଷକ ଚାକିରୀଟେ ପାଇଲି । ଜୈଷ୍ଠ ମାସ । ଗାଁକୁ ମୋର ଦାଦନ ସରକାରୀ ପରମିସନ ନେଇ ଆସିଲେ ମାଟି ଖୋଳି ତେଲ ଖୋଜିବାକୁ । ବିଲ କେଇଟା ଖୋଳା ହେଲା । ଶେଷରେ ସେଇ ତାଳଗଛ ପାଖକୁ ତେଲ ଅଛି ବୋଲି ବାହାରିଲା । ତାଳଗଛକୁ କାଟିବାକୁ ପଡ଼ିବ କିଛିଦିନ ପରେ । ଦିନେ ମୁଁ ଭେଣ୍ଡିଆ ଦି’ଟା ଙ୍କ ସହ ତେଲ ଖୋଳା କାମ ଦେଖୁଥାଏ । କାଳବୈଶାଖୀ । ଶୁଖିଲା ଘଡଘଡି ମାରୁଥାଏ ଗୋଟେ ଗୋଟେ । ହଟାତ ପ୍ରଚଣ୍ଡ ଶବ୍ଦ ଗୋଟେ ହେଲା । ମୁଁ ଆକାଶ କୁ ଚାହିଁଲି । ଆକାଶ ଯେମିତି ଦି’ ଫାଳ ହେଇ ଯାଇଛି । ବିଜୁଳିଟେ ପଡ଼ିବା ପଡ଼ିବା ମୋ ଉପରେ । ଜୀବନ ଜିଁ ବାର ଆଶା ହରାଇ ସାରିଥାଏ ମୁଁ । ହଟାତ ଦେବଦୂତ ପରି ଲାଗିଲା ଠିଆ ହୋଇଛି ତାଳଗଛଟା । ସବୁ ବିଜୁଳିକୁ ଶୋଷି ନେଇ ଜଳି ଜଳି ଆସୁଥିଲା ଉପରୁ ତଳ ପର୍ଯ୍ୟନ୍ତ । ମୁଁ ହେତୁ ପାଇଲା ବେଳକୁ ଜାଣିଲି, ଆଉ କାଟିବାକୁ କସରତ କରିବାକୁ ପଡ଼ିବନି, ଗଛଟା ଆପେ ଆପେ ନଇଁ ପଡିଛି ବିପରୀତ ଦିଗରେ ମୁର୍ଦାରଟେ ପରି, ସାରା ମାନବ ସମାଜର ମୁର୍ଖତାକୁ ପରିହାସ କରିବା ମୁଦ୍ରାରେ ।

Click to comment

Leave a Reply

Your email address will not be published. Required fields are marked *

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top