ଅଣୁଗଳ୍ପ

ଠକ ବାପା

Pradipta Sundar Moharana's odia short story Thaka Baapaa

ଏତେ ବଡ ହେଲୁଣି , ସାଇକେଲ୍ ଚଢା ଆସୁନି ? କଣ ବୁଢା ହେଲେ ଶିଖିବୁ

ଠକ ବାପା

ସନ୍ତୋଷର ଅସନ୍ତୋଷଟା ସତେ ଯେପରି ବଢି ବଢି ଯାଉଥାଏ । ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରଟିଏ ସିଏ । ଆଉ ସବୁ ଦିନ ସ୍କୁଲ୍ କୁ ଚାଲି ଚାଲି ଯିବାକୁ ହୁଏ । ପିଲାବେଳେ ପଡିଯିବାକୁ ଡରି ସାଇକେଲ୍ ଶିଖି ପାରିଲା ନାହିଁ । ସାଙ୍ଗମାନେ ଚିଡାଇ କୁହନ୍ତି , “ ଏତେ ବଡ ହେଲୁଣି , ସାଇକେଲ୍ ଚଢା ଆସୁନି ? କଣ ବୁଢା ହେଲେ ଶିଖିବୁ ?” ସାଇକେଲ୍‌ରୁ ପଡିଯିବାର ଭୟରେ , ଆଉ ନିଜ ଅଳସୁଆମିରୁ, ଏତେଦିନ ହେଲା ସାଇକେଲ୍ ଶିଖା ନୋହିଲା। ଏବେ କିନ୍ତୁ ସମ୍ମାନର କଥା। ଏହା ଭିତରେ ବାପାଙ୍କୁ ଅନେକଥର ସାଇକେଲ୍ ଟିଏ କିଣିଦେବା ପାଇଁ କହିଲାଣି। ବାପା କିନ୍ତୁ କେବେ କିଣୀଦେଇନାହାନ୍ତି । ବାପଙ୍କୁ ବିଶେଷ ଜୋର୍ ଦେଇ ବି କହି ହୁଏନାହିଁ । ବାପା ପୂର୍ଣ୍ଣଚନ୍ଦ୍ର , ଓଡିଶା ସରକାରଙ୍କ ଅଧୀନରେ ନିଶ୍ଚିନ୍ତକୋଇଲି ବ୍ଲକ୍ ରେ କାର୍ଯ୍ୟରତ ଜଣେ କୃଷି ଅଧିକାରୀ । ସପ୍ତାହରେ କେବଳ ରବିବାରଦିନ ଘରକୁ ଆସନ୍ତି, ଓ ପରିବାର ସହିତ ବିତାଇବାପାଇଁ , ତାଙ୍କପାଖରେ କେବଳ ଗୋଟିଏ ଦିନ ଥାଏ। ତେଣୁ ସନ୍ତୋଷ ଜିଦ୍ କରି ମାଗିପାରେନାହିଁ।

ଏଥର କିନ୍ତୁ, ଶନିବାର ସନ୍ଧ୍ୟାରେ ସନ୍ତୋଷ ଦାବୀ କରି କହିଲା, “ ବାପା, ମୋର ସାଇକେଲ୍ ଦରକାର୍ ! ଆଉ ତୁମ ବାହାନା ଦରକାର୍ ନାହିଁ। ଆଜି କିଣିଦିଅ , ଆଉ ମତେ ଶିଖାଅ !” ବାପା କହିଲେ , ସାଇକେଲ୍‌ତ କିଣିଦେବି ! କିନ୍ତୁ ଶିଖାଇବି କ’ଣ କିରେ ? ସାଇକେଲ୍‌ତ ତୁ ଏମିତି ହିଁ ଚଲେଇପାରିବୁ ।” ବାପାଙ୍କର ଏପରି ଉତ୍ତରକୁ , ତା’ଙ୍କର ଆଉ ଏକ ବାହାନା ଭାବି , ସନ୍ତୋଷ ରାଗରେ କହିଲା, “ ତୁମେ ସବୁବେଳେ କିଛିନା କିଛି କହି ମୋତେ ଠକିଦେଉଛ । କିଛି ବାହାନା ଚଳିବନି ! ତୁମେ ମୋ ପାଇଁ ଆଜି ସାଇକେଲ୍ କିଣିବ ଆଉ ମୋତେ ଚଲେଇବା ଶିଖାଇବ !”

ବାପା “ହଁ!” କହି ବାହାରକୁ କୁଆଡେ ଚାଲିଗଲେ , ଆଉ ଦୁଇ ଘଣ୍ଟା ପରେ ଗୋଟିଏ ସାଇକେଲ୍‌ଟିଏ ଧରି ଫେରିଲେ । କିନ୍ତୁ ଏ କ’ଣ ସାଇକେଲ୍‌ଟି କ’ଣ ପୁରୁଣା ପୁରୁଣା ଦିଶୁଛି । ଥମ ଥମ ହୋଇ ସନ୍ତୋଷ ପଚାରିଲା, “ପୁରୁଣା ସଇକେଲ୍ କ’ଣ ପାଇଁ ବାପା ?”- ବାପା ଉତ୍ତର, ଦେଲେ , “ ତୁ ଏବେ ବୁଝିପାରିବୁନି ! ଯା, ମା ଖାଇବା ବାଢିଦେଲେଣି , ଖାଇ ଶୀଘ୍ର ଶୋଇପଡ । ସକାଳୁ ଉଠି ସାଇକେଲ୍‌ ଚଲା ଶିଖିବାର ଅଛି , କି ନାହିଁ ? – କିଛିଟା ତିକ୍ତତା, ଓ କିଛିଟା ଉତ୍ସାହର ମିଶ୍ରିତ ଭାବନା ନେଇ ସନ୍ତୋଷ ଘର ଭିତରକୁ ଚାଲିଗଲା ।

“ବାପା ଉଠ !, ଉଠ ବାପା ! ସକାଳ ହେଲାଣି, ଯିବା ଚାଲ । ତୁମକୁ ସାଇକେଲ୍ ଶିଖାଇବାର ଅଛି । ମନେଅଛି କି ନାହିଁ ? ” – ବାପାଙ୍କର ଆଖି ଖୋଲିବା ପର୍ଯ୍ୟନ୍ତ ସନ୍ତୋଷ ଡାକି ଚାଲିଥାଏ । ବାପା ଉଠି କହିଲେ, “ହଉ, ଦଶ ମିନିଟ୍ ପରେ ବାହାରିବା !”

କଟକର କାଠଯୋଡି ନଦୀ କୂଳରେ, ଏକ ଖୋଲା ପଡିଆ । ସନ୍ତୋଷ, ମନେ ମନେ ସ୍ଥିର କରିସାରିଥାଏ କି, ସେଇ ସ୍ଥାନଟା ହିଁ ସାଇକେଲ୍ ଶିଖିବା ଉପଯୁକ୍ତ ହେବ। କେବଳ ଏତିକି ଡର ମନରେ ଥାଏ କି, ରବିବାର ଦିନ, ସକାଳ ହେବା ସହିତ, ଅନେକ ପିଲା, କ୍ରିକେଟ୍ ଖେଳିବା ପାଇଁ ଆସିପାରନ୍ତି , ଭିଡ ହେଲେ ସନ୍ତୋଷ ର ସାଇକେଲ୍ ଶିଖା ଅଧା ରହିଯିବ । ବ୍ୟସ୍ତ ହୋଇ କହିଲା, “ବାପା, ଶୀଘ୍ର ଶିଖାଅ ! ଡେରି ହେଇଯିବ ।”

ବାପା ସ୍ମିତହାସ୍ୟ ଦେଇ କହିଲେ, “ହଉ ଦେଖ, ଏଇଟା ହେଉଛି ସାଇକଲର ସିଟ୍, ଏହା ଉପରେ ଏମିତି ବସନ୍ତି – ଏଇଟା ହେଉଛି ପ୍ୟାଡଲ୍, ଏହାକୁ ତଳକୁ ପାଦରେ ଦାବିଲେ, ସାଇକେଲ୍ ଗତି ଧୀର ହୁଏ । ସାଇକେଲ୍ ଶିଖା ସରିଲା, ଏବେ ସିଟ୍ ଉପରେ ବସ, ଆଉ ଚଲା।”ସନ୍ତୋଷ ବିରକ୍ତ ହୋଇ କହିଲା , “ଇଏ କି ନୂଆ କଥା ? ଏଗୁଡାକ କଣ ମୁଁ ଜାଣିନି । ମୋତେ ଶିଖାଅ!” ବାପା କହିଲେ, “ଆଉ କଣ ଶିଖାଇବି? ପାଠ ତ ଏତିକି ।”

ସନ୍ତୋଷ ବ୍ୟସ୍ତ ହୋଇ କହିଲା, “ ବାପା, ତୁମେ ଠକିଦେଲା ଭଳି କଥା କହୁଛ। ମୁଁ ମୋର ସାଙ୍ଗ ମାନଙ୍କୁ ଦେଖିଛି । ଅଙ୍କଲ୍ ମାନେ ମୋ ସାଙ୍ଗମାନଙ୍କ ସହିତ ରହି ତାଙ୍କୁ ସାଇକେଲ୍ ଶିଖାନ୍ତି । ହରିଶ୍ କହୁଥିଲା, କି ସାଇକେଲ୍ ଚଲା ସିଖିବାକୁ ଅତି କମ୍ ରେ ତିନିମାସ ଲାଗେ। ଆଉ ତୁମେ କହୁଛ ତିନି ମିନିଟ୍ ରେ ସରିଗଲା ? ଇଏ କି କଥା ?” ବାପା ହସିଦେଇ କହିଲେ , “ହଉ! ସିଟ୍ ଉପରେ ବସ। ମୁଁ ପଛରୁ ଧରି ଦୌଡୁଛି। ତୁ ମୋ କହିବା ଅନୁସାରେ କେବଳ ଆଗକୁ ଦେଖି ପ୍ୟାଡଲ୍ ମାରିଚାଲ୍ । ଆଖି ରାସ୍ତା ଉପରେ ରଖିବୁ । ହ୍ୟାଣ୍ଡେଲ୍ ଭଲ କରି ଧରିବୁ।” ସନ୍ତୋଷ କହିଲା, “ହଁ ! ସେଇଟା ଭଲ ହବ ।” ଆଉ ଦମ୍ଭଧରି ସାଇକେଲ୍ ସିଟ୍‌ରେ ବସି , ସାଇକେଲ୍ ଚଲାଇବାରେ ଲାଗିଲା । ସାଇକେଲ୍ ଆଗକୁ ଗଡି ଚାଲିଥାଏ, ଓ ତା’ ସହିତ ବଢି ଚାଲିଥାଏ ସନ୍ତୋଷର ଆନନ୍ଦ । ଦେଖୁ ଦେଖୁ ସନ୍ତୋଷ ପଡିଆରେ ଗୋଟିଏ ରାଉଣ୍ଡ୍ ବୁଲି ସାରିଥାଏ। ଆଉ ବାପାଙ୍କ କହିବା ମୁତାବକ ଆଖି ଥାଏ ହ୍ୟାଣ୍ଡଲ୍ ଆଉ ରାସ୍ତା ଉପରେ । ଦେଖୁ ଦେଖୁ ଦ୍ୱିତୀୟ ରାଉଣ୍ଡ୍ ସାଇକେଲ୍ ଚଲା ସରିଥାଏ ।

ହଠାତ୍ କରି ସନ୍ତୋଷ ମନରେ ଏକ ସନ୍ଦେହ ଆସିଲା । ଭାବିଲା, “ ମୋ ବାପା ତ ଏତେ ମୋଟା, ସେ କ’ଣ ଏତେ ଜୋର୍‌ରେ ଦୌଡିପାରୁଛନ୍ତି ?” ଏହା ଭାବି ସେ ଟିକେ ପଛକୁ ବୁଲି ଦେଖେ ତ ପାଏ କି ବାପା ପଛରେ ଦୌଡୁନାହାନ୍ତି ବରଂ , ପଡିଆର ଗୋଟିଏ କଣରେ ହାତ ଛନ୍ଦି ଠିଆହୋଇ, ସନ୍ତୋଷର ସାଇକେଲ୍ ଚଲାକୁ ଦେଖୁଛନ୍ତି । ସନ୍ତୋଷର ଦେହ ଭୟରେ ଥରି ଉଠିଲା। ପାଦ ପ୍ୟାଡେଲ୍ ମାରିବା ଅଟକିଗଲା। ଆଉ ବାସ୍ ! ସନ୍ତୋଷ ସେଇଠିହିଁ ପଡିଗଲା । ଆଣ୍ଠୁଟି ଟିକେ ରାଞ୍ଚୁଡି ହେଇଯାଇଥାଏ ବୋଧହୁଏ । ବାପା ଦଉଡି ଆସି କହିଲେ, କିରେ କଣ ହେଲା- ପଡିଗଲୁ କାହିଁକି ?”

ସନ୍ତୋଷ ମୁହଁରେ ଥିଲା , ଟିକିଏ କ୍ରୋଧ, ଟିକିଏ ବିରକ୍ତି । ଆଖି କଣରୁ ତିକିଏ ଲୁହ ଜକେଇ ଆସୁଥିଲା । କହୁଣୀ ଆଉଁସୁ ଆଉଁସୁ କହି ବସିଲା, “ବାପା ! ତୁମେ ପୁଣି ମୋତେ ଠକିଦେଲ ?” ବାପା ତା ଦେହରୁ ଧୁଳି ଝାଡୁ ଝାଡୁ କହିଲେ, “ଆରେ , ମୁଁ ତ ତୋର ସାଇକେଲ୍ କେବଳ ଦଶ ସେକଣ୍ଡ୍ ପାଇଁ ଧରିଥିଲି। ତା’ପରେ ତିନି ମିନିଟ୍ ଧରି ତୁ ନିଜେ ନିଜେ ଚଲଉଥିଲୁ। ଯେତେବେଳେ ତୁ ଦେଖିଲୁ କି ମୁଁ ପଛରେ ନାହିଁ ସେତେବେଳେ ପଡିଗଲୁ। ମୁଁ କହିଥିଲି କି ନାହିଁ , ତୋତେ ସାଇକେଲ୍ ଚଲା ଜଣା ବୋଲି ? ଏବେ ନିଜ ଉପରେ ବିଶ୍ୱାସ ରଖ୍, ଆଉ ସାଇକେଲ୍ ଚଲାଇବା ଅଭ୍ୟାସ କର । ଦେହ ବିଶେଷ୍ କିଛି ହେଇନି । ଚଲା ! ପଡିଗଲେ ପୁଣି ଉଠି ଚଲାଇବୁ । ହଁ, ଆଜି ରାସ୍ତା ଉପରକୁ ସାଇକଲ୍ ଚଲାଇ ଯିବୁନାହିଁ , ପରେ ମୁଁ ଥିବା ସମୟରେ ମୂଖ୍ୟରାସ୍ତାରେ ଚଲାଇବୁ । ମୁଁ ଘରକୁ ଯାଉଛି , ଗୋଟେ ଘଣ୍ଟା ଚଲାଇସାରି ଫେରିବୁ।”

ବାପା ବୁଲିପଡି ଯିବାକୁ ବାହାରିଥିଲେ, ଯାଉ ଯାଉ ଟିକେ ଅଟକିଗଲେ , ଆଉ କହିଲେ, “ହଁ ! ଆଉ ଗୋଟେ କଥା ! ମୁଁ ଠକ ନୁହେଁ, ବରଂ ବାସ୍ତବବାଦୀ, ଏବେ ଥରେ ପଡିଲୁ, ଏମିତି ଅନେକଥର ପଡି ପଡି ଶିଖିବୁ । ମୁଁ କାହିଁକି ରଙ୍ଗ ଖରାପ୍ ହୋଇଯାଇଥିବା ସାଇକେଲ୍ ଟିଏ କିଣିଲି, ତୁ ବୋଧହୁଏ ଏବେ ବୁଝିପାରୁଥିବୁ । ”

ବାପା ଚାଲି ଚାଲି ପଡିଆରୁ ବାହାରିଗଲେ। ସନ୍ତୋଷ ତାଙ୍କ ଚଲାବାଟକୁ ଚାହିଁ ରହି କିଛି ଭାବୁଥିଲା । କିଛି ସମୟପରେ ପ୍ରକୃତିସ୍ଥ ହୋଇ, ପୁଣି ସାଇକେଲ୍ ସିଟ୍ ଉପରେ ବସି, ପ୍ୟାଡେଲ୍ ଦବାଇବା ଆରମ୍ଭ କରିଲା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top