ଅଣୁଗଳ୍ପ

ତୁ ଝିଅ ତୁ ଘିଅ

Pradip Nayak's short story Tu Jhia Tu Ghia

ବୁଝିଲୁ ଏବେ ନିଜକୁ ନିଜେ ସମ୍ଭାଳି କି ରଖ । ତୋର ଆଉ ସେ ଦୁରୁଗା କି ନକ୍ଷିମୀ ହବା ଦରକାର ନାହିଁ । ଦାଣ୍ଡକୁ ପାଦ ବଢାନା , ଘରେ ର’ । ଯୁଗ ଯାହା ହେଲାଣି….. କହନ୍ତି ନି, ଝିଅ ଘିଅ ।

ତୁ ଝିଅ ତୁ ଘିଅ

ଆଈ ମୋତେ ସବୁଦିନ କାହାଣୀ ନକହିଲେ ମୁଁ ଶୁଏ ନାହିଁ,ଖାଏ ନାହିଁ । ଅଳିକରେ,କାନ୍ଦେ । ଚାଟଶାଳୀ ଯାଇନଥିବା ଆଈ କିନ୍ତୁ ମୋ ଖାଇବା,ଶୋଇବାର ନିଶ୍ଚିତ କରିବାକୁ ଗପ କହେ । କେତେ ଯେ ଗପ !!

ମନେଅଛି ମୁଁ ଖୁବ୍ ଛୋଟଥିଲି ।ଆଈ ଗପ ମାଧ୍ୟମରେ କହେ ତୁ ବଡ ହେଲେ ଦୁର୍ଗା ହବୁ, ହବୁ ଲକ୍ଷ୍ମୀ ବାଈ । ମୁଁ ଗପ ଶୁଣୁଶୁଣୁ ଭାବେ ସତରେ ମୁଁ ଲକ୍ଷ୍ମୀ ବାଈ ହେବି,ଦୁର୍ଗା ହେବି ! ଆଃ !! ରାତିରେ ଶୋଇ ଶୋଇ ସ୍ବପ୍ନ ଦେଖେ – ହାତରେ ତରବାରୀ ଧରି, ଘୋଡାଚଢି ଯୁଦ୍ଧ କରୁଛି । ପୁଣି ଦୁର୍ଗା । ମହିଷାସୁରର ଚୁଟିଧରି ପଚାରୁଛି – ଏ.. କହ,କହ ଆଉ ଦୁଷ୍ଟ ହବୁ ?

ସବୁ ସ୍ବପ୍ନ ତ ମନେ ରହେନା , ବଡ ହେବାଯାଏ ଏଇ ଦି’ଟା ସ୍ବପ୍ନ କିନ୍ତୁ ମନେ ଅଛି , ଭୁଲି ନାହିଁ । ମନକୁ ଆସିଲେ ସେ କଥା ସବୁ ହସ ଲାଗେ ।

ଆଜି ଆଈ ବହୁତ ବୁଢ଼ୀ । ବୟସ ଅନୁସାରେ ଶରୀର ଦୁର୍ବଳ,ଧୁଡୁଧୁଡୁ ଚମ । କୋଟରଗତ ଆଖି । ଦାନ୍ତ ସବୁ ଝଡିପଡିଲାଣି । ସେଇ ପାକୁଆ ପାଟିରୁ ଏବେ ଗପଟିଏ ଶୁଣିବାକୁ କହିଲେ ସେ ଥରିଲା ଥରିଲା ସ୍ବରରେ କହେ – ଆଉ କି ଗପ ତତେ କହିବି ଲୋ , ଆଉ କ’ଣ ମୋର ଗପ ଫପ ମନେ ଅଛି । ଏଵେ ଅଙ୍ଗେନିଭା କଥା କହୁଚି ଶୁଣ । ତୁ ପରା ଡାଗର ହେଲୁଣି । ବଉଳିବା ବଅସ । ତୋ ବୁକୁ ଫଟେଇ ମାହାଦେବ ଉଭା ହେଲେଣି , ଚଉଦିଗ ବାସିଲାଣି । ବୁଝିଲୁ ଏବେ ନିଜକୁ ନିଜେ ସମ୍ଭାଳି କି ରଖ । ତୋର ଆଉ ସେ ଦୁରୁଗା କି ନକ୍ଷିମୀ ହବା ଦରକାର ନାହିଁ । ଦାଣ୍ଡକୁ ପାଦ ବଢାନା , ଘରେ ର’ । ଯୁଗ ଯାହା ହେଲାଣି….. କହନ୍ତି ନି, ଝିଅ ଘିଅ ।

ଏବେ ଛାତିରେ ଖାତା ବହି ଜାକି ସ୍କୁଲ ଯିବା ରାସ୍ତାରେ ଆଈ କଥା ମନକୁ ଆସେ । ତା’ କଥାର ରହସ୍ୟ କିଛି ଵୁଝିହୁଏନା । ବୁଝିପାରେନା ଏବେ ଆଈ ବଦଳିଯାଇଛି ନା – ମୋ’ର କିଛି ବଦଳିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top