ବୋହୂ ଏ ବୋହୂ ଆଜି ଟିକେ ମାଛ ତରକାରୀ କରନ୍ତୁନୁ, ବହୁତ ଦିନ ହେବ ଘରେ ମାଛ ତରାକରି ହୋଇନି । ସାରୁ ମୁଣ୍ଡା ଆଉ ପୋଇ ନଟା ଖାଇଖାଇ ତୋ ଶଶୁରର ପାଟିଟା ଅରୁଚି ମାରିଗଲାଣି… କେତୋଟା ଦିନ ବା ଆଉ ବଞ୍ଚିବ.. ରତନାଟା ବିଦେଶ ଯାଇଛି ଯେ ଯାଇଛି, ଆସିବାର ନାଁ ଧରୁନି.. ଭଲ ମନ୍ଦ ବି ଟିକେ ବୁଝୁନି ଆମର … କେବେ ଯଦି ଫୋନରେ ରତନା ସହିତ କଥା ହେଉଥିବ, ତା ମାଇକିନିଆଟା ଜଗି ବସିଥିବ ମୋ ପାଖରେ… କାଳେ ଯଦି ତା ନାଁରେ କଣ ଫୁସୁରାଇ ଦେବି ମୋ ପୁଅକୁ । ନାତି ନାତୁଣୀ ବୋଲି ଚାରୋଟି, ଯଦି କେହି ଜଣେ ଆସି ବୁଢାଟା ପାଖରେ ବସିଯାଏ, ବୋହୂଟା ଆସି ଦୁମୁଦୁମୁ କରି ନାଦିଦିଏ ପିଠିରେ, କଣ ଦରକାର ସେଠିକି ଯିବା ? ଝାଡା, ପରିସ୍ରା ସେହି ଗୋଟିଏ ଜାଗାରେ. ଘରଟାରେ ନାକ ପୁରାଇ ହେଉନି, କେତେଥର ସ୍ୱାମୀଟାକୁ କହିଲିନି ବୁଢ଼ା ବାପ, ମା ଦୁଇଟାକୁ ବାଡ଼ି ପଛପଟ ଘଷି ଗଦା ଘରକୁ ପଠାଇ ଦିଅ, ହେଲେ ପୁଅର ତ ପିତୃ ଭକ୍ତି ଉଛୁଳି ପଡୁଛି, ନା ଏହି ଘରେ ବୁଢ଼ା ବୁଢ଼ୀ ରହିବେ । ନିଜେତ ଯାଇଁ ଚକ ଚକିଆ ମାର୍ବଲ ଘରେ ରହିଲୁ, ଅତର ମାରି ବୁଲିଲୁ… ଆମେ ଏଠି କି ଦୁର୍ଗନ୍ଧରେ ରହୁଛୁ କେମିତି ଜାଣିବ…. ହଉ ଏଇଥର ଘରକୁ ଆସୁ ଯଦି ଆମ କଥା ନଶୁଣେ ଛୁଆ ଚାରୋଟିକୁ ବାପ ଘର ନେଇ ଚାଲିଯିବି….. ବୁଢ଼ା ବୁଢ଼ୀଙ୍କର ସେବା କରୁଥାଉ ଏଠି………
ବୋହୂ ଏ ବୋହୂ, ବୁଢାଟା ପୁଣି ପଚାରିଲାଣି ମାଛ ତରକାରୀ କଥା… କିଛି କହିଲୁନି ଯେ — ଦୁଇ ଦିନ ତଳେ ପହଲା ଖଟୁଆ ଆଣି ଟଙ୍କା ଦେଇଛି, ପୁଅ ପଠାଇଥିଲା ପରା, ସେହିଥିରୁ ମାଛ ଅଧକେଜି ଆଣିଲେ ଚଳନ୍ତାନି .. ମାଛ ଖାଇବାକୁ ବୁଢାଟା କାହିଁକି ଭାରି ମନେ କରିଛି… ମୋର ନହେଲେ ଚଳିବ ! ବୁଢାଟାକୁ ଖଣ୍ଡେ ଦେ…..
— କଣ ବା ପେରେମ ଉଛୁଳି ପଡୁଛି ମୋର ତୁମ ଲାଗି, ଗାତକୁ ଯିବା ଲାଗି ବାହାରିଲଣି ଦୁଇଟା.. ମାଛ ଖାଇବାକୁ ଭାରି ମନ… ତଣ୍ଟିରେ କଣ୍ଟା ଲାଗିଗଲେ, ଆଉ ଯୋଉ ଦୁଇଦିନ ବଂଚିବାକୁ ବାକି ଅଛି ସେତକବି ବଂଚିବନି…. ଧରମ କରିବା ଦିନରେ ମାଛ ଖାଇବେ ଏମାନେ.. ପୁଅ କେବେ ଟଙ୍କା ପଠାଇଲା ସବୁ ଏମାନଙ୍କୁ ଜଣା, କାନ ପାରି କବାଟ ସେପଟୁ ସବୁ ଶୁଣିଥିବେ… ଟଙ୍କାଟା ଦେଖାଯାଉଛି ହେଲେ କେତେ ଖରଚ ହେଉଛି ସେକଥା ଜଣା ନାହି? ଚାରି ଚାରୋଟି ଛୁଆଙ୍କର ପାଠ ପଢା ଖର୍ଚ୍ଚ, ଜଳଖିଆ ଖର୍ଚ୍ଚ, ମୋ ଲାଗି ସୁଆଁ ଅତର କେତେ କଣ, ବୁଲୁଆ ଦୋକାନୀର ଟଙ୍କା ବାକି ଅଛି, ସବୁଦିନ ଘରକୁ ଆସୁଛି ଟଙ୍କା ପାଇଁ… ସେ ଲାଗି ଟଙ୍କାତକ ଆସେ ତୁମ ଦୁଇଟା ଲାଗି ମାଛ ଖାଇବାକୁ ନୁହେଁ… କାହିଁବା ବା ସେ ବୁଢାଟା ପାଖରେ ବସିରହିଛୁ, ଜୀବନଟା କଣ ଚାଲି ଯାଉଛି ତାହାର ? ଘର କାମ କରିକରି ଥକି ପଡିଲିଣି, ମୋର ଆଉ ଛୁଆଙ୍କର ଲୁଗାପଟା କୂଅ ପାଖରେ ବତୁରା ହୋଇଛି, ସଫା କରିଦେଲେ କଣ ହାତ ଛିଣ୍ଡିଯିବ ତୋର…. ଘର ଭିତରେ ପଶିରହି ରାଜ ଜେମା ସାଜୁଛୁ — କବାଟ ସେପଟୁ ବୋହୂଟା କହିଲା.
ଲୁଗା ପଟା ସଫା କରିଦେଇ ବାହାରିବା ବେଳକୁ… ବୋହୂଟା ଦୂରରେ ଥାଇ କହିଲା, କୋଦାଳଟା ପଡିଛି ବାରି ପଛ ପଟରେ, ବାଡ଼ିତକ ହାଣି ଦେବୁ ଯା, ହଳ ବାବଦରେ ରଘୁଆକୁ ଆଉ ପଇସା ନଦେବା ଲାଗି ପୁଅ ତୁମର କହିଛି… ତୁମ ଦୁଇଟା ଲାଗି ପନିପରିବା ଆଉ କିଣି ପାରିବିନି । କଣ ବା କରିବ ବୁଢ଼ୀଟା.. ? କୋଦାଳ ନେଇ ବାଡ଼ିଟା ହାଣିଲା, ବଳ ଆଉ ପାଉନି ତାହାର… ଶୋଷଲାଗିବାରୁ ବୋହୂକୁ ଡାକ ଛାଡିଲା ପାଣି ମୁନ୍ଦେ ପାଇଁ, ହେଲେ ବୋହୂର ଦରଦ ଉଛୁଳି ପଡୁଛି ଏମାନଙ୍କ ଲାଗି, କାହିଁକି ବା ଶୁଣିବ ସେ ? ଦଉଡି ଯାଇଁ କୂଅରୁ ମୁନ୍ଦେ ପାଣି ପିଇ ଧଇଁ ମାରିଲା… କୂଅ ମୂଳେ ଥାଇ ଦେଖିଲା ଦୋକାନୀ ବୁଲୁଆ ଆସିଛି, ବୋହୂ କହୁଥିଲା ଟଙ୍କା ବାକି ଅଛି ବୋଲି ସବୁଦିନ ମାଗିବାକୁ ଆସୁଛି, ହେଲେ ! ବୁଲୁଆ ସହିତ ତା’ ବୋହୂର ଚୋରା ପୀରତି ଚାଲିଛି ଏ କଥା ବୁଢୀକୁ ଅଛପା ନାହିଁ ।
ସନ୍ଧ୍ୟାରେ ବୁଢ଼ାଟାର କାଶ ଟିକେ ବଢି ଯାଇଥିଲା… ଖୁଁ ଖୁଁ ହୋଇ କହିଲା… ଘରକୁ ବୋଧେ ମାଛ ଆସିଛି… ଯାହା ହେଉ ଏତେ ଦିନପରେ ଟିକେ ମାଛ ଖାଇବାକୁ ମିଳିବ….. ଶୁଣ ବୁଢ଼ୀ ତୋ ବାଣ୍ଟ ମାଛଟା ମୋତେ ଦେବୁ… ଆଜି ପୁରା ଦୁଇପିସ ମାଛ ଖାଇବି.. ହଁ କଣ୍ଟାଟା ଟିକେ ଭଲ କରି ଅଲଗା କରିଦେବୁ.. ଏ ଆଖିଟାକୁ ଆଉ ଭଲ ଦିଶୁନି, ଶୁଣିଥିଲି ପୁଆଟା କାଳେ ଘରକୁ ଆସିବ… ତାକୁ ଟିକେ ଦେଖିବି ଭଲକରି… ଆଉ ଶାନ୍ତିରେ ଶୋଇଯିବି ସବୁଦିନ ପାଇଁ…….ତରକାରୀ ରନ୍ଧା ସାରିଲାଣିଟି ?
କଣ ପାଇଁବା ସେମିତି ହେଉଛୁ — ମାଛ ତରାକରି ରନ୍ଧା ସରିନି, ବୋହୂର ଧରମ ଭାଇ ଆସିଛି କଲିକତାରୁ, ତା ‘ ପାଇଁ ଆସିଛି ଇଲିଶି ମାଛ… କୁଣିଆ ଲୋକଟା ଖାଇସାରୁ, ବଳେ ଆଣି ବୋହୂଟା ଦେଇଯିବନି… ବୁଢ଼ୀଟା କହିଲା
ଓହୋ ତାଲାଗି ଆସିଛି ମାଛଟି… ହଁ, ସେଇକଥା ଭାବୁଥିଲି ବୋହୂର ଆଜି କେମିତି ଦରଦ ଉଛୁଳି ପଡିଲା ଆମ ଲାଗି… ହଉ ଯାହା ହେଉ, କମସେ କମ ସେ କଲିକତିଆ ଟୋକାଟା ଲାଗି ଇଲିସି ଟିକିଏ ପାଟିରେ ବାଜିବ…. ଭଗବାନ ତାହାର ଧରମ କରନ୍ତୁ — କାଶିକାଶି ବୁଢ଼ା କହୁଥିଲା…..
ସମସ୍ତେ ଖାଇ ପିଇ ସାରିଲେ, ବୋହୂଟା କବାଟ ସେପଟୁ ଭାତ ତରକାରୀ ରଖିଦେଇ ଗଲା… ହେଲେ ଏ କଣ ? ତରକାରୀରେ ମାଛ ନାହିଁଯେ —-
ବୋହୂ କହିଲା —– ମାଛ ଦୁଇ ପିସ ରଖିଥିଲି ତୁମ ଦୁଇଟା ପାଇଁ, ହେଲା ଭାଇଟା ପଛରେ ମାଗିବାରୁ ଦେଇଦେଲି, ଇଲିଶ ମାଛର ଝୋଳରେ ପରା ଦୁଇ ଥାଳି ଭାତ ଚାଲିଯିବ ପେଟକୁ… ୟାଙ୍କୁ ମାଛ ଦରକାର ମାଛ । ଯାହା ମରଣ ହେଉନି ତୁମ ଦୁଇଟାକୁ ।
ବୁଢ଼ାଟାକୁ ବହୁତ ଭୋକ ଲାଗୁଥିଲାକି କଣ ? କାନ୍ଦି କାନ୍ଦି.. ତାରକାରୀରୁ ହାତ ଅଣ୍ଡାଳି ଅଣ୍ଡାଳି କହୁଥାଏ, ଇଲିଶି ମାଛ ଭାରି ସୁଆଦ, ମୁଁ ସବୁ ଖାଇବି ତୋତେ ଜମାରୁ ଦେବିନି… ଆଃ ଭାରି ସୁଆଦିଆ ହୋଇଛି ତରାକରି, ଦୁଇଥାଳି ଭାତ ଖାଇବି ଆଜି… ତୁ ଆଜି ଉପାସ ରହିବୁ…. କେତେଦିନ ପରେ ମାଛ ଖାଉଛି… କଣ କହୁଥିଲୁ ବୋହୂଟା ଆମକୁ ସାହିପାରୁନି, ପର ଝିଅ ନାଁରେ ମିଛ କଣ ପାଇଁ ତୁ କହୁ କେଜାଣି ! ଦେଖିଲୁ ଆମ ପାଇଁ ଇଲିସି ମାଛ ରାନ୍ଧିଛି… ଇଲିସି ମାଛ ।
ରାତିରେ ବୁଢାଟାର ପେଟ ଖରାପ ହେଲାକି କଣ ? ମେଞ୍ଚେ ଝାଡା କରିଦେଲା ଲୁଗାରେ… ଘରଟା ଗନ୍ଧରେ ଫାଟିଗଲା… କଲିକତାରୁ ଆସିଥିବା ଧରମ ଭାଇଟା ବୋହୂଟାକୁ ଉଠାଇ କହିଲା, ଏ ଗନ୍ଧରେ ସେ ଆଉ ରହିପାରିବନି.. ମୁଁ ଯାଉଛି… ବୋହୂର ରାଗ ଯାଇଁ ମୁଣ୍ଡରେ, ଲୁଗାଟାକୁ ଅଣ୍ଟାରେ ଭିଡି, ବୁଢ଼ାବୁଢ଼ୀର ଶୋଇବା ଘର ଭିତରକୁ ପଶିଗଲା…. ବୁଢ଼ାବୁଢ଼ୀ ଦୁଇଟା କିଛି ବୁଝିବା ଆଗରୁ ନାଦିଦେଇ ଗଲା ଦୁଇଜଣକୁ… ମୁଥ, ଚାପୁଡ଼ା, ଗୋଇଠା, ବିଧା ଯାହା ଶିଖିଥିଲା ସବୁ ଦେଇଦେଲା… ବୋଉଲୋ ବାପ କହି ବୁଢ଼ାବୁଢ଼ୀ ଦୁଇଟା ପୁଣି ଝାଡା କରିଦେଲେ —- ଏ ଥର ବୋହୂକୁ ସମ୍ଭାଳେ କିଏ ? ଛାଞ୍ଚୁଣି, ବାଡ଼ି ଯାହା ମିଳିଲା ପିଟିଚାଲିଲା ଦୁଇଜଣଙ୍କୁ… ରାଗ ଶାନ୍ତ ହେବାରୁ କବାଟ ବନ୍ଦକରି ବାହାରକୁ ଆସିଲା, ଧରମ ଭାଇଟା ବହୁତ ଖୁସି ହୋଇ କହିଲା —- ବୁଝିଲୁ ଅପା ତୁ କରମ ଆଦରି ଏ ରତନାଟାକୁ ସିନା ବାହା ହେଲୁ, ତୋତେ କୋଉ ପୁଲିସି କି ଡାକ୍ତର ବର ମିଳିଥାନ୍ତା ନହେଲେ….ବୋହୂଟା ମନେ ମନେ ବହୁତ ଖୁସି ହେଉଥିଲା ନିଜର ବାହାଦୁରି ଶୁଣି…….
ସକାଳ ହେଲା… କବାଟର ଧଡ଼ ଧଡ଼ ଶବ୍ଦରେ ବୋହୂଟାର ନିଦଭାଙ୍ଗିଗଲା, କବାଟ ଖୋଲି ଦେଖେତ ରତନା…. ରତନାକୁ ଦେଖି ବୋହୂର ପିଳେଇ ପାଣି, କାଲିର ଘଟଣା ଯଦି ବୁଢ଼ାବୁଢ଼ୀ ଦୁଇଟା ପୁଅ ଆଗରେ ଫୋଡିଦେଲେ… . ତାହାର ଆଉ ନାସ୍ତି ନାହିଁ…. ରତନା ସିଧା ଚାଲିଲା ବୁଢ଼ାବୁଢ଼ୀ ପାଖକୁ…ପଛେ ପଛେ ବୋହୂ ରାଣୀ…. ରତନା ଯାଇଁ ଡାକୁଥିଲା ଉଠ ବୋଉ ଉଠ ବାପା… ଦେଖ ତୁମ ଲାଗି ଗୋଟେ ବଡ଼ ଇଲିସି ମାଛ ଆଣିଛି… ହେଲେ ବୁଢ଼ା ବୁଢ଼ୀ ଦୁଇଟା ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଖଟ ଉପରେ… ଆଉ ରତନା ପଛରେ ବୋହୂଟା ଛିଡା ହୋଇ ବହୁତ ଖୁସି ହେଉଥିଲା… ଦୁଇପିସ ମାଛ ବଂଚିଗଲା ବୋଲି………