ଆତ୍ମ ସ୍ୱୀକୃତି
ବାସ୍ତବରେ ସେହି ମୁହୂର୍ତ୍ତରେ ହିଁ ମୋ ଜୀବନର ଅନ୍ତ ଘଟିଲା ଯେବେ ମୁଁ ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କରିଥିଲି । ଏହା ପଶ୍ଚାତ୍ ଧରିନିଅନ୍ତୁ ମୁଁ ସମାଧିସ୍ଥ ଅଛି ଓ ଅନାସକ୍ତ ଜୀବନ ବିତାଉଛି ।
ମୁଁ ମାନୁଛି ଯେ ଗାନ୍ଧଜୀ ଦେଶ ସକାଶେ ଅନେକ କଷ୍ଟ ସ୍ୱୀକାର କରିଛନ୍ତି, ଯେଉଁଥିପାଇଁ ମୁଁ ତାଙ୍କୁ ଯଥେଷ୍ଟ ସମ୍ମାନ କରେ ଓ ତାଙ୍କ କାର୍ଯ୍ୟ ପାଇଁ ସଦା ନତମସ୍ତକ ଅଟେ । କିନ୍ତୁ ଦେଶର ଏହି ସଚ୍ଚା ସେବକଙ୍କୁ ମଧ୍ୟ ଜନତାଙ୍କୁ ଧୋକା ଦେଇ ଦେଶର ବିଭାଜନ କରିବାର ଅଧିକାର ନାହିଁ ।
ମୁଁ କୌଣସି ପ୍ରକାରର ଦୟାର ଆଶା ରଖେ ନାହିଁ । ମୁଁ ଏହା ମଧ୍ୟ ଚାହେଁ ନାହିଁ ଯେ ମୋ ତରଫରୁ କେହି ଦୟା ଯାଚଜ୍ଞା କରୁ ।
ନିଜ ଦେଶ ପ୍ରତି ଭକ୍ତି ଭାବନା ରଖିବା ଯଦି ପାପ ତାହେଲେ ମୁଁ ସ୍ୱୀକାର କରୁଛି ଯେ ମୁଁ ଏହି ପାପ କରିଛି । ଯଦି ଏହା ପୁଣ୍ୟ ତାହେଲେ ସେଥିରୁ ପ୍ରାପ୍ତ ପୁଣ୍ୟଫଳ ଉପରେ ମୋ ନମ୍ର ଅଧିକାର ଅଛି ।
ମୋ ବିଶ୍ୱାସ ଯେ ମୋ କାର୍ଯ୍ୟ, ନୀତି ଦୃଷ୍ଟିରୁ ପୂର୍ଣ୍ଣ ରୂପେ ଉଚିତ । ମୋର ଲେଶ ମାତ୍ର ସନ୍ଦେହ ନାହିଁ ଯେ ଭବିଷ୍ୟତରେ କେହି ନିଷ୍ଠାପର ଇତିହାସକାର ଯଦି ଇତିହାସ ଲେଖନ୍ତି ତ ମୋର ଏହି କାର୍ଯ୍ୟକୁ ଉଚିତ୍ ବୋଲି କହିବେ ।
ନାଥୁରାମ ବିନାୟକ ଗଡ୍ସେ
ମୁଁ ଗାନ୍ଧୀଙ୍କ ହତ୍ୟା କାହିଁକି କଲି ?
ଗାନ୍ଧୀଜୀଙ୍କ ହତ୍ୟା ସାରା ବିଶ୍ୱକୁ ବିଶେଷକରି ଭାରତକୁ ଚମକାଇ ଦେବାଭଳି ଘଟଣା ଥିଲା । କିନ୍ତୁ ଏହି ଘଟଣାକୁ ରୂପାନ୍ୱିତ କରିଥିବା ହତ୍ୟାକାରୀ ନାଥୁରାମ ଗଡ୍ସେଙ୍କ ବିଷୟରେ ଆମର ପାଠ୍ୟପୁସ୍ତକଠୁ ଆରମ୍ଭ କରି ଅନ୍ୟ ପ୍ରସାର ପ୍ରଚାର ମାଧ୍ୟମ ଜରିଆରେ ସାଧାରଣ ଜନତା ଏତିକି ଜ୍ଞାତ ହେଲେ ଯେ ନାଥୁରାମ ଜଣେ ମାନସିକ ବିକ୍ଷିପ୍ତ ବ୍ୟକ୍ତି ଯେ ସନ୍ଧ୍ୟା ପ୍ରାର୍ଥନା ସଭାକୁ ଯାଉଥିବା ମହାତ୍ମା ଗାନ୍ଧୀଙ୍କ ଉପରକୁ ଗୁଳି ଚଳାଇ ହତ୍ୟା କଲା ।
ଏହି ତଥାକଥିତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ବିଶେଷ ନ୍ୟାୟାଳୟରେ ନିଜର ଏକ ଦୀର୍ଘ ବୟାନ ଦେଇଥିଲେ । ଏହା ପାଖାପାଖି ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ଗାନ୍ଧୀଙ୍କ ହତ୍ୟା ସେ କାହିଁକି କଲେ ତାହାର ବର୍ଣ୍ଣନା କରିଥିଲେ । ତାଙ୍କର ଏହି ବୟାନକୁ ସାର୍ବଜନୀନ ନକରିବାକୁ ତତ୍କାଳୀନ ସରକାର ସମସ୍ତ ବନ୍ଦୋବସ୍ତ କରିଥିଲେ । ସମସ୍ତ ପ୍ରସାର ପ୍ରଚାର ମାଧ୍ୟମକୁ ଏହି କଟକଣାର ପରିଧି ମଧ୍ୟରେ ରଖାଯାଇଥିଲା । ୧୯୬୮ରେ ଏହି କଟକଣାକୁ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ହଟାଇ ଦେଲେ । ନାଥୁରାମଙ୍କ ଏ ଘଟଣାରେ ସଂପୂର୍ଣ୍ଣ ବୟାନ କ’ଣ ଥିଲା ଏହା ଏହି ପୁସ୍ତକର ବିଷୟବସ୍ତୁ । ପ୍ରବୁଦ୍ଧ ପାଠକଙ୍କ ଜାଣିବା ଜରୁରୀ ଯେ ଭାରତର ସର୍ବାଧିକ ଲୋକପ୍ରିୟ ନେତାଙ୍କୁ ନାଥୁରାମ କେଉଁ କାରଣ ବଶତଃ ହତ୍ୟା କରିବାକୁ ଯୋଜନା କଲେ ।
ସମ୍ପାଦକ
ମୁଁ ସ୍ୱୀକାର କରୁଛି ଯେ ଗାନ୍ଧୀଜୀ ଜନତାଙ୍କ ମଧ୍ୟରେ ସ୍ୱାଧିନତାର ବହ୍ନି ପ୍ରଜ୍ଜ୍ୱଳିତ କରି ଜାଗୃତି ଉତ୍ପନ୍ନ କଲେ । ସେ ସ୍ୱାର୍ଥବଶତଃ କିଛି ବି କରି ନଥିଲେ । ବାସ୍ ଦୁଃଖ ଏତିକି ଯେ ସେ ଏତେ ସଚ୍ଚୋଟ ନଥିଲେ ଯେ ଅହିଂସାର ବ୍ୟର୍ଥତାକୁ ସ୍ୱୀକାର କରିନେବେ । ମୁଁ ଅନ୍ୟ ଭାରତୀୟ ଦେଶଭକ୍ତ ଓ ନେତାଙ୍କ ଚରିତ୍ର ମଧ୍ୟ ପଢ଼ିଛି ଯେଉଁମାନେ ଦେଶ ପାଇଁ ଗାନ୍ଧୀଙ୍କଠାରୁ ମଧ୍ୟ ଅଧିକ ବଳିଦାନ ବରଣ କରିଛନ୍ତି । ସେ ଯାହା ହେଉ ଗାନ୍ଧୀ ଦେଶ ପାଇଁ ଯେଉଁ ତ୍ୟାଗ କରିଛନ୍ତି ମୁଁ ତାହାର ସମ୍ମାନ କରୁଛି । ତାଙ୍କ ଉପରେ ଗୁଳି ଚଳାଇବା ପୂର୍ବରୁ ମୁଁ ତାଙ୍କ ଉଦ୍ଧେଶ୍ୟରେ ସମ୍ମାନପୂର୍ବକ ନତମସ୍ତକ ହେଇଥିଲି । କିନ୍ତୁ ଜନତାଙ୍କୁ ଧୋକ୍କା ଦେଇ ପୂଜ୍ୟ ମାତୃଭୂମିର ବିଭାଜନ ଅଧିକାର କୌଣସି ମହାତ୍ମାଙ୍କର ବି ନାହିଁ । ଗାନ୍ଧୀ ଛଳ କରି ଦେଶର ଖଣ୍ଡ ଖଣ୍ଡ କଲେ । ଏପରି ନ୍ୟାୟଳୟ ବା ଆଇନ ମଧ୍ୟ ନାହିଁ ଯଦ୍ଧ୍ୱାରା ଏପରି ଅପରାଧୀକୁ ଦଣ୍ଡିତ କରାଯାଇ ପାରିବ । ତେଣୁ ମୁଁ ଗାନ୍ଧୀଙ୍କ ଉପରକୁ ଗୁଳି ଚଳାଇଲି । ତାଙ୍କୁ ଦଣ୍ଡିତ କରିବାର ଏହି ଉପାୟ ମାତ୍ର ଥିଲା ।
ନାଥୁରାମ ଗଡ୍ସେ
ମୃତ୍ୟୁ ପତ୍ର
ପି୍ରିୟ ବନ୍ଧୁ ! ..ଦତ୍ତାତ୍ରୟ ବି ଗଡ୍ସେ,
ମୋ ବୀମା ରାଶିକୁ ପରିବାରର ହିତରେ ଲଗାଇବ । ୨୦୦୦ ଟଙ୍କା ଆପଣଙ୍କ ପତ୍ନୀଙ୍କ ନାମରେ, ୩୦୦୦ ଟଙ୍କା ଚି.ଗୋପାଳଙ୍କ ଧର୍ମପତ୍ନୀଙ୍କ ନାମରେ ଓ ୨୦୦୦ ଆପଣଙ୍କ ନାମରେ । ମୋ ମୃତ୍ୟୁ ଉପରାନ୍ତ ବୀମା ଅର୍ଥର ବିନିଯୋଗ ଏହିପରି ହେଉ ବୋଲି ଏଥି ସମ୍ବନ୍ଧୀୟ ଦସ୍ତାବିଜରେ ଉଲ୍ଲେଖ କରିଅଛି ।
ମୋ କ୍ରିୟାକର୍ମ କରିବାର ଅଧିକାର ଯଦି ଆପଣଙ୍କୁ ମିଳିବ ତେବେ ଏହି ଶୁଭ କାର୍ଯ୍ୟ ଆପଣଙ୍କ ଇଚ୍ଛାରେ ସମାପ୍ତ କରିବେ । ମୁଁ ନିଜ ଅନ୍ତିମ ଇଚ୍ଛା ଏଠାରେ ଉଲ୍ଲେଖ କରୁଛି ।
ଭାରତ ବର୍ଷର ସୀମାରେଖା ସିନ୍ଧୁ ନଦୀ । ଯାହାର ତୀରରେ ପ୍ରାଚୀନ କାଳରେ ବେଦ ରଚନା କରାଯାଇଥିଲା । ସେହି ସିନ୍ଧୁ ନଦୀ ଯେଉଁ ଶୁଭ ଦିନ ପୁଣି ଭାରତ ବର୍ଷର ଧ୍ୱଜାର ଛାୟାର ସ୍ୱଚ୍ଚଧାରାରେ ପ୍ରବାହିତ ହେବ ସେହି ଦିନ ମୋ ଅସ୍ଥି ଓ ପାଉଁଶର କିଛି ଅଂଶ ସେଠାରେ ବିସର୍ଜନ କରିବ ।
ମୋ ଏହି ଇଚ୍ଛା ପୂରଣ ହେବାରେ ବୋଧହୁଏ ଦୁଇ ପିଢ଼ି ବିତିଯିବ । କିଛି ଚିନ୍ତା ନାହିଁ । ସେହିଦିନ ଯାଏ ମୋ ଦେହାବଶେଷ ସେମିତି ରଖିବ ଓ ଆପଣଙ୍କ ଜୀବନ କାଳରେ ସେ ଶୁଭ ଦିନ ଯଦି ନଆସେ ତାହେଲେ ଆପଣଙ୍କ ଉତ୍ତରାଧିକାରୀଙ୍କୁ ମୋର ଏହି ଅନ୍ତିମ ଇଛା ବିଷୟରେ ନିଶ୍ଚୟ ଅବଗତ କରିବ ।
ଯଦି ନ୍ୟାୟାଳୟରେ ପ୍ରଦାନ କରିଥିବା ମୋ ବୟାନକୁ ସରକାର କଟକଣା ମୁକ୍ତ କରିବେ ତାହାର ପ୍ରକାଶନ ଦାୟିତ୍ୱ ବି ମୁଁ ଆପଣଙ୍କୁ ଦେଉଛି ।
ମୁଁ ୧୦୧ ଟଙ୍କା ଆପଣଙ୍କୁ ଦେଉଛି ଯାହା ଆପଣ ସୌରାଷ୍ଟ୍ର ସୋମନାଥ ମନ୍ଦିରର ପୁନରୁଦ୍ଧାରର କଳସ କାର୍ଯ୍ୟରେ ଲଗାଇବେ ।
ସମୟ ପ୍ରାତଃ ୭ :୧୫
ସତ୍ୟପୀତ
ଅମ୍ବାଲା ଜେଲ ଅଧିକ୍ଷକ
ନାଥୁରାମ ଗଡ୍ସେ
୧୪-୧୧-୧୯୪୯