ଗଳ୍ପ

ଗୁପଚୁପ

Anasuya Jena's odia story Gupchup

ବେଳେ ବେଳେ ଶୋଭା ଭାବେ ପଚାରିବ ବୋଲି, ଏଇ ବାସି ମୋଟା ରୁଟି ଉପରେ ବାସି ମସଲା ଦିଆ ପିଜା କଣ ଏମିତି ଭଲ ଲାଗୁଚି ??? କିନ୍ତୁ କେବେ ପଚାରିବା ସାହସ କରିନି, ବାପ ଝିଅ ତାକୁ ଗାଉଁଲୀ କହିବେ ବୋଲି ।

ଗୁପଚୁପ

ଗଣେଶ ପୂଜା ଆଉ ଦୁଇ ଦିନ ବାକି ଅଛି । ରାସ୍ତା ରେ ନାହିଁ ନଥିବା ଗହଳି । ସମସ୍ତେ ପୂଜା ଲାଗି କିଣାକିଣି ରେ ବ୍ୟସ୍ତ । ଚାରିଆଡେ ଗୋଟେ ଖୁସି ର ବାତାବରଣ । ଦଳ ଦଳ ହେଇ ପୁଅ ଝିଅ ସବୁ ଦୁଇ ଚକିଆ ଗାଡି ପେଁ ପାଁ କରି ରାସ୍ତା ରେ ଛୁଟିଛନ୍ତି , କାହାରି କୁ ତାଙ୍କର ଖାତିର ନାହିଁ । ସନ୍ଧ୍ୟା ସମୟ ହେଲାଣି । ରାସ୍ତା ପାର ହେଇ ଘର କୁ ଯିବ ବୋଲି ଶୋଭା ଠିଆ ହେଇଚି ଯେ ହେଇଚି । ଡର ମାଡୁଚି ତାକୁ ଆଜିକାଲିକା ପିଲାଙ୍କର ହାବଭାବ ଦେଖି । ଯଦି କିଏ ବାଡେଇ ଦବ, କଣ ଅବସ୍ଥା ହବ ? ରାସ୍ତା ଆର ପଟେ ଉଠା ଦୋକାନୀ ଙ୍କ ଭିଡ଼ । ରାସ୍ତା ଏପଟରୁ ଆଖି ପହଁରେଇ ଆଣିଲା ଶୋଭା…. ମିଠା ମକା , ଆଇସକ୍ରିମ , ବରା ପକୁଡି, ଜୁସ, ସୁପ, ଫଳ ଦୋକାନ, ମୋମୋ, ଆହୁରି ସବୁ କଣ, କଣ, ଶେଷ ମୁଣ୍ଡରେ ଠିଆ ହେଇଚି ଗୁପଚୁପ ଵାଲା । ତା’ ଆଖି ସେଇଠି ଅଟକିଗଲା । ଅଟକିଗଲା ତା’ ର ଘର କୁ ଯିବା ବ୍ୟଗ୍ରତା । ମନ ଫେରିଗଲା ତିରିଶ ବର୍ଷ ତଳକୁ । ରମାଦେବୀ କଲେଜ ସାମ୍ନା ଗୁପଚୁପ ବାଲା ପାଖକୁ ।

ଲମ୍ବା ଧାଡି ଗୁପଚୁପ ବାଲା, ତାଙ୍କ ସାମ୍ନା ରେ ଦଳ ଦଳ କଲେଜ ଝିଅ । ରାସ୍ତା ଆରପଟେ ଥିବା କୋଚିଂ ସେଣ୍ଟର ରୁ ପୁଅ, ଝିଅ ବି ଆସି ସେଠି ଖଟି ଜମାନ୍ତି । ଆଖି ଇଶାରା ରେ ମନ ଦିଅ ନିଆ ବି ଚାଲେ । ଚୁମୁଟା ଚୁମୁଟି, ଟାହି ଟାପରା, ହସ , ଖୁସି ସବୁ ଚାଲେ । ତା ଭିତରେ ଚାଲେ ଗୁପଚୁପ ଖାଇବା ପ୍ରତିଯୋଗୀତା । ଟଙ୍କାଟେ ରେ ପାଞ୍ଚ-ଛ ଟା ଗୁପଚୁପ । ବାଜି ମରାମାରି ଚାଲେ, କିଏ କେତେ ଅଧିକ ଖାଇ ପାରିବ । ଭାଇନା, ଆଉ ଟିକେ ଲୁଣ ପକାଅ ଆଳୁ ମସଲାରେ, ନାଇଁ ନାଇଁ ଆଉ ଲଙ୍କା ଗୁଣ୍ଡ…. ଇସ!!! ଏ ଖଟା ପାଣି କେତେ ରାଗ ଲାଗୁଚି, ମୋ ପାଟି ପୋଡ଼ିଲାଣି…. ତୁ ଶୋଭା ଏତେ ରାଗ କେମିତି ଖାଉଚୁ ??? ଆଖି ନଚେଇ ପଚାରେ ଫୁଲେଇ ସ୍ୱାତୀ । ସ୍ୱାତୀ କଥାରେ ମୁରୁକି ହସ ଟିଏ ମାରି ଖାଇବାରେ ମନ ଦିଅ ଶୋଭା , ଅତି କମ ରେ କୋଡିଏ ପଚିଶି ଟା ନ ଖାଇଲେ ତା ମନ ପୂରେନି । ବିଚରା ବ୍ୟତିବ୍ୟସ୍ତ ହେଇପଡ଼ନ୍ତି ଗୁପଚୁପ ବାଲା ସବୁ ଏଇ ଝିଅ ମାନଙ୍କ ଇଛା ମୁତାବକ ମସଲା ତିଆରି କରିବାରେ, କିନ୍ତୁ ସେମାନଙ୍କ ମନବି ରଙ୍ଗୀନ ହେଇଯାଏ ଏଇ ପ୍ରଜାପତି ମାନଙ୍କ ଗହଣ ରେ । ଦିନର ଏଇ ସମୟଟା ବୋଧ ହୁଏ ତାଙ୍କ ପାଇଁ ସବୁଠୁ ଭଲ , ବେପାର କୁ ବେପାର ହୁଏ ଆଉ ମନୋରଞ୍ଜନ ବି । କିଛି କିଛି ଗୁପଚୁପ ବାଲା ଝିଅ ମାନଙ୍କ ଟାହି ଟାପରା କଥାରେ ସାମିଲ ବି ହୁଅନ୍ତି । କିନ୍ତୁ, ମଟର ସାଇକେଲ ନେଇ ପାଖାପାଖି ଅଂଚଳର ବଦମାସ ପିଲା ପହଞ୍ଚି ଗଲେ ଝିଅ ମାନେ ଟିକିଏ ଶଙ୍କି ଯାଆନ୍ତି । ଆଉ ବେଶୀ ହୋ ହାଲ୍ଲା ନକରି ଚୁପଚାପ ଚାଲି ଯାନ୍ତି ।

ମଟରସାଇକେଲ ର ତା’କାନ ପାଖରେ ପେଁ ପେଁ କର୍କଶ ହର୍ଣ୍ଣ ରେ ପ୍ରକୃତିସ୍ଥ ହେଲା ଶୋଭା । ହେ ଭଗବାନ !!! ରାସ୍ତା ମଝିରେ ସେ କେତେବେଳେ ଠିଆ ହେଇଚି ଜାଣିନି । ଏବେ କଣ ହେଇଥାନ୍ତା !!!! ବାଁ ହାତ ଦେଖାଇ ଧୀରେ ଧୀରେ ରାସ୍ତା ପାର ହେଲା ଶୋଭା । ଆଜି ଗୁପଚୁପ ଦି’ଟା ଖାଇଲେ କେମିତି ହୁଅନ୍ତା ? ମନ କୁ ମନ ପଚାରିଲା ସେ । କିନ୍ତୁ କେହି ପରିଚିତ ଲୋକ ଯଦି ଦେଖିଦେବେ ସେ ଗୁପଚୁପ ଖାଉଛି ବୋଲି !!!! ଆଉ ଯଦି ମିସେସ ଦାସ ଦେଖିଦେଲେ ତ କଥା ସରିଲା, ସାରା କଲୋନୀ ରେ ଡ଼ିବିଡ଼ିବି ବଜେଇବେ ଯେ ସେ ଏ ବୟସରେ ରାସ୍ତାରେ ଠିଆ ହେଇ ଗୁପଚୁପ ଖାଉଥିଲା ବୋଲି । ଯିଏ ଦେଖୁଚି ଦେଖୁ, ଆଜି ସେ ନିଶ୍ଚୟ ଖାଇବ… ନିଜକୁ ବୁଝାଇ ପାଦ ବଢାଇଲା ସେ ଗୁପଚୁପ ବାଲା ପାଖକୁ ।

ଟଙ୍କାରେ କେତେଟା ଦଉଚ? ତା ପ୍ରଶ୍ନ ରେ ଗୁପଚୁପ ବାଲା ମୁରୁକି ହସିଲା, ପାଖରେ ଖାଉଥିବା ପିଲାମାନେ ବି ଚୁପିଚୁପି ହସିଲେ । ବୁଝିପାରିଲାନି ଶୋଭା ସେ କଣ ଭୁଲ ପଚାରିଲା ବୋଲି । ଆଜ୍ଞା , ଟଙ୍କା ରେ ନୁହେଁ, ଦଶ ଟଙ୍କା ରେ ଛ’ ଟା । ଗୁପଚୁପ ବାଲାର ଉତ୍ତରରେ ଲାଜ ଲାଗିଲା ଶୋଭାକୁ । ଛିଃ .. ସେ କେତେ ପଛରେ ଅଛି । ତା’ର ଦୋଷ ବା କଣ ? ବାହା ହେଇ ଆସିଲା ପରେ ଦୁଇ ଚାରି ଥର ସୁରେଶ ତାକୁ ଗୁପଚୁପ ଖୁଆଇଚନ୍ତି, ସିଏ ବି ରମାଦେବୀ କଲେଜ ଛକରେ । ସେତେବେଳ ର କଥା ଅଲଗା ଥିଲା, ସେ ଯାହା କହିଲେ ତା କଥା ରହୁଥିଲା । କିନ୍ତୁ ସମୟ ସାଙ୍ଗରେ ସୁରେଶଙ୍କ ମନ ବି ବଦଳି ଗଲାଣି । ତା ଛଡା, ସେ ମନ ଖୁସି ରେ ସେତେବେଳେ ଗୁପଚୁପ ଖାଇଲାବେଳେ ସୁରେଶଙ୍କର ନାକ ଟେକା ମୁହଁ ତାର ଏବେ ବି ମନେ ପଡୁଚି । ସେଥି ଲାଗି ତା ଗୁପଚୁପ ଖାଇବା ନିଶା ଟା ତାକୁ ଭୁଲିବାକୁ ପଡିଛି । ଝିଅ ବି ପୂରା ତା’ ବାପା ଭଳି । ଥରେ ପଚାରିଥିଲା ମାମା, ତତେ କଣ ଭଲ ଲାଗେ ? ସେ କିଛି କହିବା ଆଗରୁ ସୁରେଶ କଟାକ୍ଷ କରି କହିପକାଇଲେ ଗୁପଚୁପ । ସେ ଉତ୍ତର ରେ ଝିଅ ନାକ ଛିଞ୍ଚାଡି ପକାଇଲା, ଏହେ !! , ଛିଃ ମାମା, କେତେ ଅସନା… ସେ ଗୁପଚୁପ ବାଲା ଯୋଉ ଆଳୁ ଚକଟି ପକାଏ ଅସନା ହାତରେ, ପୁଣି ବୁଢା ଆଙ୍ଗୁଠି ରେ ଯୋଉ ଗୁପଚୁପ କୁ କଣା କରେ…. କେତେ ମଇଳା ହେଇଥିବ ତା ନଖ …ଇସ ….. ବାପ ଝିଅ ତାପରେ ହୋ ହୋ ହେଇ ହସିଥିଲେ । ଭାରି ଆଘାତ ଲାଗିଥିଲା ଶୋଭା ମନରେ । ଆଖି ରେ ଲୁହ ଜକେଇ ଆସିଥିଲା, ମିଛରେ ଆଖିରେ କଣ ପଡି ଯାଇଛି କହି ରୋଷେଇ ଘର କୁ ପଶିଯାଇଥିଲା ମୁହଁ ଧୋଇବ ବୋଲି । ବାପ ଝିଅଙ୍କୁ କିନ୍ତୁ ପିଜା ଭଲ ଲାଗେ । ଝିଅ ସବୁ ରବିବାର ଅନ ଲାଇନ ଡୋମିନୋ ରୁ ପିଜା ମଗାଇ ଆଣେ, ଟିଭି ଦେଖି ଦେଖି ସେମାନେ ଆରାମ ରେ ସେତକ ଉଦରସ୍ଥ କରନ୍ତି । ଥର ଟିଏ ଜବରଦସ୍ତ ଝିଅ ତାକୁ ଖୁଏଇଥିଲା, କିନ୍ତୁ ଶୋଭାକୁ ଜମା ଭଲ ଲାଗିଲାନି ତା ସ୍ୱାଦ । ବେଳେ ବେଳେ ଶୋଭା ଭାବେ ପଚାରିବ ବୋଲି, ଏଇ ବାସି ମୋଟା ରୁଟି ଉପରେ ବାସି ମସଲା ଦିଆ ପିଜା କଣ ଏମିତି ଭଲ ଲାଗୁଚି ??? କିନ୍ତୁ କେବେ ପଚାରିବା ସାହସ କରିନି, ବାପ ଝିଅ ତାକୁ ଗାଉଁଲୀ କହିବେ ବୋଲି ।

ଆଜ୍ଞା , ଖାଇବେ, ନା ପାର୍ସଲ କରି ଦେବି । ନା , ନା, ଖାଇବି । ଦଶ ଟଙ୍କା ର ଦିଅ । ତା କଥାରେ ଗୁପଚୁପ ବାଲା ତାକୁ ଛୋଟ ପତ୍ର ଦନା ଟିଏ ଧରାଇ ଦେଲା । ପ୍ରଥମ ଗୁପଚୁପ ଟି ପାଟିରେ ନେଲା ବେଳେ ତା କଣ୍ଠରୁଦ୍ଧ ହେଇଗଲା । ଆଖି ବି ଜକେଇ ଆସିଲା । ଆଖି ପୋଛି ଦେଇ , ଗଳା ଝାଡ଼ି ଖାଇବାରେ ମନ ଦେଲା ସେ । ଆଉ ଦଶ ଟଙ୍କାର ଦିଅ । ଆଜିର ଏଇ ସମୟଟିକୁ ମନଭରି ନିଜର କରିବାକୁ ଚାହୁଁଥିଲା ଶୋଭା ।

ତା’ ପଛରୁ କେହି ଜଣେ କରୁଣ ସ୍ୱର ରେ ଡାକିଲା, ମାଆ !!! ମତେ ଯୋଡ଼େ ଖାଇବାକୁ ଦବ ?? ଶୋଭା ଦେଖିଲା ଭିକାରୁଣୀ ଟିଏ । ଗୁପଚୁପ ଖାଇବୁ ?? ଆଗକୁ ଆସୁନୁ । ନେ ,ପତ୍ର ଠୋଲା ଟେ ନେ କହି ଗୁପଚୁପ ବାଲା ପାଖ ରୁ ଠୋଲାଟେ ଆଣି ଭିକାରୁଣୀ କୁ ବଢ଼ାଇଦେଲା । ତାକୁ ଆଗ ଦିଅ । ତା’ ଆଡକୁ ବଢି ଆସୁଥିବା ଗୁପଚୁପ ବାଲାର ହାତ ବୁଲି ଗଲା ଭିକାରୁଣୀ ପାଖକୁ । ଖାଇ ସାରି ପଚାଶ ଟଙ୍କିଆ ନୋଟ ଟିଏ ବଢ଼ାଇଦେଲା ସେ ଗୁପୁଚୁପ ବାଲା କୁ । ତାକୁ କୋଡିଏ ଟଙ୍କାର ଖାଇବାକୁ ଦବ, ଆଉ ଦଶ ଟଙ୍କା ତା ହାତ ରେ ଫେରାଇଦବ ।

ହାଁ କରି ଅନାଇ ଥିଲା ଗୁପଚୁପ ବାଲା ଭଦ୍ର ମହିଳାଙ୍କୁ । ଭିକାରୁଣୀ ଆଖିରେ କୃତଜ୍ଞତା ଭାବ । ସେ ସବୁକୁ ଏଡାଇ ଦେଇ ତା ପ୍ରିୟ ହିନ୍ଦୀ ଗୀତ काँटों से खींच के वो आँचल .. ଗୁଣୁ ଗୁଣେଇ ଘର ଅଭିମୁଖେ ପାଦ ବଢ଼ାଇଲା ଶୋଭା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top