ଗଳ୍ପ

ନୀଳ ଡାଏରୀ

T.Durga Prasad Rao's odia Story Neela Daaeri

ଡାଏରୀଟା ପଢ଼ିସାରି ଜିତେନ୍ ଆଖି କୋଣରେ ଲୁହ ଜକେଇ ଆସିଲା ।

ନୀଳ ଡାଏରୀ

ସୁତପା ଶେଷରେ ମରିଗଲା !

କଥାଟିକୁ ଏତେ ସହଜରେ ଗ୍ରହଣ କରିପାରୁନଥିଲା ଜିତେନ୍ । କିନ୍ତୁ ରମେଶ ବା ମିଛ କହିବ କାହିଁକି ?

ସେଦିନ ବିଗ୍ ବଜାରରେ ହଠାତ୍ ଦେଖା ହୋଇଗଲା ରମେଶ ସହିତ । ଏଣୁତେଣୁ କଥାବାର୍ତ୍ତା ମଧ୍ୟରେ ଚମକାଇ ଦେଲା ଭଳି ଖବରଟା ଶୁଣାଇଥିଲା ରମେଶ

– ତୁ ଜାଣିଛୁ, ଆମ ଗାଁ ରେ ନବୀନ ସେନାପତିଙ୍କ ଝିଅ, ସୁତପା ଗତ ରବିବାର ରାତିରେ ଆତ୍ମହତ୍ୟା କରିଛି ।

ଜିତେନ୍ ଅବାକ୍ ହୋଇ ଚାହିଁଲା ରମେଶ ମୁହଁକୁ ।

– ଆତ୍ମହତ୍ୟାର କାରଣ କଣ ?

– କାରଣଟା ଆଉ କଣ ହେବ ? ଫ୍ରଷ୍ଟ୍ରେସନ୍ ।

ବ୍ୟସ୍ତତାରେ ଜିତେନ୍ ରମେଶ ସହିତ ବେଶୀ କିଛି କଥା ହୋଇ ପାରିନଥିଲା ।

ଦଶହରା ପୂଜାଛୁଟିରେ ଜିତେନ୍ ଯେଉଁଦିନ ଗାଁକୁ ଗଲା ମା’ଙ୍କୁ ଏ ବିଷୟରେ ଟିକିନିଖି ପଚାରିବୁଝିଲା । ମାଆ ତାୱାରେ ଚକୁଳି ବସାଇଥାନ୍ତି । ଜିତେନ୍ ଗୋଟିଏ ଷ୍ଟୁଲ୍ ଉପରେ ବସି ଗୋଡ଼ ଦୁଇଟାକୁ ହଲାଉଥାଏ । ମା’ ଦୀର୍ଘଶ୍ୱାସଟିଏ ଛାଡ଼ି କହିଲେ – ସେଇଟା ଗୋଟିଏ ଅଭାଗିନୀରେ ବାପା । ଜନ୍ମହେବାର ମାତ୍ର ଦୁଇଦିନରେ ମା’ ତାର ମରିଗଲା । ବାପା ତାର ସାଇପଡ଼ିଶା ବନ୍ଧୁବାନ୍ଧବଙ୍କ ଚାପରେ ପଡ଼ି ଦ୍ୱିତୀୟ ବିବାହ କଲା । ସାବତ ମା’ତାକୁ ହତାଦର କରୁନଥିଲେ ବି ତା ନିଜର ପିଲାଛୁଆ ଭଳି ସୁତପାକୁ ବୋଧହୁଏ ଆଦର ଯତ୍ନ କରୁ ନଥିଲା । ତୁତ ଜାଣୁ ସୁତପାର ସାବତ ଭଉଣୀ ରିଙ୍କୁ ଆଉ ଭାଇ ଅଭିନାଶ କଥା । ସେମାନେ କିନ୍ତୁ ବଡ଼ ଭଉଣୀ ହିସାବରେ ସୁତାପାକୁ ଯେମିତି ଶ୍ରଦ୍ଧା ସମ୍ମାନ କରିବା କଥା କରୁଥିଲେ । ତଥାପି କେଉଁଠି କେମିତି ତାଙ୍କ ପରିବାର ସହ ସୁତପାର ସମ୍ପର୍କଟା ଖାପଛଡ଼ା ଲାଗୁଥିଲା । ସୁତପାର ହାବଭାବ ଚାଲିଚଳଣ ସବୁଥିରେ ଯେମିତି ଗୋଟିଏ ଅବଦମିତ ଭାବ । ଦେଖିବାକୁ ବି ସୁନ୍ଦର ନ ଥିବାରୁ ଗୋଟିଏ ଦୁଇଟି ବାହାଘର ପ୍ରସ୍ତାବ ପରେ ଆଉ ପ୍ରସ୍ତାବ ଆସିଲା ନାହିଁ । ତା ବାପା ଶେଷରେ ବାଧ୍ୟ ହୋଇ ରିଙ୍କୁ ପାଇଁ ପ୍ରସ୍ତାବ ଖୋଜିଲେ ଓ ଠିକ୍ ସମୟରେ ତାକୁ ବାହା ଦେଇଦେଲେ । ରିଙ୍କୁର ବାହାଘର ପରଠାରୁ ତା ବ୍ୟବହାରରେ କୌଣସି ଗୋଟିଏ ବିରାଟ ପରିବର୍ତ୍ତନ ଲକ୍ଷ୍ୟ କରାଯିବ ବୋଲିଯାହା ଭାବୁଥିଲୁ, ସେମିତି କିଛି ହେଲା ନାହିଁ । ସେ ସବୁବେଳେ ଯାହା ଥିଲା ସେୟା ରହିଲା । ତା ଅନ୍ତର ଭିତରେକଣ ଗୋଟିଏ ସଂଘର୍ଷ ଚାଲିଥିଲା ନିଶ୍ଚୟ । କିନ୍ତୁ ତୁ ତ ତା କଥା ଜାଣୁ, ଅନେକ ସମୟରେ ଆମ ଘରକୁ ଆସେ । ମୁହଁରେ ସବୁବେଳେ ଗୋଟିଏ ମୁରୁକି ହସ ଲାଗି ରହିଥାଏ । ତାକୁ ବାହାରୁ ଦେଖିଲେ କେହି ମନେ କରି ପାରିବନାହିଁ ଯେ ତା ଜୀବନରେ କିଛି ଝଡ଼ଝଞ୍ଜା ଅଛି ବୋଲି । ରବିବାର ଦିନ ରାତିରେ କଣ ଗୁଡ଼ାଏ ନିଦ ଔଷଧ ଖାଇଦେଇଥିଲା । ସକାଳ ପର୍ଯ୍ୟନ୍ତ କେହି ଜାଣିପାରିଲେ ନାହିଁ । ଅନେକ ଡେରି ପର୍ଯ୍ୟନ୍ତ ତାକୁ ଶେଯରୁ ନ ଉଠିବା ଦେଖିତା ମା’ତାକୁ ଉଠାଇଦେବାକୁ ଯାଇ ଦେଖିଲା ସେ ମୃତ ।

– ସେ ଦୁଇ ଚାରି ଦିନ ପିଲାଟା ଆଖିରେ ଆଖିରେ ହେଲା । ମା’ ପଣତରେ ନିଜ ଆଖିରୁ ଲୁହପୋଛିଲେ । ମା’ଙ୍କୁ ଟିକିଏ ସହଜ କରିଦେବାକୁ ଯାଇ ଜିତେନ୍ କହିଲା – ଛାଡ଼ ସେକଥା, ମତେ ଚକୁଳି ଦିଟାଦେଲୁ ଜଲ୍‌ଦି, ଭୋକ ଲାଗିଲାଣି ।

ମା’ କହିଲେ – ମୁଁ କହିବା ପାଇଁ ଭୁଲିଯାଇଥିଲି, ତୋ ଭାବି ଶ୍ୱଶୁର ଘରୁ ଫୋନ୍ ଆସିଥିଲା । ତୁଆସିବା କଥା ମୁଁ ସେମାନଙ୍କୁ ଜଣାଇଥିଲି । ତୋତେ ତାଙ୍କ ଗାଁକୁ ଯିବାକୁ କହିଛନ୍ତି । କହିବୁ ଯଦି ମୁଁ ମଧ୍ୟ ତୋସାଙ୍ଗରେ ଯିବି । ବୋହୁଟାକୁ ଟିକିଏ ଦେଖି ଆସିବି ।

ମା’ଙ୍କର ବୋହୁକୁ ଦେଖିବାକୁ ଇଚ୍ଛା ଦେଖି ଜିତେନ୍ ହସି ଉଠି କହିଲା – ଠିକ୍ ଅଛି, ଯିବା । ଆଜି ତଆସିଛି । ଛୁଟି ସରିବା ପୂର୍ବରୁ ତାଙ୍କ ଘରକୁ ଯାଇ ବୁଲି ଆସିବା ।

ଛୁଟି ସମୟତକ ସରି ଆସୁଥିଲା । ଇତି ମଧ୍ୟରେ ସେ ଶ୍ୱଶୁରଘରକୁ ଯାଇ ଫେରି ଆସିଥିଲା । ସକାଳେପ୍ରସ୍ତୁତ ହୋଇ ତାର କର୍ମସ୍ଥଳକୁ ବାହାରିବ, ସେଇଦିନ ରାତିର କଥା । ବ୍ୟାଗପତ୍ର ସଜାଡ଼ି ଦେଇ, ଡିକ୍ସନାରୀଟାନେବ ବୋଲି ଆଲମାରୀ ଥାକରୁ ବହିଟାକୁ ଖୋଜୁ ଖୋଜୁ ଡିକ୍ସନାରୀ ଭିତରୁ ଗଳି ପଡ଼ିଲା ଛୋଟ ଏକ ନୀଳରଙ୍ଗର ଡାଏରୀ । ସେ କେବେ ଡାଏରୀ ଲେଖେ ନାହିଁ । ଘରେ କେହି ବି ଡାଏରୀ ଲେଖନ୍ତି ନାହିଁ । ସେଇଟା କାହାରଡାଏରୀ ଏଠିକି କେମିତି ଆସିଲା ବୋଲି ମା’ଙ୍କୁ ପଚାରୁ ପଚାରୁ କିଛି ପୃଷ୍ଠା ଓଲଟାଇ ଦେଖିଲା । ପ୍ରାୟ ତାରିଖମାନଙ୍କରେ କିଛି ନା କିଛି ଲେଖା ହୋଇଛି । ମା’ କହିଲେ – ତୋର କଣ ସବୁ ବହି ସୁତପା ନେଇଥିଲା । ତାର ମୃତ୍ୟୁ ପରେ ତା ମା’ ଆଣି ଫେରେଇ ଦେଇଛି । ସେ ଡାଏରୀ ସୁତପାର ହେଇଥିବ ।

ସବୁକାମ ସରିଲା ପରେ ଜିତେନ୍ ଡାଏରୀଟିକୁ ନେଇ ଶଯ୍ୟାକୁ ଆସିଲା । ପୃଷ୍ଠାଟିଏ ଓଲଟାଇଲା । ଲେଖା ହୋଇଛି

-ଆଜି ମୁଁ ତାଙ୍କୁ ସ୍କୂଲ ହତା ପାର ହେଲା ବେଳେ ଦେଖିଲି । ସେ ତାଙ୍କ ସାଇକଲ୍ଟା ଦ୍ରୁତ ଗତିରେଛୁଟାଇ ବିପରୀତ ଦିଗରୁ ଆସୁଥିଲେ । ମୁହଁଟା ତାଙ୍କର ଖରାରେ ଝାଉଁଳି ପଡ଼ିଥିଲା । ମୋ ଆଡ଼କୁ ଟିକିଏ ଚାହିଁଦେଇେ ମାେତ ପାରେହାଇ ଚାଲିଗଲେ ତାଙ୍କର ସେକ୍ଷଣିକ ଚାହିଁବାେରେ ମାର ଛାତିର କଂପନ ଅନେକ ଗୁଣ ବଢ଼ିଯାଇଥିଲା । ମୁଁ ପାପ କଲା ପରି ଚାରି ଆଡ଼କୁ କନ କନ କରି ଚାହିଁଲି । ତାଙ୍କୁ ଦେଖିଲେ ହିଁ ମୋ ଭିତରେ ଏମିତି ହୁଏ, କାହିଁକି ହୁଏ ବୁଝିପାରେନା ।

——x——

ଆଜି ରବିବାର । ମା’ କହିଲେ – ତପା, ତୋ ପରି ଝିଅମାନେ ସ୍କୂଲ ଯାଉଛନ୍ତି, ତା ସହ ଘର ଲିପାପୋଛା, ରୋଷେଇ ଇତ୍ୟାଦିରେ ମା’ ମାନଙ୍କୁ ସାହାଯ୍ୟ ବି କରୁଛନ୍ତି । କିନ୍ତୁ ମୁଁ ଦେଖୁଛି ତୁ ସ୍କୂଲରୁ ଫେରିଅଧିକାଂଶ ସମୟ ଟି.ଭି. ଦେଖି ବସୁଛୁ । ମା’ ଉପଦେଶ ଛଳରେ କହୁଥିଲେ ମଧ୍ୟ ମୋତେ କଥାଟା ଟିକେ ବାଧିଲା । ମୁଁ ସଙ୍ଗେ ସଙ୍ଗେ ଟି.ଭି ବନ୍ଦ କରିଦେଇ ରୋଷେଇ ଘରଟିକୁ ସଫା କରିବାରେ ଲାଗିଗଲି । ପୁରା ଗୋଟିଏ ଜିଦ୍‌ରେ ଲଗାତାର ତିନି ଘଣ୍ଟା ଲାଗିଲା ପରେ ରୋଷେଇଘରଟି ଚକ୍ ଚକ୍ ଦିଶିଲା । ହାତ ଧୋଇବା ପାଇଁ ଯେତେବେଳେ ସାବୁନଟା ହାତକୁ ନେଲି ବୁଢ଼ା ଆଙ୍ଗୁଳିରେ ସାମାନ୍ୟ ଜଳିଲା ଭଳି ଯନ୍ତ୍ରଣା ଅନୁଭବ କଲି । ବୁଢ଼ା ଆଙ୍ଗୁଳିର ଉପରଅଂଶ ସାମାନ୍ୟ କଟିଯାଇଛି । ବୋଧହୁଏ ପନିକିଟା ସଫା କରିବା ସମୟରେ ବାଜିଯାଇଛି । ମୁଁ ଅଙ୍ଗୁଳି ଚାପି ଧରି ଚିତ୍କାର କଲି । ଭାବିଲି ମା’ଦୌଡ଼ି ଆସିବେ । କଣ ହେଲା ବୋଲି ପଚାରିବେ । ଅଙ୍ଗୁଳି କଟିଯାଇଥିବା ଦେଖି ନିଜହାତରେ ଔଷଧ ପଟି ଲଗାଇବେ ଯେମିତି ସେ କରନ୍ତି ରିଙ୍କୁ ଅବା ଅଭିନାଶର କିଛି ହେଲେ । କିନ୍ତୁ ସେମିତି କିଛିଘଟିଲା ନାହିଁ । ମୁଁ ନିରବରେ ହାତ ଧୋଇ ଥାକରୁ ଅଏଣ୍ଟ୍‌ ମେଣ୍ଟ ନେଇ କ୍ଷତ ସ୍ଥାନରେ ଲଗାଇଲି । ମା’ ଦୂରରୁ ଦେଖିଲେ । ପାଖକୁ ଆସିଲେ ନାହିଁ କି କିଛି କହିଲେ ନାହିଁ ।

——x——

ରିଙ୍କୁ ଅଷ୍ଟମ ଶ୍ରେଣୀ ପରୀକ୍ଷା ଦେଇ ଘରେ ଆସି ପହଞ୍ଚିଲା । ମା’ ପ୍ରଶ୍ନାବଳୀ ନେଇ ତାକୁ ଗୋଟି ଗୋଟି କରି ପଚାରି ବୁଝିଲେ । ସବୁଗୁଡ଼ିକର ଉତ୍ତର ଠିକ୍ ଭାବରେ ଲେଖିଛି କି ନାହିଁ । କେତେ ନମ୍ୱର ଆସିବ ବୋଲି ଆଶା କରୁଛି ଇତ୍ୟାଦି । କେତେଟାର ଉତ୍ତର ଠିକ୍ ଭାବରେ ଲେଖି ନ ଥିବାରୁ ଗାଳି ମଧ୍ୟ ଦେଲେ । ମୋର ମ୍ୟାଟ୍ରିକ୍ ପରୀକ୍ଷା ତାର ଠିକ୍ ଦୁଇ ଦିନ ପୂର୍ବରୁ ସରିଥାଏ । କିନ୍ତୁ କେଉଁଦିନ ବି ସେ ମୋତେ ମୋର ପରୀକ୍ଷା ଭଲ ହେଇଛି କି ନାହିଁ ପଚାରି ନାହାନ୍ତି । ହଁ, ବାପା ଅବଶ୍ୟ ଉପସ୍ଥିତ ଥିଲେ ପଚାରନ୍ତି । ଆଜି କାହିଁକି ମୁହଁଟା ଶୁଖି ଯାଇଛି, ଭଲ ଭାବରେ ଉତ୍ତର ଲେଖିନାହୁଁ କି ଇତ୍ୟାଦି । ମୋର ଭଲରେ ଅବା ମନ୍ଦରେ ମା’ଙ୍କର କୌଣସି ପ୍ରତିକ୍ରିୟା ନ ଥାଏ । ମୋର ମନେ ହେଉଥାଏ, ମା’ ଆଉ ମୋ ଭିତରେ ଦୂରତ୍ୱ ଯେମିତି ବଢ଼ି ବଢ଼ି ଯାଉଛି । ଆଉ ବାପାଙ୍କ ସହିତ ସବୁବେଳେ ସବୁକଥା ତ କହିହୁଏନା ।

——x——

ଆଶ୍ୱୀନ ଶୁକ୍ଳ ପଞ୍ଚମୀ । ସ୍କୁଲ୍‌ରେ ସରସ୍ୱତୀ ପୂଜାଥିବାରୁ ମୁଁ ସକାଳୁ ସକାଳୁ ବାହାରି ପଡ଼ିଥାଏ ସ୍କୁଲ୍‌କୁ । ଯେଉଁ ରୁମ୍‌ରେ ମା ସରସ୍ୱତୀଙ୍କର ପୂଜାର୍ଚ୍ଚନା ହେଉଥିଲା, ପ୍ରବଳ ଭିଡ଼ ଭିତରେ ରୁମ୍‌ର ଗୋଟିଏ କୋଣରେ ମୁଁ ଓ ଲିଜା ଠିଆ ହୋଇଥାଉ । ପୁଷ୍ପାଞ୍ଜଳୀର ସମୟ ହଠାତ୍ ମୋର ନଜର ପଡ଼ିଲା, ମୋତେ ଏକ୍‌ଦମ୍ ଲାଗି ମୋ ପଛରେ ସେ ଠିଆ ହୋଇଛନ୍ତି । ତାଙ୍କ ବାହୁ ମୋ ବାହୁକୁ ବେଳେ ବେଳେ ସ୍ପର୍ଶ କରୁଛି । ମୋ ଶରୀର ମଧ୍ୟରେ ଏକ ବିଦ୍ୟୁତ୍ ପ୍ରବାହ ଖେଳିଗଲା । ମୋ ବାହୁର ସେଇ ଅଂଶ ସ୍ପର୍ଶକାତର ହୋଇଉଠିଲା । ମୋର ମନେହେଲା, ମୁଁ ଯେମିତି ଏକ ଅଦ୍ଭୁତ ଆକର୍ଷଣରେ ତାଙ୍କରି ଆଡ଼କୁ ଢ଼ଳି ଯାଉଛି । ପାଦ ମୋର ଚଟାଣ ଉପରେ ସ୍ଥିର ରହୁନଥିଲା । ହଠାତ୍ କିଏ ଜଣେ ମୋତେ ଧରିପକାଇ କହିଲା-ଏମିତି କଣ ହେଉଛୁ, ସିଧା ଠିଆ ହେଉନୁ । ମୁଁ ପଛକୁ ଫେରି ଚାହିଁଲି ମୋର ସହପାଠୀନୀ ସୁଷମା ଠିଆ ହୋଇଛି । ସେ କେତେବେଳୁ ଚାଲିଗଲେଣି ।

——x——

ହଠାତ୍ ସେ ଆମ ଘରକୁ ଚାଲିଆସିଲେ । ମୁଁ ବାରିରେ ଲୁଗାସଫା କରୁଥିଲିା ମା’ଙ୍କୁ ପଚାରିଲେ – ମାଉସୀ, ତପା କାହିଁ ? ମା’ତାଙ୍କୁ ଦେଖି ଖୁସି ହୋଇଗଲେ । କହିଲେ – ବସ ବାପା । ମୁଁ ତପାକୁ ଡାକି ଦେଉଛି । ମା’ ଡାକିବା ପୂର୍ବରୁ ମୁଁ ଯେମିତି ଦାଣ୍ଡଘର ଦରଜା ନିକଟକୁ ଛିଟିକି ପଡ଼ିଲି । ପାଦଦୁଇଟା କିନ୍ତୁ ଆଉ ଆଗକୁ ବଢ଼ିବାକୁ ନାରାଜ ହେଉଥିଲେ । ତାଙ୍କର ନଜର ଯେତେବେଳେ ମୋ ଉପରେ ପଡ଼ିଲା, ମୁହଁଟା ମୋର ଲାଜରେ ଝାଉଁଳି ପଡ଼ିଲା । ମୁଁ ତଳକୁ ମୁହଁପୋତି ଘର ଭିତରେ ପ୍ରବେଶ କଲି । ସେ ଚଉକିରୁ ଉଠିପଡ଼ି ସ୍ୱାଭାବିକ ଢ଼ଙ୍ଗରେ କହିଲେ – ତପା, ଆସନ୍ତା୧୦ ତାରିଖରେ ଆମ କଲେଜ୍‌ର ବାର୍ଷିକ ଉତ୍ସବ । ଏ ଅବସରରେ କଲେଜରେ ଡ୍ରାମାଟିଏ ହେବ ବୋଲି ସ୍ଥିର ହୋଇଛି ମୁଁ ବି ସେଥିରେ ଛୋଟ ରୋଲ୍‌ଟିଏ କରୁଛି ସାର୍‌ଙ୍କୁ ପାର୍ଶ୍ୱ ନାୟିକାର ରୋଲ୍ ପାଇଁ ଜଣେ ଝିଅ ଦରକାର । ପାର୍ଶ୍ୱନାୟିକାର ଡ୍ରାମାରେ ଚରିତ୍ର ଯାହା ତୁ ଠିକ୍ ଭାବେ କରିପାରିବୁ ବୋଲି ସାର୍‌ଙ୍କର ବିଶ୍ୱାସ । ସାର୍ ତୋତେ ପଚାରିବା ପାଇଁ କହିଲୋ ତୋର ମତାମତ କଣ ?

ମୁଁ ଯେମିତି ହଠାତ୍ ଆକାଶରୁ ଖସିପଡ଼ିଲି । ମୁଁ ପୁଣି ଡ୍ରାମାରେ ଅଭିନୟ କରିବି ! ତା ବି ପୁଣି ପାର୍ଶ୍ୱନାୟିକାର ରୋଲ୍ ! ସେ ପୁଣି କହିଲେ – ଦେଖ୍ ତରବର ହେବାର କିଛି ନାହିଁ । ମୁଁ ସନ୍ଧ୍ୟାବେଳେ ଆସିବି, ସେତିକିବେଳେ ତୋ ନିଷ୍ପତି କହିଲେ ଚଳିବ । କିନ୍ତୁ ମୋର ଅନୁରୋଧ, ତୁ ଏ ରୋଲ୍‌ଟି ନେବା ପାଇଁ ମନା କରନାହିଁ ।

ସେ ମୋତେ ଦନ୍ଦ୍ୱ ରେ ପକାଇଦେଇ ଚାଲିଗଲୋ ମୁଁ କୌଣସି ଦିନ ଅଭିନୟ କରିନାହିଁ । କିନ୍ତୁ ସାର୍‌ଙ୍କର ବିଶ୍ୱାସ ମୁଁ ରୋଲ୍ଟି କରିପାରିବି ।

ତାଙ୍କର ଅନୁରୋଧ ମୁଁ ଏ ରୋଲ୍‌ଟି ଯେମିତି କରେ ।

ସନ୍ଧ୍ୟାବେଳେ ସେ ଯେତେବେଳେ ମୋର ମତାମତ ଚାହିଁଲେ ମୁଁ ନିରବରେ କେବଳ ମୁଣ୍ଡଟି ହଲାଇଦେଲି ।

——x——

ଲିଜା ମୋତେ ଦେଖୁ ଦେଖୁ ପାଟି କଲା – ଆରେ ଦେଖ ଆମ ଡ୍ରାମାର ରୋଜାଲିନ୍ ଆସିଲେ । ଅନ୍ୟମାନେ ମୋତେ ଘେରି ପକାଇଲୋ କିଏ କହିଲା- ସାର୍ ତୋତେ କେମିତି ବାଛିଲେ ? ଅନ୍ୟ ଜଣେ ପଚାରିଲା – ତୁ ହଁ ଭରିଲୁ ଯେ କାହାଣୀରେ ତୋ ରୋଲ୍‌ଟା କଣ ପଢ଼ିଛୁ ନା ? ପ୍ରାଚୀ କହିଲା – କଲେଜ୍‌ର ଏତେ ଝିଅଙ୍କ ମଧ୍ୟରେ ସାର୍ ସୁତପାକୁ ପାର୍ଶ୍ୱନାୟିକା ପାଇଁ ଚୟନ କଲେ ମାନେ ସେ ୟାର ଅଭିନୟ କଳା ଦେଖିଛନ୍ତି ନା ।

ମୁଁ କୌଣସି ଉତ୍ତର ଦେଇପାରିଲି ନାହିଁ । କାରଣ ଏ ରୋଲ୍ ପାଇଁ ମୁଁ କେମିତି ସମ୍ମତ ହେଲି ନିଜେ ବି ଜାଣି ପାରୁନାହିଁ ।

——x——

ଡ୍ରାମା ଅଭିନୀତ ହେଲା ।

ରୋଜାଲିନ୍‌ ଥିଲା ଏକ ମଧ୍ୟବତ୍ତି ଶ୍ରେଣୀୟ ବାପା ମା’ଙ୍କର ଏକମାତ୍ର ଝିଅ । ଅନେକ ସ୍ନେହ ସରାଗରେ ବଢ଼ିଥିଲେ ମଧ୍ୟ ଧୀରେ ଧୀରେ ତା ନିଜ ଜୀବନ ପ୍ରତି ସେ ଦୁର୍ବିସହ ହୋଇପଡ଼ିଲା । କାରଣ ସେ ଥିଲା ଦେଖିବାକୁ ଅସୁନ୍ଦରୀ, ମୁହଁସାରା ବସନ୍ତ ଦାଗ । ବୟସ ବଢ଼ିବା ସହିତ ସେ ଅନୁଭବ କଲା ତା ଚାରିପାଖର ସମାଜ ଯେମିତି ତା ଠାରୁ ଧୀରେ ଧୀରେ ଦୂରେଇ ଯାଉଛି । ପ୍ରତି ଶୁଭ ମାଙ୍ଗଳିକ କାର୍ଯ୍ୟରେ ସେ ଅଶୁଭ ସିଦ୍ଧ ହେଲା । ସାଙ୍ଗସାଥୀ ପ୍ରାୟ ନାହାନ୍ତି କହିଲେ ଚଳେ । ଏକମାତ୍ର ସହପାଠୀନୀ ସ୍ନିଗ୍ଧା ଥିଲା ତାର ସୁଖଦୁଃଖର ସାଥୀ । ରୋଜାଲିନ୍ ଯେଉଁ ଯୁବକକୁ ମନେ ମନେ ଭଲପାଇ ବସିଥିଲା, ଜାଣିପାରିଲା ସ୍ନିଗ୍ଧା ମଧ୍ୟ ସେଇ ଯୁବକକୁ ଭଲପାଇ ବସିଛି । ରୋଜାଲିନ୍ ଭଲଭାବରେ ଜାଣିଥିଲା ତା ଭଳି ଅସୁନ୍ଦରୀ ଝିଅକୁ ଯୁବକଟି କେବେ ହେଲେ ପସନ୍ଦ କରିବ ନାହିଁ ଭଲ ପାଇବା କଥା ଦୂରେ ଥାଉ । ଇତି ମଧ୍ୟରେ ରୋଜାଲିନ୍‌ର ବାପା ମା’ ଗୋଟିଏ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କଲେ । ରୋଜାଲିନ୍ ଅନାଥ ହୋଇଗଲା । ସ୍ନିଗ୍ଧାର ବାପା ମା’ ତାକୁ ନିଜର ଆଉ ଏକ ଝିଅ ମନେ କରି ଘରେ ଆଶ୍ରୟ ଦେଲେ । କିନ୍ତୁ ଦିନେ ରୋଜାଲିନ୍‌ର ବହି ଭିତରୁ ସ୍ନିଗ୍ଧାର ହାତରେ ପଡ଼ିଲା ତା ପ୍ରେମିକ ଯୁବକର ଫଟୋଟିଏ । ସ୍ନିଗ୍ଧା ରାଗରେ ଯାଛାତା ଗାଳି କଲା ରୋଜାଲିନ୍‌କୁ । ତା ଭଳି ଅସୁନ୍ଦରୀର ପ୍ରେମ କରିବାର ଅଧିକାର କୁଆଡୁ ଆସିଲା ? ତା ପୁଣି ସେଇ ଯୁବକକୁ ଯାହାକୁ ସ୍ନିଗ୍ଧା ଭଲପାଉଛି । ଅନେକ ଦିନର ବନ୍ଧ୍ୱତ୍ୱ ଏଇ ଗୋଟିଏ କଥାରେ ଛିନ୍ନ ହୋଇଗଲା । ରୋଜାଲିନ୍‌ର ମନଟା କ୍ଷତାକ୍ତ ହୋଇସାରିଥିଲା । ତାର ନିଜର ବୋଲି ଆଉ କେହି ନ ଥିଲେ । ରାତିର ଅନ୍ଧକାରର ସୁଯୋଗ ନେଇ ରୋଜାଲିନ୍ ଘରୁ ବାହାରି ଆସିଥିଲା । ପରଦିନ ସକାଳେ ତାର ମୃତ ଦେହ ନିକଟସ୍ଥ ପାହାଡ଼ତଳୁ ଉଦ୍ଧାର କରାଯାଇଥିଲା ।

ପ୍ରବଳ କରତାଳି ମଧ୍ୟରେ ଶ୍ରେଷ୍ଠ ଅଭିନେତ୍ରୀର ପୁରସ୍କାରଟି ମୋତେ ମିଳିଲା ।

——x——

ଆଜି ରସୁଲଗଡ଼ରୁ ମୋ ପାଇଁ ପ୍ରସ୍ତାବ ଦେଖି ଆସିଥିଲୋ ଏ ଥିଲା ଦ୍ୱିତୀୟ ପ୍ରସ୍ତାବ । ପ୍ରଥମ ଥର ଯେଉଁମାନେ ମୋତେ ଦେଖିବା ପାଇଁ ଆସିଥିଲେ, ତାଙ୍କୁ କୁଆଡ଼େ ମୋ ଦେହର କଳାରଙ୍ଗ ପସନ୍ଦ ହୋଇନଥିଲା । ଘରକୁ ଯାଇ ଫୋନ୍ କରି ଜଣାଇଦେଲେ ଯେ କନ୍ୟା ଆଉଟିକେ ଯଦି ଗୋରା ଥାନ୍ତା ସେମାନେ ନିଶ୍ଚୟ କରିଥାନ୍ତେ । ପିଲାଟିର ଘରେ ସମସ୍ତେ କଳା ହୋଇଥିବାରୁ ଆଉ ଗୋଟିଏ କଳାରଙ୍ଗର ଆବଶ୍ୟକତା ନଥିଲା । ତାଙ୍କର ଉତ୍ତରପିଢ଼ି ସେମାନଙ୍କ ଠାରୁ ଗୋରା ହେବା ସେମାନେ ଚାହୁଁଥିଲେ । ବାପା ରାଗ ତମତମ ହୋଇ ଫୋନ୍‌ଟାକୁ ଛେଚି ଦେଇଥିଲେ ।

ବର୍ତ୍ତମାନର ବର ବୋଲି ପିଲାଟି ଦେଖିବାକୁ ଗେଡ଼ା, ଟିକିଏ ଅଧିକ ବୟସର ମନେ ହେଉଥିଲା । ବାପା କହିଲେ- ପିଲାଟା ଭଲ ଗୋଟେ କମ୍ପାନୀରେ ଚାକିରୀ କରୁଛି । ସୁତପାର କିଛି ଅସୁବିଧା ହେବନାହିଁ । ତାପରେ ମୋ ଆଡ଼କୁ ଚାହିଁଲେ । ମୋର ଗୋଟେ ଯେ ମନ ଅଛି ଆଉ ମୋର ମତାମତ ନେବା ମଧ୍ୟ ପାତ୍ର ଚୟନରେ ଜରୁରୀ ଏକଥା ପରୋକ୍ଷରେ ଜଣାଇଦେବାକୁ ଚାହୁଁଥିଲେ ବାପା । ମୁଁ ବା କଣ କହିଥାନ୍ତି ? ନିରବରେ ମୁଣ୍ଡପୋତି ବସି ରହିଲି । ମୋର ନିରବତା ସମ୍ମତି ବୋଲି ଭାବି ବାପା ମା’ କଥା ହେଲେ ଯେ ଯଦି ବରଟି ରାଜି ହୁଏ ତାହେଲେ ଏ ପ୍ରସ୍ତାବଟିକୁ ସେମାନେ ହଁ ଭରିବେ । ଦୁଇଦିନ ପରେ ଖବର ପାଇଲୁ ସେମାନଙ୍କର ଆଉ ଗୋଟିଏ ଜାଗାରେ ପ୍ରସ୍ତାବ ଠିକ୍ ହୋଇଗଲା ।

——x——

ଅନେକ ଦିନ ହେଲା ଡାଏରୀ ଲେଖି ନାହିାଁ ଘଟଣା ଅଘଟଣ ମଧ୍ୟରେ ପ୍ରତିମୁହୂର୍ତ୍ତ ହୃଦୟରେ ଏକ ଅଦେଖା ଦଂଶନ ଅନୁଭୁତ ହେଉଛି ।

ମୋ ବିବାହର ବୟସ ଅତିକ୍ରାନ୍ତ ହେଉଥିଲା ସାଇପଡ଼ିଶାରେ ମୋତେ ନେଇ ଟୁପୁର୍ ଟାପ୍‌ରା ମୁଁ କୁଆଡ଼େ ଅଶୁଭା, ଅଲକ୍ଷଣୀଟାଏା ସମ୍ପର୍କୀୟ ସାଇପଡ଼ୋଶୀଙ୍କ ମାଙ୍ଗଳିକ ଉତ୍ସବରେ ମୋର ଉପସ୍ଥିତି ଧୀରେ ଧୀରେ ସମସ୍ତଙ୍କୁ ଅସହ୍ୟ ହେଲା । ମା’ ପ୍ରଥମେ ପ୍ରଥମେ ମୋତେ ଘୁରାଇ ଫେରାଇ ଅନ୍ୟମାନଙ୍କ ବିବାହ ବ୍ରତରେ ଯିବାକୁ ମନା କରୁଥିଲେ । ପରେ ପରେ ସେଇକଥା ସିଧା ସିଧା କହିଲେ ।

– ତୁ ନ ଗଲେ କଣ ବାହାଘର ହେବ ନାହିଁ । କିଏ ତତେ ଦେଖିବ ବୋଲି ଏତେ ସଜବାଜ ହେଉଛୁ ?

ରିଙ୍କୁ ପାଇଁ ଅନେକ ଲୋଭନୀୟ ପ୍ରସ୍ତାବ ଆସୁଥିଲେ ମଧ୍ୟ ବାପା ମନା କରିଦେଉଥେିଲ । ମା’ ଏସବୁକୁ ନେଇ ଅତିଷ୍ଠ ହୋଇ ଉଠୁଥିଲେ । ତାଙ୍କ ବ୍ୟବହାରରେ ଅନେକ ପରିବର୍ତ୍ତନ ଆସିଥିଲା । ମୋତେ ଶୁଣାଇ ଶୁଣାଇ କହୁଥିଲେ – ଏ ଗଳଗ୍ରହଟା ଲାଗି ମୋ ରିଙ୍କୁ ବାହା ହେଇପାରିବ ନାହିଁ ।

ଦିନେ ସ୍ଥିର କଲି ମୁଁ ବିବାହ କରିବି ନାହିଁ । ବାପାଙ୍କୁ ସେଇକଥା ଜଣାଇଦେଲି – ଆଉ ନିଜ ଜିଦ୍‌ରେ ଅଟଳ ରହିଲି । ବାପା ଅନନ୍ୟୋପାୟ ହୋଇ ସେଇ ଲୋଭନୀୟ ପ୍ରସ୍ତାବ ମାନଙ୍କ ମଧ୍ୟରୁ ଗୋଟିଏ ଦେଖି ରିଙ୍କୁର ବାହାଘର କରିଦେଲେ ।

ରିଙ୍କୁ ଚାଲିଗଲା ପରେ ଘରର ଯାବତୀୟ କାମ ମୋ ଉପରେ ପଡ଼ିଲା । ମା’ଙ୍କର ଯେ ବଳବୟସ କମି ଆସିଥିଲା ତା ନୁହଁ, ସେ ଜାଣିଶୁଣି କୌଣସି କାମରେ ହାତ ଦେଉନଥିଲେ । କାମରେ ଖିଲାପ୍ ହେଲେ ରୋକ୍‌ଠୋକ୍ ଶୁଣାଇ ଦେଉଥିଲେ । ଘରକାମ ଘରଲୋକ କରିବ ଏଥିରେ ଇଚ୍ଛା ଅନିଚ୍ଛାର ପ୍ରଶ୍ନ ନ ଥିଲା । କିନ୍ତୁ ଯେଉଁଦିନ ମ୍ୟାଲେରିଆ ଜ୍ୱରରେ ପୀଡ଼ିତ ହୋଇ ମଧ୍ୟ ମୁଁ ଛାଡ଼ ପାଇନଥିଲି, ସେଦିନ ମୋର ମନେହେଲା, ଏ ଘରେ ମୁଁ
ବୋଧହଏୁ ଏତେଦିନ ହେଲା ଗୋଟିଏ ପୋଇଲିର କର୍ତ୍ତବ୍ୟ ସମ୍ପାଦନ କରି ଆସୁଥିଲି । ବାପାଙ୍କ ସ୍ୱର କମି ଆସିଥିଲା । ସେ ବର୍ତ୍ତମାନ ଘରର କୌଣସି କଥାରେ ମୁଣ୍ଡ ଖେଳାଉନଥିଲେ ।

ବେଳେବେଳେ ମୋର ମନେ ହେଉଥିଲା ମୋ ଜୀବନ କାହାଣୀକୁ ନେଇ ଯେମିତି ଡ୍ରାମାର ପାର୍ଶ୍ୱନାୟିକା ରୋଜାଲିନ୍‌ର କାହାଣୀ ଲେଖାହୋଇଛି । ସବୁଦିନ ରାତିରେ ମୋର ତକିଆ ଭିଜୁଥିଲା । ରୋଜାଲିନ୍‌ର ବାପା ମା’ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । କିନ୍ତୁ ମୋ ବାପା ମା’ ବଞ୍ଚି ଥାଉଥାଉ ମୁଁ ଅନାଥ ହୋଇଯାଇଛି ।

ତଥାପି ବଞ୍ଚିବାର ଇଚ୍ଛା ମୋର ଅଦମ୍ୟା ଦୁଃଖ ଓ ନୈରାଶ୍ୟର ପାହାଡ଼ରେ ମଧ୍ୟ ଭଲପାଇବାର ବୃକ୍ଷ ଅଙ୍କୁରିତ ହୋଇଛି, ଯେଉଁଥିରେ ଏବେ ଏବେ କଢ଼ ଧରିଛି । ମୋ ମନର ମଣିଷର ଆକସ୍ମିକ ଦର୍ଶନ ସେ ବୃକ୍ଷକୁ ଉଜ୍ଜୀବିତ ରଖି ଜଳସିଞ୍ଚନ କରୁଛି । ମରୁଭୂମିରେ ଅକସ୍ମାତ୍ ବର୍ଷା ପରି ମୋ ଝାଉଁଳା ମନ ଓ ହୃଦୟ ତାଙ୍କ ଦର୍ଶନରେ ପଲ୍ଲବିତ ହୋଇ ଉଠୁଛି ।

ଶୁଣିଲି, ତାଙ୍କର ବାହାଘର ଠିକ୍ ହୋଇଯାଇଛି । ଦେଖୁ ଦେଖୁ ନିର୍ବନ୍ଧ ମଧ୍ୟ ହୋଇଗଲା । ମୋର ତାଙ୍କ ଘରକୁ ବେଳା ଅବେଳାରେ ଯିବା ଆସିବା ମା’ଙ୍କ ଯୋଗୁଁ ବନ୍ଦ ହୋଇଗଲା ।

– ତାଙ୍କ ବାହାଘରଟା ଭାଙ୍ଗିଦେବୁନା କଣ ? ମା’ଙ୍କର କଠୋର ହୃଦୟରୁ ଏତକ ଶୁଣି ମୁଁ ସ୍ତବ୍ଧ ହୋଇଗଲି । ମୋ ଆଖିରୁ ଲୁହ ଝରିଆସିଲା । ଶୁଷ୍କ ଉତପ୍ତ ହୃଦୟରେ ଯେଉଁ ଟିକକ ଶୀତଳତା ମୁଁ ଅନୁଭବ କରୁଥିଲି ତାହା ମଧ୍ୟ ହାତଛଡ଼ା ହୋଇଗଲା ।

ମୁଁ ଠିକ୍ ଜାଣେ ସେ ମୋ ମନର ମଣିଷ ହେଲେ ମଧ୍ୟ ମୁଁ ତାଙ୍କ ସ୍ୱପ୍ନର ନାୟିକା ନୁହେଁ । କାରଣ କାହାରି ସ୍ୱପ୍ନର ନାୟିକା ହେଲା ଭଳି ଯୋଗ୍ୟତା ମୋର ନାହିଁ । ତେବେ ତାଙ୍କୁ ବେଳ ଅବେଳରେ ଦେଖି ମୋ ଶୂନ୍ୟ ହୃଦୟଟା ପୁରିଲା ପୁରିଲା ମନେ ହୁଏ । ଆଖି ଆଶାୟିତ ହୁଏ ତାଙ୍କୁ ବାରମ୍ୱାର ଦେଖିବା ପାଇଁ । ଓଠ ଲାଳାୟିତ ହୁଏ ତାଙ୍କ ସହ ଅନବରତ କିଛି କଥା ହେବା ପାଇଁ । ମନଟା ସ୍ୱପ୍ନମୟ ହୁଏ । ସେଇ ସ୍ୱପ୍ନର ସାଗରରେ ମନର ମଶାଲ ନେଇ ଶରୀରଟା ଅବିଶ୍ରାନ୍ତ ପହଁରିଆସେ । ଅନେକ ରଙ୍ଗୀନ ମୁହୂର୍ତ୍ତର ସ୍ମୃତି ସଂକେତ ନେଇ ରାତି କେତେବେଳେ ପାହିଯାଏ, ଜାଣି ହୁଏ ନାହିଁ ।

ଏତେବଡ଼ ଆଶ୍ୱାସନାକୁ କେହି କଣ କେବେ ହାତଛଡ଼ା କରିପାରେ !

ମୋ ଶରୀରଟା ମରିପାରେ । କିନ୍ତୁ ମୁଁ ବଞ୍ଚିବି, ନିଶ୍ଚୟ ବଞ୍ଚିବି । ତାଙ୍କୁ ଅବିରତ ଦେଖିବାର ଲାଳସା ନେଇ ଛାୟା ହୋଇ ତାଙ୍କରି ଚତୁଃପାର୍ଶ୍ୱରେ ଘୂରିବୁଲିବି ।

ଡାଏରୀଟା ପଢ଼ିସାରି ଜିତେନ୍ ଆଖି କୋଣରେ ଲୁହ ଜକେଇ ଆସିଲା । ଡାଏରୀର ଶେଷ ପୃଷ୍ଠାରେ ଥିଲା ପେନ୍‌ସିଲ୍ ଅଙ୍କା ଜିତେନ୍‌ର ଛବିଟିଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top