ଗଳ୍ପ

ଓଃ କି ଭୟଙ୍କର ସ୍ୱପ୍ନ

Manmath Kumar Dalei's odia story Oh Ki Bhayankara Swapna

ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।

ଓଃ କି ଭୟଙ୍କର ସ୍ୱପ୍ନ

ସମଗ୍ର ବିଶ୍ୱରେ କରୋନା ମହାମାରୀ ଏକ ପ୍ରକାର ଯୁଦ୍ଧକାଳୀନ ପରିସ୍ଥିତି ସୃଷ୍ଟି କରିଛି । ଆରୋପ ପ୍ରତ୍ୟାରୋପ ଭିତରେ ସମଗ୍ର ବିଶ୍ୱର ରାଜନୀତି ସରଗରମ ହୋଇଉଠିଛି । ନିଜର ଭୂଲ୍‌ ମାନିବାକୁ କେହି ପ୍ରସ୍ତୁତ ନାହାନ୍ତି । ଏକ ଅନିଶ୍ଚିତ ଭତିଷ୍ୟତ ବୁଦ୍ଧିଜୀବିମାନଙ୍କର ଚିନ୍ତା ବଢେଇ ବଢେଇ ଚାଲିଛି । ଘଟଣାକ୍ରମର ଅନ୍ତ କେଉଁଠି ତାହାର କୌଣସି ଆଭାସ ମଧ୍ୟ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ ।

ଚାଇନା ଦେଶର ପ୍ରସିଦ୍ଧ ଓକିଲ ଚୁଆ ସୋଇ ଲେକ୍‌ ଏ ନେଇ ବେଶ ଚିନ୍ତିତ । ତାଙ୍କ ଆଖିରୁ ଏକ ପ୍ରକାର ନିଦ ହଜି ଯାଇଛି । ଦେଶର ଆର୍ଥିକ ଅବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି । ଚାରିଆଡେ ମୃତ୍ୟୁର ତାଣ୍ଡବ, କୁଢ କୁଢ ଶବ । ଦେଶରେ ଦୀର୍ଘ ଦୁଇ ମାସର ତାଲାବନ୍ଦୀ ଦୈନନ୍ଦିନ ସାମାଜିକ ତଥା ଅର୍ଥନୈତିକ ପରିସ୍ଥିତିକୁ ଭୀଷଣ ପ୍ରଭାବିତ କରିଛି । ବିଶେଷକରି ନିଜ ପେଶା ସହିତ ସମ୍ପୃକ୍ତ ଓକିଲ ଭାଇମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କୋର୍ଟ କଚେରୀ ସବୁ ବନ୍ଦ । ଅବସ୍ଥା ଏ ପର୍ଯ୍ୟନ୍ତ ସୁଧୁରିବାର ନାଁ ଧରୁନି ।

ହଠାତ୍‌ ଆମେରିକାର ଗଣମାଧ୍ୟମ ଏବିସି ନ୍ୟୁଜ୍‌ର ସବୁଠାରୁ ଚର୍ଚ୍ଚିତ ଯୁବ ପତ୍ରକାର ରୋବର୍ଟ ସ୍ମିଥ ଘୋଷଣା କଲେ ଯେ ସମଗ୍ର ବିଶ୍ୱକୁ ଧ୍ୱଂସ ମୂଖକୁ ଠେଲି ଦେବା ପାଇଁ କରୋନା ରୂପକ ଭୁତାଣୁ ଜନିତ ଯୁଦ୍ଧ ଚାଇନା ଦେଶର ଏକ ଯୋଜନାବଦ୍ଧ ଚକ୍ରାନ୍ତ ଅଟେ । ସମାଚାରଟି ସମଗ୍ର ବିଶ୍ୱରେ ବିଦ୍ୟୁତ ବେଗରେ ପ୍ରଚାରିତ ହୋଇଗଲା । ଚାଇନା ଗଣମାଧ୍ୟମ ସରଗରମ ହୋଇଉଠିଲା । ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ । ଏଭଳି ଏକ ଦାୟିତ୍ୱହୀନ ମନ୍ତବ୍ୟ ଏକ ଭୟଙ୍କର ଯୁଦ୍ଧକୁ ଆହ୍ୱାନ କରିବା ସହିତ ସମାନ । ଚାଇନା ସରକାର ଚିନ୍ତିତ ହୋଇପଡିଲେ ।

ଦିନଥିଲା ଯେଉଁ ଆମେରିକା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ବିଶେଷ ଭୂମିକା ଗ୍ରହଣ କରି ଆସୁଥିଲା, ଆଜି କିଛି ସ୍ୱାର୍ଥପର କୁଟନୀତିଜ୍ଞ ଏହି ମର୍ଯ୍ୟଦାକୁ ଜାଳିପୋଡି ପାଉଁଶ କରିସାରିଲେଣି । ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ବିଶେଷ ଭୁମିକା ଗ୍ରହଣ କରି ରୁଜଭେଲ୍ଟ , ଏଲିହୁ ରୁଟ, ୱିଡ୍ରୋ ୱିଲସନ, ଜେମସ ଆଦାମ, ମାର୍ଟିନ ଲୁଥାର କିଙ୍ଗ ଜୁନିୟର, ବାରାକ ଓବାମା ପ୍ରଭୃତି ଏଗାର ଜଣ ଆମେରିକୀୟ କିମ୍ବଦନ୍ତୀ ମହାପୁରୁଷ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରି ଆସିଛନ୍ତି ! ନିଲ ଆର୍ମଷ୍ଟଙ୍ଗ୍, ଥୋମାସ ଆଲ୍ଭା ଏଡିସନ, ଆଲବର୍ଟ ଆଇନଷ୍ଟାଇନ, ୱାଲ୍ଟ ଡିସ୍ନି, ଜର୍ଜ ୱାସିଙ୍ଗଟନ, ଆବ୍ରାହମ ଲିଙ୍କନ ଭଳି ଅସାଧାରଣ ବ୍ୟକ୍ତିତ୍ୱ ଲାଭକରି ଏହି ଆମେରିକା ସର୍ବଦା ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ମାନ୍ୟତା ପାଇ ଆସିଛି । ନାସା ଭଳି ଗବଷଣା କେନ୍ଦ୍ର ସୃଷ୍ଟି କରି ଏହି ଦେଶ ସାରା ପୃଥିବୀକୁ ନୂତନ ଆଲୋକ ପ୍ରଦାନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡିଛନ୍ତି ।

ଆଜି କିନ୍ତୁ ରାଜନୀତିର ଗଣିତ ଜଟିଳରୁ ଜଟିଳତ୍ତର ହେବାରେ ଲାଗିଛି । ସମାଧାନର କୌଣସି ସୂତ୍ର ବାହାରି ପାରୁନି । ଆସନ୍ନ ବିପଦକୁ ଟାଳିବା ପାଇଁ ଚାଇନା ସରକାର ଦୀର୍ଘ ବିଚାର ବିମର୍ଷ କରିବା ପରେ ଆନ୍ତର୍ଜାତିକ ଅଦାଲତରେ ପେଟିସନ ଦାଖିଲ କଲେ । ସମ୍ପୂର୍ଣ୍ଣ ଦାୟିତ୍ୱ ଦେଶର ପ୍ରସିଦ୍ଧ ଓକିଲ ଚୁଆ ସୋଇ ଲେକ୍‌ଙ୍କୁ ପ୍ରଦାନ କରାଗଲା ।

ଚୁଆ ସୋଇ ଲେକ୍, ବୟସ ୫୬ ବର୍ଷ । ଆଇନ୍‌ କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଏବଂ ଦାୟିତ୍ୱ ସଫଳତାର ସହ ସମ୍ପନ୍ନ କରିବା ପରେ ଏବେ କିଛି ବର୍ଷ ଧରି ଲୋକମାନଙ୍କୁ ତଥା ସରକାରଙ୍କୁ ପ୍ରତ୍ୟକ୍ଷ ସେବା ଯୋଗାଇ ଆସୁଛନ୍ତି । ଅବଶ୍ୟ ଏଥିପାଇଁ ତାଙ୍କୁ ଯେଉଁ ମୋଟା ଅଙ୍କର ପାରିତୋଶିକ ମିଳୁଛି ତାହା ତାଙ୍କୁ ଏହି ସେବା ପାଇଁ ଆକର୍ଷିତ କରୁଛି, ଏହାକୁ ସେ ମୁକ୍ତ କଣ୍ଠରେ ସ୍ୱିକାର କରନ୍ତି । ଏଭଳି ଏକ ଗୁରୁ ଦାୟିତ୍ୱ ପାଇ ଓକିଲ ଚୁଆ ସୋଇ ନିଜକୁ ଧନ୍ୟ ମନେ କଲେ । ଦେହର ଶିରା ପ୍ରଶିରାରେ ସତେ ଯେମିତି ଅମୃତ ପ୍ରବାହିତ ହେଲା । ବାସ୍ତବରେ ଦେଶ ତାଙ୍କୁ ଯଥୋଚିତ ସମ୍ମାନ ଦେଇଛି ! ଦେଶପାଇଁ ସେ ଅନେକ ସ୍ୱପ୍ନ ଦେଖିଆସିଛନ୍ତି, ଦେଶ ମଧ୍ୟ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରି ଆସିଛି । ବହୁତ ବଡ ବଡ ମାମଲାକୁ ଅତି ଚତୁରତାର ସହ ତୁଲେଇଛନ୍ତି, ସେଥିପାଇଁ ସେ ଚାଇନାର ଘରେ ଘରେ ପରିଚିତ । ଜୀବନକାଳ ଭିତରେ ସେ ଗୋଟିଏ ହେଲେ ମାମଲା ହାରି ନାହାନ୍ତି, ଏହା ହେଉଛି ତାଙ୍କର ଅନ୍ୟ ଏକ ପରିଚୟ । ଏତେ ବଡ ଦାୟିତ୍ୱ ତାଙ୍କୁ ଯେତିକି ଆନନ୍ଦ ପ୍ରଦାନ କରୁଥାଏ, ସେତିକି ଉଦବେଳିତ ମଧ୍ୟ କରୁଥାଏ । ସେ ଏଥିପାଇଁ ଯଥାସମ୍ଭବ ନିଜକୁ ପ୍ରସ୍ତୁତ କଲେ । ମନକୁ ଟାଣ ଏବଂ ଆତ୍ମବିଶ୍ୱାସକୁ ସୁଦୃଢ କରିବାରେ ଲାଗିଲେ ।

ମାମଲାର ଶୁଣାଣୀ ଆନ୍ତର୍ଜାତିକ ଅଦାଲତରେ ଚାଲିଥାଏ । ୧୯୨ ଦେଶର ସଦସ୍ୟତା ଏବଂ ୧୫ ଜଣ ଆନ୍ତର୍ଜାତିକ ବିଚାରକ ମଣ୍ଡଳୀକୁ ନେଇ କାର୍ଯ୍ୟ କରୁଥିବା ଏହି ଅଦାଲତରେ ପାଦ ଦେବା ମାତ୍ରେ ଏକ ଅପୂର୍ବ ଶିହରଣ ତାଙ୍କ ଦେହରେ ଖେଳିଗଲା । ଏତେବଡ ଅଦାଲତ, ଅନ୍ୟ ଏକ ଦେଶ ଏବଂ ଉଚ୍ଚତାରେ ନିଜଠାରୁ ପାଖାପାଖି ହାତେ ଉଚ୍ଚ ବେଶୀ ପ୍ରତିପକ୍ଷ ଓକିଲ ମାଇକେଲ ଜନସନଙ୍କୁ ଦେଖି ସେ ପ୍ରଥମେ ସାମାନ୍ୟ ବିବ୍ରତ ହେଲେ । କିନ୍ତୁ ନିଜର ଦୀର୍ଘ ସଫଳ ଅଭିଜ୍ଞତା ଏବଂ ଦୃଢ ଇଛା ଶକ୍ତି ତାଙ୍କ ମନରେ ନୂତନ ଆଗ୍ରହ ସୃଷ୍ଟି କଲା ।

ମୂଖ୍ୟ ବିଚାରପତି କାଠ ହାତୁଡିକୁ ମେଜରେ ମୃଦୁ ପ୍ରହାର ପୂର୍ବକ ଅଦାଲତ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଅନୁମତି ଦେଲେ । ପ୍ରଥମେ ପ୍ରତିପକ୍ଷ ଓକିଲ ମାଇକେଲ ଜନସନଙ୍କ ପାଳି । ଗର୍ଜି ଉଠିଲେ ମାଇକେଲ ଜନସନ, “ୟୋର ଅନର୍, ମାଇ କ୍ଲାଏଣ୍ଟ ଇଜ ୧୦୦ ପରସେଣ୍ଟ୍‌ କରେକ୍ଟ , ଏହି କରୋନା ଭୁତାଣୁ ଚାଇନାରୁ ସୃଷ୍ଟି ହୋଇଛି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ଚାଇନାର ଉହାନ ସହରର ଏକ ଲାବୋରୋଟୋରୀରେ ଏହି ଭୁତାଣୁ ସୃଷ୍ଟି କରି ଏକ ମାଛ ମାର୍କେଟରେ ଏହାକୁ ପ୍ରଥମେ ପରୀକ୍ଷା ମୂଳକ ଭାବରେ ପ୍ରୟୋଗ କରାଯାଇଥିଲା । ଏହାହିଁ ସତ୍ୟ ।”

ଚୂଆ ସୋଇ ଲେକ୍‌ ନିଜ ଚିରାଚରିତ ଢଙ୍ଗରେ ମାଇକେଲ ଜନସନଙ୍କୁ ତାଳୁରୁ ତଳିପା ଯାଏ ଏକ କୁଟିଳ ଅଭିଜ୍ଞ ଦୃଷ୍ଟି ନିକ୍ଷେପ କରି ଶାନ୍ତ ତଥା ଗମ୍ଭୀର କଣ୍ଠରେ କହି ଚାଲିଲେ, “ ଧର୍ମାବତାର, ପ୍ରତିପକ୍ଷ ଓକିଲ ଭାଇ ବିନା ତଥ୍ୟ ବିନା ପ୍ରମାଣରେ ଅନ୍ୟ ଏକ ଦେଶକୁ ବିଶ୍ୱ ଦରବାରରେ ନିନ୍ଦିତ କରିଥିବା ତାଙ୍କ କ୍ଲାଏଣ୍ଟ ତଥା ପତ୍ରକାର ରୋବର୍ଟ ସ୍ମିଥଙ୍କୁ ନିର୍ଦ୍ଦୋଷ କହିବା ଦୁର୍ଭାଗ୍ୟପୂର୍ଣ୍ଣ । ଏହି ମହାମାରୀର ଅୟମାରମ୍ଭ ଉହାନରୁ ଏହା ସତ୍ୟ; କିନ୍ତୁ ଏହା ମଣିଷ କୃତ କି ଦୈବ କୃତ ତାହା ଏଯାବତ ସିଦ୍ଧ ହୋଇ ପାରିନାହିଁ । ଏହା ଆମ୍ଭ ଶତ୍ରୁ ଦେଶର ଆକ୍ରମଣ କି ଦେଶର ଅନ୍ତଃ ଶତ୍ରୁମାନଙ୍କର ଦୌରତ୍ମ୍ୟ ତାହାର ମଧ୍ୟ କୌଣସି ବିଦ୍ଧିବଦ୍ଧ ପ୍ରମାଣ ବହୁ ଚେଷ୍ଟା ସତ୍ୱେ ହସ୍ତଗତ ହୋଇନାହିଁ । ଏପରିସ୍ଥଳେ କାହାକୁ ସିଧାସଳଖ ଏଥିପାଇଁ ଦୋଷ ଦେବା ଅବାନ୍ତର ଏବଂ ଅମୂଳକ । ଯଦି ମୁଁ ଏହା ଆମେରିକାର ଏକ ଚକ୍ରାନ୍ତ କହିବି ତେବେ ମୋର ଓକିଲ ବନ୍ଧୁ ମିଷ୍ଟର ମାଇକେଲ ଏହାକୁ ଗ୍ରହଣ କରିବେ କି ?”

କଥାକୁ ମଝିରୁ ଅଟକାଇ ମାଇକେଲ୍‌ ଜନ୍‌ସନ୍‌ ପ୍ରତିବାଦ କରି ଉଚ୍ଚ କଣ୍ଠରେ ଉତ୍ତର ଦେଲେ, “ଅବଜେକ୍ସନ୍‌ ୟୋର ଅନର, ମିଷ୍ଟର ଚୁଆ ସୋଇ ନିଜର ହିତାହିତ ଜ୍ଞାନ ହରେଇ ବସିଛନ୍ତି । ସେ କଣ କହୁଛନ୍ତି ତାହା ସେ ନିଜେ ମଧ୍ୟ ଜାଣି ପାରୁନଥିବେ । ଏହା ଚାଇନାରୁ ଆରମ୍ଭ , ତେଣୁ ଆମେରିକାର ପ୍ରଶ୍ନ କାହିଁକି ଉଠୁଛି । ଆମେରିକାର ଭଲା ଏଥିରେ କଣ ଲାଭ ।”

ଚୁଆ ସୋଇ ଅସମ୍ଭାଳ ହୋଇଉଠିଲେ, ” ୟୋର ଅନର, ୱାର୍ଲଡ ଟ୍ରେଡ଼ ସେଣ୍ଟରରେ ଯେଉଁ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ତାହା ଆମେରିକାରେ ହୋଇଥିଲା । ତେବେ ଆମେରିକା ଏଥିପାଇଁ ଦାୟୀ ଥିଲା କି ? ତେଣୁ ବିନା ପ୍ରମାଣରେ ପତ୍ରକାର ରୋବର୍ଟ ସ୍ମିଥ ଯେଉଁ ଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେଇଛନ୍ତି ତାହା କେତେଦୂର ଯୁକ୍ତିସଙ୍ଗତ । ସେଥିପାଇଁ ସେ ସର୍ବ ସମ୍ମୁଖରେ କ୍ଷମା ମାଗନ୍ତୁ, ୟୋର ଅନର ଏହା ମୋର ଦାବୀ ।”

ମୁଖ୍ୟ ବିଚାରପତି ଓକିଲ ମାଇକେଲ ଜନସନଙ୍କୁ ଏହାର ପ୍ରମାଣ ଉପସ୍ଥାପନା ପାଇଁ ନିର୍ଦ୍ଦେଶ ଦେଲେ ।

ମାଇକେଲ ଜନସନ ଏବଂ ରୋବର୍ଟ ସ୍ମିଥ ଉଭୟ ଉପଯୁକ୍ତ ପ୍ରମାଣ ଦେବାରେ ଅସମର୍ଥ ହେବାରୁ ମୁଖ୍ୟ ବିଚାରପତି ମହୋଦୟ ରୋବର୍ଟ ସ୍ମିଥଙ୍କୁ କ୍ଷମା ମାଗିବା ପାଇଁ ନିର୍ଦ୍ଦେଶ ଦେଲେ । ରୋବର୍ଟ ସ୍ମିଥ ବାଧ୍ୟହୋଇ କାଠଗଡ଼ାରେ ଦଣ୍ଡାୟମାନ ହୋଇ କ୍ଷମା ମାଗିଲେ ।

ଚୁଆ ସୋଇ ଲେକ୍‌ ଏବେ ନିଜର ଅସଲ ଉଦ୍ଦେଶ୍ୟକୁ ଉପସ୍ଥାପନା କରିବାକୁ ଯାଇ କହିଲେ, ” ମହାଭାଗ, ଆମ ଚାଇନା ଦେଶରେ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି କମ୍ୟୁନିଷ୍ଟ ସରକାର ରାଜୁତି କରି ଆସୁଛି ଏବଂ ଅଧୁନା ଆମ ଦେଶର ବାର୍ଷିକ ରେଭିନ୍ୟୁ ୨୦ ଲକ୍ଷ କୋଟି ୟାନ ଅର୍ଥାତ ପାଖାପାଖି ୨.୫ ଟ୍ରିଲିୟନ୍‌ ଡଲାର ଯାହାକି ବିଶ୍ୱର ଦ୍ଵିତୀୟ ବୃହତ ଇକୋନୋମି । ତେଣୁ ପୁଞ୍ଜିପତି ମାନଙ୍କର ଇର୍ଷା ଆମପ୍ରତି ଦିନକୁ ଦିନ ବଢ଼ିବାରେ ଲାଗିଛି । ସେମାନେ ବାରମ୍ବାର ଆମ ଦେଶର ସମାଜବାଦୀ ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଚେଷ୍ଟା କରି ଆସୁଛନ୍ତି । ଆଭ୍ୟନ୍ତରୀଣ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରି ଆସୁଛନ୍ତି । ମହାଭାଗ, ଚାଇନା ପାଖାପାଖି ଏକ ଶହରୁ ଉର୍ଧ୍ଵ ଦେଶକୁ ଟିଭି, ଫ୍ରିଜ, ୱାସିଙ୍ଗ ମେସିନ, ମୋବାଇଲ, କମ୍ପ୍ୟୁଟର, ଲ୍ୟାପଟପ, ଟାବ୍ଲେଟ ଆଦି ବିଭିନ୍ନ ଗୃହ ଉପକରଣ, ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ତଥା ବୈଦ୍ୟୁତିକ ଉପକରଣ, ପିଲାଙ୍କର ଖେଳନା, ପ୍ଲାଷ୍ଟିକ ସାମଗ୍ରୀ ଏବଂ ଆହୁରି ଅନେକ ସାମଗ୍ରୀ ରପ୍ତାନି କରେ । କିନ୍ତୁ ଏହି କରୋନା ଜନିତ ବିଶୃଙ୍ଖଳା ଏକ ବୃହତ ବିପର୍ଯୟ ସୃଷ୍ଟି କରିଛି । ଆମ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଦେଇଛି । କହିବାକୁ ଗଲେ ଛୁଞ୍ଚିଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ପର୍ଯ୍ୟନ୍ତ ସବୁଥିରେ ଆମେ ରପ୍ତାନି କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛୁ । କିନ୍ତୁ ଏବେ କରୋନା ପାଇଁ ସବୁକିଛି ଠପ୍‌ । ତେଣୁ ମହାଭାଗ ଏତେ ବଡ଼ ବିପର୍ଯୟ ଆମେ ନିଜେ ନିଜର କେମିତି କରି ପାରିବୁ ।

ଆମର ଏଭଳି ବିକାଶକୁ ପୁଞ୍ଜିପତି ସାମ୍ରାଜ୍ୟ ବିସ୍ତାର କରିବାକୁ ଚାହୁଁଥିବା କୂଟନୀତିଜ୍ଞମାନେ ହଜମ କରି ପାରୁନାହାନ୍ତି । ମହାଭାଗ, ସମଗ୍ର ବିଶ୍ଵଜାଣେ ଏହି ପୁଞ୍ଜିପତିମାନେ ଦିନଥିଲା ବ୍ୟବସାୟ କରିବା ବାହାନାରେ ଆସି ସମଗ୍ର ବିଶ୍ୱକୁ ରାଜୁତି କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଏମାନଙ୍କର ଗରୀବ ଧନୀ ଭେଦଭାବ, ଅଧିକ କର ଆଦାୟ, ଗରିବଙ୍କୁ ଜଘନ୍ୟ ଅତ୍ୟାଚାର ତଥା ଶିକ୍ଷାରୁ ବଞ୍ଚିତ କରି ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂର ରଖିବାର ମନୋଭାବ, ଧନୀକୁ ଅଧିକ ଧନୀ ଏବଂ ଗରୀବକୁ ଅଧିକ ଦରିଦ୍ର କରିବାର ମନୋଭାବ ଇତ୍ୟାଦି ଏମାନଙ୍କୁ ସାରା ବିଶ୍ୱରୁ ପୁନଶ୍ଚ ଗାଦିଚ୍ୟୁତ କରିଥିଲା । ୟୋର ଅନର, ସେମାନେ ପୁନଶ୍ଚ କ୍ଷମତା ହାତକୁ ଆଣିବା ପାଇଁ ବିଭିନ୍ନ ବିଶୃଙ୍ଖଳା ତଥା ଅନୈତିକ କାର୍ଯ୍ୟ ଯେପରିକି ଦଙ୍ଗା, ଆତଙ୍କବାଦୀ ଆକ୍ରମଣ, ଯୁଦ୍ଧ, ଦେଶ ବିଭାଜନ, ଧାର୍ମିକ ସମ୍ପ୍ରଦାୟ ରାଜନୀତି ଇତ୍ୟାଦି କରି ଆସୁଛନ୍ତି । ଏହିପରି କରି କରି କିଛି ଦେଶକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ମଧ୍ୟ ହେଲେଣି । ତେଣୁ ମହାଭାଗ, ମୋର ସନ୍ଦେହ ଏହି କରୋନା ଯୁଦ୍ଧ ପଛରେ ପୁଞ୍ଜିପତି ସାମ୍ରାଜ୍ୟର ହାତ ଥାଇପାରେ । କିନ୍ତୁ ସେମାନଙ୍କର ଦୂରଦର୍ଶିତାର ଘୋର ଅଭାବ ହେତୁ ଯେତେବେଳେ ଏହା ବୁମେରାଂ ସଦୃଶ ନିଜର ଭୀଷଣ କ୍ଷତି କରି ଚାଲିଲା, ସେମାନେ ବିଶ୍ୱକୁ ବିଭ୍ରାନ୍ତ କରିବା ପାଇଁ ଏବେ ଘୃଣ୍ୟ ରାଜନୀତି କରୁଛନ୍ତି । ଦିଶ ଇଜ ଦ ଫ୍ୟାକ୍ଟ ୟୋର ଅନର ।

ଏମିତିରେ ୧୯୨ ଦେଶର ସଦସ୍ୟତା ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ପୁଞ୍ଜିପତି ସାମ୍ରାଜ୍ୟକୁ ପରୋକ୍ଷ ଭାବରେ ଦାୟୀ ବୋଲି ଇଙ୍ଗିତ କରି ସାରିଲେଣି । କେବଳ ଅଳ୍ପ କେତକ ନଗଣ୍ୟ ପୁଞ୍ଜିପତି ଶାସକଙ୍କୁ ଛାଡିଦେଲେ ବିଶ୍ୱର ଅଧିକାଂଶ ଶାସକ ପୁଞ୍ଜିପତି ସାମ୍ରାଜ୍ୟକୁ ଏଥିପାଇଁ ଦାୟୀ କରୁଛନ୍ତି । ଅଧିକାଂଶ ଗଣମାଧ୍ୟମ ପୁଞ୍ଜିପତି ମାନଙ୍କର ହୋଇ ଥିବାରୁ ଏମାନେ ଛଅକୁ ନଅ କରି ପ୍ରଚାର ପ୍ରସାର କରି ଆମକୁ ମିଛରେ ବଦନାମ କରିବାକୁ ସକ୍ଷମ ହେଉଛନ୍ତି ।

ଏହି ଘଟଣା ମଧ୍ୟ କିଛି ଏହିପରି । ପତ୍ରକାର ରୋବର୍ଟ ସ୍ମିଥଙ୍କୁ ଅଧିକ ଖୋଳତାଡ଼ କରି ଅନୁସନ୍ଧାନ କରାଗଲେ ଏହି ଜଘନ୍ୟ ଷଡଯନ୍ତ୍ର ପଛରେ କାହାର ହାତ ଅଛି ସବୁକିଛି ଜଣାପଡିବ ମହାଭାଗ । ତେଣୁ ମୁଁ ତାଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ ମହାଭାଗ ।”

“ଅବଜେକ୍ସନ ୟୋର ଅନର” ପ୍ରତିପକ୍ଷ ଓକିଲ ମାଇକେଲ ଉଚ୍ଚ କଣ୍ଠରେ ଚିତ୍କାର କରି ଉଠିଲେ ।

‘ଅବଜେକ୍ସନ ସସ୍ପେଣ୍ଡେଡ, କଣ୍ଟିନିଉ ମିଷ୍ଟର ଲେକ୍‌” ମାଇକେଲଙ୍କୁ ତାଗିଦ କରିବା ପରେ ଚୁଆ ସୋଇଙ୍କୁ ଆଗେଇବା ପାଇଁ ମୁଖ୍ୟ ବିଚାରପତି ଘୋଷଣା କଲେ ।

ଚାଇନା ଦେଶରେ ସମ୍ବିଧାନ ସ୍ପର୍ଶ କରି ଶପଥ ଗ୍ରହଣ କରିବାର ବ୍ୟବସ୍ଥା ପ୍ରଚଳିତ । କେତେକ ଦେଶରେ ଧର୍ମଗ୍ରନ୍ଥ ସ୍ପର୍ଶ କରି ଅଦାଲତରେ ଜମାନବନ୍ଦୀ ଦିଆଯାଏ । କିନ୍ତୁ ବିଶ୍ୱ ଅଦାଲତରେ କେବଳ ମୁକ୍ତ କଣ୍ଠରେ ଏହି ଶପଥ କରାଯିବାର ବ୍ୟବସ୍ଥା ଅଛି, କୌଣସି ଧର୍ମଗ୍ରନ୍ଥ କିମ୍ବା ସମ୍ବିଧାନର ଆବଶ୍ୟକ ପଡେ ନାହିଁ ।

କାଠଗଡା ଭିତରେ ମୁଣ୍ଡପୋତି ଠିଆ ହୋଇଥାନ୍ତି ରୋବର୍ଟ ସ୍ମିଥ । କିଛି ସମୟ ପୂର୍ବରୁ କ୍ଷମା ମାଗି ଥିବାରୁ ତାଙ୍କୁ ବିବ୍ରତ ଲାଗୁଥାଏ । ଚାଇନିଜ ଓକିଲ କାଠଗଡା ନିକଟକୁ ଆସି ଗମ୍ଭୀର ସ୍ୱରରେ ପ୍ରଶ୍ନ କଲେ, ” ମିଷ୍ଟର ସ୍ମିଥ, ଆପଣ କାର୍ଯ୍ୟରତ ଏବିସି ଟିଭିର ମାଲିକ କିଏ ? ”

ବିଧିବଦ୍ଧ ଶପଥ ନେବା ପରେ ରୋବର୍ଟ ସ୍ମିଥ ଉତ୍ତର ଦେଲେ , ” ମିଷ୍ଟର ଆଲବର୍ଟ ଲିଣ୍ଡା “.

“ଏହାକୁ ଛାଡିଦେଲେ, ସେ ଆଉ କଣ କରନ୍ତି । ଅର୍ଥାତ ତାଙ୍କର ଅନ୍ୟାନ୍ୟ ରୋଜଗାର ମାଧ୍ୟମ କଣ? ” ଚୁଆ ସୋଇ ଲେକ୍‌ ଅତ୍ୟନ୍ତ ଉଦବେଗ ତଥା ଗମ୍ଭୀର କଣ୍ଠରେ ପଚାରିଲେ ।

” ତାଙ୍କର ଦୁଇଟି ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଏବଂ ଗୋଟିଏ ଗାର୍ମେଣ୍ଟ କମ୍ପାନୀ ଅଛି ।” ବିବ୍ରତ ସ୍ୱରରେ ରୋବର୍ଟ ସ୍ମିଥ ଉତ୍ତର ଦେଲେ । ସେତେବେଳେକୁ ତାଙ୍କ ଦେହ ଶୀତତାପ ନିୟନ୍ତ୍ରିତ ଗୃହ ଭିତରେ ଥାଇ ମଧ୍ୟ ଝାଳ ସରସର ହୋଇ ସାରିଥାଏ ।

“ଅବଜେକ୍ସନ ୟୋର ଅନର” ମାଇକେଲ ଜନସନ ନିଜ ଚିରାଚରିତ ଉଚ୍ଚ ସ୍ୱରକୁ ଅପେକ୍ଷାକୃତ କମ କରି ମୁଖ୍ୟ ବିଚାପତିଙ୍କ ଦୃଷ୍ଟି ଆକର୍ଷଣ କଲେ ।

“ୟେସ, ପ୍ରୋସିଡ଼ ମିଷ୍ଟର ଜନସନ” ମୁଖ୍ୟ ବିଚାରପତି ଅନୁମତି ଦେଲେ ।

” ମିଷ୍ଟର ଲେକ, ଏହି ଘଟଣା ସହିତ ଏବିସି ଟିଭିର ମାଲିକଙ୍କୁ ଯୋଡିବାର ଉଦ୍ଦେଶ୍ୟ କଣ ? ସେ କଣ ଏହି କରୋନାର ଚାଇନାରେ ସଂକ୍ରମଣ ପାଇଁ ଦାୟୀ ? ” କଥାର ମୋଡ଼ ବଦଳେଇବା ପାଇଁ ଓକିଲ ମାଇକେଲ ଚେଷ୍ଟା କଲେ ।

“ସବୁ କିଛି ଧୀରେ ଧୀରେ ସ୍ପଷ୍ଟ ହୋଇଯିବ ମିଷ୍ଟର ଜନସନ, ଟିକିଏ ଧୈର୍ଯ୍ୟ ଧରନ୍ତୁ । ୟୋର ଅନର, ରୋବର୍ଟ ସ୍ମିଥଙ୍କ କହିବା ଅନୁସାରେ ଏବିସି ଟିଭିର ମାଲିକ ଜଣେ ପୁଞ୍ଜିପତି । ଠିକ୍‌ ଏହାହିଁ ମୁଁ ପ୍ରମାଣ କରିବାକୁ ଚାହୁଁଥିଲି ୟୋର ଅନର ।” ଏତିକି କହି ସେ ପୁଣିଥରେ ପ୍ରଶ୍ନ ପଚାରିବାକୁ ଲାଗିଲେ, ” ଆଛା ମିଷ୍ଟର ରୋବର୍ଟ, ଆପଣ କହି ପାରିବେକି ଆପଣ ଯେଉଁ ଖବରର ପରିବେଷଣ କରି ଏହି ଅଦାଲତରେ ଭୁଲ ମାଗିଲେ, ତାର ଜନକ କିଏ…… ଅର୍ଥାତ ଏହାକୁ କିଏ ଡ୍ରାଫ୍ଟିଙ୍ଗ କରିଥିଲେ ।”

ରୋବର୍ଟ ସ୍ମିଥ ଏଭଳି ପ୍ରଶ୍ନର ସମ୍ମୁଖୀନ ହେବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ । ଏକ ସମ୍ଭାବ୍ୟ ବିପଦର ଆଶଙ୍କା କରି ସେ ବଲବଲ କରି ଓକିଲ ଜନସନଙ୍କ ଆଡକୁ ଚାହିଁଲେ । ଜନସନ କିଛି ଠାର ମାଧ୍ୟମରେ ଇଶାରା ଦେଲେ । କିଛି କହିବା ପୂର୍ବରୁ ରୋବର୍ଟ ସେହି କାଠଗଡା ଭିତରେ ଟଳି ପଡିଲେ ।

ଅଦାଲତରେ ଉପସ୍ଥିତ ଥିବା ସମସ୍ତ ବିଚାରପତି, ଓକିଲ ଏବଂ ଦର୍ଶକ ଆଶ୍ଚର୍ଯ୍ୟ ତଥା ଚକିତ ହୋଇ ପଡିଲେ । ଓକିଲ ମାଇକେଲ ଜନସନ ଉପସ୍ଥିତ ଦର୍ଶକ ତଥା କିଛି ବିଚାରପତିଙ୍କ ସହାୟତାରେ ରୋବର୍ଟ ସ୍ମିଥଙ୍କୁ ଉଦ୍ଧାର କଲେ ଏବଂ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ପଠେଇବାର ବ୍ୟବସ୍ଥା କଲେ । ଅଦାଲତ ସ୍ଥଗିତ ରଖିବା ପାଇଁ ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେଲେ ।

ଅଦାଲତ କକ୍ଷରୁ ସମସ୍ତେ ବାହାରୁଥାନ୍ତି । ଓକିଲ ଚୁଆ ସୋଇ ଲେକ୍‌ ନିଜ ଧଳା ରଙ୍ଗର ଟୋୟୋଟା କାର ପାଖକୁ ଯାଇ ଦ୍ୱାର ଖୋଲି ବସିବାକୁ ଯିବାବେଳେ, ହଠାତ ଦୁଇ ଜଣ ମୁଖା ପିନ୍ଧା ଯୁବକ ମଟର ସାଇକେଲରେ ତାଙ୍କ ଅତି ନିକଟକୁ ଆସି ତାଙ୍କ ଛାତିକୁ ଲକ୍ଷ କରି ଆଖିବୁଜା ଗୁଳି ମାରି କ୍ଷିପ୍ର ଗତିରେ ପଳାୟନ କଲେ । ଯନ୍ତ୍ରଣାରେ ଚିତ୍କାର କରି ଉଠିଲେ ପ୍ରସିଦ୍ଧ ଓକିଲ ଚୁଆ ସୋଇ ଲେକ । ଚିତ୍କାର ଶୁଣି ପତ୍ନୀଙ୍କର ନିଦ୍ରା ଭଗ୍ନ ହେଲା । କଣ ହେଲା ରାତି ଅଧରେ ଏଡ଼େ ଚିତ୍କାର କାହିଁକି, କଣ ଆଜି ମଧ୍ୟ ଦୁଃସ୍ୱପ୍ନ ଦେଖିଲ ? ଆଖି ଦୁଇଟିକୁ ଦୁଇ ହାତରେ ମଳି ମଳି ଚୁଆ ସୋଇ ଲେକ ସ୍ତ୍ରୀଙ୍କୁ ଅନେଇବାକୁ ଚେଷ୍ଟା କଲେ । ଦେହ ଗୋଟାପଣେ ଥରୁଥାଏ । ‘ଦୁଃସ୍ୱପ୍ନ ନୁହେଁ ଡାର୍ଲିଂଗ ଭୟଙ୍କର ସ୍ୱପ୍ନ’ ଏତିକି କହି ପତ୍ନୀଙ୍କୁ ଜାବୋଡି ଧରି ପୁନଶ୍ଚ ଶୋଇବାକୁ ଚେଷ୍ଟା କଲେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top