ଗଳ୍ପ

ରାକ୍ଷସୀ କନ୍ୟା

Manoj Das's odia story Rakshyasi Kanyaa

ରାକ୍ଷସ-ଜାତିର ଭୂମିକା ମଣିଷ ଅଧିକ ସଫଳ ଭାବରେ ତୁଲାଇବା ଦୃଷ୍ଟିରୁ ସେ ଜାତିର ଅସ୍ତିତ୍ୱ ରହିବ ନାହିଁ ।

ରାକ୍ଷସୀ କନ୍ୟା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପର୍ବତମାଳା ତଳେ ତଳେ, ନିର୍ଜନ ଉପତ୍ୟକାର ପଥ ଧରି ଚାଲିଥିଲେ ସାଆନ୍ତେ ଓ ଅବୋଲକରା । ବସନ୍ତ ଋତୁର ସୂର୍ଯ୍ୟାସ୍ତକାଳ । ଏକ ଦିଗନ୍ତରୁ ଅନ୍ୟ ଦିଗନ୍ତକୁ ଉଡ଼ିଯାଉଥିଲେ ଦଳେ ସୁନାପକ୍ଷ ବିହଙ୍ଗ । ନାନା କିସମର ଫୁଲର ମହକ ଉପତ୍ୟକାର ବାତାବରଣକୁ ପୁଲକିତ କରିଥିଲା ।

ଅତି ହରଷରେ ଚାଲିବା ଅବସ୍ଥାରେ ଅବୋଲକରା ହଠାତ୍ ଝୁଣ୍ଟିପଡ଼ିଲା ।

ଗୁରୁ ସାଆନ୍ତେ । – ତଳକୁ ଅନାଇ ସେ ରହିଗଲା ।

ଆରେ ଅବୋଲ୍ । ଯିଏ ଆଗକୁ ଚାଲେ ସେ ଝୁଣ୍ଟେ- ସ୍ଥୂଳ ବାଟରେ ହେଉ, ଭାବମାର୍ଗରେ ହେଉ. . . ଚାଲ୍ ।

ଗୁରୁ ସାଆନ୍ତେ, ମୋ ଝୁଣ୍ଟିବାରେ ବିଶେଷତ୍ୱ ନାହିଁ, କିନ୍ତୁ ଆପାତତଃ ଯାହା ଝୁଣ୍ଟିଲି, ସେଥିରେ ଅଛି । ସେ ବିଶେଷତ୍ୱ ମୋ ଭିତରେ ବିସ୍ମୟ ସୃଷ୍ଟି କରିଛି । ବିସ୍ମୟର ପ୍ରଶ୍ନ ।

ସାଆନ୍ତେ ଲକ୍ଷ୍ୟକରି ଦେଖିଲେ, ଅବୋଲକରା ଯାହାକୁ ଝୁଣ୍ଟିଛି ତାହା କୌଣସି ସୌଧର ଭଗ୍ନାଂଶ ।

ଅବୋଲ୍ । ହେଇ, ସେପଟ ପାହାଡ଼ ଉପରକୁ ଅନା. . . ଅନାଇଲୁ । କ’ଣ ଦେଖୁଛୁ ?

ଗୁରୁ ! ଇଏ କ’ଣ ? ଇଏ ତ ନାନା ପ୍ରାଚୀନ ସୌଧ, ଅଟ୍ଟାଳିକା, ରାଶି ରାଶି ଗୃହସମ୍ୱଳିତ ସହରଟିଏ । କିନ୍ତୁ ମନେହୁଏ, ଜନଶୂନ୍ୟ, ପରିତ୍ୟକ୍ତ ।

ଠିକ୍. . . ପ୍ରେତପୁରୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେ ସହରରୁ ଖସି ଆସି ତଳେ ପଡ଼ିଥିବା ପଥର ଖଣ୍ଡିଏ ତୋତେ ଖୁମ୍ପିଦେବାରେ ବିସ୍ମୟ କ’ଣ ?

ଅବଲୋକରା ହସିଲା । ଗୁରୁ ସାଆନ୍ତେ । ଆମ ଗନ୍ତବ୍ୟ ସ୍ଥାନ ଆଉ ଅଧିକ ଦୂର ନୁହେଁ ବୋଲି ଆପଣ କହୁଥିଲେ, ଏଣୁ ଏଠାରେ ଟିକିଏ ବସିଗଲେ କ୍ଷତି ନାହିଁ । କହନ୍ତୁ ଏ ବସତିର କାହାଣୀ- ବରଂ ଏ ବସତି ଶୂନ୍ୟ ହେବାର କାହାଣୀ ।

ସାଆନ୍ତଙ୍କୁ ମଧ୍ୟ କ୍ଳାନ୍ତ ଲାଗୁଥିଲା । ତା’ଛଡ଼ା ଉପତ୍ୟକାର ସେ ମନୋରମ ନିର୍ଜନ ପରିବେଶରେ ସେ କେତୋଟି ମୁହୂର୍ତ୍ତ ବିତାଇବାକୁ ମନ କରୁଥିଲେ । ଅତଏବ ସେ ଖଣ୍ଡିଏ ପଥର ଉପରେ ବସିପଡ଼ିଲେ । ତାଙ୍କୁ ସାମନା କରି ଆଗରେ ଚକାମାରି ବସିଗଲା ଅବୋଲକରା ।

ସାଆନ୍ତେ ଗପିଲେ-

ବୁଦ୍ଧ ଜାତକରେ ବର୍ଣ୍ଣିତ ଏକ ଘଟଣା ତୋତେ ମାଲୁମ ଅଛି କି ନା ଜାଣେନା । ଏକଦା ଘଟଣାଚକ୍ରରେ ବାଧ୍ୟ ହୋଇ ଜଣେ ବ୍ରାହ୍ମଣ ଗୋଟିଏ ରାକ୍ଷସୀକୁ ବିଭା ହୋଇଥିଲେ । ଲୋକାଳୟଠୁ ଦୂରବର୍ତ୍ତୀ ଏକ ଗୁମ୍ଫାରେ ଥାଏ ରାକ୍ଷସୀ ଓ ତା’ ମାନବ ସ୍ୱାମୀର ବସବାସ । ରାକ୍ଷସୀଠୁଁ ଜନ୍ମ ନେଲେ ବୋଧିସତ୍ତ୍ୱ ।

ବୋଧିସତ୍ତ୍ୱ ଯେତିକି ବଡ଼ ହେଲେ, ତାଙ୍କ ପିତାଙ୍କ ସହ ମାତାଙ୍କ ଚାଲିଚଳନ, ଆଚରଣ ଓ ସଂସ୍କୃତିର ଫରକ ସେତିକି ଅଧିକ ମାତ୍ରାରେ ଲକ୍ଷ୍ୟ କଲେ । ଦିନେ ରାକ୍ଷସୀମାତା ଗୁମ୍ଫାରେ ନଥିବା ବେଳେ ସେ ପିତାଙ୍କୁ ସେ ବିଷୟରେ ପ୍ରଶ୍ନ କରନ୍ତେ, ପିତା ତାଙ୍କୁ ସବୁ କହି ନିଜ ସିଦ୍ଧାନ୍ତ ଜଣାଇଲେ, ପୁତ୍ର । ରାକ୍ଷସ ସଂସ୍କୃତି ସହ ତୋର ବା ମୋର ସଂସ୍କୃତିର ଚିରସହାବସ୍ଥାନ ସମ୍ଭବପର ନୁହେଁ କି ଉଚିତ୍ ନୁହେଁ । ଅତଏବ ଆମେ ଜନପଦକୁ ଚାଲିଯିବା । ଏଠି ତୋର ଭବିଷ୍ୟତ୍ ଅନ୍ଧକାର ।

ଦିନେ ରାକ୍ଷସୀ ଅପେକ୍ଷାକୃତ ଦୂରକୁ ଯାଇଥିବାବେଳେ ପିତା ଓ ପୁତ୍ର ସେ ଆରଣ୍ୟକ ଗୁମ୍ଫା ଛାଡ଼ି ପଳାୟନ କଲେ । ପୁତ୍ରକୁ କିଛି ବାଟ କାନ୍ଧରେ ବସାଇ, କିଛି ବାଟ ହାତ ଧରି ବାଟ ଚଲାଇ ବ୍ରାହ୍ମଣ ଯାଇ ନଦୀକୂଳରେ ପହଞ୍ଚିଲେ ।

ଇତିମଧ୍ୟରେ ରାକ୍ଷସୀ ଫେରିଆସି ସ୍ୱାମୀ ଓ ପୁତ୍ରଙ୍କୁ ନ ଦେଖି ପାଗଳିନୀ ପ୍ରାୟ ଏଣେତେଣେ ଦୌଡ଼ି ଯେତେବେଳେ ନଦୀକୂଳରେ ପହଞ୍ଚିଲା, ସେତେବେଳକୁ ପିତା ଓ ପୁତ୍ର ନଦୀ ପାର ହୋଇସାରିଲେଣି ।

କ୍ଳାନ୍ତ ରାକ୍ଷସୀ ନଈ ବାଲି ଉପରେ ପଡ଼ିଗଲା । ଫେରିଲା, ପୁଅ । ବୋଲି ଥରେ ଦୁଇଥର ସେ ବ୍ୟାକୁଳ ଭାବରେ କହିଥିଲା, କିନ୍ତୁ ସେ ଡାକ ନଦୀବକ୍ଷର ଉତ୍ତାଳ ପବନ ଭେଦକରି ପିତା ଓ ପୁତ୍ରଙ୍କ କାନରେ ପଡ଼ିଲା କି ନାହିଁ, କହିହେବନାହିଁ ।

ଦୁଃଖିନୀ ରାକ୍ଷସୀ ସେଇଠି ମରିଗଲା- ବୋଲି କହି ଜାତକ ଏ ବୃତ୍ତାନ୍ତ ଉପରେ ଯବନିକା ଟାଣିଛି, କିନ୍ତୁ ପରବର୍ତ୍ତୀ କଥା ହେଲା ଏଇଆ-

ରାକ୍ଷସୀ ସେତେବେଳେ ଅନ୍ତଃସତ୍ତ୍ୱା ଥିଲା ଏବଂ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇ ମଲା । ରାକ୍ଷସ-ଶିଶୁମାନେ ମଣିଷ-ଶିଶୁଙ୍କ ଭଳି ଅସହାୟ ନୁହଁନ୍ତି । ସେମାନେ ଜନ୍ମ ମାତ୍ରେ ଗୋଶାବକ ଭଳି ତେଜୀୟାନ୍ ଭାବରେ ଡିଆଁଡେଇଁ କରନ୍ତି । ରାକ୍ଷସୀର ମୃତ୍ୟୁ ପରେ, ପ୍ରବଳ ବର୍ଷା ଭିତରେ ରାକ୍ଷସ-କନ୍ୟାଟି ଗୁରୁଣ୍ଡି ଗୁରୁଣ୍ଡି ଯାଇ ଜଣେ ଋଷିଙ୍କ କୁଡ଼ିଆରେ ଉପନୀତ ହେଲା । ନଈରେ ବନ୍ୟା ଆସି କିୟତ୍‌କ୍ଷଣ ପରେ ତା’ ମା’ର ଦେହକୁ ସମୁଦ୍ର ଭିତରକୁ ନେଇ ଚାଲିଗଲା ।

ଋଷି ଧ୍ୟାନବଳରେ କନ୍ୟାଟିର ପଟ୍ଟଭୂମି ଜାଣି ତାକୁ କୋଳକୁ ନେଲେ । ରାକ୍ଷସୀର ପୁଅ ଯେପରି ମାନବ-ପିତାର କଳା ନେଇଥିଲା, କନ୍ୟାଟି ସେହିପରି ରାକ୍ଷସୀ-ମାତାର କଳା ନେଲା । ସେତେବେଳକୁ ଭୂପୃଷ୍ଠରୁ ରାକ୍ଷସ-ଜାତିର ବିଲୁପ୍ତି ଘଟିଲାଣି । ଅତଏବ ଋଷି କନ୍ୟାଟିକୁ ବଡ଼ ସ୍ନେହରେ ଲାଳନପାଳନ କଲେ ।

ପର୍ବତ ଉପରେ ଏଇ ଯେଉଁ ସହର, ତାହା ଥିଲା ସେ ଯୁଗର ଅଭିଜାତ-ବର୍ଗଙ୍କର ଗ୍ରୀଷ୍ମକାଳୀନ ବିଳାସପୁରୀ । ଅବଶ୍ୟ ଅନେକେ ସ୍ଥାୟୀ ଭାବରେ ବି ରହିଥାନ୍ତି । ସେମାନଙ୍କ ଭିତରେ ଥାଏ ବ୍ରତରୂପ ନାମକ ଯୁବକ । ତା’ର ସଂସାରରେ କେହି ନଥିଲେ, କିନ୍ତୁ ପିତାମାତା ତା’ ପାଇଁ ରଖିଯାଇଥିଲେ ଘରଦ୍ୱାର ଓ ସେ ଚଳିବା ଭଳି ସମ୍ପତ୍ତି ।

ବ୍ରତରୂପ ଯେପରି ଧୀରସ୍ଥିର, ସେହିପରି ଭାବୁକ । ସେ ବୁଲୁଥାଏ ବନପର୍ବତ ଭିତରେ- ଥରେ ଥରେ ଆତ୍ମହରା ହୋଇ । ସେହିପରି ବୁଲୁଥିବା ସମୟରେ ଦୈବାତ୍ ଦିନେ ସେ ଋଷିଙ୍କ ସହ ତା’ର ସାକ୍ଷାତ୍ ହୁଏ, ତାଙ୍କ ମାଧ୍ୟମରେ ପରିଚୟ ହୁଏ ରାକ୍ଷସୀ କନ୍ୟା ସହ । ଋଷି ସେତେବେଳକୁ ଅତ୍ୟନ୍ତ ବୃଦ୍ଧ । ବାପା । – ଋଷି ବ୍ରତରୂପକୁ କହିଲେ, “ପୃଥିବୀର ଏହି ଶେଷ ରାକ୍ଷସୀଟିର ଯତ୍ନ ନେଉଥିବୁ ।”

ଶେଷ ରାକ୍ଷସୀ !

“ହଁ. . . ଯେଉଁସବୁ ଆତ୍ମା ରାକ୍ଷସ-ରାକ୍ଷସୀରୂପେ ଜନ୍ମ ନେଇଥିଲେ, ବିବର୍ତ୍ତନରେ ସେମାନେ ବହୁ ପ୍ରଗତି ସାଧକ କରି ମୁକ୍ତି ପାଇସାରିଲେଣି, କେହି କେହି ବା ମଣିଷରୂପେ ଜନ୍ମ ନେଉଛନ୍ତି । ଏ କନ୍ୟାର ଆତ୍ମା ବି କମ୍ ବିଦଗ୍ଧ ନୁହେଁ । ଖାଲି ବୋଧିସତ୍ତ୍ୱଙ୍କୁ ଭ୍ରାତାରୂପେ ପାଇବା ପାଇଁ ଇଏ ଆସିଥିଲା ।” – ଋଷି କହିଲେ ।

ମହାଭାଗ ! ରାକ୍ଷସ ହେଉ ବା ମଣିଷ ହେଉ, ଜଣେ ତ ଆତ୍ମା ମାତ୍ରା ନୁହେଁ, ଆତ୍ମା ସହ ଥାଏ ଦେହ, ମନ ଓ ପ୍ରାଣ । ରାକ୍ଷସ- ଜାତିର ଆତ୍ମାସମୂହ ସିନା ରାକ୍ଷସଜନ୍ମର ଆବଶ୍ୟକତାରୁ ମୁକ୍ତି ପାଇଗଲେ, ସେମାନଙ୍କ ଦେହ, ମନ ଓ ପ୍ରାଣ କଥା କ’ଣ ? – ବ୍ରତରୂପ ପ୍ରଶ୍ନ କଲେ ।

ରାକ୍ଷସର ଦେହସତ୍ତା ମଣିଷ ତୁଳନାରେ ଅଧିକ ବିଭୂତିବନ୍ତ । ସେ ଦେହ ଇଚ୍ଛାନୁସାରେ ନାନା ରୂପ ନେଇପାରେ- ଯାହା ମଣିଷ ପାରେନା । ରାକ୍ଷସର ପ୍ରାଣ ବଡ଼ ଭୟଙ୍କର, ମନ କିନ୍ତୁ ତୀକ୍ଷ୍ଣ ନୁହେଁ । ଆତ୍ମାମାନଙ୍କଠୁଁ ବିଚ୍ଛିନ୍ନ ହେବା ଉତ୍ତାରୁ ସେସବୁ ପ୍ରାଣ ଓ ମନ ମଣିଷଙ୍କ ଚେତନାରେ ମିଶିଗଲେ । ମଣିଷର ତୀକ୍ଷ୍ଣ ମନର ସଂଯୋଗରେ ସେସବୁ ରାକ୍ଷସିକ ପ୍ରାଣସତ୍ତା ନାନା କରାମତି ଦେଖାଇବ ଏଣିକି । ବେପାରୀ ରୂପରେ ସେ ନିର୍ବିକାର ଭାବରେ ଘିଅ ଲହୁଣି ସହ ସାପ ଓ ଗୋଧିର ଚର୍ବି ମିଶାଇବ । ବୈଜ୍ଞାନିକ ଭାବରେ ମଣିଷକୁ କଲବଲ କରି ମାରିବାର ନାନା ସୂକ୍ଷ୍ମ ଉପାୟ ବାହାର କରିବ । ରାଜନୀତିକ ଭାବରେ ରାଜ୍ୟ ଛାରଖାର ହୋଇଗଲେ ବି ସେ ରାବଣ ଭଳି ନିଜ ଅହଂରେ ଅଟଳ ରହିବ । ଅତଏବ, ହେ ଯୁବକ । ରାକ୍ଷସ-ଜାତିର ଭୂମିକା ମଣିଷ ଅଧିକ ସଫଳ ଭାବରେ ତୁଲାଇବା ଦୃଷ୍ଟିରୁ ସେ ଜାତିର ଅସ୍ତିତ୍ୱ ରହିବ ନାହିଁ ।

ବ୍ରତରୂପ ସହ ଏ କଥାବାର୍ତ୍ତାର ଅଳ୍ପଦିନ ପରେ ଋଷିଙ୍କର ନିର୍ବାଣ ପ୍ରାପ୍ତି ହେଲା । ରାକ୍ଷସୀ-କନ୍ୟା ପ୍ରତି ସେତେବେଳେ ବ୍ରତରୂପର ପ୍ରଚୁର ସ୍ନେହ ଜାତ ହୋଇଥାଏ । ସେ ତାକୁ ଲୋକାଳୟକୁ ଆଣିବାକୁ ଆଗ୍ରହୀ ଥାଏ, କିନ୍ତୁ ସାହସ କରୁନଥାଏ । ସେ ଚିନ୍ତା କରି ଦେଖିଲା, ଯଦି କୌଣସି ବିବେକୀ ଯୁବକ କନ୍ୟାଟିର ପାଣି ଗ୍ରହଣ କରେ, ତେବେ କନ୍ୟାଟି ନିରାପଦ ରହିବା ସଙ୍ଗେ ସଙ୍ଗେ ରାକ୍ଷସ ରକ୍ତ ପୂରାପୂରି ଅବଲୁପ୍ତ ନ ହୋଇ ତା’ ସନ୍ତାନ-ସନ୍ତତିଙ୍କ ଧମନୀରେ ବଳବତ୍ତର ରହିବ । ଗୋଟିଏ ବିପନ୍ନ ଜାତିର ଧାରା କିଛିକାଳ ବଜାୟ ରଖିପାରିବା ଉତ୍ତମ ନିଶ୍ଚୟ ।

ବ୍ରତରୂପ ପ୍ରଥମେ ସହରର ଜଣେ ବିପ୍ଳବବାଦୀ ପ୍ରଗତିଶୀଳ ଯୁବନେତାଙ୍କୁ ରାକ୍ଷସ-କନ୍ୟା ସହ ବିବାହ ପ୍ରସ୍ତାବ ଦିଅନ୍ତେ, ପ୍ରଗତିଶୀଳଙ୍କ ମୁଖମଣ୍ଡଳ ଗୋଳିଆ ପାଣିରେ ତା’ର ପ୍ରତିବିମ୍ୱ ଭଳି ମ୍ଳାନ ଦେଖାଗଲା । ବ୍ରତରୂପ ଯେତେବେଳେ କହିଲେ କି, ସେ ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ସେ ଅକ୍ଷମ, ସେତେବେଳେ ସମ୍ଭ୍ରାନ୍ତ ଯୁବକ ଅନ୍ୟମନସ୍କ ହୋଇଗଲେ ।

ଦ୍ଵିତୀୟରେ, ଗ୍ରୀଷ୍ମକାଳ ବିତାଇବା ନିମନ୍ତେ ସେ ପାର୍ବତ୍ୟ ସହରକୁ ଆସିଥିବା ଜଣେ ସୁଜନ ସମ୍ଭ୍ରାନ୍ତ ଯୁବକକୁ ବ୍ରତରୂପ ପ୍ରସ୍ତାବ ଦିଅନ୍ତେ, କଣ୍ଠସ୍ୱର ମଧୁର କରି ସେ ଯୁବକ ପ୍ରଶ୍ନ କଲେ, “କେତେ ଯୌତୁକ ମିଳିବ ?” ବ୍ରତରୂପ ଯତେବେଳେ କହିଲେ କି, ସେ ପ୍ରଶ୍ନର ସଠିକ ଉତ୍ତର ଦେବାକୁ ସେ ଅକ୍ଷମ, ସେତେବେଳେ ସମ୍ଭ୍ରାନ୍ତ ଯୁବକ ଅନ୍ୟମନସ୍କ ହୋଇଗଲେ ।

ତୃତୀୟରେ, ବ୍ରତରୂପ ଜଣେ ସୁଦର୍ଶନ କଳାକାରଙ୍କୁ ବିବାହ ପ୍ରସ୍ତାବ ଦିଅନ୍ତେ, ସେ କହିଲେ ଯେ, ଜଣେ ନର୍ତ୍ତକୀ ବିବାହ କରିବା ତାଙ୍କର ବାସନା । ଯେତେବେଳେ ବ୍ରତରୂପ କହିଲେ ଯେ- ଆବଶ୍ୟକୀୟ ଶିକ୍ଷାଲାଭ କଲେ ତାଙ୍କ ପ୍ରସ୍ତାବିତ କନ୍ୟା ନୃତ୍ୟ କରିପାରିବ, ସେତେବେଳେ ସୁଦର୍ଶନ କଳାକାର ରାକ୍ଷସୀ ପୁଣି ନୃତ୍ୟ କରିବ । ବୋଲି କହି ଏତେ ପ୍ରବଳ ହାସ୍ୟରୋଳ କଲେ ଯେ, ସେ ତାହା ସମ୍ୱରଣ କରିବା ପୂର୍ବରୁ ବ୍ରତରୂପ ବାହାରି ଚାଲିଗଲେ ।

ଏହା ପରେ ଜଣେ ଯୁବକ ଭୂସ୍ୱାମୀଙ୍କୁ ବ୍ରତରୂପ ବିବାହ ପ୍ରସ୍ତାବ ଦିଅନ୍ତେ ସେ ଉତ୍ସାହରେ କହିଲେ କି ସେ ରାକ୍ଷସୀ ସହ ବିବାହ ପାଇଁ ଅବଶ୍ୟ ପ୍ରସ୍ତୁତ ନୁହଁନ୍ତି, ତେବେକେ ଅପ୍‌ସରାଟିଏ ପାଇଲେ ଖୁସି ହେବେ । ବ୍ରତରୂପ ସେଭଳି କୌଣସି ପ୍ରସ୍ତାବ ଆଣିପାରିଲେ ସେ ତାଙ୍କୁ ଘଟକରୂପେ ପୁରସ୍କୃତ କରିବେ ।

ହଠାତ୍ ଦିନେ ବ୍ରତରୂପ ଘୋଷଣା କଲେ କି, ସେ ସ୍ୱୟଂ ରାକ୍ଷସୀ-କନ୍ୟାକୁ ବିଭା ହେବେ ଏବଂ ଅରଣ୍ୟ ଭିତରେ ଗାନ୍ଧର୍ବ ରୀତିରେ ସେ ଅନୁଷ୍ଠାନ ସମାପିତ ହେବା ଉତ୍ତାରୁ ସ୍ୱଗୃହକୁ କନ୍ୟାୟନ କରିବେ ।

ସହରବାସୀମାନେ ସ୍ତମ୍ଭୀଭୂତ ହେଲେ ଏବଂ ଯେଉଁଦିନ ବରକନ୍ୟା ସହରରେ ପ୍ରବେଶ କରିବେ, ତହିଁ ପୂର୍ବଦିନ ସମସ୍ତେ ଯତ୍‌ପରୋନାସ୍ତି କିଂକର୍ତ୍ତବ୍ୟବିମୂଢ଼ ଦେଖାଗଲେ ।

ସହରର ମୁରବି ସଂଘ ଗୋଟିଏ ଜରୁରୀ ବୈଠକରେ ଏ ବିବାହ ବିରୁଦ୍ଧରେ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କଲାବେଳକୁ ଯୁବକ ଅରଣ୍ୟ ଭିତରକୁ ଚାଲିଗଲେଣି ।

ରାକ୍ଷସୀ ଆସି କି ଭଳି ଆଚରଣ କରିବ । ସେ ଭୟଙ୍କରୀକୁ ଦେଖି କୋମଳମତି ଶିଶୁବର୍ଗଙ୍କ ପ୍ରତିକ୍ରିୟା କ’ଣ ହେବ ? ପ୍ରେମ ଓ ଅନୁରାଗ ଉପରେ ଅନେକ ସୁନ୍ଦର ସ୍ୱପ୍ନିଳ ଶବ୍ଦମାନ ଆୟତ୍ତ କରିଥିବା ଅଭିଜାତ ତରୁଣୀମାନଙ୍କ ଆଗରେ ଅନ୍ୟ ଏକ ସୂକ୍ଷ୍ମ ସମସ୍ୟା ଦେଖା ଦେଲା । ଜଣେ ରାକ୍ଷସୀ ଆସି ସେହିମାନଙ୍କ ଭଳି ନାରୀତ୍ୱ ଜାହିର କରିବ, ଏହା ଫଳରେ ସମାଜରେ ନାରୀତ୍ୱର ଲାଳିତ୍ୱ, ରହସ୍ୟମୟତା ଇତ୍ୟାଦିର ମର୍ଯ୍ୟାଦା କେତେଦୂର ଅକ୍ଷୁର୍ଣ୍ଣ ରହିବ ।

ରାକ୍ଷସୀ ସହର ଉପକଣ୍ଠରେ ପହଞ୍ଚି ହାଉଁ ହାଉଁ ଖାଉଁ ଆରମ୍ଭ କରିଦେଲେ, ତା’ର ପ୍ରତିରୋଧ ନିମନ୍ତେ ଅନେକ ଅସ୍ତ୍ରଶସ୍ତ୍ର ଧରି ପ୍ରସ୍ତୁତ ରହିଲେ ।

କିନ୍ତୁ ଅବଶେଷରେ ଯେତେବେଳେ ସୂର୍ଯ୍ୟାସ୍ତ ମୁହୂର୍ତ୍ତରେ ବ୍ରତରୂପଙ୍କ ସହ କନ୍ୟାଟି ଆସି ସହରରେ ପ୍ରବେଶ କଲା, ସେତେବେଳେ ବାକ୍‌ସ୍ଫୁର୍ତ୍ତି ତ ଦୂରର କଥା, କାହାରି ଚିନ୍ତାସ୍ଫୂର୍ତ୍ତି ମଧ୍ୟ ହେଲାନାହିଁ । ଇଏ ପୁଣି ରାକ୍ଷସୀ । ଦେବକନ୍ୟା ଭଳି ଅପୂର୍ବ ସୁନ୍ଦରୀ । ତା’ର ସଲଜ୍ଜ ପଦପାତରେ ସତେ ଅବା ସେ ପଥର-ଖଣ୍ଡମାନ ପୁଷ୍ପମୟ ହୋଇ ଉଠୁଥିଲେ, ତା’ର ସସମ୍ଭ୍ରମ ମୃଦୁ ହସରେ ସତେ ଅବା ମଲ୍ଲୀ ଓ ଚମ୍ପାର ତୋଫାନ ବହିଯାଉଥିଲା । ତା’ର ଚାହାଁଣିରେ ସତେ ଅବା ନିଜକୁ ନିରର୍ଥକ ମନେକରି ଆକାଶରୁ ଶତେକ ନକ୍ଷତ୍ର ଖସିପଡ଼ିବେ ।

ବରକନ୍ୟାଙ୍କୁ ମଣିମୁକ୍ତା ବୋଝେଇ ଯୋଡ଼ିଏ ଶଗଡ଼ ଅନୁସରଣ କରୁଥିଲେ । ବହୁଯୁଗ ପରେ ସମ୍ୱାଦପତ୍ର ନାମକ ବସ୍ତୁର ଆବିର୍ଭାବ ଘଟିବ । ସେତେବେଳେ ସମ୍ୱାଦପତ୍ର ନ ଥିଲା, କିନ୍ତୁ ସାମ୍ୱାଦିକ ଥିଲେ । ଯେତେବେଳେ ଅନ୍ୟମାନେ ଅଚଳ, ଅବାକ୍, ସେତେବେଳେ ଜଣେ ସାମ୍ୱାଦିକ କେଇପାଦ ଆଗକୁ ଯାଇ ବ୍ରତରୂପଙ୍କୁ ପଚାରିଲେ, “ଇଏ କ’ଣ ? ଆପଣ ପରା ରାକ୍ଷସୀ-କନ୍ୟା ବିଭା ହେଉଥିଲେ । ମର୍ତ୍ତ୍ୟର ସମସ୍ତ ରାଜକନ୍ୟାଙ୍କ ସୌନ୍ଦର୍ଯ୍ୟ ଏକତ୍ର କଲେ ବି ତ ଏହାଙ୍କ ସୌନ୍ଦର୍ଯ୍ୟ ତରାଜୁରେ ଭାରୀ ହେବ ।”

ବ୍ରତରୂପ ହସିଦେଇ କହିଲେ, “ଆପଣମାନେ ଏତେ ପୋଥି ପୁରାଣ ପଢ଼ିଛନ୍ତି- ରାକ୍ଷସ- ରାକ୍ଷସୀମାନେ ଯେ ମାୟାବୀ ତଥା ଇଚ୍ଛାରୂପ, ଏତକ ମନେ ନାହିଁ ।”

ଯେଉଁ ସମ୍ଭ୍ରାନ୍ତ ଯୁବକ ଜଣକ ଯୌତୁକ ପ୍ରଶ୍ନ ଉତ୍‌ଥାପନ କରିଥିଲେ, ଏଥର ସେ ସାହସ କରି ଆଗକୁ ଯାଇ ପଚାରିଲେ, ଆପଣ ପରା ଯୌତୁକ ବିଷୟରେ ସଠିକ୍ କହିପାରିନଥିଲେ । ଇଏ ତ ସ୍ୱୟଂ ଯକ୍ଷରାଜଙ୍କ ସମ୍ପଦଠୁଁ ବଳି ।

ସଠିକ୍ କହିପାରୁନଥିଲି- ମିଳିବ ନାହିଁ ବୋଲି ତ କହିନଥିଲି । ରାକ୍ଷସମାନେ ସଞ୍ଚୟ କରି ରଖିଥିବା ବହୁ ସମ୍ପଦର ଠିକଣା ମୋ ସ୍ତ୍ରୀଙ୍କୁ ମାଲୁମ ହୋଇଯାଇଛି ବଳେ ବଳେ । ବ୍ରତରୂପ କହିଲେ ।

ଏହାପରେ ବରକନ୍ୟା ଯାଇ ବ୍ରତରୂପଙ୍କ ଘରେ ପହଞ୍ଚିଲେ ଓ ଧନରତ୍ନତକ ଘର ଭିତରକୁ ନେଇସାରି କବାଟ ବନ୍ଦ କରିଦେଲେ ।

ଏହାର ପ୍ରାୟ ଏକ ଘଣ୍ଟା ପରେ ସମାଜର ପ୍ରତ୍ୟେକ ମାନ୍ୟଗଣ୍ୟ ସଭ୍ୟ ନିଜନିଜର ବାକ୍‌ଶକ୍ତି ଫେରିପାଇଥିଲେ ଏବଂ ଦୁଇଘଣ୍ଟା ପରେ ସମସ୍ତେ ଏକ ସମୟରେ କଥା କହିବାକୁ ଉତ୍ସୁକ ଥିଲେ । ସେମାନେ ହୋଇଥିଲେ ଭୀଷଣ ଉତ୍ତେଜନାର ବଶବର୍ତ୍ତୀ । ସମସ୍ତେ, ବିଶେଷତଃ ଯୁବକମାନେ ଭାବୁଥିଲେ କି ସେମାନେ ପ୍ରତାରିତ ହୋଇଛନ୍ତି । କିଏ ପ୍ରତାରିତ କଲା, କାହିଁକି କଲା, ଏସବୁ ପ୍ରଶ୍ନ କେହି ଉତ୍‌ଥାପିତ କରୁନଥିଲେ, ଉତ୍ତର ପାଇଁ ଅପେକ୍ଷା କରିବା ତ ଦୂରର କଥା । ଆପଣାଛାଏଁ କେହି କାହାକୁ ନ ଡାକିବା ସତ୍ତ୍ୱେ, ଉତ୍ତ୍ୟକ୍ତ ଜନତାରେ ପରିଣତ ହୋଇ ସେମାନେ ଯାଇଁ ବ୍ରତରୂପଙ୍କ ଘର ଘେରାଉ କଲେ ଓ ନାନା ପ୍ରକାର ଧ୍ୱନି ଦେବାକୁ ଲାଗିଲେ । ସେ ସବୁ ଧ୍ୱନିରେ କୌଣସି ଅର୍ଥ ନ ଥିଲା, ଥିଲା ଭୟାବହ ଅନର୍ଥ । ଭୀଷଣ ଚିତ୍କାର କରି ସେମାନେ ବ୍ରତରୂପଙ୍କ ଦ୍ୱାରଦେଶରେ ଧକ୍କା ମାରିବାକୁ ଲାଗିଲେ ।

ନିଶାର୍ଦ୍ଧରେ ବ୍ରତରୂପ କବାଟ ଖୋଲି ବାହାରକୁ ଆସିବାରୁ ସମସ୍ତେ ଚୁପ୍ ହୋଇଗଲେ ।

ଆପଣମାନଙ୍କର କିଭଳି ସେବା ମୁଁ କରିପାରେ । – ସେ ପ୍ରଶ୍ନ କଲେ । କେହି ସେ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ନଥିଲେ । କିଛି ସମୟ ପରେ ସେମାନେ ପଚାରିଲେ, ଆପଣଙ୍କ ପତ୍ନୀ ଗଲେ କୁଆଡେ଼ ?

ତାଙ୍କୁ ହଟ୍ଟଗୋଳ ଭଲ ଲାଗେ ନାହିଁ । ସେ ତେଣୁ ରୂପ ବଦଳାଇ ଆପଣମାନଙ୍କ ପରିବାରର କୌଣସି ନାରୀଙ୍କ ରୂପ ନେଇ ସମସ୍ତଙ୍କ ସହ ମିଶିଗଲେଣି । – ଏହା କହି ବ୍ରତରୂପ ସମସ୍ତଙ୍କ ମଝି ଦେଇ ଅରଣ୍ୟ ଆଡେ଼ ଚାଲିଗଲେ । ଲୋକେ ବ୍ରତରୂପଙ୍କ ଘରେ ପଶି ଧନରତ୍ନ ସନ୍ଧାନରେ ମନୋନିବେଶ କଲେ ।

କିନ୍ତୁ ବରକନ୍ୟା ଭୋଜନ କଲା ପରେ ଅବଶିଷ୍ଟ ଥିବା କିଛି କ୍ଷୀରି ପିଠା ଛଡ଼ା ଆଉ ମୂଲ୍ୟବାନ୍ ସାମଗ୍ରୀ କିଛି କାହାରି ଆଖିରେ ପଡ଼ିଲା ନାହିଁ । ଯେଉଁମାନେ ରାକ୍ଷସୀକନ୍ୟାଦ୍ୱାରା ପ୍ରସ୍ତୁତ ସେ ଉଦ୍‌ବୃତ୍ତ କ୍ଷୀରି ପିଠା ଭକ୍ଷଣ କଲେ, ସେମାନେ ମୂର୍ଚ୍ଛା ଗଲେ । ସେଭଳି ମୂର୍ଚ୍ଛା ଯିବାର କାରଣ ଏକାନ୍ତ ମୌଳିକ । ତୁଚ୍ଛା ଜିଭଦ୍ୱାରା ଆହରିତ ପୁଲକର ମାତ୍ରାଧିକ୍ୟ ଯୋଗୁଁ ଇତିହାସରେ କେହି ମୂର୍ଚ୍ଛା ଯାଇଥିବାର ଦୃଷ୍ଟାନ୍ତ ପୂର୍ବରୁ ନଥିଲା । କ୍ଷୋଭର କଥା, ସେ ଭଦ୍ରବ୍ୟକ୍ତିମାନେ ତା’ପରେ ଜୀବନରେ ଯେତେ ଯାହା ସୁସ୍ୱାଦ ଚିଜ ଆହାର କଲେ ବି ତାହା ବିସ୍ୱାଦ ଲାଗିଥିଲା ।

ଧନରତ୍ନ ସବୁ ମାୟାବଳରେ ଅଦୃଶ୍ୟ ହୋଇଯାଇଛି- ବୋଲି ଜଣେ ବିଶିଷ୍ଟ ବ୍ୟକ୍ତି ଘୋଷଣା କଲେ, କିନ୍ତୁ ସେ ଘୋଷଣା ଅଭିସନ୍ଧିମୂଳକ ବୋଲି ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ସନ୍ଦେହ କଲେ । ସେମାନଙ୍କ ଭିତରେ ପାଟିଗୋଳ କ୍ରମେ ମାଡ଼ଗୋଳରେ ପହଞ୍ଚିଲା ଏବଂ ତାହା ହେଲା ସ୍ଥାୟୀ ଶତ୍ରୁତାରେ ପରିଣତ । ସହରର ସାଧାରଣ ଲୋକେ କୌଣସି ନା କୌଣସି ବିଶିଷ୍ଟ ଲୋକଙ୍କ ଶିବିରରେ ଯୋଗ ଦେବା ଦୃଷ୍ଟିରୁ ସାରା ସହର ଗୋଟିଏ ପାରସ୍ପରିକ ଶତ୍ରୁପୁଞ୍ଜରେ ପରିଣତ ହେଲା ।

କିନ୍ତୁ ତାହାଠୁଁ ଅଧିକ ଗୁରୁତର ପ୍ରମାଦ ଦେଖାଦେଲା ପ୍ରତି ଘରେ ଘରେ- ଘର ଭିତରେ । ରାକ୍ଷସୀ କେଉଁ ନାରୀର ରୂପ ନେଲା ? ଜଣକୁ ଭକ୍ଷଣ କରି ସିନା ତା’ ରୂପ ନେଇଥିବ ? କିଏ ସେ ଗୃହିଣୀ-ରୂପୀ ରାକ୍ଷସୀ ? ଭୀଷଣ ସନ୍ଦେହର ବିଷରେ ପ୍ରତି ଗୃହର ବାତାବରଣ ତିକ୍ତ ହେଲା ।

ସହରର ଶ୍ରୀ ତୁଟିଗଲା । ନୂଆ କେହି ସେଠାକୁ ଆସିଲା ନାହିଁ । ଶତ୍ରୁତା ଓ ସନ୍ଦେହର ସେ ରାଜ୍ୟରୁ ଯିଏ ପାରିଲା ସିଏ ଦୂରେଇ ରହିଲା । ଅନ୍ୟମାନେ ପରସ୍ପର ସହ କନ୍ଦଳ ଓ ପରସ୍ପର ପ୍ରତିଶୋଧରେ କ୍ରମେ ଶେଷ ହୋଇଗଲେ ।

ହାୟ ! – ଅବୋଲକରା ଦୁଃଖ ପ୍ରକାଶ କଲା ।

ତେଣେ ରାକ୍ଷସୀ-କନ୍ୟା ଓ ବ୍ରତରୂପ ନିବିଡ଼ ଅରଣ୍ୟ ଭିତରେ ତପସ୍ୟା କରି ରହିଲେ ଶେଷଯାଏ ।

ଆହା ! – ଅବୋଲକରା ଅରଣ୍ୟ ଓ ମହାଶୂନ୍ୟର ଅନ୍ତବର୍ତ୍ତୀ ଅଞ୍ଚଳକୁ ଚାହିଁ ନମସ୍କାର କଲା ।

1 Comment

1 Comment

  1. Himanshu

    March 16, 2018 at 7:28 am

    That’s a mind boggling sad story ???…dare to touch d heart by d weapons of wisdom…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top