କବିତା

ସଭିଁଙ୍କର ନମସ୍କାର

Madhabananda Panda's odia poem for children Sabhinkara Namaskaar

ଦେଖିଲେ କୁକୁର ଜିଭକୁ କାଢ଼ି
ଧକୋଉଚି ଖାଲି ଘଡ଼ିକି ଘଡ଼ି
ପାଣିରେ ଦେହକୁ ଥୋଇ
ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ ।

ସଭିଁଙ୍କର ନମସ୍କାର
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପଳାଶ ଡାକିଲା “ପାଳଧୁଆ ଲୋ କଅଣ କରୁଛୁ ମିତ
ହେଇତ ଶିମିଳି ଆସିଗଲାଣି ଆସ ଲୋ ଗାଇବା ଗୀତ ।”
ତିନି ଜଣଙ୍କର ନାଲିଆ ଜୁଡ଼ା ଡାକିଲେ ହେଇଟି କୃଷ୍ଣଚୂଡ଼ା
ଖେଳିବା ଆସ ଲୋ’ ମିଶି
ଧୁ’ ଧୁ’ ଏଇ ଖରାବେଳଟାରେ କଅଣ କରୁଚୁ ବସି ।

ଦେଖିଲେ କୁକୁର ଜିଭକୁ କାଢ଼ି
ଧକୋଉଚି ଖାଲି ଘଡ଼ିକି ଘଡ଼ି
ପାଣିରେ ଦେହକୁ ଥୋଇ
ଗାଈ ଗୋରୁମାନେ ପାକୁଳି କରନ୍ତି ଗଛର ଛାଇରେ ଶୋଇ ।

ପଳାଶ କହିଲା- “ଦେଖେ ସହି
ମଣିଷଟା ଖରା ପାରୁନି ସହି
ଟେକିକି ଧରିଚି ଛତା
ଓଦା ଗାମୁଛାଟେ ମୁଣ୍ଡରେ ପକାଇ
ପାଦରେ ନାଇଚି ଯୋତା”

ଶିମିଳି କହିଲା “ହଁ ଲୋ’ ମିତ
ଯାହା କହିଲୁ ତୁ ତୋ କଥା ସତ
ଯାହା କରିଚି ସେ ଭଲ
ନ ହେଲେ ପରା ଲୋ ଅଂଶୁଘାତ ହେବ
ହେବ କେତେ କଲବଲ ।
ବିଧାତା ଆମକୁ ଗଢ଼ିଛି ପରା
ସହିଯିବା ଆମେ ବରଷା, ଖରା
କିଛି ହେବନି ଆମର
ଜୀବଜନ୍ତୁ ଟାଣ ଖରାରେ ବୁଲିଲେ
ହେବେ କେତେ ହରବର ।
ପିଇବାକୁ ହେବ ପ୍ରଚୁର ପାଣି
ସରବତ, ଲସି, ଦହି, ତୋରାଣୀ
ବେଲପଣା ଭାରି ମଜା
ଜଳ କମିଗଲେ ଦେହରୁ ପରା ଲୋ
ପାଇବେ କେମିତି ସଜା ।”

କୃଷ୍ଣଚୂଡ଼ା ଶୁଣି କହିଲା “ଅନା ଅଂଶୁଘାତ ହେଲେ ଡାକ୍ତରଖାନା
ତୁରନ୍ତ ନେବାକୁ ହେବ
ନୋହିଲେ ପରା ଲୋ ବିଷମ କଥା
ରୋଗୀ ନିଶ୍ଚେ ମରିଯିବ ।”

ପାଳଧୁଆ ଦେଲା ହଲାଇ ମଥା
“କହନା ଲୋ ଅମଙ୍ଗଳିଆ କଥା, ସରବେ ରହନ୍ତୁ ସୁଖେ
ଆଉ ଅମଙ୍ଗଳ, ଅଶୁଭ କଥା କେବେ ଧରିବୁନି ମୁଖେ ।”

ମଣିଷ କହିଲା “ସତରେ ତୁମେ
ସୁନ୍ଦର, ମହାନ୍ ମରତ ଭୂମେ
କିବା ଦେବୁ ପୁରସ୍କାର
ହେ ବୃକ୍ଷ ଦେବତା ସାଦରେ ଘେନ ହେ
ସଭିଙ୍କର ନମସ୍କାର !”

1 Comment

1 Comment

  1. Bikash Rout

    December 21, 2017 at 7:31 pm

    sundara kabita. Thank you sir…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top