ଖବର ଆସିଚି. . .
ନକ୍ଷତ୍ର ପରି ଆଖିରେ
ଜିଜ୍ଞାସାର ଦୀପ ଜାଳି
ଫୁଲ ପାଖୁଡ଼ା ଓଠରେ
ମାତୃସ୍ତନର ବିଶ୍ୱାସ
ଉଛୁଳେଇ
ପଦ୍ମକଢ଼ି ହାତରେ
ପତାକା ଧରି
କଦମ୍ ତୋଳି,
କାଲି ସକାଳେ
ସେମାନେ ଆସିବେ ।
ଓ କେଉଁ
ଦେବଲୋକରେ ଥିବା
ଅନାଗତଙ୍କ ପାଇଁ
ବର୍ତ୍ତମାନର
ଚିତ୍ରଟେ ମାଗିବେ ।
ଆଜି, ଯେମିତି ହେଉ
ମତେ ସଂଗ୍ରହ
କରିବାକୁ ହେବ
ରକ୍ତରୁ ସ୍ୱାଭିମାନର
ଅରୁଣ ଉଦ୍ଭାସିତ ।
କଥାରୁ
ସତ୍ୟର ଶୁଭ୍ରତା
ଖୋଜିବାକୁ ହେବ ।
କାହାର ଦୃଷ୍ଟିରେ
ଅଛି ଯଦି ଉଦାରତାର ନୀଳିମା
କିଏ ଯଦି ସାଇତିଛି ତଥାପି
ସ୍ୱପ୍ନରେ ସବୁଜିମା
ମତେ ଟିକେ ଦେବ ?
ଇତିହାସରୁ ନୁହେଁ
ତାଙ୍କ ଆଖି ପାଉଥିବା
ଆକାଶରୁ ଇ
ସେମାନେ ମାଗିବେ ଇନ୍ଦ୍ରଧନୁ
ପ୍ରତ୍ନତତ୍ତ୍ୱରୁ ନୁହେଁ
ପାଦତଳର ମାଟିରୁ
ଲୋଡ଼ିବେ ସମ୍ଭାବନା
ଯଦି କେହି ଜାଣିଚ
କୋଉଠି ଅଛି
ଜିଜୀବିଷାର ସୂର୍ଯ୍ୟ
ସୃଜନର ମେଘମାଳା
ବସୁଧାଟିଏ
ସୁଜଳା, ସୁଫଳା
ଦବ ତ ଠିକଣା ।
କେହି ତାଙ୍କୁ କହିଚି
ମୁଁ କାଳେ
ଜଣେ କବି. . . ।
ମୁଁ କେବଳ ନେଇପାରିବି
ଆଗାମୀର ଦାୟବଦ୍ଧତା
ଏକା ମୁଁ ଆଙ୍କି ପାରିବି
ନିଷ୍କପଟତାର ରଙ୍ଗରେ
ବର୍ତ୍ତମାନର ଏକ ଛବି. . . ।
ମୋ ଲେଖନୀ
ଝୁରି ହେଉଥିବ ।
କିଛି ଉଜ୍ୱଳ ଅନୁଭବ
ମତେ କେହି ଦିଅ. . . ।
ଆଜିକାଲି
କେତେ ଅନ୍ଧାରରେ
ମୁଁ ଅଛି ବୋଲି
ମୁହଁ ଖୋଲି
ସେମାନଙ୍କୁ
କେମିତି କହିବି ? ?