ଉତ୍କଳ କଳାର ନମୁନା ଦେଖାଇ ।
ବିଶ୍ଵେ ପରିଚିତ ଓଡ଼ିଆ ।।
ଓଡ଼ିଆର ଟେକ ଓଡ଼ିଆର ପ୍ରାଣ ।
ଓଡ଼ିଆ ଠାକୁର କାଳିଆ ।।
ବାର ବରଷର ବିନ୍ଧାଣୀ ପୁଅର ।
କାଳଜୟୀ ନୈପୁଣ୍ୟତା ।।
କନକ କିରଣେ ଚୀର ଉଦ୍ଭାସିତ ।
ଆତ୍ମଜାନ ବଦାନ୍ୟତା ।।
ବିଶ୍ଵେ ସୁବିଦିତ ବିଶ୍ୱରେ ପୂଜିତ ।
ପୁଣ୍ୟଶ୍ଳୋକ ପଞ୍ଚସଖା ।।
ଛଅଶହ ବର୍ଷ ପୂର୍ବୁ ଆଙ୍କିଗଲେ ।
ବିଶ୍ଵ ଜନନୀର ରେଖା ।।
ଭାଷା ସଂସ୍କୃତିର ଜାତି ନନ୍ଦିଘୋଷେ ।
ନିଃସ୍ୱାର୍ଥପର ସାରଥୀ ।।
ବିଦେଶ ମାଟିରେ ଉତ୍କଳ ଗୌରବ ।
ରଚିଗଲେ ମହାମତି ।।
ଓଡ଼ିଆ ସେବକ ଗଜପତି ରାଜା ।
ଆରାଧ୍ୟ ଦେବଙ୍କ ଦାସ ।
ଆରାଧନା କରୁ ଚତୁର୍ଦ୍ଧା ଦେବଙ୍କୁ ।
ଆଶିଷ ନ ହେଉ ଶେଷ ।।
ସ୍ଵଧର୍ମ ପାଳନ ବ୍ରତ ହେଉ ଆମ ।
ଅନ୍ଧକାର ହେଉ କ୍ଷୟ ।।
ଦେଶ ମାତୃକାର ଶ୍ରୀପଦ ପୂଜିବା ।
ଜୟ ମା ଉତ୍କଳ ଜୟ ।।
