ମୁଁ ତ କହିନି ଦିଅ ହୀରା ର ଘର,
କିନ୍ତୁ ତମେ ଗଢିଦେଲ ସ୍ୱର୍ଣ୍ଣିମ ନଗରୀ,
ପୁରାଣ ଲେଖା ଲଙ୍କା ସଦୃଶ,
ସ୍ୱପ୍ନ ଦେଖିଥିଲି ସମୁଦ୍ର କୂଳରେ ଗଢ଼ିବି ବାଲିଘର,
କିନ୍ତୁ ତମେ ତୋଳିଦେଲ ମହଲ,
ପାହାଡ଼ ଉପରେ ଝରଣା ପାଖରେ ।
ମୋ ବେରଙ୍ଗ ଜୀବନରେ ରଙ୍ଗ ଭରିବାକୁ କହିଥିଲି,
ତମେ ତ ଇନ୍ଦ୍ରଧନୁ ଟାଣିଦେଲ,
ଆକାଶରେ , ମୋ ମୁଣ୍ଡ ଉପରେ,
ବିନା ସ୍ୱାର୍ଥରେ ନିଜକୁ ବାଜିଦେଇ ଦେଇଛ ସୁରକ୍ଷା,
ସେଥିପାଇଁ ତ ତୁମେ ମୋ ଜୀବନ୍ତ ଈଶ୍ୱର ।
ଜାଣିନି କଣ ସେଇ ସାହିତ୍ୟିକ ଶବ୍ଦ,
କବି ଲେଖେ ସ୍ୱାର୍ଥହୀନ ଅନାସକ୍ତ କର୍ତ୍ତବ୍ୟ ପାଇଁ,
ମୋ ପାଇଁ ତ ସେଇ ଶବ୍ଦ ତୁମେ ଦୁଇ ଜଣ,
କନ୍ୟା ଜନ୍ମକୁ ପାପ କହୁଥିବା ସମାଜରେ,
ନିଜ ସ୍ୱାଭିମାନରେ ବଞ୍ଚାଇବା ଶିଖାଇଲ ତୁମେ,
ପ୍ରଥମ ଥର ବାବା ତୁମର ସେଇ ରାଗ ଭରା ଆଖିରେ,
ଲୁହ ଜକେଇ ଆସିଲା ମୋ ବିଦା ବେଳେ,
ମାମା ତୁ କହିଥିଲୁ “ଦୁହିତା! ଦୁଇ କୂଳ କୁ ହିତା”
“ଆମ ଇଜ୍ଜତ ରଖିବୁ ମା!”
ବାସ୍ ସେଇ ଚେଷ୍ଟାରେ ମୁଁ ସବୁବେଳେ ।
ହାରିଗଲେ ତୁମେ ମୋତେ ଦେଇଛ ଶକ୍ତି
ଜିତିବାର ଅଭିଳାଷ,
ହସିବା ପାଇଁ ସ୍ୱପ୍ନ ଆଉ
ବଞ୍ଚିବା ପାଇଁ ପ୍ରେମ ।
